ଅର୍ଥନୈତିକ ସର୍ଭେ ରିପୋର୍ଟ: କମିଲା ଅଭିବୃଦ୍ଧି ହାର ଓ ମୁଣ୍ଡପିଛା ଆୟ


ଅର୍ଥନୈତିକ ସର୍ଭେ ପୁସ୍ତିକା
ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୦ -୨୧ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। କୋରୋନା ମାଡ଼ରେ ରାଜ୍ୟ ଅର୍ଥନୀତି କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶନିବାର ବିଧାନସଭାରେ ଓଡ଼ିଶା ଅର୍ଥନୀତିକ ସର୍ଭେ ରିପୋର୍ଟ-୨୦୨୦-୨୧କୁ ଆଗତ କରିଛନ୍ତି। ଆସନ୍ତା ସୋମବାର ବାର୍ଷିକ ରାଜ୍ୟ ବଜେଟ୍‌ ଆଗତ ହେବା ପୂର୍ବରୁ ଅର୍ଥନୀତିକ ସର୍ଭେ ରିପୋର୍ଟକୁ ସରକାର ଗୃହରେ ଉପସ୍ଥାପିତ କରି ରାଜ୍ୟର ଆର୍ଥିକ ସ୍ଥିତି ଯେ ଠିକ୍ ନାହିଁ ତା’ର ଚିତ୍ର ଦେଇଛନ୍ତି। ଚଳିତ ଆଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର କମିବ ଏବଂ ଏହା ନେଗେଟିଭ୍ ୪.୯୨ ହେବ ବୋଲି ଆକଳନ କରାଯାଇଛି। ରାଜ୍ୟ ଅର୍ଥନୀତି ଉପରେ କୋରୋନାର ଜୋର୍‌ଦାର୍‌ ପ୍ରଭାବ ପଡ଼ିଛି। କୋଭିଡ୍‌ ପ୍ରଭାବରେ ରାଜ୍ୟର ଅର୍ଥନୀତି ସଙ୍କୁଚିତ ହେବ। ୨୦୧୨-୧୩ ରୁ ୨୦୧୯ -୨୦ ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରି ବାର୍ଷିକ ୭.୧ ପ୍ରତିଶତ ହାରରେ ବୃଦ୍ଧି ପାଇଥିବାବେଳେ ଜାତୀୟ ହାର ୬.୬ ପ୍ରତିଶତ ଥିଲା। ୨୦୨୦ -୨୧ ରେ ଦେଶର ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ବିଯୁକ୍ତ ୭.୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବାବେଳେ ଓଡ଼ିଶାର ଜିଏସ୍‌ଡିପି ବିଯୁକ୍ତ ୪.୯୨ ରହିବ। ଯାହାକି ଜାତୀୟ ହାରଠୁ ଭଲ ସ୍ଥିତିରେ ରହିବ।

ସେହିପରି ଓଡ଼ିଶାର ମୁଣ୍ଡ ପିଛା ଆୟ କମିଛି। ଗତବର୍ଷ ତୁଳନାରେ ମୁଣ୍ଡପିଛା ଆୟ ୨୪୧୦ ଟଙ୍କା କମିଛି। ୨୦୧୧-୧୨ ରେ ଓଡ଼ିଶାର ମୁଣ୍ଡପିଛା ଆୟ ୪୮ ହଜାର ୪୯୯ ଥିଲା। ୨୦୧୯-୨୦ ରେ ୧ ଲକ୍ଷ ୪ ହଜାର ୫୬୬ ହୋଇଥିଲା। ଚଳିତ ବର୍ଷ ହ୍ରାସ ପାଇ ୧ ଲକ୍ଷ ୨ ହଜାର ୧୫୬ ରେ ପହଞ୍ଚିଥିଲା। ରାଜ୍ୟର ମୁଣ୍ଡପିଛା ଆୟ ଗତବର୍ଷ ତୁଳନାରେ ୨. ୩ ପ୍ରତିଶତ ହ୍ରାସ ପାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ୨୦୨୦-୨୧ରେ ଦେଶର ମୁଣ୍ଡ ପିଛା ଆୟ ୧ ଲକ୍ଷ ୨୬ ହଜାର ୯୬୮ ଟଙ୍କା ରହିଛି। ଦେଶ ତୂଳନାରେ ଓଡ଼ିଶାର ମୁଣ୍ଡ ପିଛା ଆୟ ୨୪ ହଜାର ୮୧୨ ଟଙ୍କା  ହ୍ରାସ ଘଟିଛି। କେବଳ ମୁଣ୍ଡ ପିଛା ଆୟ ନୁହେଁ କୃଷି କ୍ଷେତ୍ରରେ ମଧ୍ୟ ରାଜ୍ୟକୁ ଜୋରଦାର୍‌ ଝଟକା ଲାଗିଛି। କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର କମିଛି। ଗତ  ବର୍ଷ ଅଭିବୃଦ୍ଧି ହାର ୧୧.୯୨ ପ୍ରତିଶତ ଥିଲା। କିନ୍ତୁ ଏ ବର୍ଷ କୋରୋନା ମହାମାରୀ କାରଣରୁ ଅଭିବୃଦ୍ଧି ହାର ବିଯୁକ୍ତ ୬.୫୪ ପ୍ରତିଶତ ରହିଛି।

ଅର୍ଥନୀତିକ ସର୍ଭେ ରିପୋର୍ଟ ଅନୁସାରେ, ୨୦୧୨-୧୩ରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ବାର୍ଷିକ ୭.୦୫ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିବାବେଳେ ରହୁଥିବାବେଳେ ୨୦୧୯-୨୦ରେ ଏହି ଅଭିବୃଦ୍ଧି ୫.୨୧ ପ୍ରତିଶତ ରହିଛି। ଯାହାକି ୨୦୨୦-୨୧ର ଆଡଭାନ୍ସ ଏଷ୍ଟିମେଟରେ ନେଗେଟିଭ୍ ୪.୯୨ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। ଅବଶ୍ୟ ୨୦୨୦-୨୧ରେ ଦେଶର ଅଭିବୃଦ୍ଧି ହାର ମାଇନସ ୭.୭ ପ୍ରତିଶତ ରହିବ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ଦେଶର ଅର୍ଥନୀତି ହାରାହାରି ୬.୬ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିବାବେଳେ ରାଜ୍ୟର ଅର୍ଥନୀତି ୭.୦୫ ପ୍ରତିଶତ ହାରରେ ଅଭିବୃଦ୍ଧି କରୁଥିଲା। ୨୦୧୯-୨୦ରେ ରାଜ୍ୟର ମୋଟ ଘରୋଇ ଉତ୍ପାଦର ଆକାର ୫,୨୧,୨୭,୪୬୫ କୋଟି ଟଙ୍କା ଥିବାବେଳେ ୨୦୨୦-୨୧ରେ ଏହା ୫,୦୯,୫୭,୪୨୯କୋଟି ଟଙ୍କାକୁ ହ୍ରାସ ପାଇବ। ଯାହାକି ପ୍ରାୟ ୧୧ଲକ୍ଷ ୭୦ହଜାର କୋଟି ଟଙ୍କା କମ୍ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର କୃଷି, ଶିଳ୍ପ ଓ ସେବା କ୍ଷେତ୍ର ଯଥାକ୍ରମେ ରାଜ୍ୟ ଅର୍ଥନୀତିରେ ୨୧.୩୮ପ୍ରତିଶତ, ୩୭.୯୨ପ୍ରତିଶତ ଓ ୪୦.୭୦ପ୍ରତିଶତ ଯୋଗଦାନ ଦେଉଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ଯଥାକ୍ରମେ ୨୧.୨୭ ପ୍ରତିଶତ, ୩୬.୨୬ ପ୍ରତିଶତ ଓ ୪୨.୪୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି। କୃଷି କ୍ଷେତ୍ରରେ ଯୋଗଦାନ ୬.୫୪ ପ୍ରତିଶତ ସଙ୍କୁଚିତ ହେବାକୁ ଥିବାବେଳେ ପ୍ରାଣୀସମ୍ପଦ ମାଇନସ୍ ୩୨.୯୭ ପ୍ରତିଶତ ରହିବ। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଜିଡିପିକୁ ଶିଳ୍ପ କ୍ଷେତ୍ର ଓ ସେବା କ୍ଷେତ୍ରରେ ଭାଗିଦାରୀରେ ୮.୮୩ ପ୍ରତିଶତ ଓ ୩.୧୮ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। କୋଭିଡ୍‌, ବନ୍ୟା ଓ ବାତ୍ୟା ସହ କେତେକ ସ୍ଥାନରେ ଖରିଫ ଫସଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏଭଳି ସ୍ଥିତି ରହିବ ବୋଲି ୨୦୨୦-୨୧ ଆର୍ଥିକ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ସେହିପରି ଚଳିତ ଆର୍ଥିକ ବର୍ଷ ଶେଷବେଳକୁ ରାଜ୍ୟର ମୋଟ ଋଣ ପରିମାଣ ୧ଲକ୍ଷ ୩୭ହଜାର ୫୪୪କୋଟି ଟଙ୍କା ହେବ ଯାହାକି ମୋଟ ରାଜ୍ୟ ଜିଡିପିର ୨୨.୨ ପ୍ରତିଶତ ବୋଲି ଅର୍ଥନୀତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ