ଓଡ଼ିଶାର ନୂଆ ବଜେଟ ଓ ବିକାଶ


ବିଧାନସଭାରେ ଇ ବଜେଟ ଉପସ୍ଥାପନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ୨୦୨୧-୨୨ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି। ବଜେଟରେ ନୂଆ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୭୦ ହଜାର କୋଟିର ବ୍ୟୟବରାଦ କରାଯାଇଛି। ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୭୫ ହଜାର କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଇଁ ୩ ହଜାର ୫୦ କୋଟି, ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୬ ହଜାର ୯ଶହ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୧-୨୨ ଆର୍ଥିକ ବର୍ଷ ପାଇଁ ୨୫୭୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟବରାଦ ଅଟକଳ କରାଯାଇଛି, ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୪.୪ ପ୍ରତିଶତ ଅଟେ। ଚଳିତ ବର୍ଷ ମହାମାରୀର ଭୟ ଛାଡ଼ି ନ ଥିବା ବେଳେ ଅନେକ ଯୋଜନା ପାଇଁ ଅର୍ଥ ଆବଣ୍ଟନର ଆବଶ୍ୟକତା ଥିବା ସହ ସରକାରୀ ରାଜକୋଷରେ ପାଣ୍ଠିର ସ୍ଥିତି ସେତେଟା ଭଲ ନୁହଁ। ବଜେଟରୁ ଅନେକ କିଛି ଆଶା କରାଯାଉଥିବା ବେଳେ ବଜେଟ ସାମାଜିକ ସୁରକ୍ଷାରେ ଯେତେ ବେଶି ଧ୍ୟାନ ଦିଆଯିବ କଥା ଦେଇ ନାହିଁ।

କେଉଁ କ୍ଷେତ୍ରକୁ କେତେ
ବଜେଟ ଉପସ୍ଥାପନରେ କାଳିଆ ଯୋଜନା ପାଇଁ ୧୮୦୦ କୋଟି ଟଙ୍କା ବ୍ୟୟବରାଦ ରହିଛି। ଗତବର୍ଷ ଏହି ପରିମାଣ ୩୫୦୦ କୋଟି ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଓ କୃଷକଙ୍କୁ ପ୍ରାଥମିକତା ଦେଉଥିବା କଥା କହୁଥିବା ବେଳେ କାଳିଆ ଯୋଜନା ପାଇଁ ବ୍ୟୟ ବରାଦ କମିବା ପରିଲକ୍ଷିତ ହୋଇଛି। ବିହନ ପାଇଁ ୧୦୦ କୋଟି ଏବଂ ସାର ପାଇଁ ୧୦୦ କୋଟି ଅତିରିକ୍ତ ପାଣ୍ଠି ରଖାଯାଇଥିବା ବେଳେ ଏସିବିକୁ ଏମ୍ସ ପ୍ଲସ ଇନଷ୍ଟିଚ୍ୟୁଟରେ ପରିଣତ କରିବାକୁ ୩୫୦୦ କୋଟି ବ୍ୟୟ ପ୍ରସ୍ତାବ ରହିଛି। ପୁରୀର ବିକାଶ ପାଇଁ ଅବଢ଼ା ଯୋଜନାରେ ୫୪୨ କୋଟିର ବ୍ୟୟବରାଦ ନୂଆ ଆର୍ଥିକ ବର୍ଷ ପାଇଁ ରଖାଯାଇଛି। ଏକାମ୍ର କ୍ଷେତ୍ର ପାଇଁ ୨୦୦ କୋଟି ଏବଂ ସମଲେଇ କ୍ଷେତ୍ର ପାଇଁ ୨୦୦ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ରାଉରକେଲାରେ ହକି ଷ୍ଟାଡିୟମ ନିର୍ମାଣ ପାଇଁ ୯୦ କୋଟିର ବ୍ୟୟବରାଦ ରହିଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ସ୍ବାସ୍ଥ୍ୟବୀମା ପାଇଁ ୯୧୬୪ କୋଟିର ବ୍ୟୟ ପ୍ରସ୍ତାବ ରହିଛି। ଉଦ୍ୟାନ କୃଷି ବିକାଶ ପାଇଁ ୧୩୨ କୋଟି ଓଡିଆ ଭାଷା, ସଂସ୍କୃତି ଓ ଐତିହ୍ୟର ପ୍ରୋତ୍ସାହନ ପାଇଁ ୧୩୫ କୋଟିର ବ୍ୟୟ ପ୍ରସ୍ତାବ। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଲାଗି ୫୧ କୋଟିର ବ୍ୟୟ ପ୍ରସ୍ତାବ ରହିଛି ଏବଂ ଐତିହ୍ୟସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ୮ କୋଟିର ବ୍ୟୟ ପାଇଁ ପ୍ରସ୍ତାବ ଏହି ବଜେଟରେ ରହିଛି। ସେହିପରି ମଧୁବାବୁ ପେନସନ ଯୋଜନାରେ ୧ ହଜାର ୯ କୋଟି ଟଙ୍କାର ପ୍ରସ୍ତାବ ଥିବା ବେଳେ ମୋ ସ୍କୁଲ ଯୋଜନା ପାଇଁ ୨୫୩ କୋଟି ଓ ମୋ କଲେଜ ଯୋଜନା ପାଇଁ ୭ କୋଟିର ବ୍ୟୟ ବରାଦ ରହିଛି।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି, କଳାହାଣ୍ଡି ଓ ନବରଙ୍ଗପୁରରେ ୨ଟି ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ମୋଟ ୨୨୫୮ କୋଟି ଟଙ୍କା, ବନ୍ୟା ନିୟନ୍ତ୍ରଣ ପାଇଁ ମୋଟ ୭୧୦ କୋଟି ବ୍ୟୟବରାଦ ରହିଛି। ବହୁ ପ୍ରତୀକ୍ଷିତ ପାର୍ବତୀ ଗିରି ଜଳସେଚନ ଯୋଜନା ପାଇଁ ୮୬୦ କୋଟି ଟଙ୍କା, ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା ଓ ନବକୃଷ୍ଣ ଚୌଧୁରୀ ଜଳସେଚନ ଯୋଜନାରେ ୭୭ କୋଟିର ବ୍ୟୟବରାଦ ହୋଇଛି। ଅଚଳ ଉଠା ଜଳସେଚନ ପଏଣ୍ଟର ପୁନରୁଦ୍ଧାର ପାଇଁ ୧୬୦ କୋଟିର ବ୍ୟୟ ବରାଦ ହୋଇଛି। ବିପର୍ଯ୍ୟୟରେ ତ୍ବରିତ କ୍ଷତିପୂରଣ ପାଇଁ ୫୬୦ କୋଟିର ବ୍ୟୟବରାଦ। ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୪୧୫ କୋଟିର ବ୍ୟୟବରାଦ ସାଙ୍ଗକୁ ମାଛଧରା ଜେଟି ଓ ମାଛ ବଜାର ପାଇଁ ୧୦୦ କୋଟି, ପଶୁଙ୍କୁ ଚିକିତ୍ସା ପାଇଁ ପଶୁ ହେଲପ ଲାଇନ ନମ୍ବର ସେବା ଆରମ୍ଭ ହେବ। ଏଥି ସହ ରାଜ୍ୟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ। କୃଷି ବଜେଟ ପାଇଁ ମୋଟ ୧୭,୪୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଜଣାଯାଇଛି। ଓମ୍ବାଡସି ଓ ଡିଏମଏଫରୁ କୃଷି କ୍ଷେତ୍ରରେ ୪୪୭ କୋଟି ବିନିଯୋଗ କରାଯିବ। ମନରେଗାରୁ ୧୯୬୬ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରାଯିବ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ କୃଷି ବଜେଟ ଉପସ୍ଥାପନ କରିଛନ୍ତି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରର ବିକାଶ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୭,୪୬୮ କୋଟିର ବ୍ୟୟବରାଦ କରାଯାଇଛି। ରାଜ୍ୟ ସରକାର କାଳିଆ ଯୋଜନା ପାଇଁ ମୋଟ ୧ ହଜାର ୮ଶହ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହା ସହିତ କାଳିଆ ଯୋଜନାର ହିତାଧିକାରୀମାନଙ୍କ ସନ୍ତାନମାନଙ୍କ ପାଇଁ କାଳିଆ ମେଧାବୃତ୍ତି ମଧ୍ୟ ପ୍ରଦାନ କରାଯିବା ଲାଗି ବଜେଟରେ ବ୍ୟବସ୍ଥା ରହିଛି। କୃଷି ବଜେଟରେ ଜୈବିକ କୃଷିକୁ ପ୍ରେତ୍ସାହନ ଦିଆଯିବା ସହ ପରମ୍ପରାଗତ କୃଷି ବିକାଶ ଯୋଜନା ପାଇଁ ୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଗୁଆ ବିହନ ଯୋଗାଇଦେବାକୁ ୧ ଶହ କୋଟି ଟଙ୍କା ଓ ସାର ଯୋଗାଇଦେବାକୁ ୧ ଶହ କୋଟି ଟଙ୍କାର ଆବର୍ତ୍ତିପାଣ୍ଠି ଗଠନ କରାଯାଇଛି। ରାଜ୍ୟରେ କୃଷି ଗବେଷଣା ଏବଂ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରିବାକୁ ୧୪୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଓୟୁଏଟିକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବାକୁ ଘୋଷଣା କରାଯାଇଛି। ସେହିପରି ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଜାତୀୟ ଉଦ୍ୟାନ କୃଷି ବିକାଶ ମିଶନ ପାଇଁ ୧୨୦ କୋଟିର ବ୍ୟୟବରାଦ କରାଯାଇଛି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୪୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ୧୩୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମକା ମିଶନ ପାଇଁ ୧୦୬ କୋଟିର ବ୍ୟୟବରାଦ ଚଳିତ ବଜେଟରେ ରଖାଯାଇଛି। ସହରଗୁଡିକୁ ନିର୍ମଳ ରଖିବାକୁ ୩ ଶହ ୯୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ସହିତ ଅର୍ବାନ ସ୍ୱରେଜ ପ୍ରକଳ୍ପ ପାଇଁ ୧ ଶହ ୬୦ କୋଟି ଟଙ୍କା ବ୍ୟୟବରାଦ। ଅର୍ବାନ ସାନିଟେସନ ପ୍ରକଳ୍ପ ପାଇଁ ୧ ଶହ ୯୦ କୋଟି ଟଙ୍କାର ପ୍ରସ୍ତାବ। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଗ୍ରାମାଞ୍ଚଳକୁ ୨ ଶହ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ। ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳକୁ ୨ ଶହ ୧୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି।

ରହିଗଲା ଅନେକ ଆଶା
ମନରେଗାରେ କୃଷି ପ୍ରକ୍ରିୟାକରଣ କାର୍ଯ୍ୟକୁ ଯୋଡିବା ପାଇଁ ବ୍ୟୟବରାଦର ଆବଶ୍ୟକତା ଥିବା ବେଳେ ଗ୍ରାମୀଣ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଅଧିକ ଆବଣ୍ଟନ ହେବାର ଆବଶ୍ୟକତା ରହିଥିଲା। କୃଷି ଗବେଷଣା ସାଙ୍ଗକୁ ଚାଷ ପାଇଁ ବ୍ୟାପକ ଜଳସେଚନ ସୁବିଧା ବିକଶିତ ଦିଗରେ ଅଧିକ ପାଣ୍ଠି ପାଇଁ ତୃଣମୂଳ ସ୍ତରରୁ ଦାବି ଉଠିଥିଲା। ଗ୍ରାମାଞ୍ଚଳରେ ସହରାଞ୍ଚଳ ଭଳି ସ୍ୱେରେଜ ଯୋଜନାକୁ ଅପେକ୍ଷା କରାଯାଉଥିଲା ବେଳେ ସେ ଦିଗରେ ବ୍ୟୟ ବରାଦ ହୋଇ ନ ଥିବା ଜଣାଯାଇଛି। ଜାତୀୟ ଶିକ୍ଷାନୀତିକୁ ଆଖି ଆଗରେ ରଖି ସରକାର ବ୍ୟାପକ ଭାବେ ଶିକ୍ଷକ ନିଯୁକ୍ତି ସହିତ ଶିକ୍ଷକ ତାଲିମ ପ୍ରତି ଦୃଷ୍ଟି ଦେବା କଥା। କିନ୍ତୁ ସେ ଦିଗରେ ବଜେଟ ନୀରବ ରହିଛି। ଶିକ୍ଷକ ତାଲିମର ବ୍ୟାପକତା ଏବେ ଅତ୍ୟନ୍ତ ଦରକାରୀ ହେଉଥିବା ବେଳେ ସରକାର ଶିକ୍ଷକ ତାଲିମ ପ୍ରତିଷ୍ଠାନ ଗୁଡିକୁ ସ୍ଥାଣୁ କରିରଖିଛନ୍ତି ଓ ଘରୋଇ ଉଦ୍ୟମ ପାଇଁ ଅନୁମତି ଦେଉନାହାନ୍ତି। ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନର ସୁରକ୍ଷା,  ଗ୍ରାମୀଣ ସ୍ୱାସ୍ଥ୍ୟ ଓ ବେକାରୀ ଦୂରୀକରଣ ଓ ପ୍ରୋତ୍ସାହନ ଦିଗରେ ବଜେଟରେ ବ୍ୟୟ ବରାଦ ପ୍ରତି ଦୃଷ୍ଟି ଦିଆଯାଇନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ