ଦେଶ
୪ ରାଜ୍ୟରୁ ପଶ୍ଚିମବଙ୍ଗ ଆସିବା ପାଇଁ ଆରଟି-ପିସିଆର ବାଧ୍ୟତାମୂଳକ

କୋଲକାତା ବିମାନବନ୍ଦରରେ ଅପେକ୍ଷାରତ ଯାତ୍ରୀ
କୋଲକାତା: ପଶ୍ଚିମବଙ୍ଗ ସରକାର ବୁଧବାର ୪ଟି ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଜାରି କରିଛନ୍ତି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ତେଲେଙ୍ଗାନାରୁ ଆସୁଥିବା ଲୋକେ ପଶ୍ଚିମବଙ୍ଗକୁ ଆସିବାକୁ ହେଲେ ଆରଟି-ପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ ଆଣିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଏହି କଟକଣା ଫେବ୍ରୁଆରୀ ୨୭ରୁ ଲାଗୁ କରାଯିବ ବୋଲି ସ୍ପଷ୍ଟ କରାଯାଇଛି। ଯେଉଁମାନେ ବିମାନରେ ଆସିବେ, ସେମାନେ ଏହାର ୭୨ ଘଣ୍ଟା ପୂର୍ବରୁ ଆରଟି-ପିସିଆର ଟେଷ୍ଟ କରି ନେଗେଟିଭ ରିପୋର୍ଟ ଆଣିବାକୁ କୁହାଯାଇଛି। ନଚେତ କେହି ବିମାନବନ୍ଦରରୁ ବାହାରକୁ ଯାଇ ପାରିବେ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ନିର୍ଦେଶନାମା ଜାରି କରିଛନ୍ତି। ଏନେଇ ବେସାମରିକ ଓ ବିମାନ ଚଳାଚଳ ଓ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଗତ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ବୁଧବାର ମହାରାଷ୍ଟ୍ରରେ ୮ ହଜାର ୮୦୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେରଳରେ ୪ ହଜାର ୮୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୧୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ତେଲେଙ୍ଗାନା ସରକାର ତାଙ୍କର ଦୈନିକ କୋଭିଡ ଅପଡେଟକୁ ବନ୍ଦ କରି ଦେଇଥିଲା ବେଳେ କେନ୍ଦ୍ର ସରକାରଙ୍କ ୱେସାଇଟରେ ୧୪୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଉଲ୍ଲେଖ ରହିଛି। ତେଲେଙ୍ଗାନାରେ ୨ ଜଣ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା କଥା ବି ଉଲ୍ଲେଖ ରହିଛି। ପଶ୍ଚିମବଙ୍ଗରେ ବୁଧବାର ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ୩ ହଜାର ୩୩୯ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଦର୍ଶାଯାଇଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ