ଦିନକରେ ୧୩ ହଜାର ୭୪୨ ସଂକ୍ରମିତ ଠାବ, ୧୦୪ ମୃତ: ୯୭.୨୫ ପ୍ରତିଶତ ସୁସ୍ଥ


ସାମ୍ପଲ୍ ସଂଗ୍ରହ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଅର୍ଥାତ୍ ମଙ୍ଗଳବାର ଦିନକ ଭିତରେ ୧୩ ହଜାର ୭୪୨ ଜଣ ନୂଆ ସଂକ୍ରମିତଙ୍କୁ ଠାବ କରାଯାଇଛି। ଏଥିସହ ଦେଶରେ ଆଜି ପର୍ଯ୍ୟନ୍ତ ୧ କୋଟି ୧୦ ଲକ୍ଷ ୩୦ ହଜାର ୧୭୬ ଜଣ ଏହି ଘାତକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇସାରିଛନ୍ତି। ସେହିପରି ଗତ ମଙ୍ଗଳବାର ଦିନକ ଭିତରେ ସର୍ବମୋଟ ୧୦୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହେବା ଫଳରେ ମୋଟ ସଂଖ୍ୟା ୧ ଲକ୍ଷ ୫୬ ହଜାର ୫୬୭ରେ ପହଞ୍ଚିଯାଇଛି। ଏହାଛଡ଼ା ଦେଶରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୯୭.୨୫ ପ୍ରତିଶତ ସୁସ୍ଥ ହୋଇସାରିଛନ୍ତି। ସେହିପରି ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧.୪୨ ପ୍ରତିଶତ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାରା କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବୁଧବାର ପୂର୍ବାହ୍ନରେ ସୂଚନା ଦିଆଯାଇଛି। ହସ୍ପିଟାଲରୁ ଡିସଚାର୍ଜ ବା ସୁସ୍ଥତା ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭ ଲକ୍ଷ ୨୬ ହଜାର ୭୦୨ରେ ପହଞ୍ଚିଥିବା ଜଣାପଡ଼ିଛି। ଏହାଛଡ଼ା ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ହସ୍ପିଟାଲରେ ୧ ଲକ୍ଷ ୪୬ ହଜାର ୯୦୭ ଜଣ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି। ଏହା ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟାର ୧.୩୩ ପ୍ରତିଶତ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତରେ ଗତବର୍ଷ ଅଗଷ୍ଟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା। ଏହାପରେ ଅଗଷ୍ଟ ୨୩ରେ ଏହା ୩୦ ଲକ୍ଷ, ସେପ୍ଟେମ୍ବର ୫ରେ ୪୦ ଲକ୍ଷ, ସେପ୍ଟେମ୍ବର ୧୬ରେ ୫୦ ଲକ୍ଷ, ସେପ୍ଟେମ୍ବର ୨୮ରେ ୬୦ ଲକ୍ଷ, ଅକ୍ଟୋବର ୧୧ରେ ୭୦ ଲକ୍ଷ, ଅକ୍ଟୋବର ୨୯ରେ ୮୦ ଲକ୍ଷ, ନଭେମ୍ବର ୨୦ରେ ୯୦ ଲକ୍ଷ ଏବଂ ଡିସେମ୍ବର ୧୯ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ଟପିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ ମହାରାଷ୍ଟ୍ର ସମେତ ଦେଶର ୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁଣିଥରେ ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଥିବାରୁ ଏହାକୁ ଦ୍‌ଷ୍ଟିରେ ରଖି ଦିଲ୍ଲୀ ସରକାର ଉକ୍ତ ରାଜ୍ୟଗୁଡ଼ିକରୁ ଆସୁଥିବା ଜନସାଧାରଣଙ୍କ ପାଇଁ ସର୍ତ୍ତମୂଳକ ପ୍ରବେଶ ବ୍ୟବସ୍ଥା କରିଛନ୍ତି। ଅର୍ଥାତ୍ ଉକ୍ତ ରାଜ୍ୟ ବା କେନ୍ଦ୍ରଶସିତ ଅଞ୍ଚଳରୁ ଦିଲ୍ଲୀକୁ ଆସୁଥିବା ନାଗରିକମାନଙ୍କୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ଏକ ନିର୍ଦ୍ଦିଷ୍ଟ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ଶନିବାରଠାରୁ ଏହି କଟକଣା ଲାଗୁ ହେବ ଓ ଏହା ଆସନ୍ତା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡ଼ିଛି। ସେହିପରି ଭାରତରେ ଗତ ୨୪ ଘଣ୍ଟାରେ ୮ ଲକ୍ଷ ୫ ହଜାର ୮୪୪ ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଅଦ୍ୟାବଧି ସର୍ବମୋଟ ୨୧ କୋଟି ୩୦ ଲକ୍ଷ ୩୬ ହଜାର ୨୭୫ ଜଣଙ୍କ ନମୁନା ପରୀକ୍ଷା ହୋଇସାରିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମଆର୍) ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ