ନିଆରା ମୁଖ୍ୟମନ୍ତ୍ରୀ: ଜିରୋରୁ ହିରୋ


ଅରବିନ୍ଦ କେଜରିୱାଲ (ଫାଇଲ୍ ଫଟୋ)
ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦେଶର ଶାସନ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ନିଆରା। ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମ ପାଇଁ ରାଜନୀତିକୁ ଆସିବା ପୂର୍ବରୁ ସେ ସମ୍ମାନଜନକ ରମଣ ମାଗାସେସେ ପୁରସ୍କାର ମଧ୍ୟ ପାଇଛନ୍ତି। ଉଚ୍ଚ ଶିକ୍ଷିତ କେଜରିୱାଲ ନିଜର କାର୍ଯ୍ୟ କରିବା ଶୈଳୀ, ରାଜନୈତିକ କାର୍ଯ୍ୟକ୍ରମ, ଦୁର୍ନୀତି ବିରୋଧୀ ଅଭିଯାନ, ଜନକଲ୍ୟାଣ ଯୋଜନା ଜରିଆରେ ସେ ଅନ୍ୟମାନଙ୍କ ମଧ୍ୟରେ ଭିନ୍ନ ବୋଲି ପ୍ରମାଣିତ କରିଛନ୍ତି। ତାଙ୍କ ଉପରେ କୌଣସି ହାଇକମାଣ୍ଡଙ୍କ କମାଣ୍ଡ ନାହିଁ କିମ୍ବା ସେ କୌଣସି ସଚିବଙ୍କ ଇସାରାରେ କାର୍ଯ୍ୟ କରନ୍ତି ନାହିଁ। ଦେଶର ଅନେକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦଳୀୟ ହାଇକମାଣ୍ଡଙ୍କ ଚାପ ଓ ସଚିବଙ୍କ ପ୍ରାଧାନ୍ୟ ସେମାନଙ୍କୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାରୁ ବଞ୍ଚିତ କରିଛି। ଏହାକୁ ନେଇ ମନରେ ବିରୋଧାଭାସ ରହିଥିଲେ ବି ସେମାନେ ବାଧ୍ୟ ହୋଇ ଚୁପ ରହିଥାନ୍ତି। ମାତ୍ର କେଜରିୱାଲ ଏସବୁ ପ୍ରତିବନ୍ଧକରୁ ନିଜକୁ ମୁକ୍ତ ରଖି ଯେପରି ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି, ତାହା ଅନନ୍ୟ ଉଦହରଣ ସୃଷ୍ଟି କରିଛି। ବିଶେଷକରି ଦୁଇଟି ମୌଳିକ ସୁବିଧା ଶିକ୍ଷା ଓ ସ୍ବାସ୍ଥ୍ୟରେ ସେ ଦିଲ୍ଲୀର ସରକାରୀ ଶିକ୍ଷାନୁଷ୍ଠାନ ଓ ମେଡିକାଲରେ ଏପରି ସୁଧାର ଆଣିଛନ୍ତି,  ଯାହା ଆଗମୀ ଦିନରେ ବିଭିନ୍ନ ରାଜ୍ୟ ପାଇଁ ମଡେଲ ହେବାକୁ ଯାଉଛି।

ବିଜେପି ଓ କଂଗ୍ରେସକୁ ଚକମା
ରାଜଧାନୀ ଦିଲ୍ଲୀରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି କେଜରିୱାଲ। ସାରା ଦେଶରେ କଂଗ୍ରେସର ପତନ ପରେ ବିଜେପିର ଶକ୍ତି ବୃଦ୍ଧି ଘଟିଥିଲା ବେଳେ ଦିଲ୍ଲୀ ପ୍ରାଦେଶିକ ରାଜନୀତିରେ ସେ ନିଜକୁ ଅଦ୍ବିତୀୟ ରାଜନେତା ଭାବେ ବିଚକ୍ଷଣତା ଦେଖାଇବାରେ ସଫଳ ହୋଇଛନ୍ତି। ଦିଲ୍ଲୀବାସୀ ତାଙ୍କୁ ଲଗାତର ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ମଧ୍ୟ ବସାଇଛନ୍ତି। ୨୦୧୪ ଓ ୨୦୧୯ରେ ବିଜେପି ଦମଦାର ପ୍ରଦର୍ଶନ ଜରିଆରେ ଦେଶର ଶାସନ ଭାର ହାତକୁ ନେଇଥିଲା ବେଳେ ରାଜନୀତିର କେନ୍ଦ୍ରସ୍ଥଳ ଦିଲ୍ଲୀରେ କେଜରିୱାଲଙ୍କୁ ହରାଇବାରେ ବିଫଳ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେପିର ତମାମ ନେତୃବୃନ୍ଦ କେଜରିୱାଲଙ୍କୁ ପରାଜିତ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ ବି କେଜରିୱାଲ ଏହାକୁ  ଭେଦ କରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଦିଲ୍ଲୀରେ ବିଜେପି ସମସ୍ତ ୭ଟି ଯାକ ଲୋକସଭା ଆସନ ହାସଲ କରିବା ସତ୍ତ୍ବେ ୨୦୨୦ ବିଧାନସଭା ନିର୍ବାଚନରେ କେଜରିୱାଲଙ୍କୁ ରୋକିବାରେ ସଫଳତା ପାଇ ନାହିଁ। କୌଣସି ରାଜନୈତିକ ପୃଷ୍ଟଭୂମି ନ ଥାଇ ବି କେଜରିୱାଲ ଜିରୋରୁ ଆରମ୍ଭ କରି ହିରୋ ହେବା ପଛରେ ଯେ ତାଙ୍କର ବିଚକ୍ଷଣତା ସାରା ଦେଶର ବିଚକ୍ଷଣ ରାଜନେତାଙ୍କୁ ବି ଚକିତ କରିଛି, ଏଥିରେ ସନ୍ଦେହ ନାହିଁ। କେହି କେହି କେଜରିୱାଲଙ୍କ ଠାରୁ ରାଜନୀତି ଶିଖିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ କହିବାକୁ କୁଣ୍ଠାବୋଧ କରି ନାହାନ୍ତି। ଯାହା ତାଙ୍କୁ ଦେଶର ଅନ୍ୟ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଲଗା ବୋଲି ପ୍ରମାଣିତ କରିଛି।

ବ୍ୟକ୍ତିଗତ ଜୀବନ
୧୯୬୮ ଅଗଷ୍ଟ ୧୬ ତାରିଖରେ ହରିୟାଣାର ଭିୱାନୀ ଜିଲ୍ଲା ସିୱାନୀରେ କେଜରିୱାଲଙ୍କ ଜନ୍ମ। ବାପା ଗୋବିନ୍ଦ ରାମ କେଜରିୱାଲ ପେସାରେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର। ମାଆ ଗୀତା ଦେବୀ ଜଣେ ଗୃହିଣୀ। ୩ ସନ୍ତାନଙ୍କ ଭିତରେ କେଜରିୱାଲ ବଡ଼। ତାଙ୍କ ପିଲା ଦିନ ଉତ୍ତର ଭାରତର ସୋନିପତ, ଗାଜିଆବାଦ ଓ ହିସାରରେ ବାପା ମାଆଙ୍କ ସହ କଟିଥିଲା। ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର ଥିଲେ। ୧୯୮୫ରେ ଆଇଆଇଟି-ଜେଇଇ ପ୍ରବେଶିକା ପରୀକ୍ଷାରେ ସେ ସର୍ବଭାରତୀୟ ସ୍ତରରେ ୫୬୩ତମ ସ୍ଥାନରେ ରହି ଖଡ଼ଗପୁର ଆଇଆଇଟିରେ ନାମ ଲେଖାଇଥିଲେ। ୧୯୮୯ରେ ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିବା ପରେ ଟାଟା ଷ୍ଟିଲରେ ଯୋଗ ଦେଇଥିଲେ। ମାତ୍ର ୧୯୯୨ରେ ସେ ଟାଟା ଷ୍ଟିଲରୁ ଇସ୍ତଫା ଦେଇଥିଲେ। ଆଇଏଏସ ପାଇଁ ପ୍ରସ୍ତୁତି କରିବା ସକାଶେ ସେ ଚାକିରି ଛାଡ଼ିଥିଲେ। ୧୯୯୫ରେ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆୟକର ବିଭାଗର ଆସିଷ୍ଟାଣ୍ଟ କମିଶନର ପଦବୀରେ ଅଧିଷ୍ଠିତ ହେଲେ। ମାତ୍ର ୨୦୦୦ରେ ପୁଣି ଥରେ ପେଡ ଲିଭ ପାଇଁ ଆବେଦନ କରି ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଲେ। ଆଉ ଏହାକୁ ନେଇ ତାଙ୍କର କେନ୍ଦ୍ର ସରକାରଙ୍କ ସହ ବିବାଦ ହେଲା। ଶେଷରେ ୨୦୦୫ରେ ସେ ଜଏଣ୍ଟ କମିଶନର ପଦରୁ ଇସ୍ତଫା ଦେଲେ। ମାତ୍ର ସେ ପେଡ ଲିଭ ବାବଦରେ ପାଇଥିବା ଟଙ୍କା ଫେରାଇବାକୁ ନେଇ କେନ୍ଦ୍ର ସରକାରଙ୍କ ସହ ଲଢ଼େଇ ଆରମ୍ଭ କଲେ। ଶେଷରେ କେତେକ ବନ୍ଧୁଙ୍କ ସହଯୋଗରେ ୯ ଲକ୍ଷ ୨୭ ହଜାର ୭୮୭ ଟଙ୍କା କେନ୍ଦ୍ର ସରକାରଙ୍କ ପାଖରେ ଜମା କରି ବିବାଦରେ ପରିସମାପ୍ତି ଘଟାଇଲେ। ଆଉ ଏଇଠି ତାଙ୍କ କ୍ୟାରିଅରର ପ୍ରଥମ ଇନିଂସ ଶେଷ ହେଲା।

ଦୁର୍ନୀତି ବିରୋଧୀ ଅଭିଯାନ
ଦୁର୍ନୀତି ବିରୋଧୀ ଅଭିଯାନରୁ ଆରମ୍ଭ କଲେ ଦ୍ବିତୀୟ ଇନିଂସ। ଦିଲ୍ଲୀରେ ଚାଲିଥିବା ଦୁର୍ନୀତି ବିରୋଧରେ ସେ ସ୍ବର ଉତ୍ତୋଳନ କରି ସୂଚନା ଅଧିକାର ଆଇନ ଆଣିବା ନେଇ ଆନ୍ଦୋଳନ ଆରମ୍ଭ କଲେ। ମନୀଷ ସିସୋଦିଆ ଓ ଅଭିନନ୍ଦନ ସିକ୍ରିଙ୍କୁ ନେଇ ପବ୍ଲିକ କଜ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କଲେ। ଆଉ ପରେ ଏଥିରେ ସାମିଲ ହେଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଦେଶର ଜଣାଶୁଣା ଲେଡି ଆଇପିଏସ ଅଫିସର କିରଣ ବେଦୀ। ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବଡ଼ ଧରଣର ଦୁର୍ନୀତିକୁ ପଦାକୁ ଆଣିବାରେ କେଜରିୱାଲ ପ୍ରମୁଖ ଭୂମିକା ଗ୍ରହଣ କରି ଗଣମାଧ୍ୟମ ଜରିଆରେ ତତକାଳୀନ ମନମୋହନ ସିଂହ ସରକାରକୁ କାଠଗଡ଼ାକୁ ଟାଣିଲେ। ଏହି ଦୁର୍ନୀତି ବିରୋଧୀ ଆନ୍ଦୋଳନ ଜରିଆରେ କେଜରିୱାଲ ଦିଲ୍ଲୀରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳତା ପାଇଲେ।

ଅନ୍ନା ହଜାରେଙ୍କ ସହଯୋଗୀ
୨୦୧୧ରେ ଇଣ୍ଡିଆ ଏଗେନଷ୍ଟ କରପସନ ଗ୍ରୁପ ଗଠନ ହେଲା। ଆଉ ବିଶିଷ୍ଟ ଗାନ୍ଧିବାଦୀ ନେତା ଅନ୍ନା ହଜାରେ ଏହାର ପୁରୋଧା ଭାବେ ସାମିଲ ହେବା ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ବ୍ୟାପକ କରିବାରେ ସହାୟକ ହେଲା। ରାଜନେତାଙ୍କୁ ଦୁର୍ନୀତି ପାଇଁ ଦଣ୍ଡ ବିଧାନର ସେପରି କୌଣସି କଠୋର ଆଇନ ନ ଥିବାରୁ କେନ୍ଦ୍ରରେ ଲୋକପାଳ ଓ ରାଜ୍ୟମାନଙ୍କରେ ଲୋକାୟୁକ୍ତ ନିଯୁକ୍ତ କରିବା ପାଇଁ ଆରମ୍ଭ ହେଲା ଜନ ଲୋକପାଳ ଆନ୍ଦୋଳନ। ସେତେବେଳର ୟୁପିଏ ସରକାର ଏହି ଆନ୍ଦୋଳନକୁ ଚପାଇ ଦେବା ପାଇଁ ଅନ୍ନା ହଜାରେଙ୍କ ସମେତ କେଜରିୱାଲ ଓ ଅନ୍ୟ ଆଗଧାଡ଼ିର ବ୍ୟକ୍ତିଙ୍କୁ ଗିରଫ କଲେ। ମାତ୍ର ଦୁର୍ନୀତି ବିରୋଧରେ ସୃଷ୍ଟି ହୋଇଥିବା ଜନସ୍ରୋତକୁ ନିଜ ସପକ୍ଷରେ ନେବାରେ କେଜରିୱାଲ ଆଦୌ ହେଳା କରି ନ ଥିଲେ। ଆଉ ସେ ରାଜନୀତିରେ ଯୋଗ ଦେବାକୁ ଘୋଷଣା କରି ଜନସେବାକୁ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଲେ। ଯାହାକୁ ନେଇ ତାଙ୍କର ଅନ୍ନା ହଜାରେଙ୍କ ସହ ମତାନ୍ତର ଆରମ୍ଭ ହେଲା। ଅନ୍ନା ହଜାରେ ନିଜକୁ କେଜରିୱାଲଙ୍କ ଗୋଷ୍ଠୀ ଠାରୁ ନିଜକୁ ଦୂରେଇ ନେଲେ। ଆଉ କେଜରିୱାଲଙ୍କୁ ଜଣେ କ୍ଷମତା ଲିପସୁ ବୋଲି କହି ସମାଲୋଚନା କଲେ। ମାତ୍ର କେଜରିୱାଲ ଏନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିବା ସହ ସେ ତାଙ୍କ ରାସ୍ତାରେ ଆଗକୁ ବଢ଼ିଲେ।

ଆମ ଆଦମୀ ପାର୍ଟି ଗଠନ
୨୦୧୨ରେ କେଜରିୱାଲ ଅଳ୍ପ କେତେକ ସହଯୋଗୀଙ୍କ ଜରିଆରେ ଗଠନ କଲେ ଆମ ଆଦମୀ ପାର୍ଟି (ଆପ୍)। ୨୦୧୨ ନଭେମ୍ବର ୧୨ରେ ପାର୍ଟିର ପ୍ରଥମ କାର୍ଯ୍ୟକାରିଣୀରେ ତାଙ୍କୁ ଜାତୀୟ ଆବାହକ ଭାବେ ଦାୟିତ୍ବ ଦିଆଗଲା। ଏଇଠି ଆରମ୍ଭ ହେଲା କେଜରିୱାଲଙ୍କ ରାଜନୈତିକ ଯାତ୍ରା। ଲକ୍ଷ୍ୟ ରହିଲା ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନ। ଦିଲ୍ଲୀ ରାଜନୀତିରେ ବେଶ ଲୋକପ୍ରିୟତା ହାସଲ କରି ଲଗାତର ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ଶୀଲା ଦୀକ୍ଷିତଙ୍କ ବିରୋଧରେ ସେ ପ୍ରାର୍ଥୀ ହେବା ପାଇଁ ପ୍ରଥମ ଦିନରୁ ଘୋଷଣା କରି ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି କଲେ। ତାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା ବେଳେ ସେ କୌଣସି ରାଜନୈତିକ ଦଳରେ ବି ସାମିଲ ହୋଇ ନ ଥିଲେ। ଭିନ୍ନ ଏକ ରଣକୌଶଳ ଜରିଆରେ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିବା ପାଇଁ ରଣନୀତି ଗ୍ରହଣ କଲେ। ଆଉ ତାଙ୍କ ରଣନୀତିକୁ ନେଇ ସେତବେଳେ ବିଜେପି ଓ କଂଗ୍ରେସ କର୍ମୀ ତାଙ୍କୁ ତାଚ୍ଛଲ୍ୟ କରିବାକୁ ପଛାଇ ନ ଥିଲେ। ସେତେବେଳେ କଂଗ୍ରେସ ଓ ବିଜେପି ପରି ମହାଦ୍ରୁମ ଆଗରେ କେଜରିୱାଲ ଦୁବ ଘାସ ପରି ପ୍ରତୀୟମାନ ହୋଇଥିଲେ। ମାତ୍ର ସେ ତାଙ୍କର ଦୁର୍ନୀତି ନିରୋଧୀ ଆନ୍ଦୋଳନ ଜରିଆରେ ଦିଲ୍ଲୀ ଲୋକଙ୍କ ମନ ଜିଣି ସାରିଥିବାରୁ ତାଙ୍କୁ ଲୋକଙ୍କ ପାଖରେ ପହଞ୍ଚିବାରେ କୌଣସି ଅସୁବିଧା ହେଲାନି। ସେ ଆପ ଗଠନ କରିବାକୁ ବର୍ଷେ ପୂରଣ ହୋଇ ନ ଥିଲା ବେଳେ ଦିଲ୍ଲୀ ବିଧାନସଭା ପାଇଁ ହେଲା ନିର୍ବାଚନ। ଆଉ ୭୦ ଆସନରୁ ବିଜେପି ୩୧ ଆସନ ଜିତି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସଫଳତା ପାଇଲା। ଆପ ୨୮ ଆସନ ଜିତି ଦ୍ବିତୀୟ ସ୍ଥାନରେ ରହିଲା। ମାତ୍ର କଂଗ୍ରେସର ସମର୍ଥନ ନେଇ ଶେଷରେ କେଜରିୱାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସି ବିଜେପିକୁ କ୍ଷମତାରୁ ଦୂରେଇ ରଖିବାରେ ସଫଳ ହେଲେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ
୨୦୧୩ ଡିସେମ୍ବର ୨୮ରେ କେଜରିୱାଲ ଦିଲ୍ଲୀର ଦ୍ବିତୀୟ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ମାତ୍ର ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲା ପରେ ସହଯୋଗୀ ଦଳ କଂଗ୍ରେସ ସହ ତାଙ୍କର ଆରମ୍ଭରୁ ମତଭେଦ ପଦାକୁ ଆସିଲା। ଯେଉଁ ଜନ ଲୋକପାଳ ଆନ୍ଦୋଳନ ଜରିଆରେ ସେ ଦିଲ୍ଲୀବାସୀଙ୍କ ମନ ଜିଣିଥିଲେ, ତାହାକୁ ଆଇନରେ ପରିଣତ କରିବା ପାଇଁ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ପାରିତ କରାଇବାକୁ ଚାହିଁଲେ। ମାତ୍ର ତାଙ୍କ ପ୍ରସ୍ତାବକୁ ସହଯୋଗୀ କଂଗ୍ରେସ କିମ୍ବା ବିରୋଧୀ ବିଜେପି କେହି ସହଯୋଗ କଲେ ନାହିଁ। ଏହିପରି ସ୍ଥିତିରେ କେଜରିୱାଲ ମାତ୍ର ୪୯ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ୨୦୧୪ ଫେବ୍ରୁଆରୀ ୧୪ରେ ଇସ୍ତଫା ଦେଲେ। ଆଉ ଏହି ସ୍ପଳ୍ପ ମୁଖ୍ୟମନ୍ତ୍ରିତ୍ବରେ ସେ ଉପରାଜ୍ୟପାଳଙ୍କ ନିଷ୍ପତ୍ତିରେ ଅସନ୍ତୋଷ କରି ନିଜ ମନ୍ତ୍ରିପରିଷଦ ସହ ରାତି ସାରା ଧାରଣାରେ ବସିବା ଓ ପ୍ରଭାବଶାଳୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନାଁରେ ଏତଲା କରି ବିତର୍କ ସୃଷ୍ଟି କରିଥିଲେ।

ମୋଦୀଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ୨୦୧୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଦଳୀୟ କର୍ମୀଙ୍କ ଚାପରେ ନିଷ୍ପତ୍ତି ବଦଳାଇ ଉତ୍ତର ପ୍ରଦେଶ ବାରାଣସୀରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। ଆଉ ସେ ମୋଦୀଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଭୋଟରେ ପରାଜିତ ହେଲେ। ଦିଲ୍ଲୀରେ ମଧ୍ୟ ତାଙ୍କ ଆପ ଚରମ ପରାଜୟ ବରଣ କଲା। ଏହିପରି ସ୍ଥିତିରେ କେଜରିୱାଲଙ୍କ ରାଜନୀତିର ପରିସମାପ୍ତି ଘଟିଲା ବୋଲି ଧାରଣା ସୃଷ୍ଟି ହେଲା। କାରଣ ବିଜେପି ପ୍ରତି ଜନ ସମର୍ଥନ ଓ କେନ୍ଦ୍ରରେ ସରକାର ଗଠନ କେଜରିୱାଲଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବଡ଼ ଭୁଲ ନିଷ୍ପତ୍ତି
ମାତ୍ର ବେଶ ବିଚକ୍ଷଣ କେଜରିୱାଲ କିନ୍ତୁ ଛାଡ଼ିବାର ଲୋକ ନ ଥିଲେ। ମାତ୍ର ୪୯ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବଡ଼ ଭୁଲ ନିଷ୍ପତ୍ତି ଥିଲା ବୋଲି ଖୋଲାଖୋଲି ସ୍ବୀକାର କରି ସେ ପୁଣି ଥରେ ତାଙ୍କ ଦିଲ୍ଲୀବାସୀଙ୍କ ପାଖରେ ପହଞ୍ଚିଥିଲେ। ମାତ୍ର କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ଚାଲିଥିବାରୁ ଦିଲ୍ଲୀରେ କେଜରିୱାଲଙ୍କ ପାଇଁ ଆଉ ଥରେ ନିର୍ବାଚନ ଜିତିବା ଏତେ ସହଜ ନ ଥିଲା। ୨୦୧୪ରେ ଲୋକସଭା ନିର୍ବାଚନରେ ବିପୁଳ ସଫଳତା ପାଇଥିବା ବିଜେପି ଦେଶର ରାଜଧାନୀକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ପୂରା ଦମ ଲଗାଇ ଦେଇଥିଲା। ହେଲେ ବିଧାନସଭା ନିର୍ବାଚନରେ କେଜରିୱାଲଙ୍କ ମ୍ୟାଜିକ କାମ ଦେଲା। ବିଜେପିର ପରାକ୍ରମକୁ ସେ ଭେଦ କରି ମୋଟ ୭୦ଟି ଆସନରୁ ୬୭ଟିରେ ବିଜୟୀ ହୋଇ ଅନେକ ରାଜନୈତିକ ବିଶେଷଜ୍ଞଙ୍କ ଗଣିତକୁ ଭୁଲ ପ୍ରମାଣିତ କରିଦେଲେ। ଆଉ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ।

ଶିକ୍ଷା, ସ୍ବାସ୍ଥ୍ୟରେ ଦିଲ୍ଲୀକୁ ମଡେଲ କରି ସଫଳତା
୨୦୧୫ରୁ ୨୦୨୦ ଭିତରେ କେଜରିୱାଲ ତାଙ୍କର ପୂରା ୫ ବର୍ଷ ଶାସନ କ୍ଷେତ୍ରରେ ଏପରି କିଛି ଜନକଲ୍ୟାଣ କାର୍ଯ୍ୟ କଲେ, ଯାହା ତାଙ୍କୁ ପୁଣି ଥରେ ନିର୍ବାଚନରେ ସଫଳତା ଆଣିବାରେ ସହାଯ୍ୟ କଲା। ଶିକ୍ଷା, ସ୍ବାସ୍ଥ୍ୟକୁ ଗରୁତ୍ବ ଦେଇ କେଜରିୱାଲ ଦିଲ୍ଲୀବାସୀଙ୍କ ମନ ଜିଣିବାରେ ସଫଳ ହେଲେ। ଦିଲ୍ଲୀ ସରକାରୀ ହସ୍ପିଟାଲ ଓ ସରକାରୀ ସ୍କୁଲର ଭିତ୍ତିଭୂମି ସଜାଡ଼ି ସାରା ଦେଶ ପାଇଁ ମଡେଲ ସୃଷ୍ଟି କଲେ। ଯାହାକୁ ନେଇ କେତେକ ବିରୋଧୀ ରାଜନୈତିକ ଦଳ ମଧ୍ୟ କେଜରିୱାଲଙ୍କ ତାରିଫ କରିବାକୁ ପଛାଇଲେ ନାହିଁ। ଆଉ ସେହି ବିକାଶର ନାରା ଦେଇ କେଜରିୱାଲ ପୁଣି ଥରେ ୨୦୨୦ ନିର୍ବାଚନରେ ବିଜେପି ଓ କଂଗ୍ରେସକୁ ଧୂଳି ଚଟାଇ କ୍ଷମତା ବଜାୟ ରଖିବାରେ ଆଜି ସଫଳ ହୋଇଛନ୍ତି। କୌଣସି ରାଜନୈତିକ ପରିବାରରୁ ନ ଆସି ନିଜର ବିଦ୍ୟା ଓ ବୁଦ୍ଧି ବଳରେ ଏକ ରାଜନୈତିକ ଦଳ ଗଠନ କରି ଆରମ୍ଭରୁ ଦିଲ୍ଲୀ ପରି ଉଚ୍ଚ ଶିକ୍ଷିତ ରହୁଥିବା ସହରରେ ରାଜନୈତିକ ସଫଳତା ପାଇବା ନିଶ୍ଚିତରେ ଅନ୍ୟ ରାଜନେତାଙ୍କ ପାଇଁ ଉଦାହରଣ ପାଲଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ