ସୋସାଲ୍ ମିଡିଆ ଓ ଓଟିଟି ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ନିୟମ ଲାଗୁ


ପ୍ରକାଶ ଜାଭଡେକର ଓ ରବି ଶଙ୍କର ପ୍ରସାଦ (ଫାଇଲ୍ ଫଟୋ)
ନିକଟ ଅତୀତରେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ସୋସାଲ୍ ମିଡିଆଗୁଡ଼ିକର ଭୂମିକା ଉପରେ ଏକାଧିକ ବାର ପ୍ରଶ୍ନ ଉଠିଥିବା ବେଳେ ଗୁରୁବାର କେନ୍ଦ୍ର ସରକାର ଏନେଇ ସ୍ବତନ୍ତ୍ର ନିୟମାବଳୀ ଲାଗୁ କରିଛନ୍ତି। ସୋସାଲ୍ ମିଡିଆରେ ବିଭିନ୍ନ ସମୟରେ ନାନାଦି ବିବାଦୀୟ ଘଟଣା ସାମ୍ନାକୁ ଆସିବା ପରେ ଶେଷରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ପକ୍ଷରୁ କେତେକ କଟକଣା ଲଗାଯାଇଛି। ବିଶେଷକରି କୌଣସି କ୍ଷେତ୍ରରେ ସୋସାଲ୍ ମିଡିଆଗୁଡ଼ିକର ଦୋମୁହାଁ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କେନ୍ଦ୍ର ବେିଦ୍ୟୁତିକ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରସାଦ କହିଛନ୍ତି ଯେ ସୋସାଲ୍ ମିଡିଆଗୁଡ଼ିକ ଉପରେ କଟକଣା ଲଗାଇବା ସକାଶେ ସ୍ବତନ୍ତ୍ର ଓ କଠୋର ମେକାନିଜମ୍ ପ୍ରସ୍ତୁତ କରାଯାଇଛି। ଏହାଛଡ଼ା କୌଣସି ପ୍ରକାର ବିବାଦର ତ୍ବରିତ ପ୍ରତିକାର ପାଇଁ ମଧ୍ୟ ଆଇନରେ ବ୍ୟବସ୍ଥା କରାଯାଇଛି। ସେହିପରି କୋରୋନା ସଂକ୍ରମଣ କାରଣରୁ ସିନେମା ହଲ୍ ଆଦି ବନ୍ଦ ରହିବା ପରେ ଚଳଚ୍ଚିତ୍ରଗୁଡ଼ିକ ଓଟିଟିରେ ରିଲିଜ୍ ହୋଇଆସିଛି। ଦେଶରେ ଓଟିଟି ପ୍ଲାଟ୍‌ଫର୍ମରେ ସକ୍ରିୟ ସଂସ୍ଥାଗୁଡ଼ିକୁ ନିୟନ୍ତ୍ରଣ କରିବା ସକାଶେ ମଧ୍ୟ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଦେଶରେ ସୋସାଲ୍ ମିଡିଆର ଦୁରୁପଯୋଗ ହେଉଥିବା ନେଇ ପ୍ରସାଦ ଅଭିଯୋଗ କରିବା ସହ ସୋସାଲ୍ ମିଡିଆ ୟୁଜରଙ୍କ ବ୍ୟାପକ ଯାଞ୍ଚ୍ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ସୋସାଲ୍ ମିଡିଆରେ କୌଣସି ପ୍ରକାର ବିବାଦୀୟ ମେସେଜ୍ ପରିପ୍ରେକ୍ଷୀରେ କୋର୍ଟ କିମ୍ବା କେନ୍ଦ୍ର ସରକାର ନିର୍ଦେଶନାମା ଜାରି କଲେ, ଉକ୍ତ ସଂସ୍ଥାଗୁଡ଼ିକ ତୁରନ୍ତ ଉକ୍ତ ଟ୍ବିଟ୍ କିମ୍ବା ମେସେଜ୍‌ର ଜନକଙ୍କ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟତାମୂଳକ କରାଯାଇଛି।

ସେହିପରି ପ୍ରସାଦ କହିଛନ୍ତି ଯେ ସୋସାଲ୍ ମିଡିଆର କୌଣସି ପ୍ରକାର ଦୋମୁହାଁ ନୀତିକୁ ପ୍ରଶ୍ରୟ ଦିଆଯାଇପାରିବ ନାହିଁ। ସବୁ ସୋସାଲ୍ ମିଡିଆ ଭାରତରେ ସକ୍ରିୟ ଭାବେ କାର୍ଯ୍ୟ କରିପାରିବେ। କିନ୍ତୁ ସମାନ ଘଟଣାରେ ସୋସାଲ୍ ମିଡିଆର ଦ୍ବୈତ ଆଚରଣ ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ। କ୍ୟାପିଟୋଲ୍ ହିଲ୍‌ରେ ଆକ୍ରମଣ ହେବା ଘଟଣାରେ ପୋଲିସକୁ ସୋସାଲ୍ ମିଡିଆ ସମର୍ଥନ କରିଥିଲା। କିନ୍ତୁ ଭାରତର ଲାଲକିଲ୍ଲାରେ ଟ୍ରାକ୍ଟର ରାଲି ବେଳେ ଆକ୍ରମଣ କରାଗଲା। କିନ୍ତୁ ଏହି ଘଟଣାରେ ସୋସାଲ୍ ମିଡିଆ କ’ଣ ପାଇଁ ପୋଲିସକୁ ସମର୍ଥନ କଲା ନାହିଁ ବୋଲି ପ୍ରସାଦ ପ୍ରଶ୍ନ କରିବା ସହ ଏହାକୁ ଆଗାମୀ ଦିନରେ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। କୌଣସି ମହିଳାଙ୍କ ସହ ଜଡ଼ିତ ନଗ୍ନ ଫଟୋଚିତ୍ର ଅବା ଅଶ୍ଳୀଳ ମନ୍ତବ୍ୟ ଅଭିଯୋଗର ୨୪ ଘଣ୍ଟା ଭିତରେ ହଟିଯିବା ନେଇ ଆଇନରେ ପ୍ରାବଧାନ ରହିଛି। ମହିଳାଙ୍କ ସମ୍ମାନ ବଜାୟ ରଖିବା ପାଇଁ ଏହା ଜରୁରୀ ବୋଲି ପ୍ରସାଦ କହିଛନ୍ତି। ସେହିପରି ଭାରତରେ ସକ୍ରିୟ ଥିବା ସୋସାଲ୍ ମିଡିଆଗୁଡ଼ିକୁ ଜଣେ ଲେଖାଏଁ ଆବାସିକ ଅଭିଯୋଗ ଅଧିକାରୀ (ଆରଜିଓ)ଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ ଓ ଉକ୍ତ ଅଧିକାରୀଙ୍କ ସବିଶେଷ ତଥ୍ୟ ସରକାରଙ୍କ ନିକଟରେ ଦାଖଲ କରିବାକୁ ନିୟମ କରାଯାଇଥିବା ପ୍ରସାଦ କହିଛନ୍ତି। ଏହାଛଡ଼ା କେନ୍ଦ୍ର ସରକାରଙ୍କ ସମସ୍ତ ନିୟମ ସଠିକ୍ ପାଳନ ସକାଶେ ସୋସାଲ୍ ମିଡିଆଗୁଡ଼ିକୁ ଚିଫ୍ କମ୍ପ୍ଲାଏନ୍ସ ଅଫିସରଙ୍କୁ ନିଯୁକ୍ତି ଦେବାକୁ ହେବ। ଉକ୍ତ ଅଧିକାରୀ ଜଣକ ଭାରତର ନାଗରିକ ହୋଇଥିବା ଦରକାର। ଏହାଛଡ଼ା ଆଇନଶୃଙ୍ଖଳା ସହ ଜଡ଼ିତ ଅଧିକାରୀମାନଙ୍କ ସହ ୨୪ ଘଣ୍ଟା ଯୋଗାଯୋଗରେ ରହିବା ସକାଶେ ପ୍ରତିଟି ସୋସାଲ୍ ମିଡିଆ ଜଣେ ଲେଖାଏଁ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତି ଦେବେ ବୋଲି ନୂଆ ନିୟମରେ ପ୍ରାବଧାନ ରହିଥିବା ପ୍ରସାଦ କହିଛନ୍ତି। ସେହିପରି ଓଟିଟିରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ଉପରେ କେନ୍ଦ୍ର ସରକାରଙ୍କ ନଜର ରହିବ ବୋଲି ମଧ୍ୟ କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ