ଭୁଶୁଡ଼ିଲା ନାରାୟଣସାମୀ ସରକାର, ଆସ୍ଥା ଭୋଟ୍ ପୂର୍ବରୁ ବାହାରିଗଲେ


ରାଜନିବାସଠାରେ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣରଙ୍କ ସହ ନାରାୟଣସାମୀ
ଶେଷରେ ପୁଡୁଚେରୀରେ କଂଗ୍ରେସ-ଡିଏମକେ ମିଳିତ ସରକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ସୋମବାର ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣିତ କରିବାରେ ଅକ୍ଷମ ରହିଛନ୍ତି। ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଏକାଧିକ କଂଗ୍ରେସ ବିଧାୟକ ଇସ୍ତଫା ଦେବାରୁ ନାରାୟଣସାମୀଙ୍କ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଗତବର୍ଷ କଂଗ୍ରେସ ବିଧାୟକ ଏନ. ଦାନାଭେଲୁ ଅଯୋଗ୍ୟ ଘୋଷିତ ହୋଇଥିଲେ। ତଥାପି ଦଳ ବିଧାନସଭାରେ ହେବାକୁ ଥିବା ଆସ୍ଥାଭୋଟ୍‌ରେ ମ୍ୟାଜିକ ନମ୍ବର ଛୁଇଁବା ନେଇ ଆଶାବାଦୀ ଥିଲା। କିନ୍ତୁ ସୋମବାର ଆସ୍ଥାଭୋଟ୍‌ର ସମ୍ମୁଖୀନ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ନିଜ ସହଯୋଗୀମାନଙ୍କୁ ଧରି ଗୃହରୁ ବାହାରିଯାଇଥିଲେ। ଏହି କାରଣରୁ ବାଚସ୍ପତି ଭିପି ଶିବକୋଝୁନ୍ଧୁ ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ପରାସ୍ତ ହୋଇଥିବା ଘୋଷଣା କରିଥିଲେ। ନିଜର କ୍ଷମତା ବଞ୍ଚାଇବା ସକାଶେ ନାରାୟଣସାମୀଙ୍କୁ ୧୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା। କିନ୍ତୁ ତାଙ୍କ ସମର୍ଥନରେ ମାତ୍ର ୧୧ ଜଣ ବିଧାୟକ ଥିବାରୁ ସେ ଆସ୍ଥାଭୋଟ୍‌ରେ ପରାସ୍ତ ହେବା ସୁନିଶ୍ଚିତ ଥିବା ଜାଣି ଗୃହରୁ ବାହାରିଯାଇଥିଲେ। ପରେ ପରେ ସେ ତାଙ୍କ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ସେ ବିଧାନସଭାରୁ ବାହାରି ସିଧା ରାଜନିବାସରେ ପହଞ୍ଚିବା ସହ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ ତାମିଲିସାଇ ସୌନ୍ଦରରାଜନଙ୍କୁ ପ୍ରଦାନ କରିଥିଲେ। ଏନେଇ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ତାଙ୍କ ସହ ତାଙ୍କର ସମସ୍ତ ସହଯୋଗୀଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ନିବେଦନ କରିଥିବା କହିଥିଲେ।

ସୋମବାର ଆସ୍ଥାଭୋଟ ପୂର୍ବରୁ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନାରାୟଣସାମୀ ତାଙ୍କର ଅଭିଭାଷଣ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ବିଧାୟକମାନେ ନିଜ ଦଳ ପ୍ରତି ବିଶ୍ୱସ୍ତ ରହିବା ଦରକାର। ଯେଉଁମାନେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି, ସେମାନେ ତାଙ୍କ ରାଜନୈତିକ ଜୀବନରେ କଦାପି ନିଜ ଭୋଟରଙ୍କୁ ମୁହଁ ଦେଖାଇପାରିବେ ନାହିଁ। କାରଣ ଇସ୍ତଫା ଦେଇଥିବା ନେତାମାନେ ସୁବିଧାବାଦୀ ବୋଲି ଭୋଟରମାନେ ଜାଣିସାରିଛନ୍ତି। ପୂର୍ବତନ ଲେଫ୍ଟନାଣ୍ଟ୍ ଗଭର୍ଣ୍ଣର୍ କିରଣ ବେଦୀ ଓ କେନ୍ଦ୍ର ସରକାର ପୁଡ଼ୁଚେରୀର ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ନେତାଙ୍କ ସହ ହାତ ମିଳାଇଥିଲେ। ସେମାନେ ସମସ୍ତେ ମିଳିତ ଭାବେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ପ୍ରୟାସ ଚଳାଇଥିଲେ। ପୂର୍ବରୁ ବିଜେପି ରାଜସ୍ଥାନରେ ଏହି ଉଦ୍ୟମ କରିଥିଲା। କିନ୍ତୁ ସେଠାରେ ଫନ୍ଦିଫିକର୍ କାମ କରି ନ କରିବା ପରେ ପୁଡୁଚେରୀ ଉପରେ ଦଳ ନଜର ପକାଇଛି। କେନ୍ଦ୍ର ସରକାର ପୁଡୁଚେରୀବାସୀଙ୍କ ସହ ଧୋକାବାଜି କରିଛନ୍ତି। କାରଣ ଆମେ ଯେତେବେଳେ ଯାହା ବି ଦାବି ରଖିଆସିଛୁ, ତାହାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଆସିଛନ୍ତି। ତାମିଲନାଡୁ ଓ ପୁଡୁଚେରୀରେ ଆମେ ୨ଟି ଭାଷା ପ୍ରଚଳନ କରିଛୁ। କିନ୍ତୁ ବିଜେପି ଏଠାରେ ଜୋରଜବରଦସ୍ତି ହିନ୍ଦୀ ଭାଷା ଲାଗୁ କରିବାକୁ ଉଦ୍ୟମ କରିଆସିଛି। ଆମେ ଡିଏମକେ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିଥିଲୁ। ପରବର୍ତ୍ତୀ ଉପନିର୍ବାଚନରେ ବି ଆମେ ବିଜୟ ହାସଲ କରିଥିଲୁ। ତେଣୁ ପୁଡୁଚେରୀବାସୀ ଆମ ସହ ରହିଛନ୍ତି ବୋଲି ଏହା ପ୍ରମାଣ କରିଦେଇଥିବା ନାରାୟଣସାମୀ କହିଛନ୍ତି। ଅଭିଭାଷଣ ଶେଷ କରିବା ପରେ ନାରାୟଣସାମୀ ନିଜର ସହଯୋଗୀ ସଦସ୍ୟମାନଙ୍କୁ ସାଥୀରେ ଧରି ବିଧାନସଭାରୁ ବାହାରିଯାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ