ସ୍ବତନ୍ତ୍ର ପ୍ରସଙ୍ଗ
ଓଡ଼ିଆଙ୍କ ପାଇଁ ଆଉ ଅପହଞ୍ଚ ନୁହେଁ ଓସ୍କାର
ଏଥର ଦୌଡ଼ରେ ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’

ନୀଳମାଧବ ପଣ୍ଡାଙ୍କ ଫିଲ୍ମ ପୋଷ୍ଟର୍ର କୋଲାଜ
ମଣିଷ ନିଜ ଆଶା ଓ ଆକାଂକ୍ଷାର ସେତୁବନ୍ଧ ବାନ୍ଧିବାକୁ ସମୟର ହାତ ଧରିଥାଏ। ଆଉ ପରିସ୍ଥିତି ସହ ଖାପ ଖୁଆଇ ମଣିଷ ତା’ର ସ୍ବପ୍ନକୁ ସାକାର କରିଥାଏ। ସେହିଭଳି ନିଜର ଅଦମ୍ୟ ଚେଷ୍ଟା ଓ ବିଶ୍ବାସକୁ ପାଥେୟ କରି ଦୁନିଆକୁ ମଧ୍ୟ ଜିଣିଥାଏ। ବାସ୍ତବ ଜୀବନରେ ଏଭଳି ସ୍ବପ୍ନକୁ ସତରେ ସାକାର କରିଛନ୍ତି ଦୁଇ ପ୍ରତିଭାବାନ ଓଡ଼ିଆ ସିନେ ନିର୍ମାତା। ଦିନଥିଲା ବିଶ୍ବର ସବୁଠାରୁ ସମ୍ମାନ ଜନକ ଚଳଚ୍ଚିତ୍ର ପୁରସ୍କାର ‘ଓସ୍କାର’ରେ ଏଣ୍ଟ୍ରି ଓଡ଼ିଆଙ୍କ ପାଇଁ ସ୍ବପ୍ନ। ଐତିହ୍ୟ, ସଂସ୍କୃତି ଓ ପରାମ୍ପରାରେ ସମୃଦ୍ଧ ଓଡ଼ିଶାର ବହୁ ସୃଜନଶୀଳ ଓ ପ୍ରତିଭାସମ୍ପନ୍ନ ସିନେ ନିର୍ମାତା ଓ ନିର୍ଦେଶକ ଥିଲେ ହେଁ ଓସ୍କାର ଏରୁଣ୍ଡି ମାଡ଼ି ପାରୁ ନ ଥିଲେ। ହେଲେ ସମୟର ତାଳେ ତାଳେ ବହୁ କିଛି ପରିବର୍ତ୍ତନ ହୋଇଛି। ସିନେ ନିର୍ମାତା ଓ ଫିଲ୍ମ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ପରେ ଏବେ ଓସ୍କାର ଦୌଡ଼ରେ ରହିଛନ୍ତି ବହୁ ଜାତୀୟ ଓ ଅର୍ନ୍ତଜାତୀୟ ପୁରସ୍କାର ବିଜେତା ଏବଂ ପ୍ରସିଦ୍ଧ ହିନ୍ଦୀ ଫିଲ୍ମ ‘ଆଇ ଆମ୍ କଲାମ’ର ନିର୍ଦେଶକ ପଦ୍ମଶ୍ରୀ ନୀଳମାଧବ ପଣ୍ଡା। ଏଥର ଓସ୍କାରର ଏକାଧିକ ବିଭାଗରେ ପୁରସ୍କାର ଦୌଡ଼ରେ ରହିଛି ନୀଳମାଧବଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’। ନିଜର ଭିନ୍ନ କାହାଣୀ ଓ ନିର୍ଦେଶନା ଶୈଳୀ ପାଇଁ ସମଗ୍ର ବିଶ୍ବରେ ଲୋକପ୍ରିୟ ହେବା ସହ ନିଜ ରାଜ୍ୟ ଓଡ଼ିଶାକୁ ସମଗ୍ର ବିଶ୍ବରେ ପରିଚିତ କରାଇପାରିଛନ୍ତି ନୀଳମାଧବ। ୭୦ରୁ ଉର୍ଦ୍ଧ୍ବ କ୍ଷୁଦ୍ର, ପ୍ରାମାଣିକ ଓ ଫିଚର ଫିଲ୍ମର ନିର୍ଦେଶନା ଦେଇସାରିଥିବା ନୀଳମାଧବ ଜଳବାୟୁ ପରିବର୍ତ୍ତନ, ଶିଶୁ ଶ୍ରମିକ, ଶିକ୍ଷା, ଜଳସଙ୍କଟ ଆଦି ଗୁରୁତ୍ବପୂର୍ଣ୍ଣ ସାମାଜିକ ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାରେ ପ୍ରବୀଣ।
ଓସ୍କାର ଦୌଡ଼ରେ ‘କାଲିର ଅତୀତ’
ଏଥର ସମ୍ମାନଜନକ ଓସ୍କାର ଚଳଚ୍ଚିତ୍ର ପୁରସ୍କାର ଦୌଡ଼ରେ ସାମିଲ୍ ହୋଇଛି ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’। ଏହା ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ଶ୍ରେଷ୍ଠ ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦେଶକ ଆଦି ଆହୁରି ଅନେକ କ୍ୟାଟିଗୋରୀ ପାଇଁ ଏହା ମନୋନୀତ ହୋଇଛି। ଏହା ପୂର୍ବରୁ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ (ଇଫି)ର ୫୧ତମ ସଂସ୍କରଣର ଭାରତୀୟ ପାନୋରାମା ବିଭାଗରେ ପ୍ରଦର୍ଶିତ ହେବା ଲାଗି ମନୋନୀତ ୨୩ଟି ଫିଚର ଫିଲ୍ମ ମଧ୍ୟରେ ସ୍ଥାନ ପାଇଥିଲା ‘କାଲିର ଅତୀତ’। ଏହି ସିନେମାର କାହାଣୀରେ ମୁଖ୍ୟ ନାୟକ ‘ଗୁନୁ’ ନିଜର ପୁରୁଣା ଜୀବନକୁ ଫେରୁଛି। ତା’ର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡ଼ି ଯାଇଥିବା ଗୋଟିଏ ଗାଁ ଓ ୧୯୯୯ ମହାବାତ୍ୟାରେ ଉଜୁଡ଼ି ଯାଇଥିବା ପରିବାର। ଗୋଟିଏ ବାତ୍ୟାରୁ ଅତୀତର ଆଉ ଗୋଟେ ବାତ୍ୟାର ସ୍ମୃତିକୁ ଫେରିବାର ଏକ ଚମତ୍କାର କାହାଣୀକୁ ନେଇ ଏହି ସିନେମାଟି ଗତିଶୀଳ। ‘ଗୁନୁ’ ସହିତ ସମୁଦ୍ର, ଛତିଥରା ସ୍ମୃତି ଓ ମୃତ୍ୟୁର କରାଳକାୟା ଏକ ବିସ୍ତୃତ କୋଲାଜ ପ୍ରସ୍ତୁତ କରିଛନ୍ତି ନୀଳମାଧବ ପଣ୍ଡା। ସମୁଦ୍ର ଗର୍ଭରେ କ୍ରମେ ହଜି ଯାଉଥିବା ସାତଭାୟା ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି। ଓଡ଼ିଶାର ଜନଜୀବନରେ ପ୍ରକୃତି ସହିତ ସଙ୍ଘର୍ଷ ଏକ ନିତିଦିନିଆ କଥା। ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡ଼ିଆ ଜାତି ନିଜର ଅସ୍ତିତ୍ୱ ବଜାୟ ରଖିଛି। ଫିଲ୍ମରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଓଡ଼ିଆ ମାଳିକା ପରମ୍ପରା ସହିତ ଆଜିର ସାମାଜିକ ଜୀବନକୁ ଯୋଡ଼ି ନୀଳମାଧବ ଚମତ୍କାର ଢଙ୍ଗରେ ଫିଲ୍ମ କାହାଣୀର ଅବତାରଣା କରିଛନ୍ତି। ୨୦୦୫ ମସିହାରୁ ପ୍ରାୟ ୧୫ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଏହି ସିନେମା ନିର୍ମିତ ହୋଇଛି। ‘କାଲିର ଅତୀତ’ ହେଉଛି ଅତୀତର ଦର୍ପଣରେ ମଣିଷ ସମାଜର ଭବିଷ୍ୟତ କାହାଣୀ ବୋଲି ଫିଲ୍ମ ବିଷୟରେ ସୂଚନା ଦେଇ ନୀଳମାଧବ କହିଛନ୍ତି।
ଓସ୍କାର ଦୌଡ଼ରେ ଥିଲା ଆଉ ଜଣେ ଓଡ଼ିଆଙ୍କ ଫିଲ୍ମ
ଓଡ଼ିଆ ଫିଲ୍ମ ପ୍ରଯୋଜକ ତଥା ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ଦ୍ବାରା ୨୦୧୯ରେ ପ୍ରଯୋଜିତ ତଥା ସେଲିବ୍ରିଟି ସେଫ୍ରୁ ଫିଲ୍ମ ନିର୍ମାତା-ନିର୍ଦେଶକ ପାଲଟିଥିବା ବିକାଶ ଖାନ୍ନାଙ୍କ ଡେବ୍ୟୁ ଫିଲ୍ମ ‘ଦ ଲାଷ୍ଟ କଲର’ ଓସ୍କାର ରେସ୍ରେ ସାମିଲ୍ ହୋଇଥିଲା। ଓସ୍କାର ପାଇଁ ଯୋଗ୍ୟ ବିବେଚିତ ୩୪୪ଟି ଫିଚର ଫିଲ୍ମ ମଧ୍ୟରେ ଏହି ଫିଲ୍ମ ସ୍ଥାନ ପାଇଥିଲା। ଶ୍ରେଷ୍ଠ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲା ଏହି ଫିଲ୍ମ। ଫିଲ୍ମଟି ଦେଶ ବିଦେଶରେ ୫୦ରୁ ଅଧିକ ଫେଷ୍ଟିଭାଲ୍ରେ ସାମିଲ୍ ହେବା ସହ ୧୫ଟି ପୁରସ୍କାର ମଧ୍ୟ ପାଇଛି। ଫିଲ୍ମ ‘ଦ ଲାଷ୍ଟ କଲର’ର କାହାଣୀ ବୃନ୍ଦାବନ ଓ ବାରାଣସୀରେ ରହୁଥିବା ବିଧବା ମହିଳାଙ୍କ ଜୀବନ ଉପରେ ଆଧାରିତ। ମହିଳାମାନଙ୍କ କ୍ଷେତ୍ରରେ ରହିଥିବା ବିଭିନ୍ନ କୁପ୍ରଥା ଏବଂ ସାମାଜିକ ପ୍ରତିବନ୍ଧକ ବିରୋଧରେ ଲଢ଼େଇ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏହି ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଜିତେନ୍ଦ୍ର କହିଥିଲେ। ଏହି ଫିଲ୍ମରେ ଅଭିନେତ୍ରୀ ନୀନା ଗୁପ୍ତା ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଜିତେନ୍ଦ୍ର ‘ଆଇ ଆମ୍ କଲାମ୍’ର ପ୍ରଯୋଜନା ଦାୟିତ୍ବ ମଧ୍ୟ ସମ୍ଭାଳିଥିଲେ। ସେ ନୀଳମାଧବଙ୍କ ‘ହଲ୍କା’, ଅନେକ ପ୍ରାମାଣିକ ଓ କ୍ଷୁଦ୍ର ଫିଲ୍ମ ସହିତ ମଧ୍ୟ ଜଡ଼ିତ ଅଛନ୍ତି। ଅଧୁନା ଶିଶୁ ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାରରେ ନିଜକୁ ଅଧିକ ନିୟୋଜିତ କରିଥିବା ଜିତେନ୍ଦ୍ରଙ୍କୁ ବିଭିନ୍ନ ଅର୍ନ୍ତଜାତୀୟ ଫିଲ୍ମୋତ୍ସବରେ ଜୁରୀର ମାନ୍ୟତା ମଧ୍ୟ ପ୍ରଦାନ କରାଯାଉଛି।
ପ୍ରତିଭାବାନ ନୀଳମାଧବ
୧୮ ଅକ୍ଟୋବର ୧୯୭୩ ମସିହାରେ ଓଡ଼ିଶାର ସୋନପୁରରେ ଜନ୍ମ ଗ୍ରହଣ କରିଥିବା ନୀଳମାଧବ ପଣ୍ଡା ହେଉଛନ୍ତି ଅର୍ନ୍ତଜାତୀୟ ଫିଲ୍ମ ଜଗତରେ ସଫଳ ଓଡ଼ିଆ ନିର୍ଦେଶକଙ୍କ ମଧ୍ୟରେ ଅନ୍ୟତମ। ଏପରିକି ଭାରତୀୟ ସିନେମା ଜଗତରେ ନୀଳମାଧବ ପଣ୍ଡା ଏକ ସଫଳ ଓ ସମ୍ମାନଜନକ ନାମ। ସେ ଆଧୁନିକ ଚଳଚ୍ଚିତ୍ର, ଡକ୍ୟୁମେଣ୍ଟାରୀ, କ୍ଷୁଦ୍ର ଫିଲ୍ମ ଏବଂ ବିଜ୍ଞାପନ ଆଦି ମଧ୍ୟ ନିର୍ମାଣ କରୁଛନ୍ତି। ଏହି ଚଳଚ୍ଚିତ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ଶିଶୁ ଶ୍ରମିକ, ଶିକ୍ଷା, ଜଳ ସମସ୍ୟା, ପରିମଳ ଏବଂ ଭାରତର ଅନ୍ୟାନ୍ୟ ବିକାଶମୂଳକ ପ୍ରସଙ୍ଗ ଭଳି ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ। ନ୍ୟାସ୍ନାଲ ବ୍ରଡ୍କାଷ୍ଟ୍, ବିଭିନ୍ନ ଜାତିସଂଘ ସଂଗଠନ, ଓଡ଼ିଶା ସରକାର, ବିବିସି, ଡିସ୍କଭରି ଚ୍ୟାନେଲ୍, ନ୍ୟାସ୍ନାଲ୍ ଜିଓଗ୍ରାଫି ଚ୍ୟାନେଲ୍ ଏବଂ ବିଭିନ୍ନ ମନ୍ତ୍ରାଳୟ/ବିଭାଗ ପାଇଁ ଏଗୁଡ଼ିକ ପ୍ରସ୍ତୁତ କରୁଛନ୍ତି। ତାଙ୍କର ଅଧିକାଂଶ ଚଳଚ୍ଚିତ୍ରରେ ତାଙ୍କ ନିଜ ଜୀବନ ଏବଂ ଅନୁଭୂତି ଉପରେ ପର୍ଯ୍ୟବେଶିତ। ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ବେଶ୍ ଚିତ୍ତାକର୍ଷକ ହୋଇଥିବା ବେଳେ ଅନେକ ଫିଲ୍ମ ସାମାଜିକ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଚିତ୍ରିତ ହୋଇଥାଏ। କାହାଣୀରେ ନୂଆ ସମୟର ଆହ୍ବାନକୁ ଗ୍ରହଣ କରି ସିନେମାରେ ବାସ୍ତବତାର ନୂଆ ଛବି ସେ ଆଙ୍କିଥାନ୍ତି। ତାଙ୍କ ସିନେମାରେ ସାଧାରଣ ମଣିଷର ସଂଘର୍ଷ ଓ ସ୍ମୃତିର ଚିତ୍ର ରହିଥାଏ। ୨୦୧୨ ମସିହାରେ ତାଙ୍କ ନିର୍ମିତ ଚଳଚ୍ଚିତ୍ର ‘ଆଇ ଆମ୍ କଲାମ୍’ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକ୍ଟର ଏପିଜେ ଅବଦୁଲ୍ କଲାମଙ୍କ ଜୀବନୀକୁ ଆଧାର କରି ନିର୍ମାଣ କରିଥିବା ଏହି ଚଳଚ୍ଚିତ୍ର ପାଇଁ ସେ ପାଇଛନ୍ତି ୩୨ଟି ଅନ୍ତର୍ଜାତୀୟ ପୁରସ୍କାର। ଏହା ତାଙ୍କ ପାଇଁ ନିଶ୍ଚିତ ଭାବେ ବଡ଼ ସ୍ୱୀକୃତି। ଏହି ପ୍ରତିଭାବାନ ସିନେ ବ୍ୟକ୍ତିତ୍ୱଙ୍କୁ ଭାରତ ସରକାର ୨୦୧୬ ମସିହା ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।
ନୀଳମାଧବଙ୍କ କେତୋଟି ପ୍ରମୁଖ ଫିଲ୍ମ
୨୦୦୨ ମସିହାରେ ନୀଳମାଧବ ତାଙ୍କ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମ ସ୍ବଜଳଧାରାରୁ ନିର୍ମାଣ କରିଥିଲେ। ଏହାପରେ ୨୦୦୫ରେ ଆଉ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦେଶନା ଦେବା ସହ ପ୍ରଯୋଜନା ମଧ୍ୟ କରିଥିଲେ ସେ। ଉକ୍ତ ଫିଲ୍ମର ନାମ ଥିଲା କ୍ଲାଇମେଟସ୍ ଫାଷ୍ଟ୍ ଅର୍ଫାନ୍ସ। ଏହାପରେ ସେ ୨୦୧୦ ମସିହାରେ ନିର୍ମାଣ କରିଥିଲେ ପ୍ରଥମ ହିନ୍ଦୀ ଫିଲ୍ମ ‘ଆଇ ଆମ୍ କଲାମ୍’। ଏହି ଫିଲ୍ମ ନିର୍ମାଣ କରିବାକୁ ତାଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ଏପରିକି ଏହି ଫିଲ୍ମ ପାଇଁ ସେ ତାଙ୍କ ଘର ଓ ପତ୍ନୀଙ୍କ ଅଳଙ୍କାର ମଧ୍ୟ ବନ୍ଧା ପକାଇ ଦେଇଥିଲେ। ଏହି ଫିଲ୍ମଟି ଭାରତରେ ଚହଳ ପକାଇବା ସହ ୩୨ଟି ଅନ୍ତର୍ଜାତୀୟ ଓ ଗୋଟିଏ ଜାତୀୟ ପୁରସ୍କାର ପାଇ ରେକର୍ଡ କରିଥିଲା। ସେହିପରି କନ୍ୟାଭ୍ରୁଣ ହତ୍ୟା ଉପରେ ନିର୍ମିତ ଦ୍ବିତୀୟ ଫିଲ୍ମ ‘ଜଲପରୀ’ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହୋଇ ପୁରସ୍କାର ହାସଲ କରିଥିଲା। ଯାହାକୁ ସେ ୨୦୧୨ରେ ନିର୍ମାଣ କରିଥିଲେ। ଏହାପରେ ୨୦୧୪ରେ ‘ବବଲୁ ହାପ୍ପି ହୈ’, ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ୨୦୧୫ରେ ‘କୌନ୍ କିତନେ ପାନୀ ମେଁ’, ୨୦୧୬ରେ ଗଡସ୍ ଓନ୍ ପିପଲ୍ , ୨୦୧୭ରେ ‘କଡୱୀ ହାୱା’ ୨୦୧୮ରେ ‘ହଲ୍କା’, ୨୦୧୯ରେ ବିଜୁ ବାବୁ ଓ ୨୦୨୦ରେ ‘କାଲିର ଅତୀତ’ ନିର୍ମାଣ କରିଥିଲେ। ଅଦ୍ୟାବଧି ୭୦ରୁ ଅଧିକ କଳାତ୍ମକ ଚଳଚ୍ଚିତ୍ରରେ ନିର୍ଦେଶନା ତଥା ପ୍ରଯୋଜନା କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନସାଧାରଣଙ୍କ ମୌଳିକ ଏବଂ ସାମାଜିକ ସମସ୍ୟାକୁ ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା ନୀଳମାଧବଙ୍କ ବିଶେଷତ୍ତ୍ବ। ଏହି ସବୁ ଚଳଚ୍ଚିତ୍ର ନିର୍ମାଣ କରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଅନେକଥର ପୁରସ୍କୃତ ହୋଇଛନ୍ତି।
ବିଶ୍ୱର ୧୧ ପ୍ରସିଦ୍ଧ ସିନେ ନିର୍ମାତାଙ୍କ ମଧ୍ୟରୁ ଜଣେ
ଜଳବାୟୁ ପରିବର୍ତ୍ତନ ଓ ପୃଥିବୀ ଉପରେ ଏହାର ପ୍ରଭାବକୁ ନେଇ ସିନେମା ତିଆରି କରିବାକୁ ଜାତିସଂଘ ପକ୍ଷରୁ ବିଶ୍ବର ୧୧ ଜଣ ପ୍ରସିଦ୍ଧ ସିନେ ନିର୍ମାତାଙ୍କୁ ଅନୁରୋଧ କରାଯାଇଥିବା ବେଳେ ତନ୍ମଧ୍ୟରେ ଅଛନ୍ତି ନୀଳମାଧବ ପଣ୍ଡା। ବିଶ୍ୱର ବିଭିନ୍ନ ଭାଗରେ ଜଳବାୟୁ ପରିବର୍ତ୍ତନ ଜନିତ ପ୍ରଭାବ ଓ ତାହାର ପରିଣତି ସ୍ୱରୂପ ଆମର ପୃଥିବୀ ଯେଉଁ ଭୟଙ୍କର ସଙ୍କଟକୁ ସାମ୍ନା କରୁଛି, ସେହି ବିଷୟବସ୍ତୁକୁ ନେଇ ଏହି ନିର୍ମାତା-ନିର୍ଦେଶକମାନେ ନିଜର ଚିତ୍ର ନିର୍ମାଣ କରୁଛନ୍ତି। ନୀଳମାଧବଙ୍କ ସମେତ ଏହି ପ୍ରକଳ୍ପରେ ସାମିଲ୍ ଅଛନ୍ତି ମର୍କ୍କୋର ଫଉଜି ବେଂସାଦି, ଆଇସ୍ଲ୍ୟାଣ୍ଡର ଆସା ଏଚ୍, ଫ୍ରାନ୍ସର କାନ୍ସ ବିଜେତା ମହମତ ସାଲେ ହାରୁନ, ପର୍ତ୍ତୁଗାଲର ସାଲୋମେ ଲାମା, ସ୍ୟୁଜର୍ଲ୍ୟାଣ୍ଡର ବେଟିନା ଓବେର୍ଲୀ, ଆଫଗାନିସ୍ତାନର ଶାହବାନୋ ସଦାତ, ଇଟାଲୀର ସିଲଭିଓ ସୋଲ୍ଡିନୀ, ବ୍ରାଜିଲ୍ର ଡାନିଏଲା ଥୋମାସ, ଚୀନ୍ର ଲିୟନ ୱାଙ୍ଗ ଓ ନ୍ୟୁଜିଲ୍ୟାଣ୍ଡର କାରିନ୍ ୱିଲିୟମ୍। ଏହି ୧୧ ଜଣ ସିନେ ନିର୍ମାତା ନିଜ ସୃଜନଶୀଳତାର ଉପଯୋଗ କରି ମାନବ ଅଧିକାର ଓ ପୃଥିବୀର ଜୀବନ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସିନେମା ନିର୍ମାଣ କରିବେ। ନୀଳମାଧବ ଏହା ପୂର୍ବରୁ ମଧ୍ୟ ଜଳବାୟୁ ପରିବର୍ତ୍ତନ ଓ ପରିବେଶର ଅସନ୍ତୁଳନକୁ ନେଇ ‘କଡୱୀ ହାୱା’ ସିନେମା ତିଆରି କରିସାରିଛନ୍ତି। ଦିଲ୍ଲୀ ମହାନଗରର ବାୟୁ ପ୍ରଦୂଷଣ କାରଣରୁ ସେଠାକାର ଜୀବନ କେମିତି ଦୁର୍ବିସହ ହୋଇ ପଡ଼ୁଛି ଓ ଏହା ମଣିଷର ବଞ୍ଚିବାର ଅଧିକାରକୁ କେମିତି ଛଡ଼ାଇ ନେଉଛି, ସେହି ବିଷୟ ବସ୍ତୁକୁ ନେଇ ସିନେମାର କାହାଣୀ ହୋଇଛି।
ପ୍ରାମାଣିକ ଚଳଚ୍ଚିତ୍ର
ମୌଳିକ କାହାଣୀକୁ ନେଇ ନୀଳମାଧବ ଚଳଚ୍ଚିତ୍ର ନିର୍ମାଣ ଉପରେ କାର୍ଯ୍ୟ କରିଆସୁଛନ୍ତି। ଭାରତ ସରକାରଙ୍କ ବିଭିନ୍ନ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ତଥା ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ସେ ନିର୍ମାଣ କରିଛନ୍ତି। ଏଗୁଡ଼ିକ ଦୂରଦର୍ଶନ, ବିବିସି, ଡିସକଭରୀ ଆଦି ପ୍ରମୁଖ ଚ୍ୟାନେଲ୍ରେ ପ୍ରସାରିତ ହୋଇ ବିଶ୍ୱବ୍ୟାପୀ ଉଚ୍ଚ ପ୍ରଶଂସିତ ହୋଇଛି। ନୀଳମାଧବଙ୍କ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟରେ ‘ସ୍ୱଜଳଧାରା’, ‘ସମୟ ସାଗର ତୀରେ’, ‘କୋଣାର୍କ’, ‘ଚିଲିକା’, ‘ସ୍ୱାଭିମାନ’, ‘ଉଇ ୱିଲ୍ ଗ୍ରୋ’, ‘ଏ ହାଟ୍ ଫର୍ ଆର୍ଟ’ ଆଦି ପ୍ରାମାଣିକ ଚଳଚ୍ଚିତ୍ର ଲୋକପ୍ରିୟତା ହାସଲ କରିଛି। ସେହିଭଳି ଲିଙ୍ଗଗତ ବୈଷମ୍ୟ ବିରୋଧରେ ସଚେତନତା ପାଇଁ ଦୂରଦର୍ଶନରେ ପ୍ରସାରିତ ‘ଆତ୍ମଜା’ ନାମକ ଧାରାବାହିକର ନିର୍ମାଣ ସେ କହିଛନ୍ତି। ଯାହାର ୧୦୦ରୁ ଅଧିକ ଏପିସୋଡ୍ ପ୍ରସାରଣ ହୋଇଛି। ସେହିଭଳି ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ନେଦରଲ୍ୟାଣ୍ଡ୍ ସରକାରଙ୍କ ମିଳିତ ସହଯୋଗରେ ନିର୍ମିତ ଅନ୍ୟ ଏକ ଧାରାବାହିକ ‘ଚିରାଗ’ର ନିର୍ଦେଶନା ମଧ୍ୟ ଦେଇଛନ୍ତି। ଯାହାକି ୨୬ଟି ଅଧ୍ୟାୟରେ ପ୍ରସାରିତ ହୋଇଛି। ଏହା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରି ସାମାଜିକକର୍ମୀ ରୂପୀ ଚଳଚ୍ଚିତ୍ର ନିର୍ମାତା ନିର୍ଦେଶକ ଭାବେ ନିଜ ପାଇଁ ଏକ ସ୍ୱତନ୍ତ ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ନୀଳମାଧବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ‘ନବକଳେବର’ ଶୀର୍ଷକ ଏକ ପ୍ରମାଣିକ ଚଳଚ୍ଚିତ୍ର ରାଜ୍ୟ ସରକାରଙ୍କ ସହାୟତାରେ ନିର୍ମାଣ କରିଛନ୍ତି। ଏହା ମଧ୍ୟ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛି।