ଶେଷଙ୍କ ଆରମ୍ଭ: ଓଡ଼ିଆ ଯୁବ ବୈଜ୍ଞାନିକ ଗଢ଼ୁଛନ୍ତି ଭବିଷ୍ୟତ


ଓଡ଼ିଆ ଯୁବ ବୈଜ୍ଞାନିକ ଶେଷଦେବ କିଷାନ (ଫାଇଲ୍ ଫଟୋ)
ନିଜେ ଚାଉଳ ପାଛୋଡ଼ି ଜାଣନ୍ତି, କାଠ ହାଣି ଜାଣନ୍ତି, ଆଉ ଚୁଲି ଜାଳି ରୋଷେଇ ମଧ୍ୟ କରି ଜାଣନ୍ତି। ନିଜକୁ ନିଜ ହାତରେ ଗଢ଼ିଥିବା ଏହି ଅସାଧାରଣ ଗରିବ ପ୍ରତିଭାଙ୍କ ଜୀବନ ବେଶ ସଂଘର୍ଷମୟ ଥିବା ବେଳେ ସେ ପଙ୍କରୁ ପଦ୍ମ ଭଳି ଫୁଟି ଉଠିଛନ୍ତି। ତାଙ୍କ ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଦୁନିଆ। କଠିନ ଅଧ୍ୟବସାୟ ବଳରେ ଅଖ୍ୟାତ ପଲ୍ଲୀର ବିଖ୍ୟାତ ରସାୟନ ବିଜ୍ଞାନୀ ହେବାର ଯାତ୍ରାକୁ ସଫଳତାର ସହ ଶେଷ କରିଛନ୍ତି ସେ। ସମ୍ବଲପୁରର ଏକ ଉପାନ୍ତ ଗାଁରୁ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟକୁ ଯାତ୍ରା। ଆଉ ଏଭଳି କଷ୍ଟସାଧ୍ୟ ଯାତ୍ରାକୁ ଅତିକ୍ରମ କରିଛନ୍ତି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ ଅନ୍ତର୍ଗତ ଅନୁନ୍ନତ ଓ ଉପାନ୍ତ ଗାଁ ବଲାସିଂହାର ବାପା-ମା’ ଛେଉଣ୍ଡ ଆଦିବାସୀ ଯୁବକ ଶେଷଦେବ କିଷାନ। ଗାଈ ଚରାଇ ପେଟ ପୋଷୁଥିବା ଶେଷଦେବ ଏବେ ଜର୍ମାନୀର ପ୍ରସିଦ୍ଧ ଗଣ୍ଟିଜେନ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଯୁବ ବୈଜ୍ଞାନିକ।

ବଲାସିଂହାରୁ ଜର୍ମାନୀ-ଏକ ପ୍ରେରଣାଦାୟୀ ଯାତ୍ରା
୧୯୯୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଶେଷଦେବ। ସେ ପିଲାଟି ଦିନରୁ ମା’ ଦୁଃଖୀ କିଷାନଙ୍କୁ ହରାଇଥିବା ବେଳେ ଓ ଯୁବା ବୟସରେ ବାପା ବିପିନ କିଷାନଙ୍କୁ ହରାଇଥିଲେ। ଏକମାତ୍ର ରୋଗିଣା ଭଉଣୀଙ୍କୁ ନେଇ ନିଜେ ମୁଲ ମଜୁରୀ କରି, ଗାଁ ଲୋକଙ୍କ ଗାଈ ଚରାଇବା ସହିତ, କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ପାଠ ପଢ଼ିଥିଲେ। ଗାଁ ସ୍କୁଲ୍‌ରୁ ନବଦୋୟ ବିଦ୍ୟାଳୟ, ତା’ ପରେ ଜାତୀୟ ସ୍ତରର ଖ୍ୟାତିପ୍ରାପ୍ତ ବୈଜ୍ଞାନିକ ପ୍ରତିଷ୍ଠାନ ଭୁବନେଶ୍ବର ସ୍ଥିତ ନାଇଜରରେ ପାଠପଢ଼ି ୨୦୧୮ ମସିହାରେ ଜର୍ମାନର ଗଣ୍ଟିଜେନ୍‌ ବିଶ୍ୱବିଦ୍ୟାଳୟରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇଛନ୍ତି। ନିଜର ଏହି ସଫଳତାରେ କିନ୍ତୁ ସନ୍ତୁଷ୍ଟ ନୁହନ୍ତି ଶେଷଦେବ କିଷାନ। କାରଣ ତାଙ୍କ ଗାଁ ପିଲାଙ୍କ ଭବିଷ୍ୟତକୁ ନେଇ ସେ ଚିନ୍ତିତ। ପାଠର ମୂଲ୍ୟ ସେ ବୁଝନ୍ତି। ଗାଁର ଗରିବ ପିଲାମାନେ କିଭଳି ଦି’ଅକ୍ଷର ପାଠ ପଢ଼ିବେ, ସେଥିପାଇଁ ଏକ ଝାଟିମାଟି ଘରେ ଆରମ୍ଭ କରିଛନ୍ତି ଏକ ସ୍କୁଲ୍‌। ଯେଉଁ ସ୍କୁଲ୍‌ରେ ଏବେ ପାଠପଢ଼ୁଛନ୍ତି ୬୦ ଜଣ ପିଲା। ତେବେ ସେ ଜର୍ମାନୀରେ ରହୁଥିବାରୁ ୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ଗାଁ ପିଲାମାନଙ୍କୁ ଦିନକୁ ୪ ଘଣ୍ଟା ପାଠ ପଢ଼ାଇବାର ବ୍ୟବସ୍ଥା କରିଛନ୍ତି। ପାଠଶାଠ ପଢ଼ି ନ ଥିବା ଏହି ଗାଁର ଗରିବ ଲୋକଙ୍କ ପାଇଁ ଶେଷଦେବ ଜଣେ ଆଦର୍ଶ। କାରଣ ସେ ବୈଜ୍ଞାନିକ ହୋଇ ଭଲରେ ରହିବା ପରେ ବି ନିଜ ଜନ୍ମମାଟିକୁ ଭୁଲି ନାହାନ୍ତି। ଗ୍ରାମର ନିରକ୍ଷର ଲୋକମାନେ ବୁଝନ୍ତି ନାହିଁ ବୈଜ୍ଞାନିକ ମାନେ କ’ଣ, ସେମାନେ କି କାମ କରନ୍ତି। କିନ୍ତୁ ସମସ୍ତଙ୍କ ମୁହଁରେ ଏହି ଶବ୍ଦଟି ଖୁବ୍‌ ପରିଚିତ। ଆଉ ସମସ୍ତଙ୍କ ମୁହଁରେ ଶେଷଦେଙ୍କ ପ୍ରଶଂସା। ତାଙ୍କ ବାଲ୍ୟ ଜୀବନ ଥିଲା ସଂଘର୍ଷମୟ ଆଉ ଦୁଃଖଦାୟକ। ପିଲାଟି ଦିନରୁ ବାପା-ମା’ ତ ଚାଲି ଯାଇଥିଲେ, ଆଉ ଯେଉଁ ଭଉଣୀ ପାଇଁ ସେ ଗାଁରେ ଏକ ସୁନ୍ଦର ଘର ତୋଳିଥିଲେ, ସେହି ଭଉଣୀ ମଧ୍ୟ ଏବେ ଆରପାରିରେ। ବାପା-ମା’ ଛେଉଣ୍ଡ ଶେଷଦେବଙ୍କ ପାଇଁ ସମଗ୍ର ଗାଁ ଏବେ ଗୋଟିଏ ପରିବାର। ଏମାନଙ୍କ ସୁଖ, ଦୁଃଖ ଓ ପିଲାଙ୍କ ଭବିଷ୍ୟତ ସବୁ ତାଙ୍କରି ହାତରେ। ଆଜିକାଲି  ବଡ଼ ହୋଇ ଭଲରେ ରହିବା ପରେ ଅନେକେ ଆଉ ଗାଁକୁ ଫେରୁ ନ ଥିବା ବେଳେ ଶେଷଦେବ କିନ୍ତୁ ନିଜ ଜନ୍ମମାଟି ଓ ଗାଁ ଲୋକଙ୍କୁ ଭୁଲି ନ ପାରିବା ନିଶ୍ଚିତ ଭାବେ ପ୍ରେରଣାଦାୟୀ।

ଶେଷଦେବଙ୍କ ସଂଘର୍ଷର କାହାଣୀ
ଜନ୍ମର ବର୍ଷକ ଭିତରେ ମା’ଙ୍କୁ ହରାଇଥିଲେ ଶେଷଦେବ। ଏହାପରେ ବାପା ହିଁ ତାଙ୍କ ଦେଖାଶୁଣା କରିଥିଲେ। ଅତି ଗରିବ ଶ୍ରେଣୀର ହୋଇଥିବାରୁ ପଖାଳ ଓ ଆମ୍ବୁଲ ଥିଲା ତାଙ୍କର ସବୁଦିନିଆ ଖାଦ୍ୟ। ଆଉ ଖାଇବା ବେଳେ ବାପାଙ୍କ ସବୁଦିନ ସେହି ଏକାକଥା, ଯଦି ଏ ପଖାଳ ଓ ଆମ୍ବୁଲର ଚକ୍ରବ୍ୟୁହରୁ ମୁକ୍ତି ପାଇବାକୁ ଚାହୁଁ, ତେବେ ଭଲ ପାଠ ପଢ଼। ବାପାଙ୍କର ଏହି କଥା ପଦକ ତାଙ୍କ ପାଇଁ ଥିଲା ପ୍ରେରଣାର ମୂଳମନ୍ତ୍ର। କେନ୍ଦୁପତ୍ର ଫଡ଼ି ଠାରୁ ମାଟି କାମ ପର୍ଯ୍ୟନ୍ତ ସବୁ କାମ ତାଙ୍କୁ କରିବାକୁ ପଡ଼ିଥିଲା। ପାଠ ପଢ଼ିବାଠୁ ଆରମ୍ଭ କରି ପରିବାରର ଗୁଜରାଣ ମେଣ୍ଟାଇବା ଓ ଅସୁସ୍ଥ ବାପା ଓ ଭଉଣୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ବହନ କରୁଥିଲେ। ଦୃଢ଼ ଇଚ୍ଛାଶକ୍ତି, ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଥିଲା ତାଙ୍କର ସମ୍ପତ୍ତି। ଏହାରି ବଳରେ ହିଁ ନବୋଦୟ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରି ଦାଖିଲା ପାଇଥିଲେ। ନବୋଦୟରେ ମଧ୍ୟ ଜାରି ରହିଥିଲା ତାଙ୍କର ସେହି ସଂଘର୍ଷ। ସାଙ୍ଗମାନେ ଶୋଇବା ପରେ ମଧ୍ୟରାତ୍ରରେ ମହମବତୀ ଜାଳି ସାଙ୍ଗମାନଙ୍କ ରେଫରେନସ୍‌ ବହି ପଢ଼ିବା, ମାଟ୍ରିକ୍‌ ଓ ଯୁକ୍ତ ୨ ବିଜ୍ଞାନରେ ନବୋଦୟ ବିଦ୍ୟାଳୟରେ ପ୍ରଥମ ହୋଇ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହେବା, ନାଇଜର୍‌ରେ ପ୍ରଥମ ଥର ଉଦ୍ୟମରେ ଦେଶର ଶ୍ରେଷ୍ଠ ୧୭ ତାଲିକାରେ ସ୍ଥାନ ପାଇବା ତାଙ୍କ ସଂକଳ୍ପକୁ ଆହୁରି ଦୃଢ଼ କରିଥିଲା। କିନ୍ତୁ ସେହି ବର୍ଷ ଅର୍ଥାତ ୨୦୧୨ରେ ବାପାଙ୍କ ଦେହାନ୍ତ ତାଙ୍କ ସ୍ୱପ୍ନକୁ ଗଭୀର ଆଘାତ ଦେଇଥିଲା। ସେତେବେଳଙ୍କୁ ତାଙ୍କୁ ୧୮ ବର୍ଷ ବୟସ ହୋଇଥିଲା। ସଂଘର୍ଷକୁ ଜୀବନର ଆଧାର କରିସାରିଥିବା ଶେଷଦେବ କିନ୍ତୁ ହାର୍‌ ମାନି ନ ଥିଲେ। ବର୍ଷ ୨୦୧୩ରେ ସେ ପୁଣି ଥରେ ନାଇଜର ପ୍ରବେଶିକା ପରୀକ୍ଷା ଦେଇ ପୂର୍ବଥର ଅପେକ୍ଷା ଆହୁରି ଭଲ ରାଙ୍କ ଆଣି ନାମ ଲେଖାଇଥିଲେ। ଶେଷଦେବ ନାଇଜର୍‌ରେ ପାଠପଢ଼ିବା ସମୟରେ ଦିନସାରା କେବଳ ଗଜାମୁଗ ଖାଇ ପଇସା ସଞ୍ଚୟ କରି ପାଠ ପଢ଼ିବା ସହିତ ନିଜ ଭଉଣୀର ହୃଦରୋଗ ଚିକିତ୍ସା ଭାର ନିଜେ ବହନ କରିଥିଲେ। ସେମିଷ୍ଟାର ପରୀକ୍ଷା ସମୟରେ ୨ ଥର ମସ୍ତିଷ୍କ ମ୍ୟାଲେରିଆରେ ଶିକାର ହୋଇ ମଧ୍ୟ ସେ ନାଇଜରର ଟପ୍ପର ହୋଇଥିଲେ। ଶେଷଦେବ ଆଜି ଜର୍ମାନୀରେ ଜଣେ ବୈଜ୍ଞାନିକ ଭାବରେ କାର୍ଯ୍ୟରତ।

ସମୟ ଶିଖାଇଥିଲା ସବୁକିଛି
୨୦୧୨ରେ ବାପାଙ୍କ ଦେହାନ୍ତ ହେବା କାରଣରୁ ଭାଙ୍ଗି ପଡ଼ିଥିଲେ ଶେଷଦେବ। ଭଲ ରାଙ୍କ୍‌ ସତ୍ତ୍ବେ ବାପାଙ୍କ ଦେହାନ୍ତ କାରଣରୁ ସେ ନାଇଜରରେ ନାମ ଲେଖାଇ ପାରି ନ ଥିଲେ। ଶେଷରେ ସେ ବାଧ୍ୟ ହୋଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରରେ ଚାରି ବର୍ଷର ବିଏସ୍‌ସି-ବିଇଡି ପଢ଼ିବାକୁ ଆବେଦନ କରିଥିଲେ। ମାତ୍ର ତାଙ୍କର ଗଭୀର ଆତ୍ମବିଶ୍ବାସ କିନ୍ତୁ ଭାଙ୍ଗି ନ ଥିଲା। ୨୦୧୩ରେ ପୁଣି ନାଇଜର୍‌ରେ ପଢ଼ିବାକୁ ଏଣ୍ଟ୍ରାନ୍ସ ଦେଇ ଗତବର୍ଷ ଅପେକ୍ଷା ଆହୁରି ଭଲ ରାଙ୍କ୍ ରଖି ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସି ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ଶେଷଦେବ କହିଛନ୍ତି, ଯେହେତୁ ତାଙ୍କ ଉପରେ ପରିବାରର ଚଳାଇବାର ବୋଝ ଥିଲା ସେଥିପାଇଁ ସେ ନାଇଜର୍‌ରେ ପାଠପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। କାରଣ କୌଣସି ମେଡିକାଲ କିମ୍ବା ଇଞ୍ଜିନିୟରିଂ ପ୍ରତିଷ୍ଠାନ ଅପେକ୍ଷା ନାଇଜର୍‌ରେ ଅଧିକ ଷ୍ଟାଇପେଣ୍ଡ୍ ମିଳୁଥିଲା। ତେବେ ସେ ଭୁବନେଶ୍ବରକୁ ଚାଲି ଆସିବା ପରେ ଲୋକମାନେ ସେ ଚାକିରି କରିଛନ୍ତି ଭାବି ତାଙ୍କ ପିତାଙ୍କ ଚିକିତ୍ସା ପାଇଁ ଦେଇଥିବା ଋଣ ମାଗିବା ଆରମ୍ଭ କରିଦେଇଥିଲେ। ଫଳରେ ଶେଷଦେବ ସେମାନଙ୍କ ଋଣ ସୁଝିବା ପାଇଁ ସନ୍ଧ୍ୟା ସମୟରେ ଟ୍ୟୁସନ୍‌ ମଧ୍ୟ କରିବା ଆରମ୍ଭ କରିଦେଇଥିଲେ। ମା’ ମରିଯିବା ପରେ ସେ ସବୁବେଳେ ତାଙ୍କ ବାପାଙ୍କ ସହ ରହୁଥିଲେ। ବାପା ଯୁଆଡ଼େ ଆଉଥିଲେ ତାଙ୍କୁ ସାଥିରେ ନେଇ ଯାଉଥିଲେ। ଗୋରୁ ଚରାଇବା ଠାରୁ ଆରମ୍ଭ କରି ଚାଷ ପର୍ଯ୍ୟନ୍ତ ଏବଂ ରୋଷେଇ ପାଇଁ କୂଳରୁ ପାଣି ଆଣିବା ପର୍ଯ୍ୟନ୍ତ ତାଙ୍କ ପିତା ତାଙ୍କୁ ସମସ୍ତ କାର୍ଯ୍ୟରେ ନିୟୋଜିତ କରିଥିଲେ। ସେ ବାପାଙ୍କୁ ଘର କାମ ଏବଂ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ। ଯେତେବେଳେ ତାଙ୍କ ସାଙ୍ଗମାନେ ସ୍କୁଲ୍‌ରେ ପାଠ ପଢ଼ୁଥିଲେ, ସେତେବେଳେ ସେ ଗୋରୁ ଚରାଉଥିଲେ। ଆଠ ବର୍ଷ ବୟସ ବେଳକୁ, ରୋଷେଇ କରିବା, ବାସନ ଏବଂ ପୋଷାକ ସଫା କରିବା ଆଦି ଘର କାମ କରିବା ଶିଖିଯାଇଥିଲେ। ଏହି ନିଷ୍ଠା ଓ ଏକାଗ୍ରତା ହିଁ ତାଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। କୌଣସି ପରିସ୍ଥିତିରେ ବି ସେ ହତାଶ ଅନୁଭବ କରି ନ ଥିଲେ। କାରଣ ତାଙ୍କ ପିତାଙ୍କ ପରାମର୍ଶ ତାଙ୍କୁ ସବୁବେଳେ ଆଗକୁ ଯିବାକୁ ପ୍ରେରଣା ଯୋଗାଉଥିଲା।

ଅନ୍ୟ ଗୁଣରେ ମଧ୍ୟ ପରିପୂର୍ଣ୍ଣ
ଶେଷଦେବ ଯେ କେବଳ ରୋଷେଇ କରିବା, ଚାଷ କାମ କରିବା କିମ୍ବା ଘର କାମ କରିବା ଶିଖିନାହାନ୍ତି ବରଂ ନାଚ, ଗୀତ, ଖେଳକୁଦରେ ମଧ୍ୟ ପ୍ରବୀଣ। ସେ ରଣପ୍ପା ଏବଂ ସମ୍ବଲପୁରୀ ଲୋକ ନୃତ୍ୟ ସମେତ ବିଭିନ୍ନ ସଙ୍ଗୀତ ଏବଂ ନୃତ୍ୟ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କାର ଜିତିଛନ୍ତି। ଜାତୀୟ ତଥା ଆଞ୍ଚଳିକ ସ୍ତରୀୟ ଖୋ-ଖୋ ଏବଂ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି ଶେଷଦେବ। ଇଂରାଜୀ, ହିନ୍ଦୀ, ଓଡ଼ିଆ, ସମ୍ବଲପୁରୀ ଏବଂ କିଷାନ ଆଦିବାସୀ ଉପଭାଷାରେ ଲେଖାଲେଖି ସହ କଥାବର୍ତ୍ତା କରିପାରନ୍ତି ଶେଷଦେବ। ଏପରିକି ସେ ତାଙ୍କ ଜୀବନ ଏବଂ ସଂଘର୍ଷ ବିଷୟରେ ଏକ ପୁସ୍ତକ ‘ଏ ଫ୍ଲୱାର ଫ୍ରର୍ମ ଡମ୍ପିଂ ୟାର୍ଡ’ ଲେଖିଛନ୍ତି। ତାଙ୍କର ପ୍ରେରଣାଦାୟକ କାହାଣୀ ଦ୍ୱାରା ପ୍ରଭାବିତ ହୋଇ ଓଡ଼ିଶା ସରକାର ତାଙ୍କୁ ଓଡ଼ିଶା ନଲେଜ୍ ହବ୍ (ଓକେଏଚ୍) ବକ୍ତୃତା ସିରିଜ୍ ପାଇଁ ଆମନ୍ତ୍ରଣ କରିଥିଲେ। ଯଦିଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ଏହି ପ୍ଲାଟଫର୍ମରେ ବକ୍ତୃତା ପ୍ରଦାନ କରିଥିଲେ, ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ କେବଳ ଶେଷଦେବଙ୍କୁ ଶୁଣିବା ପାଇଁ ଉପସ୍ଥିତ ଥିଲେ। ତାଙ୍କର ନିଷ୍ଠା, କଠିନ ପରିଶ୍ରମ ଏବଂ କଳ୍ପନା ଯୋଗ୍ୟ କିଛି କରିବା ପାଇଁ ନିରନ୍ତର ପ୍ରୟାସ ହେତୁ ଏସବୁ ସମ୍ଭବ ହୋଇପାରିଛି। ଆତ୍ମ-ଅଧ୍ୟୟନ ବ୍ୟତୀତ, ଶେଷ ତାଙ୍କ ସଂଗ୍ରାମ ଏବଂ ସଫଳତାର କାହାଣୀ ବାଣ୍ଟିବା ପାଇଁ ନିଜ ଜିଲ୍ଲାର ସ୍କୁଲ୍‌ ଏବଂ କଲେଜ ପରିଦର୍ଶନ କରୁଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଯଦି ସେ ଅତି କମ୍‌ରେ ଜଣେ ପିଲାଙ୍କୁ ପ୍ରେରଣା ଦେଇପାରନ୍ତି, ତେବେ ଏହା ତାଙ୍କର ସବୁଠାରୁ ବଡ଼ ସଫଳତା ହେବ।

ପୁରସ୍କାର ଏବଂ ସ୍ୱୀକୃତି
  • ନାଇଜର୍‌ରୁ ଇଣ୍ଟିଗ୍ରେଟେଡ୍ ଏମ୍‌ଏସ୍‌ସିରେ ସ୍ୱର୍ଣ୍ଣ ପଦକ
  • ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ୮୬ ପ୍ରତିଶତ ନମ୍ବର
  • ଦଶମ ଶ୍ରେଣୀରେ ୯୨ ପ୍ରତିଶତ ନମ୍ବର
  • ୨୦୦୫ ନବୋଦୟ ପ୍ରବେଶିକା ପରୀକ୍ଷାରେ ଟପ୍ପର
  • ୨୦୧୦ରେ ଦଶମ ଏବଂ ୨୦୧୨ ଦ୍ବାଦଶ ବିଜ୍ଞନରେ ନବୋଦୟ ବିଦ୍ୟାଳୟ ସ୍ତରରେ ପ୍ରଥମ
  • ୨୦୧୨ରେ ନେଷ୍ଟ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆ ୧୭ ରାଙ୍କ୍‌
  • ୨୦୧୩ ରେ ନେଷ୍ଟ୍‌ ପରୀକ୍ଷାରେ ଅଲ୍‌ ଇଣ୍ଡିଆ ୧୫ ରାଙ୍କ୍‌
  • ୨୦୧୮ରେ ନାଇଜର୍‌ରୁ ସର୍ବୋତ୍ତମ ଏମ୍‌ଏସ୍‌ସି ଥିସିସ୍‌ ପୁରସ୍କାର
  • ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (ଡିଏସ୍‌ଟି) ଦ୍ବାରା ଇନ୍‌ସ୍ପାୟାର୍‌ (ଇନୋଭେସନ୍ ଇନ୍ ସାଇନ୍ସ ପର୍ସ୍ୟୁଟ୍ ଫର୍‌ ଇନ୍‌ସ୍ପାୟାର୍‌ ରିସର୍ଚ୍ଚ) ଫେଲୋଶିପ୍, ଭାରତ ସରକାର-୨୦୧୩-୨୦୧୮
  • କୁସୁମ୍ ଟ୍ରଷ୍ଟ୍‌ ୟୁକେ ପକ୍ଷରୁ ୨୦୧୨ରେ କୁସୁମ ରତ୍ନ ଫେଲୋଶିପ୍
  • ଜେଏନ୍‌ଭି ସମ୍ବଲପୁରର ନାବୋଦୟ ଆଲୁମିନି ଆସୋସିଏସନ୍‌ ପକ୍ଷରୁ ଆଲୁମିନି ୨୦୧୬ ପୁରସ୍କାର
  • ବେଷ୍ଟ୍‌ ଆଲୁମିନି ଷ୍ଟୁଡେଣ୍ଟ୍‌ ୨୦୧୫
  • ୨୦୧୫ରେ ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ, ଓଡ଼ିଶା ଜୋନ୍ ଦ୍ୱାରା ଆଞ୍ଚଳିକ ଗର୍ବ ପୁରସ୍କାର

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ