ମୁମ୍ବାଇରେ ବିଦ୍ୟୁତ୍ ବିଭ୍ରାଟ ପଛରେ ଚୀନର ସାଇବର୍ ଆଟାକ୍


ପ୍ରତୀକାତ୍ମକ ଫଟୋ
ଗତ ବର୍ଷ ଅକ୍ଟୋବରରେ ଅଚାନକ ମୁମ୍ବାଇ ସହରରେ ବିଦ୍ୟୁତ୍ କାଟ ହେବା ଫଳରେ ସାଧାରଣ ଜନଜୀବନ ଅସ୍ତ୍ରବ୍ୟସ୍ତ ହୋଇପଡ଼ିଥିଲା। ବିଦ୍ୟୁତ୍ ଅଭାବରୁ ମୁମ୍ବାଇରେ କେଇ ଘଣ୍ଟା ପାଇଁ ସବୁକିଛି ଠପ୍ ହୋଇଯାଇଥିଲା। ଟ୍ରେନ୍ ଓ ହସ୍ପିଟାଲ୍ ଏବଂ ସର୍ବୋପରି ଷ୍ଟକ୍ ମାର୍କେଟରେ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ଜନସାଧାରଣ ଯାବତୀୟ ହଇରାଣ ହରକତ ହୋଇଥିଲେ। ଏପରିକି ସେଣ୍ଟ୍ରାଲ୍ ମୁମ୍ବାଇର ଉପକଣ୍ଠସ୍ଥ ଅଞ୍ଚଳଗୁଡ଼ିକରେ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟ ହୋଇଥିଲା। ତେବେ ଏହା ପଛରେ ଚୀନର ସାଇବର୍ ଆଟାକର ମୁଖ୍ୟ ଭୂମିକା ରହିଛି ବୋଲି ଆମେରିକାର ପ୍ରତିଷ୍ଠିତ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଚୀନରୁ ସାଇବର୍ ଆଟାକ୍ କରାଯାଇ ମହାରାଷ୍ଟ୍ରରେ ଘଣ୍ଟା ଘଣ୍ଟା ଧରି ଅନ୍ଧକାରମୟ ପରିବେଶ କରିଦିଆଯାଇଥିଲା ବୋଲି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରକୁ ସତ ବୋଲି କହିଛନ୍ତି ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ ନୀତିନ୍ ରାଉତ। ଏହି ଘଟଣାର ତଦନ୍ତ କରିବା ପାଇଁ ତୁରନ୍ତ ୩ଟି କମିଟି ଗଠନ କରାଯାଇଛି ଓ କମିଟିର ସଦସ୍ୟାମାନେ ଖୁବଶୀଘ୍ର ସେମାନଙ୍କ ରିପୋର୍ଟ ଦାଖଲ କରିବେ ବୋଲି ରାଉତ କହିଛନ୍ତି।

ଗତ ନଭେମ୍ବରରେ ଭାରତର ଏକ ଇଂରାଜୀ ଗଣମାଧ୍ୟମ ପାଦଘାସ୍ଥିତ ରାଜ୍ୟ ଲୋଡ୍ ଡିସପାଚ୍ ସେଣ୍ଟରଠାରେ କେତେକ ଭାଇରସ୍‌କୁ ଇଞ୍ଜେକ୍ଟ କରାଯାଇଥିବା ମହାରାଷ୍ଟ୍ର ସାଇବର୍ ଡିପାର୍ଟମେଣ୍ଟ୍ ପକ୍ଷରୁ ଠାବ କରାଯାଇଥିଲା। ସେହିପରି ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବରରେ କୁହାଯାଇଥିଲା ଯେ ପୂର୍ବ ଲଦାଖରେ ଦୁଇ ଦେଶର ସେନା ମଧ୍ୟରେ ସୀମା ବିବାଦ ନେଇ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଏହାର ସୁଯୋଗ ନେଇ ଚୀନ୍ ଦେଶର ମୁଖ୍ୟ ବିଦ୍ୟୁତ ସରବରାହ କେନ୍ଦ୍ରରେ ଭାଇରସ୍ ଇଞ୍ଜେକ୍ଟ କରି ଚୀନ୍ ଭାରତକୁ କ୍ଷତି ପହଞ୍ଚାଇବା ସକାଶେ ଉଦ୍ୟମ କରିଛି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। ମାସାଚୁସେଟ୍ସସ୍ଥିତ ରେକର୍ଡେଡ୍ ଫ୍ୟୁଚର୍ ନାମକ ଏକ କମ୍ପାନୀ ଏହି ଭାଇରସ୍‌କୁ ଠାବ କରିପାରିଥିଲା। ତେବେ ଚୀନ୍ ପକ୍ଷରୁ ଉପଯୋଗ କରାଯାଇଥିବା ଭାଇରସ୍ ମଧ୍ୟରୁ ଅଳ୍ପ କିଛି ସକ୍ରିୟ ଥିବା ବେଳେ ଅଧିକାଂଶ ନିଷ୍କ୍ରିୟ ହୋଇପଡ଼ିଥିଲେ। ଫଳସ୍ବରୂପ ମହାରାଷ୍ଟ୍ରର ଅଳ୍ପ କେତେକ ସ୍ଥାନରେ ଏପରି ଅଚାନକ ବିଦ୍ୟୁତ୍ ସରବରାହରେ ବିଭ୍ରାଟ ଦେଖାଯାଇଥିଲା ବୋଲି ରେକର୍ଡେଡ୍ ଫ୍ୟୁଚର୍ ପକ୍ଷରୁ କୁହାଯାଇଛି। ସେହିପରି ଚୀନ୍ ତରଫରୁ ଭାରତକୁ ଧମକଚମକ ଦେବା କାର୍ଯ୍ୟରେ ନିୟୋଜିତ ଥିବା ରେଡଇକୋ ଭାରତର ପ୍ରମୁଖ ଶକ୍ତି ଯୋଗାଣ ପ୍ଲାଣ୍ଟ୍ ମଧ୍ୟରୁ କେତେକରେ ଏହି ଭାଇରସ୍ ଇଞ୍ଜେକ୍ଟ କରିଥିବା ସନ୍ଦେହ କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ