ମୁମ୍ବାଇ ବିଦ୍ୟୁତ୍ ବିଭ୍ରାଟ ମନୁଷ୍ୟକୃତ, ସାଇବର୍ ଆଟାକ୍ ନେଇ ପ୍ରମାଣ ନାହିଁ: କେନ୍ଦ୍ର ଶକ୍ତି ମନ୍ତ୍ରୀ


କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ (ଫାଇଲ୍ ଫଟୋ)
ଗତ ବର୍ଷ ଅକ୍ଟୋବରରେ ମହାନଗର ମୁମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦେଖାଯିବା ପଛରେ ଚୀନର ସାଇବର୍ ଆଟାକ ଦାୟୀ ବୋଲି ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ସୋମବାର ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ସମର୍ଥନ କରିଥିଲେ। କିନ୍ତୁ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂ ଏପରି ମତାମତକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇରେ ଯେଉଁ ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦେଖାଦେଲା, ତା’ ପଛରେ ସାଇବର୍ ଆଟାକ୍ ଥିବାର କୌଣସି ପ୍ରମାଣ ନାହିଁ। ତେଣୁ ଏହା ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ। ଚୀନ୍ କିମ୍ବା ପାକିସ୍ତାନ ପକ୍ଷରୁ ସାଇବର୍ ଆଟାକ୍ ମାଧ୍ୟମରେ ଏପରି ବିଭ୍ରାଟ ସୃଷ୍ଟି କରାଯାଇଛି ବୋଲି ଆମେ ଆଦୌ କହିପାରିବା ନାହିଁ। କାରଣ ଆମ ପାଖରେ ଏପରି କହିବା ସକାଶେ କୌଣସି ପ୍ରମାଣ ନାହିଁ। ତେଣୁ ଏପରି ଅଭିଯୋଗକୁ ଚୀନ୍ ବେଶ୍ ସହଜରେ ଖାରଜ କରିଦେବ ବୋଲି ଶକ୍ତି ମନ୍ତ୍ରୀ କହିଛନ୍ତି। ଅବଶ୍ୟ ଦେଶର ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ଥିବା ଶକ୍ତି ଯୋଗାଣ କ୍ଷେତ୍ରଗୁଡ଼ିକ ଉପରେ ସାଇବର୍ ଆଟାକ୍ ହୋଇଥିବା କେନ୍ଦ୍ର ଶକ୍ତି ମନ୍ତ୍ରୀ ସ୍ବୀକାର କରିଛନ୍ତି। କିନ୍ତୁ କୌଣସି ସାଇବର୍ ହ୍ୟାକର୍ ଶକ୍ତି ପରିଚାଳନା ବ୍ୟବସ୍ଥା ପାଖରେ ପହଞ୍ଚିପାରିବ ନାହିଁ ବୋଲି ମଧ୍ୟ ଶକ୍ତି ମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସେହିପରି ମୁମ୍ବାଇରେ ଦେଖାଦେଇଥିବା ବିଦ୍ୟୁତ୍ ବିଭ୍ରାଟ ଘଟଣାର ତଦନ୍ତ ଦୁଇଟି ଟିମ୍ ଦ୍ବାରା କରାଯାଇଛି ଓ ଉକ୍ତ ଟିମ୍ ସେମାନଙ୍କ ତଦନ୍ତ ରିପୋର୍ଟ ମଧ୍ ଦାଖଲ କରିଥିବା ସିଂ କହିଛନ୍ତି। ଉକ୍ତ ରିପୋର୍ଟରେ ଗୋଟିଏ ଟିମ୍ ପକ୍ଷରୁ ସାଇବର୍ ଆଟାକ୍ ହୋଇଥିବା କୁହାଯାଇଥିଲେ ହେଁ ତାହା ମୁମ୍ବାଇ ବିଦ୍ୟୁତ୍ ବିଭ୍ରାଟ ସହ ଜଡ଼ିତ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର ଶକ୍ତି ମନ୍ତ୍ରୀଙ୍କ ଏପରି ମନ୍ତବ୍ୟ ନେଇ ପ୍ରତିକ୍ରିୟା ଦେବାକୁ ଯାଇ ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନୀତିନ୍ ରାଉତ କହିଛନ୍ତି ଯେ ସେ ଏ ସଂକ୍ରାନ୍ତ ସମସ୍ତ ରିପୋର୍ଟ ଆସନ୍ତା ବୁଧବାର ବିଧାନସଭାରେ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ ଯେ ଆମେରିକାର ଏକ ଫାର୍ମ ପକ୍ଷରୁ ହୋଇଥିବା ଗବେଷଣାରେ ମୁମ୍ବାଇ ବିଦ୍ୟୁତ୍ ବିଭ୍ରାଟ ପାଇଁ ଚୀନ୍ ସାଇବର୍ ଆଟାକ୍‌କୁ ଦାୟୀ କରାଯାଇଥିଲା। ଚୀନ୍ ସରକାରଙ୍କ ସହ ସଂଶ୍ଳିଷ୍ଟ ହ୍ୟାକର୍ ଗ୍ରୁପ୍ ଭାଇରସ୍ ମାଧ୍ୟମରେ ଭାରତର ଶକ୍ତି କ୍ଷେତ୍ର ଉପରେ ହମଲା କରିବା ସକାଶେ ଉଦ୍ୟମ ହୋଇଥିବା ଉକ୍ତ ଗବେଷଣାରୁ ସ୍ପଷ୍ଟ ହୋଇଥିବା କୁହାଯାଇଥିଲା। ଏପରି ରିପୋର୍ଟକୁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ମଧ୍ୟ କେତେକାଂଶରେ ସମର୍ଥନ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ