କ୍ୟାପ୍‌ ବିନା ଫ୍ୟାଶନ୍‌ ଅଧୁରା

ଆସୁଛି ଖରା, ବଢ଼ୁଛି ଟୋପିର ଚାହିଦା

ପ୍ରତୀକାତ୍ମକ ଫଟୋ ( ପ୍ରତିନିଧି)
ଧିରେ ଧିରେ ଆରମ୍ଭ ହେଉଛି ଗ୍ରୀଷ୍ମ ପ୍ରବାହ। ୩୭ ଡିଗ୍ରୀ ଟପିଲାଣି ଦିନର ତାପମାତ୍ରା। ମାର୍ଚ୍ଚ ପହିଲାରୁ ତାପମାତ୍ରା ୪୦ ଡିଗ୍ରୀ ଟପିବ ବୋଲି ମଧ୍ୟ ଆକଳନ କଲେଣି ପାଣିପାଗ ବିଶେଷଜ୍ଞ। ଏହାକୁ ଦୃଷ୍ଟିରେ ରଖି ଶୀତଳତା ପ୍ରଦାନ କରୁଥିବା ସାମଗ୍ରୀଗୁଡ଼ିକର ମଧ୍ୟ ବିକ୍ରିବଟା ଆରମ୍ଭ ହୋଇଗଲାଣି। ଘରକୁ ଥଣ୍ଡା ରଖିବା ପାଇଁ ଲୋକମାନେ ଏସି, କୁଲର ଓ ଫ୍ୟାନ୍‌ ଆଦି କିଣୁଛନ୍ତି। ସେହିପରି ଦେହକୁ ଥଣ୍ଡା ରଖିବା ପାଇଁ ହାଲୁକା ଓ ପତଳା ପୋଷାକ ଖରିଦ କରୁଛନ୍ତି। ତେବେ ଯୁବପିଢ଼ିମାନେ ଅନ୍ୟ ଯେଉଁ ଜିନିଷ ପ୍ରତି ଅଧିକ ଆକର୍ଷିତ ହୋଇଛନ୍ତି, ତନ୍ମଧ୍ୟରେ ରହିଛି ଫ୍ୟାଶନେବଲ୍‌ କ୍ୟାପ୍‌ ବା ଟୋପି। ଅନ୍ୟପକ୍ଷରେ ଟୋପି ପିନ୍ଧିବା କେତେକ ଲୋକଙ୍କ ପାଇଁ ‌ସଉକ ହୋଇଥିବାବେଳେ ଆଉ କେତେକ ଲୋକଙ୍କ ପାଇଁ ଏହା ଏକ ପ୍ରମୁଖ ଆବଶ୍ୟକତା। ବାହାରେ ବୁଲିବା କିମ୍ବା କାମ କରିବା ସମୟରେ ଖରା ଓ ଧୂଳିରୁ ରକ୍ଷା ପାଇବା ପାଇଁ କେତେକ ଟୋପି ପିନ୍ଧୁଥିବା ବେଳେ ଆଉ କେତେକ ଲୋକ ନିଜର ଚନ୍ଦାପଣକୁ ଲୁଚାଇବା ପାଇଁ ଟୋପି ପିନ୍ଧିବା ଦେଖିବାକୁ ମିଳିଥାଏ। ତେବେ ଯୁବବର୍ଗ ଏବଂ ଯୁବସୁଲଭ ମାନସିକତା ଥିବା ବ୍ୟକ୍ତିମାନେ ହିଁ ଅଧିକ ସଂଖ୍ୟାରେ‌ ଟୋପି ପରିଧାନ କରିବା ପରିଲକ୍ଷିତ ହେଉଛି। ସେମାନଙ୍କର ଅଧିକ ପସନ୍ଦ ହେଉଛି କଟନ୍‌ ଟୋପି। ବଦଳୁଥିବା ଋତୁକୁ ଦୃଷ୍ଟିରେ ରଖି ଏବେ ସହରର ଥିବା ପ୍ରମୁଖ ଶୋ’ ରୁମ୍‌ଗୁଡ଼ିକରେ ରଙ୍ଗ ବେରଙ୍ଗର ଟୋପି ଦେଖିବାକୁ ମିଳୁଛି। ଟୋପି ଷ୍ଟଲ୍‌ଗୁଡ଼ିକରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଲାଗିଲାଣି।

ଶୋ’ରୁମ୍‌ରେ ଟୋପି ପାଇଁ  ସ୍ବତନ୍ତ୍ର ବିଭାଗ
ଲୋକଙ୍କ ଏହି ଆବଶ୍ୟକତା ଦୃଷ୍ଟିରୁ ଟୋପି ଏକ ବଡ଼ ବଜାରରେ ପରିଣତ ହୋଇଯାଇଛି। ନାମୀଦାମୀ କମ୍ପାନୀମାନେ ମଧ୍ୟ ଏ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ବଡ଼ ବଡ଼ ଶୋ’ରୁମ୍‌ରେ ଟୋପି ପାଇଁ ମଧ୍ୟ ସ୍ବତନ୍ତ୍ର ବିଭାଗ ଖୋଲିଲାଣି। ଓଡ଼ିଶା ବଜାର ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ‌ରାଜ୍ୟର ଏହି ବଜାର ଦ୍ରୁତ ବେଗରେ ଆଗକୁ ବଢ଼ୁଛି। ଅନ୍ୟପଟେ ବ୍ରାଣ୍ଡ୍‌ ପ୍ରତି ସଚେତନତା ବଢ଼ୁଥିବାରୁ ଟୋପି ବଜାର ପ୍ରତିବର୍ଷ ଆଗକୁ ବଢ଼ୁଛି। ଭୁବନେଶ୍ବରର ପ୍ରମୁଖ ଫ୍ୟାଶନ୍ ଷ୍ଟୋର୍‌ ଯଥା ସେଣ୍ଟ୍ରାଲ୍‌, ବିଗ୍‌ ବଜାର, ପାଣ୍ଟାଲୁନ୍‌ସ, ରିଲାଏନ୍ସ ଟ୍ରେଣ୍ଡ୍‌, ବ୍ରାଣ୍ଡ ଫ୍ୟାକ୍ଟ୍ରି, ରିଗାଲିଆ, ଏଫ୍‌ବିବି ଷ୍ଟୋର୍‌, ଫୋରମ୍‌ ମାର୍ଟ, ବିଏମ୍‌ସି ଭବାନୀ ମଲ୍‌ ଏବଂ ବିଭିନ୍ନ ଶୋ’ରୁମ୍‌ରେ ଆପଣ ଟୋପି କିଣିପାରିବେ।

ଅନ୍‌ଲାଇନ୍‌ରେ ଅଧିକ ଭେରାଇଟି
ଶୋ’ରୁମ୍ ଛଡ଼ା ଗ୍ରାହକମାନେ ଅନ୍‌ଲାଇନ୍‌ରେ ମଧ୍ୟ ଟୋପି କିଣୁଛନ୍ତି। କାରଣ ଅନ୍‌ଲାଇନ୍‌ରେ ଟୋପି ଶସ୍ତା ରହୁଥିବା ବେଳେ ଅଧିକ ଭେରାଇଟି ଉପଲବ୍ଧ ରହୁଛି। ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ଟୋପିର ବିକଳ୍ପ ରହୁଥିବା ବେଳେ ଷ୍ଟୋର୍‌ କିମ୍ବା ଶୋ’ରୁମ୍‌ରେ ତାହା ମିଳେନାହିଁ। ମିନ୍ତ୍ରା, ଫ୍ଲିପ୍‌କାର୍ଟ, ଆମାଜନ୍‌ ଭଳି ଅନେକ ୱେବ୍‌ସାଇଟ୍‌ ରହିଛି, ଯେଉଁଥିରୁ ଲୋକମାନେ ଟୋପି କିଣିପାରିବେ। ଆଗକୁ ଖରାଦିନ ଆସୁଥିବାରୁ ଲୋକମାନେ ଏବେ ଶୀତ ଟୋପି ପରିବର୍ତ୍ତେ ଖରାଦିନିଆ ଟୋପି କିଣିବା ଆରମ୍ଭ ‌କରିଦେଇଛନ୍ତି।

ବ୍ରାଣ୍ଡେଡ୍‌ ଟୋପିର ଚାହିଦା
ଯୁବପିଢ଼ିମାନେ ବ୍ରାଣ୍ଡେଡ୍‌ ଟୋପି ପିନ୍ଧିବାକୁ ବେଶ୍‌ ପସନ୍ଦ କରନ୍ତି। ବଜାରରେ ଉଭୟ ବ୍ରାଣ୍ଡେଡ୍‌ ଓ ନନ୍‌-ବ୍ରାଣ୍ଡେଡ୍‌ ଟୋପି ବିକ୍ରି ହେଉଛି। କିନ୍ତୁ ଅଧିକ ଚାହିଦା ବ୍ରାଣ୍ଡେଡ୍‌ ଟୋପିର ରହୁଛି। ଟୋପି ବ୍ୟବସାୟରେ ଥିବା ପ୍ରମୁଖ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ ୟୁଏସ୍‌‌ ପୋଲୋ, ଆଡିଡାସ୍‌, ରିବକ୍‌, ପୁମା, ଆଲ୍‌ଭାରୋ କାଷ୍ଟାଗ୍ନିନୋ, ବ୍ଲୁବେରୀ,କଲମ୍ବିଆ, ବ୍ଲାକ୍‌ବେରୀ, ଲିଭାଇସ, ନଏଜ୍‌, ନାଇକି ଓ ୱାଇଲ୍‌ଡ କ୍ରାଫ୍ଟ ଆଦି ରହିଛି। ଏଥିସହିତ ଅନେକ ସ୍ଥାନୀୟ କମ୍ପାନୀ ମଧ୍ୟ ସେମାନଙ୍କ ନିଜସ୍ବ ବ୍ରାଣ୍ଡ୍‌ର ଟୋପି ବଜାରରେ ବିକ୍ରି କରୁଛନ୍ତି।

ବିଭିନ୍ନ କିସମର ଟୋପି
ବଜାରରେ ଅନେକ ପ୍ରକାର ଟୋପି ବିକ୍ରି ହେଉଛି। ଗ୍ରାହକମାନେ ନିଜ ପସନ୍ଦ ଅନୁସାରେ ଟୋପି କିଣୁଛନ୍ତି। ନୂଆ ଟୋପିଗୁଡ଼ିକ ମଧ୍ୟରେ ବକେଟ୍‌ କ୍ୟାପ୍‌, ସ୍କଲ୍ କ୍ୟାପ୍, ଭାଇଜର କ୍ୟାପ୍, ଫ୍ୟାଶନ୍‌ କ୍ୟାପ୍‌, କଟନ୍‌ କ୍ୟାପ, ପ୍ରିଣ୍ଟେଡ୍‌ କ୍ୟାପ, ସ୍ପୋର୍ଟି କ୍ୟାପ୍‌, ନିଟେଡ୍‌ କ୍ୟାପ ଓ ବେସ୍‌ବଲ୍‌ କ୍ୟାପ୍‌ ଆଦି ରହିଛି। ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ଏବଂ ପିଲାମାନଙ୍କ ପାଇଁ ବଜାରରେ ଟୋପି ବିକ୍ରି କରାଯାଉଛି। ବଜାରରେ ଏଥିପାଇଁ ଭଳିକି ଭଳି ଟୋପି ଉପଲବ୍ଧ ହେଲାଣି। ତେବେ ଖରାଦିନ ପାଇଁ ଅଧିକ କଳା ଓ ଧଳା ରଙ୍ଗର ଟୋପି ବିକ୍ରି ହେଉଛି। ସେହିପରି ନୀଳ ଓ ଗାଢ଼ ଲାଲ ରଙ୍ଗର ଟୋପିର ମଧ୍ୟ ଚାହିଦା ରହିଛି।

ବାଉଁଶରେ ତିଆରି ଟୋପି
ବାଉଁଶରୁ ଶୀତଳତା ମିଳିଥାଏ। ତେଣୁ ବାଉଁଶରେ ତିଆରି କରାଯାଇଥିବା ଟୋପି ଖରାରୁ ରକ୍ଷା କରିଥାଏ। ବାଉଁଶରେ ତିଆରି ବଡ଼ ଓ ଗୋଲାକାର ଟୋପି ମଧ୍ୟ ମୁହଁ ଓ ଆଖିରେ ସୂର୍ଯ୍ୟକିରଣ ପଡ଼ିବାକୁ ଦିଏ ନାହିଁ। ଯାହା ଫଳରେ ଖରାରେ ତ୍ବଚା ମଧ୍ୟ ନଷ୍ଟ ହୁଏନାହିଁ। ବିଶେଷ କରି ୱାଇଲ୍ଡ ଲାଇଫ୍‌ ଟୁର୍‌ରେ ଯାଉଥିବା ଲୋକମାନେ ଏହାକୁ ବେଶୀ ପିନ୍ଧିବାକୁ ପସନ୍ଦ କରିଥାନ୍ତି।

ରିଫ୍ଲେକ୍ଟିଭ୍‌ ଟୋପି
ରାଜଧାନୀର ପ୍ରମୁଖ ଶୋ’ରୁମ୍‌ ଗୁଡ଼ିକରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ୍‌ର ଟୋପି ସମେତ ଏକ ପ୍ରକାର ରିଫ୍ଲେକ୍ଟିଭ କ୍ୟାପ୍ ବା ଟୋପି ମିଳୁଛି। ଏହି ଟୋପିକୁ ରାତିରେ ପିନ୍ଧିଲେ ଏହା ଉପରେ ପଡ଼ୁଥିବା ଆଲୋକ ପ୍ରତିଫଳିତ ହୋଇଥାଏ। ଉକ୍ତ ଟୋପିର ଚାହିଦା ଭଲ ରହିଥିବା ଜଣାପଡ଼ିଛି।

ଗାନ୍ଧି ଟୋପି
ଗାନ୍ଧି ଟୋପି ଖଦୀ କନାରେ ତିଆରି ଏକ ଧଳା ରଙ୍ଗ ଟୋପି। ଏହାର ଆଗ ଓ ପଛ ମୁନିଆ ହୋଇଥାଏ। ଏହା ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ଏହି ଟୋପି ବ୍ୟବହାର କରୁଥିବାରୁ ଏହି ଟୋପିର ଲୋକପ୍ରିୟତା ବଢ଼ିଥିଲା ଓ ଅନ୍ୟ ସ୍ୱାଧୀନତା ସଂଗ୍ରାମୀ ଓ ରାଜନେତାମାନେ ଏହି ଟୋପିର ବ୍ୟବହାର କରିବା ଆରମ୍ଭ କରିଥିଲେ। ଏବେ ବି ଏହାର ଚାହିଦା ରହିଛି। ରାଜନେତା ଓ ଆନ୍ଦୋଳନ ସମୟରେ ଏହି ଟୋପି ପିନ୍ଧୁଥିବା ଦେଖିବାକୁ ମିଳେ।

୧୦୦ ଟଙ୍କାରୁ ଆରମ୍ଭ
ଶୋ’ରୁମ୍‌ଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ବରେ ମଧ୍ୟ ଟୋପି ବିକ୍ରି କରାଯାଉଛି। ଏହି ଟୋପିର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ କରି ୪ ହଜାର, ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଫୁଟପାଥ୍ ଏବଂ ରାସ୍ତା ପାର୍ଶ୍ବ ଛୋଟ ଦୋକାନଗୁଡ଼ିକରେ ବିକ୍ରି ହେଉଥିବା ଟୋପିର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଅନ୍‌ଲାଇନ୍‌ରେ ବିକ୍ରି ହେଉଥିବା ଟୋପିର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ ହେଉଛି। ସେହିପରି ଶୋ’ରୁମ୍‌ରେ ବିକ୍ରି ହେଉଥିବା ବ୍ରାଣ୍ଡେଡ୍‌ ଟୋପିର ମୂଲ୍ୟ ୪୦୦ ଟଙ୍କାରୁ ଆରମ୍ଭ ହେଉଛି। ଏପରି କିଛି ବ୍ରାଣ୍ଡ୍‌ର ଟୋପି ରହିଛି, ଯାହାର ମୂଲ୍ୟ ୪୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ