ନୀତି ଆୟୋଗ ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ


ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ଷଷ୍ଠ ପରିଚାଳନା ପରିଷଦର ବୈଠକରେ ସାମିଲ୍‌ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଶି ଯେ କୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଲାଗି ପଡ଼ିବେ, ତେବେ କାର୍ଯ୍ୟ ଅଧିକ ଗତିଶୀଳ ହେବା ସହ ଯୋଜନାର ସୁଫଳ ସର୍ବଶେଷ ହିତାଧିକାରୀ ପାଖରେ ସହଜରେ ପହଞ୍ଚିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି। ବିଶେଷ କରି ରେଳବାଇ, ବ୍ୟାଙ୍କିଂ, ଟେଲିକମ୍‌, କେନ୍ଦ୍ରୀୟ ଅନୁଦାନ ହ୍ରାସ, ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଅଷ୍ଟମ ପରିଚ୍ଛେଦରେ ଗୁରୁତ୍ୱପୂର୍ଣ୍ଣ ଭାଷା ସାମିଲ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗର ବୈଠକରେ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ, ଗଣତନ୍ତ୍ରରେ ନିର୍ବାଚନ ଏକ ପ୍ରମୁଖ ଅଙ୍ଗ। ଥରେ ନିର୍ବାଚନ ବିଜୟ ହେଲା ଦଳଗତ ଚିନ୍ତାଧାରାରୁ ଊର୍ଦ୍ଧ୍ୱରେ ରହି ସରକାରଙ୍କୁ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପଡ଼ିଥାଏ। କିନ୍ତୁ ଆମେ ତାହା କରୁଛେ କି ନାହିଁ ତାହା ଆତ୍ମ ସମୀକ୍ଷା କରିବାର ବେଳ। ନିର୍ବାଚିତ ସରକାରର ପ୍ରତ୍ୟେକଟି କାର୍ଯ୍ୟକୁ ଓ ଅପରାଧକୁ ମଧ୍ୟ ରାଜନୈତିକ ଦୃଷ୍ଟିଭଙ୍ଗୀରେ ଦେଖାଯାଉଛି। ଏଭଳି ପରିବେଶ ଦେଶ ତଥା ରାଜ୍ୟର ବିକାଶ ଓ ଗତି ପାଇଁ ବଡ଼ ବିପଦ। ନିର୍ବାଚିତ ସରକାରର ପ୍ରତ୍ୟେକ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟିଭଙ୍ଗିରେ ନ ଦେଖି ବିଭିନ୍ନ ଯୋଜନାରୁ କିପରି ଲୋକେ ଉପକୃତ ହୋଇପାରିବେ ସେହି ଦୃଷ୍ଟିରେ ଆକଳନ କରାଯିବା ଉଚିତ୍‍ ବୋଲି କହିଛନ୍ତି। ସେ କହିଛନ୍ତି, ଜାତୀୟ ଦଳ ଗୁଡ଼ିକ ମହିଳା ସଂରକ୍ଷଣ ନେଇ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଏହାକୁ ପାଳନ କରିବା ନାହିଁ ଦେବେ ଆମକୁ ଇତିହାସ କ୍ଷମା ଦେବନି। ଅପପୃଷ୍ଟି, ଯୋଗାଯୋଗ, ଲିଙ୍ଗଗତ ବୈଷମ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସେହିପରି ଅନୁସୂଚିତ ଜନଜାତି ତାଲିକାରେ କିଛି ସମ୍ପ୍ରଦାୟ ସାମିଲ ପ୍ରସଙ୍ଗ ୧୯୭୮ରୁ ପଡ଼ିରହିଛି। ବିନା ନିଷ୍ପତ୍ତିରେ ଏହାକୁ ଦୀର୍ଘଦିନ ଧରି ପକାଇ ରଖିବା ଠିକ୍‍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏକ ସଂଘୀୟ ରାଷ୍ଟ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମିଳିତ ଉଦ୍ୟମର ଆବଶ୍ୟକତା ନେଇ ମୁଖ୍ୟମନ୍ତ୍ରୀ ନିଜର ଯୁକ୍ତି ଦର୍ଶାଇଛନ୍ତି। ୟୁପିଏସ୍‌ସି, ନିଟ୍‌ ଓ ଜେଇଇ ଭଳି ପରୀକ୍ଷା ଢ଼ାଞ୍ଚା ବଦଳିବା ଦରକାର। ଗ୍ରାମାଞ୍ଚଳ ଓ ଗରିବ ପିଲାଙ୍କ ମେଧାକୁ ନଜର ଦିଆଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି କୋରୋନା ମୁକାବିଲା ଭାରତ ଦୃଢ ଭାବେ କରିଛି। ଏବେବି ଆମେରିକା ଓ ୟୁରୋପର ଅନେକ ଦେଶ କୋରୋନା କବଳରୁ ମୁକୁଳିପାରି ନାହାଁନ୍ତି। ଦଳ ମତ ନିର୍ବିଶେଷରେ ସମସ୍ତେ ଯେପରି ଏକ ହୋଇ କୋରୋନାର ମୁକାବିଲା କରିଛନ୍ତି ତାହାକୁ ଇତିହାସ ମନେ ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟପଟେ ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୋରୋନା ବେଳେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। କୋରୋନା ମହାମାରୀ ପରିଚାଳନାରେ ସାରା ବିଶ୍ୱରେ ନିଜର ଭଳି ଛବି ସୃଷ୍ଟି କରିଛି ଭାରତ। ସ୍ୱାସ୍ଥ୍ୟ ସେବା, ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଦେଶରେ ମାଗଣା ବିଦ୍ୟୁତ୍‌ ଓ ଗ୍ୟାସ ସଂଯୋଗ, ଅଭାବୀଙ୍କୁ ସ୍ୱାବଲମ୍ବୀ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ସରକାର। କୋରୋନା ଯୋଗୁ ପ୍ରଭାବିତ ଅର୍ଥନୀତିକୁ ସୁଧାରିବା ବ୍ୟବସ୍ଥା କରାଯାଉଛି। ଚଳିତ ବର୍ଷ ବଜେଟ୍‌ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଶର ମନୋଭାବକୁ ସୂଚାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶ ସମୟ ନଷ୍ଟ ନ କରି ଦ୍ରୁତ ଅଗ୍ରସର ହେବା ପାଇଁ ମନ ସ୍ଥିର କରିସାରିଛି। ଦେଶର ଏହି ବିକାଶ ଯାତ୍ରାରେ ସାମିଲ ହେବାପାଇଁ ଘରୋଇ କ୍ଷେତ୍ର ମଧ୍ୟ ଉତ୍ସାହର ସହ ଆଗେଇ ଆସିଛି। ସରକାର ଭାବେ ଆମକୁ ଏହି ଉତ୍ସାହ ପ୍ରତି ସମ୍ମାନ ଜଣାଇ ଆତ୍ମନିର୍ଭର ଭାରତ ଅଭିଯାନରେ ଘରୋଇ କ୍ଷେତ୍ରକୁ ଯଥାସମ୍ଭବ ଭାରତକୁ ଏଭଳି ଗଢ଼ି ତୋଳିବାକୁ ପଡ଼ିବ ଯେପରି ଏହା ନିଜ ପାଇଁ ଉତ୍ପାଦନ କରି ଘରୋଇ ଆବଶ୍ୟକତା ମେଣ୍ଟାଇବା ସହ ବିଶ୍ୱ ପାଇଁ ମଧ୍ୟ ଉତ୍ପାଦନ କରିବ ଓ ତାହା ବିଶ୍ୱବ୍ୟାପୀ ଜନାଦୃତ ହେବ ବୋଲି ମୋଦୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ