ଦୁଇ ଦିନରେ ପିଙ୍କ୍ ବଲ୍ ଟେଷ୍ଟ୍ ଶେଷ: ଭାରତ ୧୦ ୱିକେଟରେ ବିଜୟୀ


ମ୍ୟାଚରେ ସର୍ବାଧିକ ୧୧ଟି ୱିକେଟ୍ ନେଇ ପ୍ଲେୟର ଅଫ ଦ ମ୍ୟାଚ ହୋଇଥିବା ଅକ୍ଷର ପଟେଲ୍
ଚଳିତ ଭାରତ ଓ ଇଂଲଣ୍ଡ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚଟି ମାତ୍ର ୨ ଦିନରେ ଶେଷ ହୋଇଛି। ସ୍ପିନରମାନେ ପ୍ରାଧାନ୍ୟ ବିସ୍ତାର କରିଥିବା ଏହି ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଦିନରେ ୧୩ଟି ୱିକେଟ୍ ଯାଇଥିବା ବେଳେ ଦ୍ବିତୀୟ ଦିନରେ ଗୁରୁବାର ୧୭ଟି ୱିକେଟ୍ ପଡ଼ିଥିଲା। ଏଥି ମଧ୍ୟରୁ ସ୍ପିନରଙ୍କୁ ୨୮ଟି ୱିକେଟ୍ ମିଳିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ୍ ସର୍ବାଧିକ ୧୧ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ୍ ଅଶ୍ବିନ୍ ଉଭୟ ଇନିଂସରେ ୮ଟି ୱିକେଟ୍ ନେଇଛନ୍ତି। ଦ୍ବିତୀୟ ଦିନରେ ଭାରତ ୧୪୫ ରନରେ ଅଲ୍ଆଉଟ୍ ହେବା ଫଳରେ ପ୍ରଥମ ଇନିଂସ ଭିତ୍ତିରେ ୩୩ ରନରେ ଆଗୁଆ ରହିଥିଲା। ଦ୍ବିତୀୟ ଦିନରେ ଇଂଲଣ୍ଡ ତା’ର ଦ୍ବିତୀୟ ଇନିଂସ ଆରମ୍ଭ କରି ମାତ୍ର ୮୧ ରନରେ ଅଲ୍ଆଉଟ୍ ହୋଇଯିବା ଫଳରେ ଭାରତକୁ ୪୯ ରନର ଟାର୍ଗେଟ୍ ମିଳିଥିଲା। ଏହାକୁ ଭାରତ ବିନା ବାଧାରେ ହାସଲ କରି ଟେଷ୍ଟ୍ ସିରିଜରେ ୨-୧ରେ ଆଗୁଆ ରହିଛି। ଅକ୍ଷର ପଟେଲ୍ ତାଙ୍କ ବୋଲିଂ ପ୍ରଦର୍ଶନ ପାଇଁ ପ୍ଲେୟର ଅଫ ଦ ମ୍ୟାଚ ହୋଇଛନ୍ତି।

୯୯/୩ରୁ ଗୁରୁବାର ଦିନର ଖେଳ ଆରମ୍ଭ କରି ଭାରତ ପକ୍ଷରୁ ଓପନର ରୋହିତ ଶର୍ମା (୫୭) ଓ ଅଜିଙ୍କ୍ୟ ରାହାଣେ (୧) ଇନିଂସକୁ ଆଗେଇ ନେଇଥିଲେ କିନ୍ତୁ ବ୍ୟକ୍ତିଗତ ଭାବେ ୭ ରନ୍ କରି ରାହାଣେ ଆଉଟ୍ ହୋଇଥିବା ବେଳେ ରୋହିତ ୧୧ଟି ଚୌକା ସହ ୬୬ ରନରେ ଆଉଟ୍ ହୋଇଥିଲେ। ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ରେକର୍ଡ ୫ ୱିକେଟ୍ ନେବା ଫଳରେ ଭାରତୀୟ ଇନିଂସ ୧୪୫ ରନରେ ଭୁଶୁଡ଼ିଯାଇଥିଲା। ରୁଟ୍ ୮ ରନରେ ୫ଟି ଏବଂ ଜ୍ୟାକ୍ ଲିଚ୍ ୪ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ପ୍ରଥମ ଓଭରରେ ଓପନର ଜ୍ୟାକ୍ କ୍ରଲି ଓ ଜନ୍ନି ବେୟାରଷ୍ଟୋଙ୍କୁ ହରାଇଥିଲା। ପରେ ଦଳ ୩୦.୪ ଓଭରରେ ୮୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ରୁଟ୍ ୧୯, ବେନ୍ ଷ୍ଟୋକ୍ସ ସର୍ବାଧିକ ୨୫ ଓ ଓଲି ପୋପ୍ ୧୨ ରନ୍ କରିଥିଲେ। ଭାରତ ପକ୍ଷରୁ ଅକ୍ଷର ୫ଟି ଓ ଅଶ୍ବିନ୍ ୪ଟି ୱିକେଟ୍ ନେଇଥିଲେ। ଏହି ଅବସରରେ ଅଶ୍ବିନ୍ ୪ ଶହ ଟେଷ୍ଟ୍ ୱିକେଟ ହାସଲ କରି ଭାରତର ଦ୍ବିତୀୟ ଦ୍ରୁତତମ ବୋଲର୍ ହୋଇଛନ୍ତି। ସେହିପରି ଭାରତର ଦ୍ବିତୀୟ ଇନିଂସରେ ରୋହିତ ୨୫ ଓ ଶୁବମାନ୍ ଗିଲ୍ ୧୫ ରନ୍ କରି ଅପରାଜିତ ଥିଲେ। ସିରିଜର ଶେଷ ଟେଷ୍ଟ୍ ଆସନ୍ତା ମାର୍ଚ୍ଚ ୪ ତାରିଖରୁ ଏଠାରେ ଖେଳାଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ