ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ମହିଳା ଦଳ ଘୋଷିତ

ଆଘାତଜନିତ କାରଣରୁ ବାଦ୍ ପଡ଼ିଲେ ଅଧିନାୟିକା ନିକର୍କ ଓ ଟ୍ରାୟନ୍

ସୁନ୍ ଲୁସ୍ (ଫାଇଲ୍ ଫଟୋ)
ଆସନ୍ତା ମାର୍ଚ୍ଚ ୭ ତାରିଖରୁ ଲକ୍ଷ୍ନୌ ଅଟଳ ବିହାରୀ ବାଜପେୟୀ ଏକନ ଷ୍ଟାଡିୟମରେ ଭାରତୀୟ ମହିଳା ଦଳ ସହ ଦକ୍ଷିଣ ଆଫ୍ରିକା ମହିଳା ଦଳ ସୀମିତ ଓଭର ସିରିଜ୍ ଖେଳିବ। ଏହି ସିରିଜରେ ପ୍ରଥମେ ୫ଟି ଦିନିକିଆ ଓ ପରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ଖେଳିବା ପାଇଁ ଇତିମଧ୍ୟରେ ଭାରତୀୟ ଦଳର ଖେଳାଳିମାନେ ଲକ୍ଷ୍ନୌରେ ପହଞ୍ଚିସାରିଛନ୍ତି ଓ ଶନିବାର ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ମଧ୍ୟ ଏଠାରେ ପହଞ୍ଚିଛନ୍ତି। ତେବେ ଦଳର ଆଗମନ ପରେ କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସଏ) ପକ୍ଷରୁ ଦଳର ସଦସ୍ୟାମାନଙ୍କ ନାମ ଘୋଷଣା କରାଯାଇଛି। ଏହି ଦଳରୁ ନିୟମିତ ଅଧିନାୟିକା ଡେନ୍ ଭାନ୍ ନିକର୍କ ଓ ବରିଷ୍ଠ ଖେଳାଳି କ୍ଲୋଏ ଟ୍ରାୟନ୍ ବାଦ୍ ପଡ଼ିଛନ୍ତି। ଗତ ମାସରେ ପାକିସ୍ତାନ ବିପକ୍ଷରେ ଘରୋଇ ଟି-୨୦ ସିରିଜ୍ ଜିତିଥିବା ଦକ୍ଷିଣ ଆଫ୍ରିକା ଦଳରେ ଏହି ଦୁଇ ଖେଳାଳିଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ ଖେଳାଳିଙ୍କୁ ବଜାୟ ରଖାଯାଇଛି। ସେହିପରି ପାକିସ୍ତାନ ବିପକ୍ଷରେ ଦିନିକିଆ ଓ ଟି-୨୦ ସିରିଜରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ବ ନେଇଥିବା ସୁନ୍ ଲୁସ୍ ଅଧିନାୟିକା ପଦ ବଜାୟ ରଖିଛନ୍ତି। ସେହିପରି ପାକିସ୍ତାନ ବିପକ୍ଷ ସିରିଜରେ ଖେଳିଥିବା ପେସର୍ ମାସାବାତା କ୍ଲାସ୍ ଶେଷ ମୁହୂର୍ତ୍ତରେ ଆଘାତ ପାଇବାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି।

ଦକ୍ଷିଣ ଆଫ୍ରିକା ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ବାଧ୍ୟତାମୂଳକ ୬ଦିନିଆ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ। ଏହାପରେ ସେମାନେ ଦୁଇଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଭାଗନେବେ। ସିରିଜର ସମସ୍ତ ମ୍ୟାଚ୍ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ବେଳେ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ଦଳର ଖେଳାଳିମାନେ ଏକ ଭିନ୍ନ ପରିବେଶରେ ଖେଳିବେ ଓ ଏହା ସେମାନଙ୍କୁ ନୂଆ ଅଭିଜ୍ଞତା ଦେବ ବୋଲି ମୁଖ୍ୟ କୋଚ୍ ହିଲଟନ୍ ମୋରିଙ୍ଗ୍ କହିଛନ୍ତି। ସେହିପରି ଭାରତ ଏକ ଚମତ୍କାର ଦେଶ ଓ ଏଠାରେ କ୍ରିକେଟ୍ ପ୍ରେମୀଙ୍କ ଭରପୂର ସମର୍ଥନ ମିଳିଆସିଥିବାରୁ ଏହି ସିରିଜରେ ବି ତାଙ୍କ ଦଳର ଖେଳାଳିମାନେ ପ୍ରଭାବଶାଳୀ ପ୍ରଦର୍ଶନ କରିବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ସିରିଜର ପ୍ରଥମ ଦିନିକିଆ ମାର୍ଚ୍ଚ ୭ରେ ଖେଳାଯିବା ପରେ ଦ୍ବିତୀୟଟି ମାର୍ଚ୍ଚ ୯ରେ, ୩ୟଟି ମାର୍ଚ୍ଚ ୧୨ରେ, ଚତୁର୍ଥଟି ମାର୍ଚ୍ଚ ୧୪ରେ ଓ ୫ଟି ମାର୍ଚ୍ଚ ୧୭ ତାରିଖରେ ଖେଳାଯିବ। ସେହିପରି ଟି-୨୦ ସିରିଜ୍ ମାର୍ଚ୍ଚ ୨୦ରୁ ଆରମ୍ଭ ହେବା ପରେ ମାର୍ଚ୍ଚ ୨୧ରେ ଦ୍ବିତୀୟ ଓ ମାର୍ଚ୍ଚ ୨୩ରେ ୩ୟ ଟି-୨୦ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।

ଘୋଷିତ ଦଳ: ସୁନ୍ ଲୁସ୍ (ଅଧିନାୟିକା), ଆୟାବୋଙ୍ଗା ଖାକା, ଶବନିମ୍ ଇସମାଇଲ୍, ଲୌରା ଉଲଭାର୍ଟ, ତ୍ରିଶା ଚେଟ୍ଟି, ସିନାଲୋ ଜାଫଟା, ତସମିନ୍ ବ୍ରିଜ୍, ମାରିଜେନ୍ କାପ୍, ନୋଣ୍ଡୁମିସୋ ଶାଙ୍ଗେଜ୍, ଲିଜଲି ଲି, ଆନେକ୍ ବୋସ୍କ, ଫାୟେ ଟୁନିକ୍ଲାଇଫ୍, ନୋନକୁଲୁଲେକୋ ଏମଲାବା, ମିଗ୍ନୋନ୍ ଡୁ ପ୍ରିଜ୍, ନାଡିନ୍ ଡି କ୍ଲର୍କ, ଲାରା ଗୁଡାଲ୍ ଓ ଟୁମି ସେଖୁଖୁନେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ