ହାଇଦ୍ରାବାଦ କମ୍ପାନୀର ରେକର୍ଡ: ୧୭.୪୫ ଘଣ୍ଟାରେ ବିଛାଇଲା ୨୫.୫୪ କିମି ରାସ୍ତା


୧୩ ନଂ. ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଜାରି ରହିଛି
ନିକଟରେ ଏଠାକାର ଏକ ଭିତ୍ତିଭୂମି ବିକାଶ ସହ ଜଡ଼ିତ କମ୍ପାନୀ ଆଇଜେଏମ୍ ଇଣ୍ଡିଆ ରାସ୍ତା ବିଛାଇବାରେ ରେକର୍ଡ ସଫଳତା ହାସଲ କରିଛି। ମାଲେସିଆର ଆଇଜେଏମ୍ କନଷ୍ଟ୍ରକସନ୍ ବେରହାଡ୍‌ର ଏହି ସହଯୋଗୀ କମ୍ପାନୀ ମାତ୍ର ୧୭ ଘଣ୍ଟା ୪୫ ମିନିଟ୍ ସମୟରେ ୨୫.୫୪ ଲେନ୍ କିମି ଦୈର୍ଘ୍ୟତାବିଶିଷ୍ଟ ରାସ୍ତା ବିଛାଇପାରିଛି। ଏହି ଜାତୀୟ ରାଜପଥଟି ୪ଥାକିଆ ହୋଇଥିବାରୁ ଏହାର ଦୁଇ ପଟରେ ସର୍ବମୋଟ ୨୫.୫୪ କିମି ରାସ୍ତା ନିର୍ମାଣ କରାଯିବା ଅର୍ଥ କମ୍ପାନୀ ସମୁଦାୟ ୧୨.୭୭ କିମି ରାସ୍ତା ନିର୍ମାଣ କରିପାରିଛି। ଏହି ରାସ୍ତା ଚାରିଥାକିଆ ୧୩ ନମ୍ବର ଜାତୀୟ ରାଜପଥର ସୋଲାପୁର-ବିଜାପୁର ସେକ୍ସନରେ ବିଛାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ପ୍ରଥମ ଥର ପାଇଁ ଭାରତୀୟ ରାଜପଥ ଇତିହାସରେ ଏତେ କମ୍ ସମୟ ମଧ୍ୟରେ ଦୀର୍ଘ ରାସ୍ତା ବିଛାଯାଇଥିବାରୁ ବର୍ତ୍ତମାନ କମ୍ପାନୀ ନିଜର ଏହି ସଫଳତାକୁ ଲିମକା ବୁକ୍ ଅଫ୍ ରେକର୍ଡ୍ସରେ ସାମିଲ୍ କରିବା ସକାଶେ ଉଦ୍ୟମ ଚଳାଇଛି। ଏହି ରେକର୍ଡ ସଫଳତା ସଂକ୍ରାନ୍ତରେ ଆଇଜେଏମ୍ଆଇଆଇର ସଂପୃକ୍ତ ପ୍ରୋଜେକ୍ଟର ଟିମ୍ ଲିଡର୍ ଏମ. ଭେଙ୍କଟେଶ୍ବର ରାଓ କହିଛନ୍ତି ଯେ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଆମକୁ ଅନେକ କିଛି ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଉଭୟ ଲଜିଷ୍ଟିକାଲ୍ ଓ ଟେକନିକାଲ୍ ସମସ୍ୟା ଆମ ପାଇଁ ଅନେକ ସମସ୍ୟା ସୃଷ୍ଟି କରିଥିଲା ବୋଲି ରାଓ କହିଛନ୍ତି।

ସେହିପରି ଏହି ଟିମର ସଫଳତା ନେଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ)ର ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ଏହି ସଫଳତା ଲିମ୍‌କା ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇବ ବୋଲି ଟ୍ବିଟ୍ କରି କହିଛନ୍ତି। ସେହିପରି ଗଡ଼କରୀ କହିଛନ୍ତି ଯେ ଏହି କମ୍ପାନୀ ଯେଉଁ ପରିମାଣର ରାସ୍ତା ମାତ୍ର ୧୭ ଘଣ୍ଟା ୪୫ ମିନିଟରେ ବିଛାଇପାରିଛି, ତାହା ଲଦାଖ୍‌ରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ୫ଟି ଓ୍ବାନ୍-ୱେ ରାସ୍ତା ସହ ସମାନ। ଜାତୀୟ ରାଜପଥ ନଂ.୪୪ରେ ଯାତ୍ରା କଲେ, କୌଣସି ବ୍ୟକ୍ତିବିଶେଷଙ୍କୁ ଲଦାଖରୁ କନ୍ୟାକୁମାରୀରେ ପହଞ୍ଚିବାକୁ ହେଲେ ୩ ହଜାର ୮୧୦ କିମି ଦୂରତା ଅତିକ୍ରମ କରିବାକୁ ପଡ଼ିବ। ସେହିପରି ସୋଲାପୁର-ବିଜାପୁର ମଧ୍ୟ ଦେଇ ଯାଇଥିବା ୧୩ ନମ୍ବର ଜାତୀୟ ରାଜପଥର ଦୈର୍ଘ୍ୟ ୧୧୦ କିମି ରହିଛି। ଭାରତ ସରକାର ଗତ ୨୦୧୮ ଏପ୍ରିଲ୍ ମାସରୁ ଜାତୀୟ ରାଜପଥର ଦୈର୍ଘ୍ୟ ଲେନ୍-କିମି ଅନୁସାରେ ମାପ କରିବା ଆରମ୍ଭ କରିଛନ୍ତି। ପୂର୍ବରୁ ଭାରତରେ ପାରମ୍ପରିକ ଲାଇନ୍ ବ୍ୟବସ୍ଥା ଆପଣାଯାଉଥିଲା। ନୂଆ ବ୍ୟବସ୍ଥାରେ ପ୍ରତି ଲେନର ଦୈର୍ଘ୍ୟ ମାପି ସମୁଦାୟ ଦୈର୍ଘ୍ୟର ହିସାବ କରାଯାଇପାରୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ