ଇଣ୍ଡିଆ ଟି-୨୦ ଟିମରେ ସୂର୍ଯ୍ୟଙ୍କ ସମେତ ୩ ନୂଆମୁହଁ


ସୂର୍ଯ୍ୟ କୁମାର ଯାଦବ, ଈଶାନ୍ କିଶନ୍ ଓ ରାହୁଲ୍ ତେୱତିଆ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ୧୨ରୁ ଅହମ୍ମଦାବାଦର ମୋଟେରାସ୍ଥିତ ସର୍ଦ୍ଦାର ପଟେଲ୍ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହେବ। ଏହି ସିରିଜ୍ ସକାଶେ ଶନିବାର ବିସିସିଆଇ ପକ୍ଷରୁ ଏକ ୧୯ଜଣିଆ ଟିମ ଇଣ୍ଡିଆ ଘୋଷଣା କରାଯାଇଥିବା ବେଳେ ଏଥିରେ ମୁମ୍ବାଇର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟ କୁମାର ଯାଦବଙ୍କୁ ସ୍ଥାନ ମିଳିଛି। ଦଳରେ ତାଙ୍କ ସମେତ ମୋଟ ୩ ଜଣ ନୂଆମୁହଁକୁ ସାମିଲ୍ କରାଯାଇଛି। ଅନ୍ୟ ଦୁଇ ଜଣ ଖେଳାଳି ହେଲେ ସୂର୍ଯ୍ୟଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସାଥୀ ତଥା ଝାଡ଼ଖଣ୍ଡ ଟିମର ଅଧିନାୟକ ଈଶାନ୍ କିଶନ୍ ଓ ହରିୟାଣାର ରାହୁଲ୍ ତେୱତିଆ। ଏହି ତିନି ଖେଳାଳି ନିୟମିତ ଭାବେ ଆଇପିଏଲରେ ଭଲ ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ନଜରରେ ରହିଆସିଥିଲେ। ଏପରିକି ଗତ ୨୦୧୮ ଓ ୨୦୧୯ରେ ସୂର୍ଯ୍ୟ କୁମାର ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସର୍ବାଧିକ ସ୍କୋରର୍ ରହିଥିଲେ। ଏହା ସତ୍ତ୍ବେ ବି ତାଙ୍କୁ ଟିମ ଇଣ୍ଡିଆରେ ସାମିଲ୍ କରାଯାଉ ନ ଥିବାରୁ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଯଥେଷ୍ଟ କ୍ଷୋଭ ପ୍ରକାଶ ପାଇଆସିଥିଲା। ତେବେ ଶେଷରେ ସୂର୍ଯ୍ୟଙ୍କୁ ଟିମ ଇଣ୍ଡିଆ ସୀମିତ ଓଭରରେ ସ୍ଥାନ ଦିଆଯାଇଛି।

ସେହିପରି ଶନିବାର ଠାରୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିର ପ୍ରଥମ ମ୍ୟାଚରେ ଝାଡ଼ଖଣ୍ଡ ଅଧିନାୟକ ୨୨ ବର୍ଷୀୟ କିଶନ୍ ମାତ୍ର ୯୪ ବଲରେ ୧୭୩ ରନର ବିସ୍ଫୋରକ ଇନିଂସ ଖେଳିବା ପରେ ବିସିସିଆଇ ଚୟନକର୍ତ୍ତା ତାଙ୍କୁ ସାମିଲ୍ କରିବାକୁ ଏକରକମ ବାଧ୍ୟ ହୋଇଛନ୍ତି। ଉକ୍ତ ଇନିଂସରେ କିଶନ୍ ମାତ୍ର ୪୨ ବଲରେ ୫୦, ୭୪ ବଲରେ ଶତକ ଓ ୮୬ ବଲରେ ଦେଢ଼ ଶହ ପୂରଣ କରିଥିଲେ। ସେ ମଧ୍ୟ ନିୟମିତ ଭାବେ ଆଇପିଏଲ୍ ଓ ଘରୋଇ କ୍ରିକେଟରେ ପ୍ରଭାବଶାଳୀ ପ୍ରଦର୍ଶନ କରିଆସିଛନ୍ତି। ସେ ଋଷଭ ପନ୍ତଙ୍କ ସହ ଅନ୍ୟତମ ୱିକେଟକିପର୍ ଭାବେ ଦଳରେ ସ୍ଥାନିତ ହୋଇଛନ୍ତି।

ଏହାଛଡ଼ା ଗତ ବର୍ଷ ୟୁଏଇ ଠାରେ ଖେଳାଯାଇଥିବା ଆଇପିଏଲର ତ୍ରୟୋଦଶ ସଂସ୍କରଣରେ ତେୱତିଆ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ରାଜସ୍ଥାନକୁ ଏକ ସ୍ମରଣୀୟ ବିଜୟ ଦେଇ ରାତାରାତି ତାରକା ପାଲଟିଯାଇଥିଲେ। ସେ ଇଣ୍ଡିଜ୍ ପେସର୍ ଶେଲଡନ୍ କୋଟ୍ରେଲଙ୍କ ଗୋଟିଏ ଓଭରରୁ ୫ଟି ଛକା ସହ ୩୦ ରନ୍ ସଂଗ୍ରହ କରି ଏକ ବଡ଼ ଟାର୍ଗେଟରେ ରାଜସ୍ଥାନକୁ ପହଞ୍ଚାଇଦେଇଥିଲେ। ତା’ଛଡ଼ା ସେ ଜଣେ ସାମୟିକ ଲେଗ୍ ସ୍ପିନର୍ ମଧ୍ୟ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଥିବା ଚାଇନାମାନ୍ କୁଲଦୀପ ଯାଦବ ଓ ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେଙ୍କୁ ଦଳରୁ ବିଦା ହେବାକୁ ପଡ଼ିଛି। ତା’ଛଡ଼ା ଦଳର ପ୍ରମୁଖ ପେସର୍ ଜସପ୍ରୀତ୍ ବୁମରାଙ୍କୁ ସିରିଜରେ ବିଶ୍ରାମ ଦିଆଯାଇଛି। ଆହୁରି ଗତ ଅଷ୍ଟ୍ରେଲିଆ ଟୁର୍ ପାଇଁ ଟି-୨୦ ଟିମରେ ସାମିଲ୍ ହୋଇଥିଲେ ହେଁ ଶେଷ ମୁହୂର୍ତ୍ତରେ ଆଘାତଜନିତ କାରଣରୁ ଗସ୍ତରୁ ବାଦ୍ ପଡ଼ିଥିବା କୋଲକାତା ନାଇଟ୍ ରାଇଡର୍ସ ସ୍ପିନର୍ ବରୁନ୍ ଚକ୍ରବର୍ତ୍ତୀ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଘୋଷିତ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧୱନ, ଶ୍ରେୟସ୍ ଆୟର୍, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟକିପର୍), ଈଶାନ୍ କିଶନ୍ (ୱିକେଟକିପର୍), ୟୁଜବେନ୍ଦ୍ର ଚହଲ୍, ବରୁନ୍ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ୍, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଟେଟିଆ, ଟି. ନଟରାଜନ୍, ଭୁବନେଶ୍ବର କୁମାର, ଦୀପକ ଚହର, ନବଦୀପ ସେନୀ ଓ ଶାର୍ଦ୍ଦୁଲ ଠାକୁର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ