ଜାଗା ବଦଳାଉଛି ଘର


ପ୍ରତୀକାତ୍ମକ ଫଟୋ
ଲୋକେ ସିନା ଘର ବଦଳାନ୍ତି, ହେଲେ ଏବେ ଏହାର ବିପରୀତ ଦେଖିବାକୁ ମିଳିଛି। ୩ କୋଟି ଟଙ୍କା ଖର୍ଚ୍ଚରେ ତିଆରି ଏକ ଘରକୁ ଏହାର ମାଲିକ ଉଠାଇ ନେଇଛନ୍ତି। ଘର ସ୍ଥାନାନ୍ତରର ଏଭଳି ଖବର ଆପଣଙ୍କୁ ଅଜବ ଲାଗୁଥାଇ ପାରେ କିନ୍ତୁ ଏହା ହେଉଛି ସତ। ସାନଫ୍ରାନସିସକୋରେ ଏଭଳି ଏକ ଘଟଣା ଘଟିଛି, ଯେଉଁଠି ଘରମାଲିକ ନିଜର ୫ ହଜାର ବର୍ଗଫୁଟର ଘରକୁ ସ୍ଥାନାନ୍ତର କରିନେଇଛନ୍ତି। ତେବେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସାନଫ୍ରାନ୍ସିସକୋ ସହରର ଜଣେ ବ୍ୟକ୍ତି ନିଜ ଘରକୁ ନ ଭାଙ୍ଗି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଯୋଜନା କଲେ। ଏଥିପାଇଁ ସେ କିଛି ସିଭିଲ ଇଞ୍ଜିନିୟରଙ୍କ ସହ ଯୋଗାଯୋଗ କଲେ। ଏହା ପରେ ଏକ ଟ୍ରକ ମାଧ୍ୟମରେ ୫ ହଜାର ବର୍ଗଫୁଟର ଏହି ଘରକୁ ସ୍ଥାନାନ୍ତର କରାଯାଇଥିଲା। ୧୩୯ ବର୍ଷର ପୁରୁଣା ଘରଟିରେ ୬ଟି ବେଡ଼ରୁମ ଥିବାବେଳେ ଏହାକୁ ୧ କିଲୋମିଟର ନେବାକୁ ପ୍ରାୟ ୬ ଘଣ୍ଟା ସମୟ ଲାଗିଥିଲା। ତେବେ ଏଥିପାଇଁ ରାସ୍ତାରେ ଥିବା କିଛି ଗଛର ଶାଖାକୁ କାଟିବାକୁ ପଡିଥିଲା। ଘର ସ୍ଥାନାନ୍ତର ପାଇଁ ଘରର ମାଲିକ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେଇଥିଲେ।

ନୂଆ ନୁହେଁ ଏଭଳି ଘଟଣା
କର୍ଣ୍ଣାଟକର ମେନ୍ଦ୍ୟା ଜିଲାରେ ଦେଖିବାକୁ ମିଳିଛି ଠିକ ଏଭଳି ଏକ ଘଟଣା। ମଲ୍ଲିକାର୍ଜୁନ ନାମକ ଜଣେ ବାସିନ୍ଦାଙ୍କ ନିକଟକୁ ଆସିଥିଲା ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଘର ଭାଙ୍ଗିଦେବାକୁ ନିର୍ଦେଶ। ଦୁଇ ମହଲା ବିଶିଷ୍ଟ ଏହି ଘର ନିକଟ ଦେଇ ବେଙ୍ଗାଳୁରୁ-ମହୀଶୂର ଜାତୀୟ ରାଜପଥ ଯାଉଥିବାରୁ ରାସ୍ତାପାର୍ଶ୍ୱରେ ଥିବା ଘରଟିକୁ ଭାଙ୍ଗିଦେବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏଇଟା ଥିଲା ମଲ୍ଲିକାର୍ଜୁନଙ୍କ ସ୍ୱପ୍ନର ମହଲ। ଘରଟିର ନାଁ ମଲ୍ଲିକାର୍ଜୁନ ଦେଇଥିଲେ ଆତ୍ମୀୟ। ଏଥିରୁ ଘର ପ୍ରତି ତାଙ୍କ ମମତା ଜାଣିହୁଏ। ଜୀବନ ବ୍ୟାପି ସଞ୍ଚିତ ଅର୍ଥରେ ତିଆରି ହୋଇଥିବା ଘରକୁ ଭାଙ୍ଗିବାକୁ ନେଇ ସେ ବ୍ୟଥିତ ହୋଇଥିଲେ। ଏହି ସମୟରେ ତାଙ୍କର ଜଣେ ବନ୍ଧୁ ଘର ସ୍ଥାନାନ୍ତର ହେଉଥିବା ନେଇ ଯେଉଁ ସୂଚନା ଦେଲେ, ତାହା ମାଲିକାର୍ଜୁନଙ୍କ ମୁହଁରେ ଆଣିଦେଲା ତୃପ୍ତିର ଝଲକ। ହରିୟାଣାର ସେହି ସଂସ୍ଥା ଆଶୀର୍ବାଦ ବିଲଡିଂ ଲିଫଟିଂ ଆଣ୍ଡ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ସହ ସେ ଯୋଗାଯୋଗ କଲେ। ସଂସ୍ଥାର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘରଟି ୪୫ ଫୁଟ ପଛକୁ ଓ ୨୫ ଫୁଟ ପୂର୍ବ ସ୍ଥିତିରୁ ବାମକୁ ଘୁଞ୍ଚାଇ ଅଣାଯାଇଥିଲା। ଏଥିପାଇଁ ୪୫ ଦିନ ଲାଗିଲା। ସମୁଦାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା।

ଉଠିଲାଣି ୫୦୦ ଘର
ରାସ୍ତା ଚଉଡ଼ା ଓ ଜଳଠୁଳ କାରଣରୁ ସବୁଠୁ ଅଧିକ ଘର ଉଠିଛି କେରଳରେ। ବିଗତ କିଛି ବର୍ଷ ମଧ୍ୟରେ କେରଳର ଏଭଳି ୫୦୦ ଘରକୁ ପୂର୍ବ ଠିକଣା ବଦଳାଇବାକୁ ପଡିଛି। ୨୦୦୦ ବର୍ଗଫୁଟର ଏକ ଘର ଉଠାଇବା ପାଇଁ ୭ ଲକ୍ଷରୁ ୮ ଲକ୍ଷ ଖର୍ଚ୍ଚ ହେଉଥିବା ଜଣାଯାଇଛି। ସମୁଦାୟ ୪୫ରୁ ୬୦ ଦିନ ଲାଗୁଛି। କୋଚିକୁନୁର ଓ କୋଝିକୋଡ଼ରେ ଏଭଳି ଘର ପୂର୍ବ ସ୍ଥାନ ଛାଡୁଥିବା ଦେଖିବାକୁ ମିଳୁଛି। ଭାରତ ତୁଳନାରେ ପାଶ୍ଚାତ୍ୟ ଦେଶ ଗୁଡିକରେ ଏଭଳି ଘଟଣା ଅଧିକ ଦେଖିବାକୁ ମିଳୁଛି। ଯେଉଁଠି ଅତ୍ୟାଧୁନିକ ସାଜସରଞ୍ଜାମ ରହିଛି ସେଠାରେ ଅପେକ୍ଷାକୃତ କମ ସମୟ ଲାଗୁଥିବା ବେଳେ କେରଳ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଏଭଳି କାମ ପାଇଁ ଅଧିକ ବ୍ୟୟ ଓ ସମୟ ବିନିଯୋଗ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ