ପିଙ୍କ୍ ବଲ ଟେଷ୍ଟରେ ଅକ୍ଷରଙ୍କୁ ୬ ୱିକେଟ: ଇଂଲଣ୍ଡ ୧୧୨, ଭାରତ ୯୯/୩


୬ ୱିକେଟ ନେଇଥିବା ଅକ୍ଷର ପଟେଲ
ଅହମଦାବାଦ: ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିବାରାତ୍ର ପିଙ୍କ ବଲ ଟେଷ୍ଟରେ ସ୍ପିନର ଅକ୍ଷର ପଟେଲଙ୍କ ୬ ୱିକେଟ ସଫଳତା ପାଇଁ ଇଂଲଣ୍ଡ ପ୍ରଥମ ଦିନ ଖେଳରେ ମାତ୍ର ୧୧୨ ରନ କରି ଅଲଆଉଟ ହୋଇଛି। ଏହାର ଜବାବରେ ଭାରତ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ୱିକେଟ ହରାଇ ୯୯ ରନରେ ପହଞ୍ଚିଛି। ଭାରତ ଇଂଲଣ୍ଡ ଠାରୁ ମାତ୍ର ୧୩ ରନ ପଛରେ ରହିଥିଲା ବେଳେ ହାତରେ ୭ ୱିକେଟ ସୁରକ୍ଷିତ ରହିଛି। ଅଧିନାୟକ ବିରାଟ କୋହଲି ପ୍ରଥମ ଦିନ ଖେଳର ଅନ୍ତିମ ଓଭରରେ ଆଉଟ ହୋଇଥିଲେ। ସେ ୨୭ ରନ କରିଥିଲା ବେଳେ ଜାକ ଲିଚ ତାଙ୍କର ଦ୍ବିତୀୟ ସଫଳତା କ୍ରମେ କୋହଲିଙ୍କୁ ବୋଲ୍ଡ କରି ଦେଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୯ଟି ଚୌକା ଜରିଆରେ ୫୭ ରନରେ ଓ ଅଜିଙ୍କ୍ୟ ରାହାଣେ ୧ ରନ କରି ଅପରାଜିତ ରହିଛନ୍ତି। ଓପନର ଶୁବମନ ଗିଲ ୧୧ ଓ ଚେତେଶ୍ବର ପୂଜାରା ଶୂନରେ ଆଉଟ ହୋଇଛନ୍ତି।

ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନେଇଥିବା ଇଂଲଣ୍ଡ ଏହି ଦିବାରାତ୍ର ମୁକାବିଲାରେ ପୁଣି ଥରେ ଭାରତୀୟ ସ୍ପିନରଙ୍କ ପାଇଁ ଅଡୁଆରେ ପଡ଼ି ୱିକେଟ ହରାଇଥିଲା। ଶତକୀୟ ଟେଷ୍ଟ ଖେଳୁଥିବା ଈଶାନ୍ତ ଶର୍ମା ଓପନର ଡମ ସିବଲେଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିଅନ ଫେରାଇଥିଲେ। ଆଉ ଏହାପରେ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନ ଲଗାତର ଭାବେ ୱିକେଟ ହାସଲ କରି ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ସେଟ ହେବା ପାଇଁ ସୁଯୋଗ ଦେଇ ନ ଥିଲେ। ଅନ୍ୟତମ ଓପନର ଜାକ କ୍ରଲି ଗୋଟିଏ ପଟେ ଭାରତୀୟ ସ୍ପିନରଙ୍କୁ ସାମ୍ନା କରି ରନ ସଂଗ୍ରହ କରୁଥିଲା ବେଳେ ଅନ୍ୟପଟେ ୱିକେଟର ପତନ ଘଟିଥିଲା। ଜାକ କ୍ରଲି ସର୍ବାଧିକ ୫୩ ରନ କରି ଆଉଟ ହୋଇଥିଲେ। ଇଂଲଣ୍ଡର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ୨୦ ରନ ଟପି ପାରି ନ ଥିଲେ। ଅକ୍ଷର ପଟେଲ ୬ ଓ ଅଶ୍ବିନ ୩ଟି ୱିକେଟ ନେବାରୁ ଇଂଲଣ୍ଡ ୪୮.୪ ଓ ଓଭରରେ ମାତ୍ର ୧୧୨ ରନ କରି ଅଲଆଉଟ ହୋଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ