ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ


ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ
୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିଛି କମିଶନରେଟ୍‌ ପୋଲିସ୍‌। ଦୀର୍ଘ ୨୨ ବର୍ଷ ପରେ ପୁଣେରୁ ବିବନ ବିଶ୍ବାଳକୁ ଧରିବାରେ ସଫଳ ହୋଇଛି କମିଶନରେଟ୍‌ ପୋଲିସ୍‌ର ୪ ଜଣିଆ ଟିମ୍‌। ନିଜର ନାଁ ଓ ପରିଚୟ ବଦଳାଇ ଦୀର୍ଘ ବର୍ଷ ଧରି ସେଠାରେ ରହୁଥିବା ବେଳେ ପୋଲିସ୍‌ ତାକୁ ଠାବ କରିବାରେ ସଫଳ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବରୁ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଘଟଣା ପରଠାରୁ ଫେରାର୍‌ ଥିଲା। ଅନ୍ୟପକ୍ଷରେ ଏହି ଘଟଣା ସେତେବେଳେ ଏତେ ସମ୍ବେଦନଶୀଳ ଥିଲା ଯେ ଯେତେବେଳର ମୁଖ୍ୟମନ୍ତ୍ରୀ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ।

ସୂଚନାଯୋଗ୍ୟ, ୯ ଜାନୁଆରୀ ୧୯୯୯ ମସିହାରେ ଘଟିଥିବା ଏହି ଗଣଦୁଷ୍କର୍ମ ଘଟଣା ସମଗ୍ର ଓଡ଼ିଶାର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଘଟଣା ଦିନ ଦିନ ଗଣଦୁଷ୍କର୍ମ ପୀଡ଼ିତା ଜଣଙ୍କ ତାଙ୍କ ବାନ୍ଧବୀଙ୍କ ସହ ଏକ କାର୍‌ରେ ଯାତ୍ରା କରୁଥିଲେ। ଭୁବନେଶ୍ବର ଉପକଣ୍ଠ ସ୍ଥିତ ବାରଙ୍ଗ ନିକଟବର୍ତ୍ତୀ ଏକ ନିଛାଟିଆ ସ୍ଥାନରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଗାଡ଼ିଟିକୁ ଅଟକାଇ ବାନ୍ଧବୀଙ୍କ ସମ୍ମୁଖରେ ପୀଡ଼ିତାଙ୍କୁ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ସମଗ୍ର ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଯାଇଥିଲା। ଉକ୍ତ ଗଣଦୁଷ୍କର୍ମ ଘଟଣାରେ ପୋଲିସ୍‌ ୨୬ ଜାନୁଆରୀ ୧୯୯୯ରେ ମାତ୍ର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପରେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଦ୍ବାରା କରାଯିବ ବୋଲି ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଓଡ଼ିଶାରେ ଘଟିଥିବା ଏହି ବହୁ ଚର୍ଚ୍ଚିତ ଘଟଣା ଓଡ଼ିଶାରେ ରାଜନୈତିକ ହଇଚଇ ସୃଷ୍ଟି କରିଥିଲା। ଉକ୍ତ ଘଟଣାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ତାଙ୍କ ତଥାକଥିତ ବନ୍ଧୁ ତଥା ପୂର୍ବତନ ମହାଧୀବକ୍ତା ଇନ୍ଦ୍ରଜିତ ରାୟଙ୍କର ପ୍ରଛନ୍ନ ହାତ ଥିବା ଅଭିଯୋଗ ହୋଇଥିଲା। ଫଳରେ ଓଡ଼ିଶାର ତତ୍କାଳୀନ ଶାସକ ଦଳ କଂଗ୍ରେସର ଭାବମୂର୍ତ୍ତୀ ଅକ୍ଷୁର୍ଣ୍ଣ ରଖିବା ଉଦ୍ୟମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ତାଙ୍କ ଆସନ ହରାଇବାକୁ ପଡ଼ିଲା। ପରେ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।

ସାମ୍ବାଦିକ ସମ୍ମିଳନୀରେ ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଗଣଦୁଷ୍କର୍ମ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଫେରାର୍‌ ଥିଲା। ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା। ପୁଣେର ଆମ୍ବି ଭ୍ୟାଲିରେ ବିବନ ନାମ ବଦଳାଇ ରହୁଥିଲା। ସେଠାରେ ସେ ଜଳନ୍ଧର ସ୍ୱାଇଁ ପରିଚୟ ଦେଇ ପାଣି ମିସ୍ତ୍ରୀ ଭାବେ କାମ କରୁଥିଲା।  ପରିଚୟ ପତ୍ର, ଆଧାର କାର୍ଡ, ପାସ୍‌ବୁକ୍ ଜଳନ୍ଧର ନାଁରେ କରିଥିଲା। ୩ ମାସ ତଳେ କମିଶନରେଟ୍‌ ପୋଲିସ୍‌ ୪ ଜଣ ଅଧିକାରୀଙ୍କୁ ନେଇ ସାଇଲେଣ୍ଟ୍‌ ବାଇପର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅପରେସନର ପରିଚାଳନା କରୁଥିଲେ ନିଜେ ସୁଧାଂଶୁ ଷଡ଼ଙ୍ଗୀ। କଟକ ଡିସିପି ପ୍ରତୀକ ସିଂହ, ଆଡିସନାଲ ଡିସିପି ପ୍ରମୋଦ ରଥ, ଇନ୍‌ସପେକ୍ଟର ସ୍ପେଶାଲ ସ୍କ୍ୱାର୍ଡ ଅଜୟ ଦାସ ଓ ବାରଙ୍ଗ ଥାନା ଆଇଆଇସି ଶଶିକାନ୍ତ ରାଉତ ଏହି ଅପରେସନରେ ସାମିଲ୍‌ ଥିଲେ। ଅପରେସନ ମାଧ୍ୟମରେ ଅଭିଯୁକ୍ତ ପାଖରେ ପହଞ୍ଚିଥିଲା ପୋଲିସ୍‌। ଯାହା ସିବିଆଇ କରିପାରି ନ ଥିଲା, ତାହା ଆମେ ତାହା କରି ସଫଳ ହେଲୁ। ବିବନ ଗିରଫ ନେଇ ସିବିଆଇକୁ ଜଣାଇ ଦେଇଛୁ ବୋଲି କହିଲେ ସିପି। ତେବେ ଏତେ ବର୍ଷ ପରେ ବିବନକୁ ଗିରଫ କରିବା ଓଡ଼ିଶା ପୋଲିସ ପାଇଁ ବଡ଼ ସଫଳତା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ