ଉତ୍ତମ ସ୍ବାସ୍ଥ୍ୟ
ଜାଣନ୍ତୁ ମୂର୍ଚ୍ଛାରୋଗ ଥିଲେ କ’ଣ କରିବା ଉଚିତ

ପ୍ରତୀକାତ୍ମକ ଫଟୋ
ଏପିଲେପ୍ସି ବା ମୂର୍ଚ୍ଛାରୋଗ ଏଭଳି ଏକ ରୋଗ ଯେଉଁଥିରେ ବ୍ୟକ୍ତିକୁ ହଠାତ୍ ଝଟ୍କା ଲାଗିବା ସହ କିଛି ସମୟ ପାଇଁ ବ୍ୟକ୍ତି ଚେତା ହରାଇଥାନ୍ତି। ମସ୍ତିଷ୍କରେ ଅସନ୍ତୁଳିତ ଇଲେକ୍ଟ୍ରିକାଲ ଆକ୍ଟିଭିଟି ପାଇଁ ଏହି ମୂର୍ଚ୍ଛାରୋଗ ହୋଇଥାଏ। ସାଧାରଣତଃ ପିଲାଦିନେ ଏହି ମୂର୍ଚ୍ଛାରୋଗ ହୋଇଥାଏ। ମାତ୍ର ଏହାର ଚିକିତ୍ସା ନ କଲେ ଏହା ବାରମ୍ବାର ଦେଖାଯାଇଥାଏ।
ତେବେ ୧୦ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୂର୍ଚ୍ଛାରୋଗର କାରଣ କ’ଣ ଜଣାପଡ଼ି ନାହିଁ। ଏଥିପାଇଁ ଜିନ୍କୁ ମଧ୍ୟ ଦାୟୀ କରାଯାଇପାରେ। ମସ୍ତିଷ୍କ ସହିତ ଜଡ଼ିତ କୌଣସି ରୋଗ ତଥା ମସ୍ତିଷ୍କ ଉପରେ କୌଣସି ପ୍ରକାର କ୍ଷତି ପହଞ୍ଚିଲେ ମୂର୍ଚ୍ଛାରୋଗ ବାରମ୍ବାର ଦେଖାଯାଇଥାଏ। ଯେଉଁମାନଙ୍କଠାରେ ମୂର୍ଚ୍ଛାରୋଗ ରହିଛି, ସେମାନେ ଠିକ୍ ସମୟରେ ନ ଖାଇଲେ କିମ୍ବା ନିଦ୍ରା ନ ଗଲେ ମଧ୍ୟ ଏହି ଲକ୍ଷଣ ବାରମ୍ବାର ଦେଖାଯାଏ। ଯେଉଁମାନେ ଅଧିକ ମାତ୍ରାରେ ମଦ୍ୟାପନ କରୁଛନ୍ତି ସେମାନଙ୍କଠାରେ ମଧ୍ୟ ମୂର୍ଚ୍ଛାରୋଗ ଆଶଙ୍କା ବଢ଼ିଥାଏ। ଲାଇଟ୍, ଟିଭି କିମ୍ବା କମ୍ପ୍ୟୁଟର ସ୍କ୍ରିନ୍କୁ ବେଶୀ ସମୟ ଚାହିଲେ ମଧ୍ୟ ଏହି ସମସ୍ୟା ବଢ଼ିଥାଏ।
ମୂର୍ଚ୍ଛାରୋଗ ଥିଲେ କ’ଣ କରିବେ
ଯଦି ଆପଣଙ୍କର ମୂର୍ଚ୍ଛାରୋଗ ରହିଛି ତେବେ ଗତ ଥର ଯେଉଁ କାରଣରୁ ଏହି ସମସ୍ୟା ହୋଇଥିଲା ତାହା କରିବାରୁ ନିବୃତ୍ତ ରହନ୍ତୁ। ଲାଇଟ୍ କିମ୍ବା କମ୍ପ୍ୟୁଟର ସ୍କ୍ରିନ୍ରେ ଅଧିକ ସମୟ ବସନ୍ତୁ ନାହିଁ। ଚାପ ନିୟନ୍ତ୍ରଣ ରଖନ୍ତୁ। ନିୟମିତ ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ। ପେଟ ଖାଲି ରଖନ୍ତୁ ନାହିଁ। ମଦ୍ୟପାନ କରିବାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହନ୍ତୁ। ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ସେବନ କରନ୍ତୁ। ସ୍ବିମିଂ କିମ୍ବା ଡ୍ରାଇଭିଂ ସମୟରେ ଜଣଙ୍କୁ ସାଙ୍ଗରେ ରଖନ୍ତୁ।
ମୂର୍ଚ୍ଛାରୋଗ ହୋଇଥିଲେ କ’ଣ କରିବେ ନାହିଁ
ମୂର୍ଚ୍ଛାରୋଗ ଆସିବାବେଳେ ତାଙ୍କୁ ରୋକିବାକୁ ଚେଷ୍ଟା କରନ୍ତୁ ନାହିଁ। କାରଣ ବ୍ୟକ୍ତି ସେ ସମୟରେ ଅଚେତ ଥିବାରୁ ଆପଣଙ୍କୁ ଆଘାତ ପହଞ୍ଚାଇ ପାରନ୍ତି। ମୂର୍ଚ୍ଛାରୋଗ ହୋଇଥିବା ସମୟରେ କିଛି ବି ଖାଦ୍ୟ ପାନୀୟ ଦିଅନ୍ତୁ ନାହିଁ। କାରଣ ଏହି ଗୋଟେ ଢୋକ ପାଣି ବି ଗଳାରେ ଅଟକି ରୋଗୀର ମୃତ୍ୟୁର କାରଣ ପାଲଟିପାରେ। ମୂର୍ଚ୍ଛାରୋଗ ସମୟରେ ରୋଗୀର ପାଟିରେ କିଛି ବି ରଖନ୍ତୁ ନାହିଁ। ମୂର୍ଚ୍ଛାରୋଗ ପରେ ବ୍ୟକ୍ତି କିଛି ସମୟ ପାଇଁ ଅଚେତ ରହିପାରନ୍ତି। ଏହି ସମୟରେ ସେ ନିଶ୍ବାସ ପ୍ରଶ୍ବାସ ନ ନେଲା ଭଳି ଲାଗେ। ମାତ୍ର କଦାପି ହୃତପିଣ୍ଡକୁ ଚାପି ତାଙ୍କୁ ସ୍ବଭାବିକ କରିବାକୁ ଚେଷ୍ଟା କରନ୍ତୁ ନାହିଁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ