ଅଷ୍ଟ୍ରେଲିଆନ୍ ଓପନ୍: ଜୋକୋଭିଚ୍-ମେଡଭେଡେଭ୍ ପୁରୁଷ ସିଙ୍ଗଲ୍ସ ଫାଇନାଲ୍


ସେମିଫାଇନାଲରେ ବିଜୟୀ ହେବା ସହ ପ୍ରତିଦ୍ବନ୍ଦ୍ବୀ ସିଟସିପାସ୍‌ (ବାମ)ଙ୍କ ସହ ମେଡଭେଡେଭ୍
ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସ ବର୍ଗରେ ଫାଇନାଲ୍ ଲାଇନଅପ୍ ଶୁକ୍ରବାର ଚୂଡ଼ାନ୍ତ ହୋଇଛି। ଗୁରୁବାର ପ୍ରଥମ ସେମିଫାଇନାଲ୍ ଖେଳାଯାଇଥିବା ବେଳେ ଏଥିରେ ବିଶ୍ବର ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍‌ ରୁଷିଆର ଯୁବ ଖେଳାଳି ଅସଲାନ୍ କାରାତସେଭ୍‌ଙ୍କୁ ପରାସ୍ତ କରି ପ୍ରଥମ ଖେଳାଳି ଭାବେ ଫାଇନାଲରେ ପହଞ୍ଚିଥିଲେ। ସେହିପରି ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍ ଶେଷ ହେବା ପରେ ଜୋକୋଭିଚଙ୍କୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ମିଳିଯାଇଛନ୍ତି। ଅର୍ଥାତ୍ ଫାଇନାଲରେ ଜୋନୋଭିଚ୍‌ଙ୍କ ଲଢ଼େଇ ଅନ୍ୟତମ ରୁଷୀୟ ଖେଳାଳି ତଥା ଏଟିପି ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ଥିବା ଡାନିଲ୍ ମେଡଭେଡେଭ୍‌ଙ୍କ ସହ ହେବ। ମେଡଭେଡେଭ୍ ସେମିଫାଇନାଲ୍ ମୁକାବିଲାରେ ଗ୍ରୀସର ପଞ୍ଚମ ସିଡ୍ ଖେଳାଳି ଷ୍ଟେଫାନୋସ୍ ସିଟସିପାସଙ୍କୁ ୬-୪, ୬-୨, ୭-୫ ସେଟରେ ପରାସ୍ତ କରିଛନ୍ତି। ଏଥିସହ ସେ ନିଜ କ୍ୟାରିୟରରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ପ୍ରବେଶ କରିପାରିଛନ୍ତି। ତା’ଛଡ଼ା ଏହି ସଫଳତା ପାଇବାରେ ସେ ରୁଷିଆର ୩ୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ରୁଷିଆର ୟେଭଗେନି କାଫେଲନିକୋଭ୍ ଓ ମାରାତ୍ ସାଫିନ୍‌ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ।

ଅନ୍ୟପକ୍ଷରେ ଜୋକୋଭିଚ୍ ଏଠାରେ ରବିବାର ତାଙ୍କର ନବମ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍ ପାଇଁ ମେଡଭେଡେଭ୍‌ଙ୍କ ସହ ଲଢ଼ିବେ। ସେହିପରି ଶୁକ୍ରବାରର ସେମିଫାଇନାଲ୍ ମୁକାବିଲା ଦେଖିବା ସକାଶେ ଷ୍ଟାଣ୍ଡରେ ୭ ହଜାରରୁ ଊର୍ଦ୍ଧ୍ବ ଦର୍ଶକ ଉପସ୍ଥିତ ଥିବା ବେଳେ ସିଟସିପାସଙ୍କ ବିପକ୍ଷରେ ବିଜୟ ଲାଭ କରିବା ପରେ ମେଡଭେଡେଭ୍ କ୍ରମାଗତ ୨୦ଟି ମ୍ୟାଚରେ ଅପରାଜେୟ ରହିଛନ୍ତି। ଫାଇନାଲରେ ସେ ତାଙ୍କର ଏହି ଧାରା ବଜାୟ ରଖି ଟାଇଟଲ୍ ହାସଲ କରିବେ ବୋଲି ମଧ୍ୟ ଦୃଢ଼ ଆଶା ରଖିଛନ୍ତି। ଗତ ୪ଟି ମୁକାବିଲା ମଧ୍ୟରୁ ମେଡଭେଡେଭ୍ ୧୭ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଜିତିସାରିଥିବା ଜେକୋଭିଚ୍‌ଙ୍କ ବିପକ୍ଷରେ ବିଜୟୀ ହୋଇଥିବାରୁ ସେ ଏପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅବଶ୍ୟ ଗତ ନଭେମ୍ବରରୁ ସେ ଜାରି ରଖିଥିବା ଅପରାଜେୟ ଧାରା ଜୋକୋଭିଚଙ୍କ ବିପକ୍ଷରେ ଜାରି ରଖିବା ଯଥେଷ୍ଟ କଷ୍ଟକର ବ୍ୟାପାର ହେବ ବୋଲି ମଧ୍ୟ ମେଡଭେଡେଭ୍ ସ୍ବୀକାର କରିଛନ୍ତି। ସେହିପରି ସେମିଫାଇନାଲ୍ ପରି ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାର ୩ୟ ସେଟରେ ସେ ସାମାନ୍ୟ ଚାପ ଅନୁଭବ କରିଥିଲେ। କିନ୍ତୁ ଶେଷରେ ଏହି ଚାପକୁ ଅତିକ୍ରମ କରି ବିଜୟ ହାସଲ କରିବା ପରେ ସେ ବେଶ୍ ଖୁସି ଅନୁଭବ କରୁଥିବା ମେଡଭେଡେଭ୍ କହିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଗୁରୁବାର ମହିଳା ସିଙ୍ଗଲ୍ସର ଉଭୟ ସେମିଫାଇନାଲ୍ ଖେଳାଯାଇଥିବା ବେଳେ ସେଥିରେ ଆମେରିକାର ୨୨ତମ ସିଡେଡ୍ ଖେଳାଳି ଜେନିଫର୍ ବ୍ରାଡି ଓ ଜାପାନର ୩ୟ ସିଡେଡ୍ ନାଓମି ଓସାକା ବିଜୟୀ ହୋଇ ଶନିବାରର ଫାଇନାଲ୍ ମୁକାବିଲା ଖେଳିବାକୁ ଯୋଗ୍ୟତା ପାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ