ଅପରାଧ
ଆଉ ଏକ ଠକ ବାପ-ପୁଅ ଗିରଫ

ଗିରଫ ହୋଇଥିବା ଠକ ବାପ-ପୁଅ
ଓଡ଼ିଶାର ବହୁ ଚର୍ଚ୍ଚିତ ଠକ ବାପ-ପୁଅ ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିବା ବେଳେ ଆଉ ଏକ ଠକ ବାପ-ପୁଅ ପୋଲିସ୍ ପଞ୍ଝାରେ। ନାମିଦାମୀ କମ୍ପାନୀରେ ଚାକିରୀ କରାଇ ଦେବାକୁ କହି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଲକ୍ଷାଧିକ ଠକୁ ଥିଲେ ବାପ-ପୁଅ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଶିମିଳିପଡ଼ା ଅଞ୍ଚଳର ଘନଶ୍ୟାମ ମିଶ୍ର ଏବଂ ତାଙ୍କ ପୁଅଙ୍କୁ ଗିରଫ କରିଛି ପୋଲିସ୍।
ମିଳିଥିବା ସୂଚନା ଅନୁଯାୟୀ, ୨ ମାସ ପୂର୍ବେ ଘନଶ୍ୟାମ ମିଶ୍ର ଜାମସେଦପୁରର ଟାଟା କମ୍ପାନୀରେ ପୁଅକୁ ଚାକିରି ଦେବାକୁ କହି ଅନୁଗୁଳ ବେଣାଗାଡ଼ିଆ ଗାଁର ପ୍ରାଣବନ୍ଧୁ ଜେନାଙ୍କଠାରୁ ୪ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କୌଣସି ଚାକିରି ମିଳିନାହିଁ। ଚାକିରି କରାଇ ନ ପାରିଲେ ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଚାକିରି ନ ମିଳିବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ପ୍ରାଣବନ୍ଧୁ। ଏହାପରେ ଘନଶ୍ୟାମ ମିଶ୍ର ବିଭିନ୍ନ କିସ୍ତିରେ ୮୦ ହଜାର ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟ୍ ମାଧ୍ୟମରେ ଫେରାଇଥିଲେ। ତେବେ ବାକି ଟଙ୍କା ଆଉ ଫେରାଉ ନ ଥିଲେ। ପ୍ରାଣବନ୍ଧୁଙ୍କ ପୁଅ ରାଜେଶ ଏବଂ ତାଙ୍କ ପତ୍ନୀ ଡଲିରାଣୀ, ଅବଶିଷ୍ଟ ଟଙ୍କା ଫେରସ୍ତ ପାଇବା ପାଇଁ ଘନଶ୍ୟାମ ମିଶ୍ରଙ୍କ ବାସଭବନକୁ ଯାଇଥିଲେ। ତେବେ ଘନଶ୍ୟାମ ଟଙ୍କା ନ ଫେରାଇ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। ଏନେଇ ଉଭେୟ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ଘନଶ୍ୟାମ ଓ ତାଙ୍କ ପୁଅଙ୍କ ଏକ ବଡ଼ ଧରଣର ଠକେଇ ବିଷୟରେ ଜାଣିବାକୁ ପାଇଥିଲା। ବାପ-ପୁଅ ଓଡ଼ିଶା, ବିହାର,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ,ପଶ୍ଚିମବଙ୍ଗର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନାମିଦାମୀ କମ୍ପାନୀରେ ନିଯୁକ୍ତି ଦେବାପାଇଁ ଜଣ ପିଛା ୨ରୁ ୩ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଥିଲା। ପରେ କୋଲିୟରୀ ପୋଲିସ୍ ବାପ-ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ