ବିଗ୍ ଥ୍ରୀ’ଙ୍କ ରାଜୁତି: ଦେଢ଼ ଦଶନ୍ଧିରେ ୫୪ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍


ବିଗ୍ ଥ୍ରୀ: ରାଫେଲ୍ ନାଡାଲ୍, ରୋଜର୍ ଫେଡେରର୍ ଓ ନୋଭାକ୍ ଜୋକୋଭିଚ୍ (ଫାଇଲ୍ ଫଟୋ)
ମେଲବର୍ଣ୍ଣ: ରବିବାର ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ୍ ଅଷ୍ଟ୍ରେଲିଆନ୍ ଓପନ୍ ଶେଷ ହୋଇଛି। ଏଥିରେ ମହିଳା ସିଙ୍ଗଲ୍ସରେ ଜାପାନର ନାଓମି ଓସାକା ଓ ପୁରୁଷ ସିଙ୍ଗଲ୍ସରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଚାମ୍ପିଅନ୍ ହୋଇଛନ୍ତି। ବିଶ୍ବର ଏକ ନମ୍ବର ଖେଳାଳି ଜୋକୋଭିଚ୍ ଏହି ପ୍ରତିଯୋଗିତାରେ ରେକର୍ଡ ନବମ ଟାଇଟଲ୍ ହାସଲ କରିବା ସହ କ୍ୟାରିୟରରେ ଅଷ୍ଟାଦଶ ଥର ପାଇଁ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇପାରିଛନ୍ତି। ଏଥିସହ ଜୋକୋଭିଚ୍ ଏହି ପ୍ରତିଯୋଗିତାରେ ତାଙ୍କ ଦମ୍ଭିଲା ପ୍ରଦର୍ଶନକୁ ମଧ୍ୟ କାଏମ ରଖିପାରିଛନ୍ତି। ଜୋକୋଭିଚ୍ ଚାମ୍ପିଅନ୍ ହେବା ପରେ ଓପନ୍ ଏରାରେ ବିଗ୍ ଥ୍ରୀ’ ଭାବେ ପରିଚିତ ତିନି ଖେଳାଳି ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରେ ସେମାନଙ୍କର ଦବଦବା କାଏମ ରଖିବାରେ ସକ୍ଷମ ହୋଇପାରିଛନ୍ତି। ଏହି ତିନି ଖେଳାଳିଙ୍କ ମଧ୍ୟରେ ଜୋକୋଭିଚ୍‌ଙ୍କ ବ୍ୟତୀତ ସ୍ବିଜରଲାଣ୍ଡର ରୋଜର୍ ଫେଡେରର୍ ଓ ସ୍ପେନର ରାଫେଲ୍ ନାଡାଲ୍ ରହିଛନ୍ତି। ଏହି ତିନି ଖେଳାଳି ଗତ ପ୍ରାୟ ଦେଢ଼ ଦଶନ୍ଧି ଧରି ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରେ ଏତେ ଦୂର ପ୍ରଭାବ ବିସ୍ତାର କରିଛନ୍ତି ଯେ ଅନ୍ୟ କୌଣସି ଖେଳାଳି ଟାଇଟଲ୍ ଫେବରିଟ୍ ହୋଇପାରିନାହାନ୍ତି। ଅବଶ୍ୟ ଏହି ସମୟ ମଧ୍ୟରେ ଏକାଧିକ ନୂଆ ଖେଳାଳି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିପାରିଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା ଯଥେଷ୍ଟ ନଗଣ୍ୟ ଓ ସେମାନେ ଉପରୋକ୍ତ ତିନି ଖେଳାଳିଙ୍କ ମଧ୍ୟରୁ କାହାରି ନା କାହାରି ଅନୁପସ୍ଥିତିର ଫାଇଦା ପାଇଛନ୍ତି ବୋଲି କହିପାରିବା।

ପାଖାପାଖି ୯୦ ପ୍ରତିଶତ ସଫଳତା
ବିଗ୍ ଥ୍ରୀ’ଙ୍କ ସଫଳତା ସମ୍ପର୍କରେ ଆଲୋଚନା କଲେ, ଗତ ୨୦୦୫ରୁ ୨୦୨୧ ପର୍ଯ୍ୟନ୍ତ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରେ ସେମାନଙ୍କୁ ୫୪ଟି ଟାଇଟଲ୍ ମିଳିଛି। ଏହି ସମୟ ମଧ୍ୟରେ ସମୁଦାୟ ୬୪ଟି ଗ୍ରାଣ୍ଡସ୍ଲାମ୍ ମୁକାବିଲା ଖେଳାଯାଇଥିବା ବେଳେ ବିଗ୍ ଥ୍ରୀ’ ଖେଳାଳିଙ୍କୁ ପାଖାପାଖି ୯୦ ପ୍ରତିଶତ ଟାଇଟଲ୍ ମିଳିଛି। ଅର୍ଥାତ୍ ଗତ ଦେଢ଼ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟରେ ଜୋକୋଭିଚ୍, ଫେଡେରର୍ ଓ ନାଡାଲ୍ ଅନ୍ୟ କୌଣସି ଖେଳାଳିଙ୍କୁ ପ୍ରାଧାନ୍ୟ ବିସ୍ତାର କରିବାର ସୁଯୋଗ ଦେଇନାହାନ୍ତି। ପ୍ରତିବର୍ଷ ୪ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହୋଇଆସିଥିଲେ ହେଁ ଗତ ବର୍ଷ କୋଭିଡ୍ ସଂକ୍ରମଣ କାରଣରୁ ୱିମ୍ବଲଡନ୍ ଓପନ୍ ଖେଳାଯାଇପାରିନାହିଁ। ତେଣୁ ଚଳିତ ବର୍ଷର ଅଷ୍ଟ୍ରେଲିଆନ୍ ଓପନ୍‌କୁ ମିଶାଇଲେ, ଗତ ୧୬ ବର୍ଷ ମଧ୍ୟରେ ସମୁଦାୟ ୬୪ଟି ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ଖେଳାଯାଇଛି। ଆଲୋଚ୍ୟ ସମୟ ମଧ୍ୟରେ ଏହି ଖେଳାଳିମାନଙ୍କ ପ୍ରାଧାନ୍ୟ ଏତେ ଅଧିକ ରହିଆସିଛି ଯେ ୭ ଜଣ ଖେଳାଳିଙ୍କୁ ଛାଡ଼ିଦେଲେ ଆଉ କାହାରିକୁ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହେବାର ସୁଯୋଗ ମିଳିପାରିନାହିଁ।

ବିଗ୍ ଥ୍ରୀ’ଙ୍କ ବ୍ୟତୀତ ୭ ଟାଇଟଲ୍ ହୋଲ୍ଡର୍
ଗତ ୨୦୦୫ରେ ପ୍ରଥମ ଥର ପାଇଁ ନାଡାଲ୍ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ପରଠାରୁ ଆଜି ପର୍ଯ୍ୟନ୍ତ ଉପରୋକ୍ତ ତିନି ଖେଳାଳି ନିୟମିତ ଭାବେ ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସିଛନ୍ତି। ଗତବର୍ଷ ୟୁଏସ୍ ଓପନ୍ ସେମିଫାଇନାଲ୍ ପର୍ଯ୍ୟନ୍ତ ଏହି ତିନି ଖେଳାଳିଙ୍କ ମଧ୍ୟରୁ ଜଣେ ବି ପହଞ୍ଚିପାରି ନ ଥିଲେ। ଗତ ୨୦୦୪ ପରଠାରୁ ଏହା ପ୍ରଥମ ଘଟଣା ଥିଲା, ଯେତେବେଳେ କୌଣସି ଗ୍ରାଣ୍ଡସ୍ଲାମ୍‌ର ସେମିଫାଇନାଲ୍‌ରେ ଏହି ବିଗ୍ ଥ୍ରୀ’ଙ୍କ ମଧ୍ୟରୁ ଜଣେ ବି ଖେଳାଳି ସାମିଲ୍ ନ ଥିଲେ। ୨୦୦୪ ୟୁଏସ୍ ଓପନ୍ ସେମିଫାଇନାଲ୍‌ରେ ଏହି ତିନି ଖେଳାଳିଙ୍କ ଅନୁପସ୍ଥିତିରେ ଶେଷ ୪ ଖେଳାଳି ତାଲିକାରେ ୩ ଜଣ ଆର୍ଜେଣ୍ଟିନା ଖେଳାଳି ଓ ଜଣେ ଇଂଲିଶ୍ ଖେଳାଳି ରହିଥିଲେ। ଆର୍ଜେଣ୍ଟିନାର ଡେଭିଡ୍ ନାଲବାନ୍ଦିଆନ୍, ଗେଷ୍ଟନ୍ ଗାଉଡିଓ ଓ ଗୁଲେର୍ମୋ କୋରିଆ ଏବଂ ଇଂଲଣ୍ଡର ଟିମ୍ ହେନମାନ୍ ସେମିଫାଇନାଲ୍ ଖେଳିଥିଲେ। ଏହାପରଠାରୁ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି ଓ ସେବେଠାରୁ ଏହି ତିନି ଖେଳାଳି ପ୍ରାଧାନ୍ୟ ବିସ୍ତାର କରିଆସିଛନ୍ତି। ଗତ ବର୍ଷ ୟୁଏସ୍ ଓପନ୍‌ରେ ଅଷ୍ଟ୍ରେଲିଆର ଡୋମିନିକ୍ ଥିମ୍ କ୍ୟାରିୟର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିଲେ। ଏଥିସହ ସେ ୧୪ ବର୍ଷ ଧରି ବିଗ୍ ଥ୍ରୀ’ଙ୍କ ଦବଦବାରେ ବ୍ରେକ୍ ଲଗାଇଥିଲେ। ଏହା ପୂର୍ବରୁ କ୍ରମାଗତ ୧୪ ବର୍ଷ ଧରି ନାଡାଲ୍, ଫେଡେରର୍ କିମ୍ବା ଜୋକୋଭିଚ୍ ପ୍ରତିଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଉପରେ କବଜା କରିଆସିଥିଲେ। ଅବଶ୍ୟ ଉକ୍ତ ୧୪ ବର୍ଷ ମଧ୍ୟରେ କେବଳ ଗତ ୨୦୧୬ରେ ଷ୍ଟାନିସ୍ଲାସ୍ ୱାରିଙ୍କା ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିଲେ। ଉପରୋକ୍ତ ତିନି ଖେଳାଳିଙ୍କ ବ୍ୟତୀତ କେବଳ ୭ ଜଣ ଅର୍ଥାତ୍ ୨୦୦୫ରେ ମାରାତ୍ ସାଫିନ୍, ୨୦୦୯ରେ ଜୁଆନ୍ ମାର୍ଟିନ୍ ଡେଲ୍ ପୋଟ୍ରୋ, ୨୦୧୨, ୨୦୧୩ ଓ ୨୦୧୬ରେ ଆଣ୍ଡି ମରେ, ୨୦୧୪, ୨୦୧୫ ଓ ୨୦୧୬ରେ ଷ୍ଟାନିସ୍ଲାସ୍ ୱାରିଙ୍କା, ୨୦୧୪ରେ ମାରିନ୍ ସିଲିକ୍ ଓ ୨୦୨୦ରେ ଥିମ୍ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ହୋଇଥିଲେ।

୫୪ ଟାଇଟଲରୁ ନାଡାଲଙ୍କ ହାବୁଡ଼ରେ ୨୦
ଗତ ୧୬ ବର୍ଷ ମଧ୍ୟରେ ବିଗ୍ ଥ୍ରୀ’ ଜିତିଥିବା ୫୪ଟି ଟାଇଟଲ୍ ମଧ୍ୟରୁ ସର୍ବାଧିକ ଜିତିବାରେ ସକ୍ଷମ ହୋଇଛନ୍ତି କ୍ଲେ କୋର୍ଟର ମହାରାଜା ଭାବେ ପରିଚିତ ନାଡାଲ୍। ସେ ଏହି ସମୟ ମଧ୍ୟରେ ୨୦ଟି ଟାଇଟଲ୍ ଜିତିଥିବା ବେଳେ ଫେଡେରର୍ ୧୬ଟି  ଓ ଜୋକୋଭିଚ୍ ୧୮ଟି ଜିତିପାରିଛନ୍ତି। ବର୍ତ୍ତମାନ ଫେଡେରର୍ ଓ ନାଡାଲ୍ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତି ଓପନ୍ ଏରାରେ ପୁରୁଷ ସିଙ୍ଗଲ୍ସରେ ଯୁଗ୍ମ ଭାବେ ସର୍ବାଧିକ ଟାଇଟଲ୍ ଜିତିବାର ରେକର୍ଡ କରିଛନ୍ତି। ୨୦୦୫ ପୂର୍ବରୁ ଫେଡେରର୍ ୪ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିଥିଲେ। ଏହି ୪ଟି ଟାଇଟଲ୍ ତାଙ୍କୁ ୨୦୦୩ ଓ ୨୦୦୪ ୱିମ୍ବଲଡନ୍ ଏବଂ ୨୦୦୪ ଅଷ୍ଟ୍ରେଲିଆନ୍ ଓପନ୍ ଓ ୟୁଏସ୍ ଓପନ୍‌ରେ ମିଳିଥିଲା। ବର୍ତ୍ତମାନ ସମୟରେ ନାଡାଲ୍ ଓ ଜୋକୋଭିଚ୍ ସକ୍ରିୟ ଥିବା ବେଳେ ଦୁଇ ଦୁଇ ଥର ଆଣ୍ଠୁରେ ଅସ୍ତ୍ରୋପଚାର କାରଣରୁ ଫେଡେରର୍ ପାଖାପାଖି ବର୍ଷେ ହେଲା କୋର୍ଟଠାରୁ ଦୂରରେ ଅଛନ୍ତି। ସେ ଗତ ୨୦୧୮ ଅଷ୍ଟ୍ରେଲିଆନ୍ ଓପନରେ ତାଙ୍କର ଶେଷ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଥିଲେ। ସେହିପରି ନାଡାଲ୍ ଗତବର୍ଷ ଫ୍ରେଞ୍ଚ୍ ଓପନରେ ତାଙ୍କର ତ୍ରୟୋଦଶ ଟାଇଟଲ୍ ଜିତିବା ସହ ଫେଡେରରଙ୍କ ସମକକ୍ଷ ହୋଇଥିଲେ। ତା’ଛଡ଼ା ଜୋକୋଭିଚ୍ ତାଙ୍କର ଅଷ୍ଟାଦଶ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ରବିବାର ଜିତିଥିବା ବେଳେ ଚଳିତ ବର୍ଷର ଅଷ୍ଟ୍ରେଲିଆନ୍ ଓପନ ସେମିଫାଇନାଲରେ ବିଗ୍ ଥ୍ରୀ’ ମଧ୍ୟରୁ ଜୋକୋଭିଚ୍ ଏକମାତ୍ର ଖେଳାଳି ଥିଲେ। ପୂର୍ବରୁ କ୍ବାର୍ଟରରେ ଷ୍ଟେଫାନୋସ୍ ସିଟସିପାସ୍‌ଙ୍କଠାରୁ ହାରି ନାଡାଲ୍ ବିଦାୟ ନେଇସାରିଥିଲେ।

ଦୁଇ ଦଶନ୍ଧିରେ ପହଞ୍ଚିବ ପ୍ରାଧାନ୍ୟ ଧାରା!
ଗତ ୧୬ ବର୍ଷ ହେଲା ବିଗ୍ ଥ୍ରୀ’ ଗ୍ରାଣ୍ଡସ୍ଲାମ୍ ଜଗତରେ ଚମକପ୍ରଦ ପ୍ରାଧାନ୍ୟ ଧାରା ଜାରି ରଖିଆସିଥିବା ବେଳେ ଏହା ଦୁଇ ଦଶନ୍ଧିରେ ପହଞ୍ଚିଲେ, କେହି ବି ଆଶ୍ଚର୍ଯ୍ୟଚକିତ ହେବେ ନାହିଁ। କାରଣ ଏହି ତିନି ଖେଳାଳିଙ୍କ ମଧ୍ୟରୁ ନାଡାଲଙ୍କୁ ୩୪ ବର୍ଷ ବୟସ ହୋଇଥିବା ବେଳେ ୩୩ ବର୍ଷ ବୟସ୍କ ଜୋକୋଭିଚ୍ ଓ ଫେଡେରର୍‌ଙ୍କ ପାଖରେ ଏବେ ବି ଆହୁରି ଅଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିବାର ଦମ୍ଭ ରହିଛି। ଅବଶ୍ୟ ଫେଡେରର୍ ନିକଟ ଅତୀତରେ ନିୟମିତ ଭାବେ ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। କିନ୍ତୁ ଖେଳାଳି ଜୀବନରେ ଆଘାତ ଓ ସଫଳତା ପରସ୍ପରର ପରିପୂରକ। ସେହିପରି ବିଗ୍ ଥ୍ରୀ’ର ତିନିଜଣଯାକ ଖେଳାଳି ଓପନ୍ ଏରାରେ ୨୦ଟି ଲେଖାଏଁ ଗ୍ରାଣ୍ଡସ୍ଲାମ୍ ହାସଲ କରି ଯୁଗ୍ମ ଭାବେ ଏକ ନମ୍ବରରେ ରହିବାର ସୁଯୋଗ ବି ରହିଛି। ଅଷ୍ଟ୍ରେଲିଆନ୍ ଓପନ୍ ଫର୍ମକୁ ଜାରି ରଖିପାରିଲେ, ଜୋକୋଭିଚ୍ ଚଳିତ ବର୍ଷ ହିଁ ଏହି ସଫଳତା ପାଇପାରିବାର ସୁଯୋଗ ରହିଛି। ଅବଶ୍ୟ ତିନି ଖେଳାଳିଙ୍କ ଦବଦବା କେତେଦୂର କାଏମ ରହୁଛି, ତାହା ସମୟ ହିଁ କହିବ। କିନ୍ତୁ ଏମାନଙ୍କ ପରି ଆଗାମୀ ଦିନରେ ଆଉ କେହି ଏତେ ଅଧିକ ମାତ୍ରାରେ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟରେ ପ୍ରଭାବ ବିସ୍ତାର କରିପାରିବେ, ଏପରି ସମ୍ଭାବନା କମ୍ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ