ଟୋକିଓ ଅଲିମ୍ପିକ୍ସରେ ବିଦେଶୀ ଦର୍ଶକ ମନା, ମଶାଲ୍ ଶୋଭାଯାତ୍ରାରେ ବି ବାରଣ


ପ୍ରତୀକାତ୍ମକ ଫଟୋ
ଗତ ବର୍ଷ ଜୁଲାଇ-ଅଗଷ୍ଟରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ବର୍ଷେ ପାଇଁ ଘୁଞ୍ଚାଇ ଦିଆଯାଇଥିଲା। ତେଣୁ ଏହା ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଅନୁଷ୍ଠିତ ହେବ। କୋରୋନା ସଂକ୍ରମଣଜନିତ ସ୍ଥିତିରେ କିପରି ଭାବେ ଏହି ମହାକୁମ୍ଭକୁ ସଫଳତାର ସହ ଓ ନିରାପଦରେ ଆୟୋଜନ କରାଯାଇପାରିବ, ସେଥିନେଇ ଆୟୋଜକ ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି। ତେବେ କୋରୋନା ସଂକ୍ରମଣଜନିତ ଆଶଙ୍କାକୁ ଏଡ଼ାଇବା ସକାଶେ ଅଲିମ୍ପିକ୍ସରେ କୌଣସି ବିଦେଶୀ ଦର୍ଶକଙ୍କୁ ଇଭେଣ୍ଟ୍ ଦେଖିବାର ସୁଯୋଗ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଜାପାନର ଏକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆଗାମୀ ସମର୍ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ବିନା ବିଦେଶୀ ଦର୍ଶକରେ ଅନୁଷ୍ଠିତ ହେବ। ବିଭିନ୍ନ ଦେଶରେ ନୂଆ ଷ୍ଟ୍ରେନ୍ ବାହାରିଥିବାରୁ ଆଗାମୀ ଅଲିମ୍ପିକ୍ସ ପାଇଁ ବିଦେଶୀ ଦର୍ଶକଙ୍କୁ ଅନୁମତି ଦେବା କୌଣସି ଦୃଷ୍ଟିକୋଣରୁ ସମ୍ଭବପର ହୋଇପାରିବ ନାହିଁ ବୋଲି ଉକ୍ତ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ବିଦେଶୀ ଦର୍ଶକଙ୍କୁ ଅନୁମତି ପ୍ରଦାନ କରିବା ଅର୍ଥ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସ୍ବାସ୍ଥ୍ୟଗତ ନିରାପତ୍ତାକୁ ବିପନ୍ନ କରିବା ସହ ସମାନ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ସେହିପରି ଅଲିମ୍ପିକ୍ସର ଶୁଭାରମ୍ଭ ପାଇଁ ଆୟୋଜିତ ହେଉଥିବା ମଶାଲ୍ ଶୋଭାଯାତ୍ରାରେ ବି କୌଣସି ପ୍ରକାର ଦର୍ଶକଙ୍କୁ ସାମିଲ୍ କରାଯିବ ନାହିଁ ବୋଲି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଅବଶ୍ୟ ଅଲିମ୍ପିକ୍ସ ଇଭେଣ୍ଟରେ ବିଦେଶୀ ଦର୍ଶକଙ୍କୁ ବାରଣ କରିବା ଓ ମଶାଲ୍ ଶୋଭାଯାତ୍ରାରେ କୌଣସି ଦର୍ଶକଙ୍କୁ ସାମିଲ୍ କରାଯିବ ନାହିଁ ବୋଲି ଆୟୋଜକଙ୍କ ପକ୍ଷରୁ କୌଣସି ପ୍ରକାର ସୂଚନା ଦିଆଯାଇନାହିଁ। ତେଣୁ ଆଗାମୀ ଦିନରେ ଏନେଇ ସ୍ପଷ୍ଟ ସୂଚନା ମିଳିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ ଯେ କୋରୋନା ସଂକ୍ରମଣଜନିତ କାରଣରୁ ଗତ ବର୍ଷ ହେବାକୁ ଥିବା ଏହି କ୍ରୀଡ଼ା ମହାକୁମ୍ଭକୁ ବର୍ଷେ ବିଳମ୍ବରେ ଆୟୋଜନ କରିବା ସକାଶେ ନିଷ୍ପତ୍ତି ନିଆଯାଇଥିଲା। ଅଦ୍ୟାବଧି କୋରୋନା ସଂକ୍ରମଣଜନିତ ସ୍ଥିତି ଶତପ୍ରତିଶତ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ଏବେ ବି ଏହି ଅଲିମ୍ପିକ୍ସ ସଂସ୍କରଣର ଆୟୋଜନ ସମ୍ଭବପର କି ନାହିଁ, ସେନେଇ ବି ଅନେକ ସନ୍ଦେହରେ ଅଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ