ପାଟି ସୁଆଦ
ତିଆରି କରନ୍ତୁ ରାଶି ଖେଚୁଡ଼ି

ରାଶି ଖେଚୁଡ଼ି
ଦିନ ଥିଲା ଘରେ କେହି ରୋଗରେ ପଡ଼ିଲେ ଘରେ ଖେଚୁଡ଼ି ତିଆରି କରାଯାଉଥିଲା। ମାତ୍ର ଏବେ ସମୟ ବଦଳିବା ସହ ଖେଚୁଡ଼ିକୁ ରାଷ୍ଟ୍ରୀୟ ଖାଦ୍ୟର ମାନ୍ୟତା ମିଳିଛି। ରେସ୍ତୋରାଁଠାରୁ ଆରମ୍ଭ କରି ବିମାନରେ ମଧ୍ୟ ଖେଚୁଡ଼ି ପରଷା ଯାଉଛି। ରାଶି ଖାଇବା ସ୍ବାସ୍ଥ୍ୟପ୍ରତି ହିତକର। ଚାଲନ୍ତୁ ଜାଣିବା ରାଶିରେ ପ୍ରସ୍ତୁତ ଖେଚୁଡ଼ି ସମ୍ପର୍କରେ।
କ’ଣ ଦରକାର
୧ କପ୍ ବାସୁମତି ଚାଉଳ, ୧ କପ୍ ମୁଗ ଡାଲି, ୨ଚାମଚ ରାଶି, ୧ ଟି ଆଳୁ, ୨ଟି କଞ୍ଚାଲଙ୍କା, ୧ଟ କଟା କ୍ୟାପ୍ସିକମ୍, ଗ୍ରୀନ୍ ମଟର, ୧ ଚାମଚ ଘିଅ, ଅଧ ଚାମଚ ଜିରା, ଅଧ ଚାମଚ ସୋରିଷ, ଅଧ ଚାମଚ ହଳଦୀ ଗୁଣ୍ଡ, ହେଙ୍ଗୁ, ବଟା ଅଦା, ଗୋଲ ମରିଚ ଗୁଣ୍ଡ, ଲବଙ୍ଗ ଗୁଣ୍ଡ ଏବଂ ସ୍ବାଦଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଡାଲି ଓ ଚାଉଳକୁ ଅଲଗା ଅଲଗା କିଛି ସମୟ ଭିଜାଇ ଦିଅନ୍ତୁ। ପ୍ରେସର କୁକର ଗରମ କରନ୍ତୁ। ଏଥିରେ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ ସେଥିରେ ସୋରିଷ, ଜିରା, ରାଶି, ହେଙ୍ଗୁ, ହଳଦୀ ଗୁଣ୍ଡ, ବଟା ଅଦା ଓ ଅନ୍ୟ ସବୁ କଟା ପରିବା ପକାନ୍ତୁ। ଏହାକୁ କିଛି ସମୟ ଭାଜନ୍ତୁ। ଏବେ ଏଥିରେ ଡାଲି ଓ ଚାଉଳ ପକାନ୍ତୁ। ଆବଶ୍ୟକ ଅନୁସାରେ ପାଣି, ଲୁଣ ଓ ଲଙ୍କା ପକାଇ ପ୍ରେସର କୁକରର ଢାଙ୍କୁଣୀ ଘୋଡ଼ାନ୍ତୁ। ଗୋଟିଏ ହୁଇସିଲ ଆସିଲା ପରେ ଗ୍ୟାସ୍ ବନ୍ଦ କରି କିଛି ସମୟ ଛାଡ଼ି ଦିଅନ୍ତୁ। ମନେରଖନ୍ତୁ ଏକ ଗ୍ଲାସ୍ ଚାଉଳରେ ଦୁଇ ଗ୍ଲାସ୍ ପାଣି ଦେବାକୁ ପଡ଼ିବ। ସେହି ଅନୁପାତରେ ଆପଣ ଯେତିକି ଚାଉଳ ନେଇଥିବେ ଓ ପରିବାକୁ ଦେଖି ଅନୁମାନ କରି ପାଣି ଦେବାକୁ ପଡ଼ିବ। ଏବେ ପ୍ରସ୍ତୁତ ହୋଇଗଲା ରାଶିରେ ତିଆରି ହୋଇଥିବା ଖାସ୍ ଖେଚୁଡ଼ି। ଖେଚୁଡ଼ି ଉପରେ ଗୋଲମରିଚ ଗୁଣ୍ଡ ପକାଇ ଧନିଆ ପତ୍ରରେ ସଜାନ୍ତୁ। ଆଚାର, ପାମ୍ପଡ଼ ସହିତ ଗରମ ଗରମ ପରଷନ୍ତୁ।