ଆଜିଠାରୁ ଭାରତ-ଇଂଲଣ୍ଡ ଟି-୨୦ ସିରିଜ୍: ରେକର୍ଡ ଲକ୍ଷ୍ୟରେ ବିରାଟ ଓ ରୋହିତ


ରୋହିତ ଶର୍ମା ଓ ବିରାଟ କୋହଲି (ଫାଇଲ୍ ଫଟୋ)
ଟେଷ୍ଟ୍ ସିରିଜରେ ଦୁଇ ଦଳ ପରସ୍ପରର ଦୁର୍ବଳତା ଓ ସବଳତା ସମ୍ପର୍କରେ ଅବଗତ ହେବା ପରେ ଶୁକ୍ରବାରଠାରୁ ଭାରତ ଓ ଇଂଲଣ୍ଡ ଟି-୨୦ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏହି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ଟି ବେଶ୍ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ବାନ୍ଧିଥିବା ବେଳେ ଏହା ବିଶ୍ବର ସବୁଠାରୁ ବଡ଼ ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯିବ। ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଟିମ୍ କମ୍ବିନେସନ୍ ପ୍ରସ୍ତୁତ କରିବା ଉଭୟ ଦଳର ମୁଖ୍ୟ ଲକ୍ଷ୍ୟ ରହିଥିବା ବେଳେ ଭାରତୀୟ ବ୍ୟାଟିଂ ଲାଇନଅପର ମେରୁଦଣ୍ଡ ଭାବେ ପରିଚିତ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ବ୍ୟାଟିଂ ମାଇଲଖୁଣ୍ଟ ଅପେକ୍ଷାରେ ରହିଛନ୍ତି। ଗତ ଟେଷ୍ଟ୍ ସିରିଜରେ ଭାରତ ୩-୧ରେ ବିଜୟୀ ହୋଇଥିଲେ ମଧ୍ୟ ଅଧିନାୟକ କୋହଲି ବିଶେଷ ସଫଳତା ପାଇପାରିନାହାନ୍ତି। ତେବେ ଟେଷ୍ଟ୍ ଫର୍ମକୁ ପଛରେ ପକାଇ ସେ ତାଙ୍କର ଟି-୨୦ ଫର୍ମକୁ ଜାରି ରଖିବା ନେଇ ଆଶାବାଦୀ ଥିବା ବେଳେ ସିରିଜରେ ଆଉ ମାତ୍ର ୭୨ ରନ୍ ଆବଶ୍ୟକ କରୁଛନ୍ତି ଏହି ଫର୍ମାଟରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୩ ହଜାର ରନ୍ ପୂରଣ କରିବା ପାଇଁ। ଏହାଛଡ଼ା ସେ ଆଗାମୀ ୫ଟି ଟି-୨୦ରେ ଏହି ସଂଖ୍ୟକ ରନ୍ କରିପାରିଲେ, ତିନିଟିଯାକ ଫର୍ମାଟରେ ୩ ହଜାର ରନ୍ ପୂରଣ କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ମଧ୍ୟ ହୋଇପାରିବେ।

ସେହିପରି ଶୁକ୍ରବାର ମ୍ୟାଚରେ ମାତ୍ର ୧୭ ରନ୍ କରିପାରିଲେ, କୋହଲି ବିଶ୍ବର ୩ୟ ଅଧିନାୟକ ଭାବେ ୧୨ ହଜାର ଅନ୍ତର୍ଜାତୀୟ ରନ୍ ପୂରଣ କରିପାରିବେ। ଅଦ୍ୟାବଧି କେବଳ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଓ ଗ୍ରେମ୍ ସ୍ମିଥ୍ ଏହି ଗୌରବ ହାସଲ କରିପାରିଛନ୍ତି। ରିକି ପଣ୍ଟିଂ ତାଙ୍କ କ୍ୟାରିୟରରେ ୧୫ ହଜାର ୪୪୦ ଓ ସ୍ମିଥ୍ ୧୪ ହଜାର ୪୭୮ ରନ୍ କରିଛନ୍ତି। ସେହିପରି କୋହଲିଙ୍କ ସହଯୋଗୀ ରୋହିତଙ୍କ ପାଇଁ ଆଗାମୀ ସିରିଜରେ ଛକା ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ରୋହିତଙ୍କୁ ଅତିକ୍ରମ କରିଥିବା ନ୍ୟୁଜିଲାଣ୍ଡ୍ ଓପନର ମାର୍ଟିନ୍ ଗପ୍ଟିଲ୍ ୧୩୯ଟି ଛକା ମାରିସାରିଥିବା ବେଳେ ରୋହିତ ତାଙ୍କୁ ଅତିକ୍ରମ କରିବା ସକାଶେ ଆଉ ୧୩ଟି ଛକାର ଆବଶ୍ୟକତା କରୁଛନ୍ତି। ସେହିପରି ଅନ୍ତର୍ଜାତୀୟ ଟି-୨୦ରେ ଗପ୍ଟିଲ୍ ଦ୍ବିତୀୟ ସର୍ବାଧିକ ରନ୍ ସ୍କୋରର୍ ରହିଥିବା ବେଳେ ତାଙ୍କ ସ୍ଥାନ ନେବା ସକାଶେ ରୋହିତଙ୍କୁ ଆଉ ୬୭ ରନର ଆବଶ୍ୟକତା ରହିଛି। ତେଣୁ ଆଗାମୀ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ସେ କୋହଲିଙ୍କ ପଛରେ ପହଞ୍ଚିଯିବା ନିଶ୍ଚିତ। ଅଦ୍ୟାବଧି ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ରନ୍ ମାମଲାରେ କୋହଲି ୨ ହଜାର ୯୨୮ ସହ ଏକ ନମ୍ବରରେ ଥିବା ବେଳେ ଗପ୍ଟିଲ୍ ୨ ହଜାର ୮୩୯ ରନ୍ ସହ ଦ୍ବିତୀୟରେ ଅଛନ୍ତି। ସେହିପରି ରୋହିତଙ୍କ ରନ୍ ସଂଖ୍ୟା ୨ ହଜାର ୭୭୩ ଥିବା ବେଳେ ସେ ୩ୟରେ ଅଛନ୍ତି। ଆହୁରି ଅଷ୍ଟ୍ରେଲିଆ ଟି-୨୦ ଟିମର ଅଧିନାୟକ ଆରୋନ୍ ଫିଞ୍ଚ୍ ୨ ହଜାର ୩୪୬ ରନ୍ ସହ ଚତୁର୍ଥରେ ଏବଂ ପାକିସ୍ତାନର ଭେଟେରାନ୍ ଅଲରାଉଣ୍ଡର୍ ଶୋଏବ୍ ମଲିକ ୨ ହଜାର ୩୩୫ ରନ୍ ସହ ପଞ୍ଚମ ସ୍ଥାନରେ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ