ପହିଲାରୁ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା


ପ୍ରତୀକାତ୍ମକ ଫଟୋ
ଭୁବନେଶ୍ବର: ମାର୍ଚ୍ଚ ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା ବେଳେ ଏବେ ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ବୟସ୍କ ବ୍ୟକ୍ତି ଏବଂ ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଏହାପରେ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନରମାନଙ୍କୁ ଗାଇଡ୍ ଲାଇନ୍ ପଠାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଏହାକୁ ଗୁରୁତ୍ୱର ସହ ନେଇ ଫେବ୍ରୁଆରୀ ୨୮ ସୁଦ୍ଧା ସମସ୍ତ ଆନୁସଙ୍ଗିକ ପ୍ରସ୍ତୁତି ଶେଷ କରିବାକୁ ନିର୍ଦେଶ ଦିଆଯାଇଛି।

ଗାଇଡ୍ ଲାଇନ୍ ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ୱ ତଥା ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ରବିବାରକୁ ବାଦ୍ ଦେଇ ସପ୍ତାହରେ ୫ ଦିନ ଟିକାକରଣ ହେବ। ଅତିରିକ୍ତ ଟିକାକର୍ମୀ ଓ ଯାଞ୍ଚକାରୀଙ୍କୁ ଚିହ୍ନଟ କରି ଟିକାକରଣ ପାଇଁ ତାଲିମ୍ ଦିଆଯିବ। ପ୍ରତି ବ୍ଲକ୍ ବା ସହରାଞ୍ଚଳରେ ମୋବାଇଲ୍ ଟିକାକରଣ ଟିମ୍ ରହିବ। ଟୀକାଦାନ ପାଇଁ ସମସ୍ତ ପିଏଚ୍‌ସି /ୟୁପିଏଚସି ଠାରୁ ଆରମ୍ଭ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ସିଏଚ୍‌ସି, ପିଏଚ୍‌ସି ଏବଂ ସବ୍ ସେଣ୍ଟରରେ ଟିକା ଦିଆଯିବ। ଟିକାକରଣ ଲାଗି ବ୍ଲକ୍‌ ସ୍ତରରେ କ୍ଷୁଦ୍ର ଯୋଜନା କରାଯିବ। ପ୍ରତି ଟିକାକରଣ ସାଇଟରେ ଷ୍ଟାଟସ୍ ଅପଡେଟ୍ ଲାଗି ଲାପଟପ କିମ୍ବ ଡେସ୍କଟପ୍ ଦିଆଯିବ। ସେହିପରି ନିୟମିତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଏଏନ୍‌ଏମ୍ ମାନେ ଟିକାକରଣରେ ନିୟୋଜିତ ହୋଇପାରିବେ ନାହିଁ।

ବିଶେଷକରି କୋଲ୍ଡ ଚେନ୍ ପଏଣ୍ଟ୍‌ ଚିହ୍ନଟ ଲାଗି ଗୁରୁତ୍ୱ ଦିଆଯାଇଛି। ସମସ୍ତ ପ୍ରସ୍ତୁତି ଫେବ୍ରୁଆରୀ ୨୮ ତାରିଖ ମଧ୍ୟରେ ସାରିବାକୁ ସମସ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ମହାନଗର ନିଗମକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୦ ହଜାର ସରକାରୀ କେନ୍ଦ୍ରରେ ସେମାନଙ୍କୁ ମାଗଣାରେ ଟିକା ଦିଆଯିବ। ସେହିପରି ଘରୋଇ ଟିକାକରଣକୁ ମିଶାଇଲେ ମୋଟ୍ ୨୦ ହଜାରରୁ ଅଧିକ କେନ୍ଦ୍ରରେ ଟୀକାକରଣ ହେବ।ଯେଉଁମାନେ ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବେ ସେମାନଙ୍କୁ ପଇସା ଦେବାକୁ ପଡ଼ିବ। ତେବେ କେତେ ଟଙ୍କା ଦେବେ, ସେ ବାବଦରେ ଟିକା କମ୍ପାନୀ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆସନ୍ତା ୩-୪ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଦେଶ ସହ ରାଜ୍ୟରେ ଜାନୁଆରୀ ୧୬ରୁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ଟିକାକରଣର ପ୍ରଥମ ୩୦ ଦିନ ମଧ୍ୟରେ ଓଡ଼ିଶା ୫ ଲକ୍ଷରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦେବାରେ ସକ୍ଷମ ହୋଇଛି। ଏବେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମଚାରୀଙ୍କୁ ଦିଆଯାଉଛି ଟିକା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ