ଯୁବ ଜଗତ
ଚାକିରି ଚାଲିଗଲେ କେମିତି କରିବେ ଏହାର ମୁକାବିଲା

ପ୍ରତୀକାତ୍ମକ ଫଟୋ
ଚାକିରି ଚାଲିଗଲେ ବ୍ୟସ୍ତ ବିବ୍ରତ ହୋଇ ଯାଆନ୍ତୁ ନାହିଁ। ଏହାର କଡ଼ା ମୁକାବିଲା କରନ୍ତୁ। ପ୍ରତିକୂଳ ପରିସ୍ଥିତିରେ ଆପଣ ଦୃଢ଼ ରହିଲେ, ଆପଣଙ୍କ ଆତ୍ମବିଶ୍ବାସ ଆହୁରି ବଢ଼ିଯିବ। ଯଦି ଆପଣ ବେସରକାରୀ କମ୍ପାନୀରେ କାମ କରୁଛନ୍ତି ତେବେ ଚାକିରିର ସ୍ଥାୟିତ୍ବକୁ ନେଇ କେବେ ବି ନିଶ୍ଚିନ୍ତ ରହିପାରିବେ ନାହିଁ। କମ୍ପାନୀ ମାଲିକ ବିଭିନ୍ନ କାରଣ ଦର୍ଶାଇ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା କିଛି ନୂଆ କଥା ନୁହେଁ। କେହି ବି ଏହାର ଶିକାର ହୋଇପାରନ୍ତି। ତେଣୁ ଏଭଳି ପରିସ୍ଥିତିରେ ନିଜ ଉପରେ ନିୟନ୍ତ୍ରଣ ରଖିବା ସହ ପରିସ୍ଥିତିର ସାମ୍ନା କରନ୍ତୁ। ସବୁବେଳେ ମନେରଖନ୍ତୁ ଯେଉଁଭଳି ଭାବେ ଚାକିରି ଚାଲିଯାଇଥାଏ, ସେହିଭଳି ଭାବେ ଚାକିରି ମିଳି ମଧ୍ୟ ଥାଏ। ତେଣୁ ସବୁବେଳେ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ।
ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତୁ
ଚାକିରି ଚାଲିଯିବା ଏକ ଶକ୍ତ ଧକ୍କା। ଏଥିରେ କୌଣସି ଦ୍ବିମତ ନାହିଁ। ଏପରି ସ୍ଥିତିରେ ନିରାଶକୁ ଆପଣଙ୍କ ଉପରେ ପ୍ରଭୁତ୍ବ ବିସ୍ତାର କରିବାକୁ ଦିଅନ୍ତୁ ନାହିଁ। ଚାକିରି ଚାଲିଯିବାର ଅର୍ଥ ନୁହେଁ ଯେ ଆପଣଙ୍କ ପାଖରେ ପ୍ରତିଭା ନାହିଁ କିମ୍ବା ଆପଣଙ୍କୁ କାମ ଜଣାନାହିଁ। ଚାକିରିରୁ ବାହାର କରାଯିବାର ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ। ତେଣୁ ନିଜ ଦକ୍ଷତାର ବିକାଶ କରନ୍ତୁ। ଉତ୍ତମ ଦକ୍ଷତାର ସହ ଚାକିରି ଖୋଜିଲେ ହୁଏତ ଆପଣଙ୍କୁ ଆହୁରି ଭଲ ଚାକିରି ମିଳିଯାଇପାରେ। ନିଜକୁ ସମୟ ଅନୁସାରେ ଅପଡେଟ୍ ରଖନ୍ତୁ।
ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ
ସବୁବେଳେ ମନେରଖନ୍ତୁ ପ୍ରତିକୂଳ ପରିସ୍ଥିତିରେ ହିଁ ଆପଣଙ୍କ ଅସଲ ପରୀକ୍ଷା ହୋଇଥାଏ। ତେଣୁ ଚାକିରି ଚାଲିଗଲା ପରେ ପ୍ରଥମେ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭୁଲ୍ କେଉଁଠି ରହିଲା ଏବଂ ଏହାକୁ କିଭଳି ଭାବେ ଏଡ଼ାଇ ଦିଆଯାଇପାରିବ ସେ ସମ୍ପର୍କରେ ଭାବନ୍ତୁ। ତେଣୁ ନୂଆ ଚାକିରି ନ ମିଳିବା ଯାଏଁ ନିଜ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ ଆପଣ ନିଜ କାମକୁ ଭଲ ଭାବେ କରିପାରିବେ ନାହିଁ।
ବ୍ୟାୟାମ ଓ ପ୍ରାଣାୟମ କରନ୍ତୁ
ଚାକିରି ଥିବା ସମୟରେ ଆପଣଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାକୁ ସମୟ ମିଳି ନ ଥାଏ। ତେଣୁ ଚାକିରି ଚାଲିଯିବା ପରେ ଫିଟ୍ନେସ ପ୍ରତି ଧ୍ୟାନ ଦିଅନ୍ତୁ। ସ୍ବାସ୍ଥ୍ୟକର ଜୀବନଶୈଳୀ ବିତାନ୍ତୁ। ଯୋଗ ଏବଂ ପ୍ରାଣାୟମ କରି ନିଜ ଏକାଗ୍ରତା ବଢ଼ାନ୍ତୁ।
ନେଟୱର୍କ ବଢ଼ାନ୍ତୁ
ଚାକିରି ପାଇବା ପାଇଁ ନିଜ ନେଟୱର୍କର ବିସ୍ତାର କରନ୍ତୁ। ନିଜ ବାୟୋଡାଟାକୁ ଅପ୍ଡେଟ୍ ରଖନ୍ତୁ। ଲିଙ୍କଡ ଇନ୍ ଭଳି ସୋସାଲ ନେଟ୍ୱର୍କ ସାଇଟ୍ରେ ବାୟୋଡାଟା ଅପ୍ଲୋଡ଼ କରନ୍ତୁ।
ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ
ଚାକିରି ଚାଲିଯିବା ପରେ ବହୁତ ଚିନ୍ତିତ ରହୁଥିଲେ ବିଶେଷଜ୍ଞ କିମ୍ବା ମନୋସ୍ତତ୍ତ୍ବବିତ୍ଙ୍କ ପରାମର୍ଶ ନେଇପାରିବେ। ଏପରି କରିବା ସମୟରେ ତାଙ୍କୁ କିଛି ବି ଲୁଚାନ୍ତୁ ନାହିଁ। ବିଶେଷଜ୍ଞଙ୍କ ପରାମର୍ଶ ହୁଏତ ଆପଣଙ୍କ ଆତ୍ମବିଶ୍ବାସ ବଢ଼ାଇବାରେ ସହାୟତା କରିପାରିବ। ଆପଣ ପରିବାର ଲୋକଙ୍କ ସହିତ ଆଲୋଚନା ମଧ୍ୟ କରିପାରିବେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ