ବଦଳୁଛି କନ୍ଧମାଳରେ ଚାଷ ପରିବେଶ


କନ୍ଧମାଳରେ ଫଳୁଥିବା ବ୍ରୋକୋଲି ଦେଖାଉଛନ୍ତି ଚାଷୀ
ବଣ ଜଙ୍ଗଲଘେରା କନ୍ଧମାଳ ଜିଲାରେ ଜଳସେଚନର ସମସ୍ୟା ଓ ଅସମତଳ ଚାଷଜମି କାରଣରୁ ପନିପରିବା ଭିତ୍ତିକ ଚାଷ ନୈରାଶ୍ୟଜନକ ସ୍ଥିତିରେ ରହିଆସିଛି। ତେବେ ଚାଷ କହିଲେ କେତେକ ଲୋକ ଜିଲାରେ ହେଉଥିବା ସବୁଜ ଜହର ବା ଗଞ୍ଜେଇ ଚାଷ ଆଡ଼କୁ ଆଙ୍ଗୁଳି ଦେଖାନ୍ତି। ବ୍ୟାପକ ଅଞ୍ଚଳରେ ହେଉଥିବା ଗଞ୍ଜେଇ ଚାଷକୁ ନେଇ ଜିଲାର ଅପଖ୍ୟାତି ରହିଥିବା ବେଳେ ଏବେ ଜିଲାର କେତେକ ଅଞ୍ଚଳରେ ପନିପରିବା ଚାଷ କରି କେତେକ ପ୍ରଗତିଶୀଳ ଚାଷୀ ବେଶ ସଫଳ ହୋଇଛନ୍ତି। ଧୀରେ ଧୀରେ କନ୍ଧମାଳର କୃଷି ଅଭ୍ୟାସରେ ଯୋଡ଼ି ହେବାରେ ଲାଗିଛି ନୂଆ ନୂଆ ଚାଷ।

ମୁଣ୍ଡିଗଡ଼ରେ କଦଳୀ ଚାଷ
ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ନୂଆସାହିରେ ୨୨ ପରିବାର ମିଳିତ ଭାବେ ଗାଁ ପଛପଟ ଦେଇ ପ୍ରବାହିତ ନଦୀକୂଳରେ କଦଳୀ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ପ୍ରତ୍ୟେକ ଚାଷୀ ୧ ଏକର ଜମିରେ ଉନ୍ନତ ମେହରବାନ ପ୍ରଜାତିର କଦଳୀ ଚାଷ କରି ବର୍ଷକ ଭିତରେ ଲକ୍ଷାଧିକ ଟଙ୍କା ଆୟ କରିଛନ୍ତି। ସେହିପରି ଫୁଲବାଣୀ ବୁଡ଼ାଦାନି ଗାଁର ଆଇଆଇଟି ଛାତ୍ର ପ୍ରକାଶ ଦେହୁରୀ କଦଳୀ ଚାଷ କରି ଅନ୍ୟମାନଙ୍କ ନିକଟରେ ପ୍ରେରଣାର ଉତ୍ସ ପାଲଟିଛନ୍ତି। ପ୍ରକାଶ ନିଜର ଅଢେଇ ଏକର ଜମିରେ ୩୪୦୦ କଦଳୀ ଚାରା ଲଗାଇ ଏବେ ୫୦ ହଜାର ଟଙ୍କାର କଦଳୀ ବିକ୍ରି କରିସାରିଛନ୍ତି। ସବୁ ଗଛରେ କାନ୍ଧି ଧରିଛି। ସବୁ କଦଳୀ ଅମଳ ହେଲେ ପ୍ରକାଶ ୬ ଲକ୍ଷ ଟଙ୍କାର ଅତିରିକ୍ତ ଆୟ ପାଇବେ। ଉଦ୍ୟାନ କୃଷି ଉପଅନିର୍ଦେଶକ ମନୋଜ କୁମାର ଦାସ କହନ୍ତି, ସମନ୍ୱିତ ଉଦ୍ୟାନ ବିକାଶ ମିଶନ ଜରିଆରେ ପ୍ରକାଶଙ୍କ କଦଳୀ ଚାଷ ପାଇଁ ୪୦ ପ୍ରତିଶତ ରିଆତି ଦିଆଯାଇଛି। ଜିଲାରୁ ଏ ଦିଗରେ ଆଗ୍ରହ ସୃଷ୍ଟି କରାଗଲେ ଫୁଲବାଣୀ ଉଦ୍ୟାନ ଓ ମସଲା ଯୁକ୍ତ ଶସ୍ୟ ଅମଳର ପେଣ୍ଠସ୍ଥଳ ହୋଇରହିବ।

ବ୍ରୋକୋଲି ଜରିଆରେ ବଡ଼ ଆଶା ଦେଖୁଛି କନ୍ଧମାଳ
ଫୁଲବାଣୀ ଜିଲା ସଦର ବ୍ଲକ କଟ୍ରିଙ୍ଗିଆ ଗ୍ରାମ ପଞ୍ଚାୟତର କାଲିମୁଣ୍ଡା ଗାଁର ଆଦିବାସୀ ମହିଳା ଓ ପୁରୁଷମାନେ ବ୍ରୋକଲି ଚାଷ କରି ଅନ୍ୟମାନଙ୍କ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ବ୍ରୋକଲି ଚାଷ କରି କାଲିମୁଣ୍ଡା ଗାଁର ଆଦିବାସୀମାନେ ଆର୍ଥିକ ସ୍ତରରେ ବେଶ୍‌ ସ୍ବାବଲମ୍ବୀ ହେବା ସହିତ ଓଡ଼ିଶାର ବିଭିନ୍ନ ସ୍ଥାନକୁ ପଠାଇ ପାରୁଛନ୍ତି। ଫୁଲବାଣୀର ବ୍ରୋକଲିର ଚାହିଦା ଭୁବନେଶ୍ବର, ବ୍ରହ୍ମପୁର ସମେତ ସମ୍ବଲପୁର, ବଲାଙ୍ଗୀର, ନୟାଗଡ଼, ରାୟଗଡ଼ା ଭଳି ସ୍ଥାନରେ ଆକାଶଛୁଆଁ ରହିଛି। ବ୍ରହ୍ମପୁର ଓ ଭୁବନେଶ୍ବର ବଜାରରେ ଫୁଲବାଣୀ ବ୍ରୋକଲିର ଅଧିକ ଭାଉ ରହିଛି। ଫୁଲବାଣୀ ସଦର ବ୍ଲକର କାଲିମୁଣ୍ଡା ଗାଁର ୬ ଜଣ ଆଦିବାସୀ ଚାଷୀ ପ୍ରଥମେ ପରୀକ୍ଷାମୂଳକ ଭାବେ ବ୍ରୋକଲି ଚାଷ ଆରମ୍ଭ କରିଥିଲେ। ଫୁଲବାଣୀ ଆଇଟିଡିଏର ଜୀବିକା ମିଶନ ସେମାନଙ୍କୁ ମଞ୍ଜି, ସାର ଓ ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଯୋଗାଇ ଦେଇଥିଲା। ଏହି ୬ ପରିବାରର ଉଭୟ ମହିଳା ଓ ପୁରୁଷ ସଦସ୍ୟମାନେ ୫ ଏକର ଜମିରେ ବ୍ରୋକଲି ଚାଷ କରିଛନ୍ତି। ଏତେ ପରିମାଣରେ ଫଳ ଫଳିବ ବୋଲି ପ୍ରଥମେ ପ୍ରଥମେ ତାଙ୍କର ବିଶ୍ବାସ ହେଉ ନ ଥିଲା। କିନ୍ତୁ ଚଳିତବର୍ଷର ଫଳ ଦେଖିବା ପରେ ବ୍ରୋକଲି ଚାଷ ଲାଭଦାୟକ ହୋଇପାରିଛି ବୋଲି କାଲିମୁଣ୍ଡା ଗାଁର କନ୍ଧ ସମ୍ପ୍ରଦାୟର ମହିଳା ଚାଷୀ ଶୁଆ କହଁର ଓ ତାରାବତୀ ଦେହୁରୀ କହନ୍ତି। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଆଜି ସେମାନେ ବେଶ୍‌ ଭଳ ଦି’ ପଇସା ରୋଜଗାର କରିବାକୁ ସମର୍ଥ ହୋଇପାରିଛନ୍ତି ବୋଲି ସକିଲା କହଁର କହିଛନ୍ତି। ଏହା ପୂର୍ବରୁ ଏହି ଗାଁର ଆଦିବାସୀମାନେ ଚା‌ଷବାସ ନ କରି ଜଙ୍ଗଲ ଉପରେ ନିର୍ଭର କରୁଥିଲେ। ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରୁଥିଲେ। ତେବେ ବ୍ରୋକଲି ଚାଷ ଯୋଗୁଁ ସେମାନେ ଆଜି ଆର୍ଥିକ ସ୍ତରରେ ସ୍ବାବଲମ୍ବୀ ହୋଇପାରିଛନ୍ତି। ବ୍ରୋକଲି କିଲୋ ପିଛା ୪୦ରୁ ୪୫ ଟଙ୍କା ଦରରେ ବିକ୍ରି କରୁଛନ୍ତି ଏବଂ କାଲିମୁଣ୍ଡା ବ୍ରୋକଲିର ବଡ଼ ଚାହିଦା ରହିଛି ବୋଲି କହନ୍ତି ଅନ୍ୟଜଣେ ଚାଷୀ ସକିଲା କହଁର। ତେବେ କାଲିମୁଣ୍ଡା ଗାଁରେ ସଫଳ ବ୍ରୋକଲି ଚାଷ ଦେଖିବା ପରେ ପାଖ ଗାଁ ଜାରିକିପଡ଼ା, ପଶୁପଦର, ଝାମ୍ପି ଗ୍ରାମର ମୋଟ ୫୨ ପରିବାର ମୋଟ ୧୦ ହେକ୍ଟର ଜମିରେ ବ୍ରୋକଲି ଚାଷ କରିଛନ୍ତି। ଏବର୍ଷ ଏହି ୪ଟି ଗାଁରୁ ମୋଟ ୩୦ କ୍ବିଣ୍ଟାଲ ବ୍ରୋକଲି ଉତ୍ପାଦନ ‌ହୋଇଛି। ଏବେ ବି ଫସଲ କ୍ଷେତରେ ଅଛି। ଆଉ ୩୦ କ୍ବିଣ୍ଟାଲ ପାଖାପାଖି ଅମଳ ହେବାର ଅଛି ବୋଲି ଝାମ୍ପି ଗ୍ରାମର ଚାଷୀ ଶୁକ୍ଳା କହଁର କହିଛନ୍ତି।

ପ୍ରକୃତରେ ବ୍ରୋକଲି ଚାଷ ସେମାନଙ୍କୁ ନୂଆ ଜୀବନ ଦେଇଛି ବୋଲି କହନ୍ତି ପଶୁପଦର ଗ୍ରାମର ଅନ୍ୟଜଣେ ଚାଷୀ ଶାରଦା ପ୍ରଧାନ। ଏହି ୪ଟି ଗ୍ରାମର ବ୍ରୋକଲି ଚାଷର ସଫଳତା ଦେଖିବା ପରେ ପାଖାପାଖି ଗାଁର ଆଦିବାସୀମାନେ ଏହି ଚାଷ ପ୍ରତି ମନ ବଳାଇଛନ୍ତି। ଆସନ୍ତାବର୍ଷଠାରୁ ଫୁଲବାଣୀ ସଦର ବ୍ଲକର ମିଣିଆ, କଟ୍ରିଙ୍ଗିଆ, ଦଳପଡ଼ା ପଞ୍ଚାୟତର ଅନ୍ୟ ଗାଁର ଆଦିବାସୀମାନେ ବ୍ରୋକଲି ଚାଷୀ କରିବାକୁ ଲକ୍ଷ୍ୟରଖିଛନ୍ତି। ଏହି ଗାଁର ଆଦିବାସୀଙ୍କୁ ବ୍ରୋକଲି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଜୀବିକା ମିସନର ପି. ମୁରଲୀ ମୋହନ, ବୈଦ୍ୟନାଥ ଖଟୁଆ ଏବଂ ଶୁଭଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଏକ ପ୍ରଶିକ୍ଷକ ଟିମ୍‌ କଟ୍ରିଙ୍ଗିଆରେ ପହଞ୍ଚିଥିଲା। ଆସନ୍ତାବର୍ଷଠାରୁ ଏହି ଅଞ୍ଚଳରେ ଅଧିକ ପରିମାଣରେ ବ୍ରୋକଲି ଉତ୍ପାଦନ କରିବାକୁ ଲକ୍ଷ୍ୟରଖାଯାଇଛି ବୋଲି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଶ୍ରୀ ଦାସ ସୂଚନା‌ ଦେଇଛନ୍ତି।

ଆଦିବାସୀ ମହିଳା ଚାଷୀ ଫଳାଉଛନ୍ତି ସୁନା
ଫୁଲବାଣୀ ସଦର ବ୍ଲକ୍ ଅନ୍ତର୍ଗତ ଶେଷାକେରା ଓ ବୁଢ଼ାଦାନି ଭଳି ଗାଁରୁ ମୋଟ ୧୪୦ ଜଣ ଆଦିବାସୀ ମହିଳା ଚାଷୀ ଜିଲାର ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୧୭ ମସିହାରୁ ଏହିସବୁ ଗାଁରୁ ମୋଟ ୧୪୦ ଜଣ ଆଦିବାସୀ ମହିଳା ଜଙ୍ଗଲ ବୁଲା ଛାଡ଼ି ଏକ କୃଷିଜାତ ଉତ୍ପାଦ ଗୋଷ୍ଠୀ ଗଠନ କରିଥିଲେ। ଏ କ୍ଷେତ୍ରରେ ଫୁଲବାଣୀ ଆଇଟିଡିଏ ‌ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲା। ଏହି ୧୪୦ ଜଣ ଆଦିବାସୀ ମହିଳା ଚାଷ କରିବା ପାଇଁ ଶପଥ ନେଲେ। ପ୍ରଥମେ ସେମାନେ ବାଇଗଣ, ଟମାଟର, କଞ୍ଚାଲଙ୍କା, ଶାଗ, କୋବି, ପିଆଜ ଭଳି ପନିପରିବା ଚାଷ ଆରମ୍ଭ କଲେ। ପ୍ରଥମବର୍ଷ ଫସଲ ଭଲ ଅମଳ ହେବାରୁ ସେମାନଙ୍କ ହାତକୁ ଭଲ ଦିପଇସା ଆସିଲା। ପରବର୍ଷ ସେମାନେ ବିନ୍‌ସ ଓ ଗ୍ରୀନ ‌ମଟର ଭଳି ପନିପରିବା ଚାଷ ଆରମ୍ଭ କଲେ। ସେବର୍ଷ ସଫଳତା ହାସଲ କରିବା ପରେ ଗତବର୍ଷ ଠାରୁ ସେମାନେ ବ୍ରୋକଲି ଓ ଗାଜର ନୂଆକରି ଚାଷ କରିଛନ୍ତି। ଏହି ଦୁଇଟି ଫସଲରୁ ମଧ୍ୟ ସେମାନଙ୍କୁ ଭଲ ଲାଭ ମିଳିଛି ବୋଲି କହନ୍ତି ବୁଢ଼ାଦାନି ଗାଁର ଆଦିବାସୀ ମହିଳା ଚାଷୀ ଉମା ବେହେରା। ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଜୀବିକା ମିସନ ଜରିଆରେ ସେମାନଙ୍କୁ ଏସବୁ ବିହନ ଏବଂ ଜ୍ଞାନକୌଶଳ ‌ଯୋଗାଇ ଦିଆଗଲା। ଚଳିତବର୍ଷ ଏହି ୧୪୦ ଜଣ ଆଦିବାସୀ ମହିଳା ଚାଷୀ ଇଣ୍ଟର କ୍ରପିଂ (ମିଶ୍ର କୃଷି) ଜରିଆରେ ଏକ ସଙ୍ଗରେ ପାଞ୍ଚ ପ୍ରକାର ପନିପରିବା ଅମଳ କରିବାରେ ସଫଳ ହୋଇଛନ୍ତି। ଚଳିତବର୍ଷ ପାଖାପାଖି ୫୦ ଏକର ଜମିରେ ଏକ ସଙ୍ଗରେ ବିନ୍‌ସ, ବ୍ରୋକଲି, ଗାଜର, ପିଆଜ ଏବଂ ଶାଗ ଭଳି ପରିବା ଅମଳ ହୋଇପାରିଛି ବୋଲି ଅନ୍ୟ ଜଣେ ଆଦିବାସୀ ମହିଳା ଚାଷୀ ହେମାମାଳିନୀ ଦେହୁରୀ କହନ୍ତି।

ବଢ଼ୁଛି ଟିକି ଗୁଳି ଆଳୁର ଚାହିଦା
କନ୍ଧମାଳ ଜିଲାରେ ଟିକି ଗୁଳି ଆଳୁର ଚାହିଦା ଏବେ ବଢ଼ିଛି। ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କୌଣସି ରାସାୟନିକ ସାର ପ୍ରୟୋଗ କରାଯାଉ ନ ଥିବା କାରଣରୁ ଏହି ଆଳୁର ସ୍ୱାଦ ନିଆରା ଏବଂ ଏହା ବହୁ ଦିନ ସଂରକ୍ଷିତ ରହିପାରେ। ଡିସେମ୍ବର ମାସରେ ଜିଲାର ଘୁ.ଉଦୟଗିରି, ଟିକାବାଲି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ଅଞ୍ଚଳରେ ଏହି ଆଳୁ ଉତ୍ପାଦିତ ହୋଇଥାଏ। ଏବେ କନ୍ଧମାଳ ଜିଲାର ବରକୋଳି ଆକାର ଓ ଏହାଠାରୁ ଆଉ ଟିକେ ବଡ଼ ଆକାରର ଲାଲ ଗୁଳି ଆଳୁ ରାଜଧାନୀ ବଜାରରେ କେଜି ପ୍ରତି ୩୦ରୁ ୪୦ ଟଙ୍କା ଦରରେ ବିକ୍ରି ହେଉଛି। ଏହି ଆଳୁର ଦର ସାଧାରଣ ଆଳୁ ଦର ଠାରୁ ଢେର ଅଧିକ ଦର ଥିବା ସତ୍ତ୍ୱେ ଲୋକେ ପସନ୍ଦ କରୁଛନ୍ତି। ପଶ୍ଚିମବଙ୍ଗ ଆଳୁ ଅପେକ୍ଷା ବହୁ ଗୁଣରେ ଭଲ କନ୍ଧମାଳ ଛୋଟ ଗୁଳି ଆଳୁ। ଯାହାକି ସ୍ଥାନୀୟ ଅଞ୍ଚଳରେ ଟିକାବାଲି ଆଳୁ ଭାବେ ବେଶ ପରିଚିତ। ଏହି ଆଳୁର ଚାହିଦାକୁ ଆଖି ଆଗରେ ରଖି ଜିଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏହିକ୍ରମେ ରାଜ୍ୟର ବିଭିନ୍ନ ବଡ଼ ବଡ଼ ସହରରେ ଅନୁଷ୍ଠିତ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ମାନଙ୍କରେ ସ୍ଥାନୀୟ ମହିଳା ଚାଷୀଙ୍କୁ ଏହି ଆଳୁ ବିକ୍ରି କରିବା ନିମନ୍ତେ ସୁଯୋଗ ପ୍ରଦାନ କରାଯାଉଛି। ଚାଷ ପ୍ରତି ଆଗ୍ରହ ସୃଷ୍ଟି ହେଲେ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହୋଇପାରିବା ଆଶାରେ ଏହି ପଦକ୍ଷେପ ନିଆଯାଇଛି।

ମହକିତ କନ୍ଧମାଳର ଜୈବିକ ହଳଦୀ
ନିଜର ଅପୂର୍ବ ଔଷଧୀୟ ଗୁଣ, ଆକର୍ଷଣୀୟ ରଙ୍ଗ, ଅତୁଳନୀୟ ସ୍ୱାଦ ତଥା ଉତ୍କୃଷ୍ଟତା ପାଇଁ କନ୍ଧମାଳ ହଳଦୀ ଏକ ବ୍ରାଣ୍ଡେଡ ଉତ୍ପାଦରେ ପରିଗଣିତ ହୋଇଛି। ଉଦୟଗିରି, ରାଇକିଆ, ଦାରିଙ୍ଗିବାଡ଼ି, ବ୍ରାହ୍ମଣୀ ଗାଁ, ବାଲିଗୁଡା ଅଞ୍ଚଳରେ ବ୍ୟାପକ ଜମିରେ ହଳଦୀ ଚାଷ କରାଯାଏ। କନ୍ଧମାଳ ହଳଦୀକୁ ନେଇ ଜିଲାରେ ଏକ ବଡ଼ ଅର୍ଥନୀତି ଦେଖିବାକୁ ମିଳେ। ତେବେ ଏହି ଚାଷ ଏବେ ବି ପାରମ୍ପରିକ ଢଙ୍ଗରେ ହେଉଥିବାରୁ ଚାଷୀ ଅପେକ୍ଷା ବ୍ୟବସାୟୀ ମାନେ ଏଥିରୁ ମାଲାମାଲ ହୋଇଥାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ