ପିଙ୍କ୍ ବଲ୍ ଟେଷ୍ଟରେ ଅଶ୍ବିନ୍ ଓ ଅକ୍ଷରଙ୍କୁ ସଫଳତା: ଇଂଲଣ୍ଡ ୮୬/୬


୨ଟି ୱିକେଟ୍ ନେଇଥିବା ଅଶ୍ବିନଙ୍କୁ ବଧେଇ ଜଣାଉଛନ୍ତି ଅଧିନାୟକ କୋହଲି
ଏଠାକାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବୁଧବାର ଅପରାହ୍ନରେ ଆରମ୍ଭ ହୋଇଛି ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜର ୩ୟ ମ୍ୟାଚ୍। ଏହି ମ୍ୟାଚରେ ଉଭୟ ଦଳ ବିଜୟ ହାସଲ କରି ସିରିଜରେ ଅପରାଜେୟ ଅଗ୍ରଣୀ ହାସଲ ଲକ୍ଷ୍ୟରେ ଅଛନ୍ତି। ତେବେ ପ୍ରଥମ ଦିନର ଖେଳରେ ପ୍ରଥମ ସେସନରେ ଘରୋଇ ଭାରତୀୟ ଦଳର ଦବଦବା ରହିଛି। ଭାରତର ଦୁଇ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ବିନ୍ ୫ଟି ୱିକେଟ୍ ବାଣ୍ଟିନେବା ଫଳରେ ଇଂଲଣ୍ଡ ପ୍ରଥମ ଦିନର ଖେଳରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୩୦ ଓଭରରେ ୮୬ ରନ୍ କରିଛି ଓ ଏଥିପାଇଁ ଦଳକୁ ୬ଟି ବହୁମୂଲ୍ୟ ୱିକେଟ୍ ହରାଇବାକୁ ପଡ଼ିଛି। ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହେଁ ଇଂଲିଶ୍ ଟିମର ଅଧିନାୟକ ଜୋ ରୁଟଙ୍କୁ ଦଳର ବ୍ୟାଟ୍ସମ୍ୟାନମାନେ ନିରାଶ କରିଛନ୍ତି। ସିରିଜରେ ପ୍ରଥମ ଥର ପାଇଁ ଖେଳିବାର ସୁଯୋଗ ପାଇଥିବା ଓପନର ଜ୍ୟାକ୍ କ୍ରଲି ସର୍ବାଧିକ ୫୩ ରନ୍ କରିଥିବା ବେଳେ ଅଧିନାୟକ ରୁଟ୍ ୧୭ ରନ୍ କରିଛନ୍ତି। ଅନ୍ୟ ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅନ୍ୟତମ ଓପନର ଡୋମିନିକ୍ ସିବଲି ଓ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଜନ୍ନି ବେୟାରଷ୍ଟୋ ଖାତା ବି ଖୋଲିପାରିନାହାନ୍ତି। ଅଲରାଉଣ୍ଡର୍ ବେନ୍ ଷ୍ଟୋକ୍ସ ମାତ୍ର ୬ ରନ୍ କରି ଆଉଟ୍ ହୋଇଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବେନ୍ ଫୋକ୍ସ ୧ ଓ ଜୋଫ୍ରା ଆର୍ଚର୍ ୪ ରନ୍ କରି ଅପରାଜିତ ଅଛନ୍ତି।

ସିବଲିଙ୍କ ସହ ରୋରି ବର୍ଣ୍ଣସଙ୍କ ସ୍ଥାନରେ କ୍ରଲି ଇନିଂସ ଆରମ୍ଭ କରିଥିଲେ। ତେବେ କ୍ୟାରିୟରର ଶହେତମ ଟେଷ୍ଟ୍ ଖେଳୁଥିବା ପେସର୍ ଈଶାନ୍ତ ଶର୍ମା ଓପନର ସିବଲିଙ୍କୁ ଖାତା ଖୋଲିବା ପୂର୍ବରୁ ସ୍ଲିପରେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ କରିଦେଇଥିଲେ। ଚଳିତ ସିରିଜରେ ପ୍ରଥମ ମ୍ୟାଚ୍ ଖେଳୁଥିବା ବେୟାରଷ୍ଟୋ ୩ୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ଖାତା ଖୋଲିପାରି ନ ଥିଲେ। ଅନ୍ୟପଟେ କିନ୍ତୁ କ୍ରଲି କ୍ରମାଗତ ଚୌକା ମାରି ତାଙ୍କ ବ୍ୟକ୍ତିଗତ ସ୍କୋରକୁ ବଢ଼ାଇ ଚାଲିଥିଲେ। ବେୟାରଷ୍ଟୋଙ୍କ ୱିକେଟର ପତନ ପରେ ଅଧିନାୟକ ରୁଟ୍ ଓ କ୍ରଲିଙ୍କ ମଧ୍ୟରେ ୪୭ ରନର ଭାଗିଦାରୀ ହୋଇଥିଲା। କିନ୍ତୁ ରୁଟଙ୍କୁ ଆଉଟ୍ କରି ଅଶ୍ବିନ୍ ଏହି ଭାଗିଦାରୀରେ ବ୍ରେକ୍ ଲଗାଇଥିଲେ। ୨୭ ଓଭରରେ ଦଳ ୪ଟି ୱିକେଟ୍ ହରାଇ ୮୧ ରନ୍ କରିଥିବା ବେଳେ ମଧ୍ୟାହ୍ନଭୋଜନର ସମୟ ହୋଇଥିଲା। ତେବେ ବ୍ରେକ୍ ପରେ ଭାରତୀୟ ସ୍ପିନରଙ୍କୁ ସଅଳ ଦୁଇଟି ୱିକେଟ୍ ମିଳିଥିଲା।ଗତ ମ୍ୟାଚରେ ୫ ୱିକେଟର ସଫଳତା ପାଇଥିବା ଅକ୍ଷର ଷ୍ଟୋକ୍ସଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରି ଇଂଲଣ୍ଡକୁ ପଞ୍ଚମ ଝଟକା ଦେଇଥିଲେ। ପରେ ପରେ ଅଶ୍ବିନ ମଧ୍ୟ ଓଲି ପୋପଙ୍କୁ ଆଉଟ୍ କରିବା ଫଳରେ ଇଂଲଣ୍ଡ ଶହେ ରନରେ ପହଞ୍ଚିବା ପୂର୍ବରୁ ୬ଟି ୱିକେଟ୍ ହରାଇଛି। କ୍ରଲି ୧୦ଟି ଚୌକା ଜରିଆରେ ୫୩ ରନ୍ କରିଥିବା ବେଳେ ରୁଟ୍ ୨ଟି ଚୌକା ସହ ୧୭ ରନ୍ କରିଛନ୍ତି। ଏହାଛଡ଼ା ପୋପ୍ ମାତ୍ର ୧ ରନ୍ କରିଥିବା ବେଳେ ଭାରତ ପକ୍ଷରୁ ଅକ୍ଷର ୩ଟି, ଅଶ୍ବିନ୍ ୨ଟି ଏବଂ ଈଶାନ୍ତ ଗୋଟିଏ ୱିକେଟ୍ ନେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ