ଦ୍ବିତୀୟ ଦିନିକିଆରେ ଭାରତୀୟ ମହିଳା ଦଳର ଜବରଦସ୍ତ ପ୍ରଦର୍ଶନ

ଝୁଲନଙ୍କୁ ୪ ୱିକେଟ୍, ମନ୍ଧାନାଙ୍କ ଅପରାଜିତ ୮୦ ରନ୍ ବଳରେ ୯ ୱିକେଟରେ ଜିତିଲା ଘରୋଇ ଦଳ

ପ୍ଲେୟର୍ ଅଫ୍ ଦ ମ୍ୟାଚ୍ ଝୁଲନ୍ ସାଥୀ ବୋଲର୍ ମାନସୀ ଯୋଶୀଙ୍କ ସହ ଆଲୋଚନା କରୁଛନ୍ତି
ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚରେ ଭାରତୀୟ ମହିଳା ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ସିରିଜର ପ୍ରଥମ ମ୍ୟାଚରେ ଦଳ ଶୋଚନୀୟ ଭାବେ ପରାଜୟ ବରଣ କରିଥିଲେ ମଧ୍ୟ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଏହା ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ପ୍ରଥମ ପରାଜୟର ପ୍ରତିଶୋଧ ନେଇଛି। ପ୍ରଥମେ ଭେଟେରାନ୍ ପେସର୍ ଝୁଲନ୍ ଗୋସ୍ବାମୀଙ୍କ ୪ ୱିକେଟର ସଫଳତାକୁ ଆଧାର କରି ଭାରତ ଦକ୍ଷିଣ ଆଫ୍ରିକାର ଇନିଂସକୁ ମାତ୍ର ୧୫୭ ରନରେ ସୀମିତ ରଖିଥିଲା। ଏହାପରେ ଓପନର ସ୍ମୃତି ମନ୍ଧାନାଙ୍କ ଅପରାଜିତ ୮୦ ରନ୍ ସହାୟତାରେ ଘରୋଇ ଦଳ ଟାର୍ଗେଟକୁ ମାତ୍ର ୨୮.୪ ଓଭରରେ ହାସଲ କରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିପାରିଛି। ୧୦ ଓଭରରେ ୪୨ ରନ୍ ବ୍୍ରୟ କରି ୪ଟି ୱିକେଟ୍ ନେଇଥିବା ଝୁଲନ୍ ପ୍ଲେୟର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ସିରିଜର ପରବର୍ତ୍ତୀ ମ୍ୟାଚ୍‌ଟି ଆସନ୍ତା ୧୨ ତାରିଖରେ ସ୍ଥାନୀୟ ଏକନ ଷ୍ଟାଡିୟମରେ ଖେଳାଯିବ।

ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ୪୧ ଓଭରରେ ମାତ୍ର ୧୫୭ ରନ୍ କରି ଭୁଶୁଡ଼ି ପଡ଼ିଥିଲା। ଦଳ ପକ୍ଷରୁ ଲାରା ଗୁଡାଲ୍ ସର୍ବାଧିକ ୪୯ ରନ୍ କରିଥିବା ବେଳେ ଅଧିନାୟିକା ସୁନ୍ ଲୁସ୍ ୫ଟି ଚୌକା ଜରିଆରେ ୩୬ ରନ୍ ଏବଂ ଟି. ଚେଟ୍ଟୀ ୧୨ ଓ ଏମ. ଡୁ ପ୍ରିଜ୍ ୧୧ ରନ୍ କରିଥିଲେ। ଦଳର ୬ ଜଣ ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ପହଞ୍ଚି ପାରି ନ ଥିଲେ। ଭାରତ ପକ୍ଷରୁ ଝୁଲନଙ୍କ ବ୍ୟତୀତ ରାଜେଶ୍ବରୀ ଗାଏକ୍ବାଡ୍ ୩୭ ରନ୍ ଦେଇ ୩ଟି, ମାନସୀ ଯୋଶୀ ୨୩ ରନରେ ୨ଟି ଓ ଉପଅଧିନାୟିକା ହରମନପ୍ରୀତ୍ କୌର୍ ବିନା କୌଣସି ରନ୍ ବ୍ୟୟ କରି ଗୋଟିଏ ୱିକେଟ୍ ନେଇଥିଲେ। ଜବାବରେ ଭାରତ ଓପନର ଜେମିମା ରଡରିଗ୍ସଙ୍କୁ ଦଳୀୟ ସ୍କୋର୍ ୨୨ ଥିବା ବେଳେ ହରାଇଥିଲା। ଜେମିମା ମାତ୍ର ୯ ରନ୍ କରିଥିଲେ। କିନ୍ତୁ ଏହାପରେ ମନ୍ଧାନା ଓ ପୁନମ୍ ରାଉତଙ୍କ ମଧ୍ୟରେ ଅବିଭାଜିତ ୧୩୮ ରନର ଭାଗୀଦାରୀ ହୋଇଥିଲା ଓ ଭାରତ ବେଶ୍ ସହଜରେ ଏକ ୱିକେଟରେ ୧୬୦ ରନ୍ କରି ବିଜୟୀ ହୋଇଥିଲା। ମନ୍ଧାନା ୧୦ଟି ଚୌକା ଓ ୩ଟି ଛକା ସହ ୮୦ ଏବଂ ପୁନମ୍ ୮ଟି ଚୌକା ସହ ୬୨ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଏକମାତ୍ର ୱିକେଟଟି ଶବନିମ୍ ଇସମାଇଲଙ୍କୁ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ