ଚାଷୀଙ୍କ ପାଇଁ ଉନ୍ନତ ଭିତ୍ତିଭୂମି ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଜରୁରୀ: ମୋଦୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ୍ ଫଟୋ)
ନୂଆଦିଲ୍ଲୀ: ଦେଶର ଚାଷୀଙ୍କ ଆର୍ଥିକ ମାନଦଣ୍ଡକୁ ସଶକ୍ତ କରିବା ସକାଶେ ଉନ୍ନତ ମାନର ଭିତ୍ତିଭୂମି ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ଏଥିସକାଶେ ସଂସ୍କାର ଓ ପୁଞ୍ଜି ନିବେଶ ନିହାତି ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିତି ଆୟୋଗର ଷଷ୍ଠ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମୋଦୀ କହିଛନ୍ତି ଯେ ବନସ୍ପତି ତୈଳ ସମେତ ଅନେକ ସାମଗ୍ରୀ ରହିଛି, ଯାହା ଭାରତ ବିଦେଶରୁ ଆମଦାନୀ କରୁଛି। କିନ୍ତୁ ଏହାକୁ ଆମ ଦେଶର ଚାଷୀମାନେ ବ୍ୟାପକ ପରିମାଣର ଉତ୍ପାଦନ କରିପାରିବାର ଦକ୍ଷତା ରଖନ୍ତି। ସମସ୍ତ ପ୍ରକାର ସହଯୋଗ ମିଳିଲେ, ଆଗାମୀ ଦିନରେ ଦେଶର ଚାଷୀମାନେ ମଧ୍ୟ ବନସ୍ପତି ତୈଳ ସମେତ ଅନେକ ସାମଗ୍ରୀ ରପ୍ତାନୀ କରିପାରିବେ। ସେଥିପାଇଁ କୃଷି କ୍ଷେତ୍ରରେ ଆନୁଷଙ୍ଗିକ ସଂସ୍କାର ଅଣାଯିବା ସହ ତାହାକୁ କାର୍ଯ୍ୟକାରୀ କରିବା ସକାଶେ ମୋଟା ଅଙ୍କର ପୁଞ୍ଜି ନିବେଶ ଜରୁରୀ। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଏହାର ଚାଷ କ୍ଷେତ୍ରରେ ଉନ୍ନତି ପାଇଁ ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଚାଷ କ୍ଷେତ୍ର ସହ ଜଡ଼ିତ ଏପରି କିଛି ବାସ୍ତବିକତା ରହିଛି, ଯାହା ଆମକୁ ସ୍ବୀକାର କରିବାକୁ ପଡ଼ିବ। ଆମେ ଏକ କୃଷି ପ୍ରଧାନ ଦେଶ ହୋଇଥିଲେ ହେଁ ବାର୍ଷିକ ୭୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବନସ୍ପତି ତୈଳ ଆମଦାନୀ କରୁଛୁ। ଏହି ଟଙ୍କା ଆମେ ବିଦେଶକୁ ନ ଦେଇ ବରଂ ଦେଶର ଚାଷୀମାନଙ୍କ ଉନ୍ନତି ଦିଗରେ ଖର୍ଚ୍ଚ କରିପାରିବା। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ନୀତି ନିୟମ ଲାଗୁ ହେବା ଜରୁରୀ ବୋଲି ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦାନ କରିବା ଅବସରରେ କହିଛନ୍ତି।

ସେହିପରି ମୋଦୀ ଆହୁରି କହିଛନ୍ତି ଯେ କୃଷି କ୍ଷେତ୍ରରେ ଖାଦ୍ୟଶସ୍ୟ ମହଜୁଦ ରଖିବା ଓ ପ୍ରକ୍ରିୟାକରଣର ବିଶେଷ ଗୁରୁତ୍ବ ରହିଛି। ଏଥିସକାଶେ କୃଷି କ୍ଷେତ୍ରରେ ପୁଞ୍ଜି ନିବେଶ ଅବଶ୍ୟମ୍ଭାବୀ। ଆମ ଦେଶର ଚାଷୀମାନଙ୍କୁ ଅର୍ଥନୈତିକ ସମର୍ଥନ ଆବଶ୍ୟକ। ସେମାନଙ୍କୁ ଉନ୍ନତ ମାନର ଭିତ୍ତିଭୂମି ଯୋଗାଇଦେଲେ, ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗରେ ଚାଷୀମାନେ ନିଜ କ୍ଷେତରେ ସୁନା ଫଳାଇପାରିବେ। ଏଥିସକାଶେ କୃଷି କ୍ଷେତ୍ରରେ ଆବଶ୍ୟକ ସଂସ୍କାର ବି ଜରୁରୀ। ନିକଟରେ କେନ୍ଦ୍ର ସରକାର ଚାଷୀମାନଙ୍କ ଉତ୍ପାଦ ବିକ୍ରିରେ ରହିଥିବା ମଧ୍ୟସ୍ଥି ବ୍ୟବସ୍ଥାରେ ପୂର୍ଣ୍ଣଚ୍ଛେଦ ପକାଇବା ସହ ବିଭିନ୍ନ କ୍ଷେତ୍ରରେ ନିୟମକୁ ମଧ୍ୟ କୋହଳ କରିଛନ୍ତି। ସେହିପରି କୃଷି କ୍ଷେତ୍ରରେ ଲାଗୁ ହେଉଥିବା ନୀତି ନିୟମରେ ହସ୍ତକ୍ଷେପ ସମ୍ଭାବନାକୁ ମଧ୍ୟ ହ୍ରାସ କରାଯାଇଛି। ଏଥିସକାଶେ ପାଖାପାଖି ଦେଢ଼ ହଜାର ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଥିବା ବେଳେ ରାଜ୍ୟଗୁଡ଼ିକ ଦେଶର ଚାଷୀମାନଙ୍କୁ ସବଳ କରିବା ଦିଗରେ ଠୋସ୍ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଶେଷକରି ତଟବର୍ତ୍ତୀ ରାଜ୍ୟଗୁଡ଼ିକରେ ମାଛ ଚାଷୀମାନେ ସହଜରେ ବିଦେଶକୁ ମାଛ ରପ୍ତାନୀ କରିପାରିବେ। ସେମାନଙ୍କୁ ଏ ଦିଗରେ ଆବଶ୍ୟକ ସହାୟତା ଯୋଗାଇଦେବାକୁ ରାଜ୍ୟ ସରକାରମାନଙ୍କୁ ମୋଦୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶକୁ ଆତ୍ମନିର୍ଭର କରାଇବା ଦିଗରେ ଘରୋଇ କ୍ଷେତ୍ରଗୁଡ଼ିକର ପ୍ରମୁଖ ଭୂମିକା ରହିଥିବାରୁ ସେଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବାର ବି ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ