ଭାରତର ଭରତ: ମଣିଷ ନୁହନ୍ତି ଦେବତା

ନିଃସ୍ବାର୍ଥପର ମାନବସେବା ଏହି ପରୋପକାରୀ ଡାକ୍ତରଙ୍କ ଜୀବନର ମୂଳମନ୍ତ୍ର

ମାନବସେବାରେ ବ୍ରତୀ ଡା.ଭରତ ଭଟୱାନୀ, ପତ୍ନୀଙ୍କ ସହ (ଇନସେଟ)
ମର୍ତ୍ତ୍ୟ ମଣ୍ଡଳେ ଦେହବହି, ମଣିଷ ହେଲେ ହିଁ ମରଇ। ଏହାକୁ କେହି ବି ଅନ୍ୟଥା କରିପାରିବେ ନାହିଁ। ମାତ୍ର ଏହା ଜାଣି ବି କେତେକ ବ୍ୟକ୍ତି ଧନ, ସମ୍ପତ୍ତି, ମୋହ ମାୟାର ବଶବର୍ତ୍ତୀ ହୋଇ ଅପଯଶ ମୁଣ୍ଡାଇଥାନ୍ତି। ଆଇ କେତେକ ବ୍ୟକ୍ତି ସମାଜସେବାକୁ ଜୀବନର ବ୍ରତ କରି ସମାଜରେ କିଛି ପରୋପକାର ଜରିଆରେ ନିଜର ଜୀବନକୁ ଉତ୍ସର୍ଗ କରି ଆସିଛନ୍ତି। ଆମେ ଏପରି ଜଣେ ମଣିଷଙ୍କ ବିଷୟରେ କହିବାକୁ ଯାଉଛେ, ଯିଏ ତାଙ୍କ ଜୀବନରେ ୭ ହଜାରରୁ ଊର୍ଦ୍ଧ୍ବ ମାନସିକ ବିକୃତ ଓ ଦୁସ୍ଥ ଲୋକଙ୍କ ଜୀବନରେ ଆଶାର ଦୀପ ଜଳାଇବା ସହ ସେମାନଙ୍କୁ ସେମାନଙ୍କ ପରିବାର ନିକଟରେ ପହଞ୍ଚାଇବାରେ ସମର୍ଥ ହୋଇଛନ୍ତି। ସେ ହେଉଛନ୍ତି ଡାକ୍ତର ଭରତ ଭଟୱାନୀ। ଆମ ପରି ଜଣେ ମଣିଷ ହେଲେ ବି ସେ ଯାହା କରିଛନ୍ତି, ତାହା ଆମେ ପୂଜା କରୁଥିବା ଦେବତାମାନଙ୍କ ଦ୍ବାରା ସମ୍ଭବ କି ନୁହେଁ ତାହା କହିବା କଷ୍ଟକର। ଆଉ ତାଙ୍କୁ ଏହି ମହତ କାର୍ଯ୍ୟରେ ସାଥ ଦେଇଛନ୍ତି ତାଙ୍କର ଜୀବନସାଥୀ ବନିଥିବା ଡାକ୍ତର ସ୍ମିତା। ଏଥିପାଇଁ ଡାକ୍ତର ଭରତ ଭଟୱାନୀଙ୍କୁ ମିଳିଛି ସମ୍ମାନଜନକ ରମଣ ମାଗାସେସେ ପୁରସ୍କାର। ଏହି ପୁରସ୍କାର ଗ୍ରହଣ କରିବା ବେଳେ ଡାକ୍ତର ଭଟୱାନୀଙ୍କ ମନ୍ତବ୍ୟ ‘ମୋର କିଛି କରିବାର କମି ରହିଗଲା ବୋଲି ଅନୁଭବ କରୁଛି’ ତାଙ୍କ ମହନୀୟତାକୁ ଆହୁରି ବଢ଼ାଇ ଦେଇଛି।

ପିଲାଟି ଦିନରୁ ସଂଘର୍ଷ
ମୁମ୍ବାଇ ଓ କରଜାତରେ ଡାକ୍ତର ଭଟୱାନୀ ଓ ପତ୍ନୀ ଡାକ୍ତର ସ୍ମିତାଙ୍କ ଦ୍ବାରା ଚାଲିଥିବା ଶ୍ରଦ୍ଧା ଥଇଥାନ ପ୍ରତିଷ୍ଠାନକୁ ନେଇ ସାରା ଦେଶରେ ଚର୍ଚ୍ଚା। ଯାହା ସରକାରୀ  କିମ୍ବା ବଡ଼ ବଡ଼ କର୍ପୋରେଟ ସେକ୍ଟର ଜରିଆରେ ହୋଇପାରୁନାହିଁ, ତାହା ଜଣେ ଡାକ୍ତର ଦମ୍ପତିଙ୍କ ଦ୍ବାରା ସମ୍ଭବ ହୋଇପାରିଛି। ପ୍ରବଳ ଇଚ୍ଛାଶକ୍ତି ଓ ମାନବସେବାକୁ ନେଇ ପଣ କରିଥିବା ଏହି ଡାକ୍ତର ଦମ୍ପତିଙ୍କୁ ଯେତେ ପ୍ରଶଂସା କଲେ ବି କମ ହେବ। ମାନସିକ ରୋଗ ବିଶାରଦ ଭାବେ ପ୍ରସିଦ୍ଧି ଲାଭ କରିଥିବା ଭଟୱାନୀଙ୍କ ଜୀବନ କାହାଣୀ ମଧ୍ୟ ସଂଘର୍ଷମୟ। ମାତ୍ର ୧୨ ବର୍ଷ ବୟସରେ ବାପାଙ୍କୁ ହରାଇଥିବା ଭଟୱାନୀଙ୍କୁ ପାଠ ପଢ଼ିବା ବେଳେ ଅଭାବ ଅନଟନକୁ ସାମ୍ନା କରିବାକୁ ପଡ଼ିଥିଲା। ମାଆ ଜଣେ ହୋମମେକର ଭାବେ ଯାହା କିଛି ତିଆରି କରୁଥିଲେ, ତାହାକୁ ବଜାରରେ ବିକି ଯାହା ଆୟ ହେଉଥିଲା ସେଥିରେ ପାଠ ପଢ଼ିବା ଓ ଭାଇମାନଙ୍କ କଥା ବୁଝିବା ଭଟୱାନୀଙ୍କ ପାଇଁ ସହଜ ନ ଥିଲା। ମେଧାବୀ ଛାତ୍ର ଭଟୱାନୀ କିନ୍ତୁ ବାପାଙ୍କ ମତ୍ୟୁରେ ଭାଙ୍ଗି ନ ପଡ଼ି ସଂଘର୍ଷ କରି ଆଗକୁ ବଢ଼ିବା ପାଇଁ ପ୍ରୟାସ କରିବାରେ ଅବହେଳା କରି ନ ଥିଲେ।

ସ୍ମିତାଙ୍କୁ କଲେ ଜୀବନସାଥୀ
ସେ ମୁମ୍ବାଇରେ ରାଜେଶ ଖାନ୍ନା ଓ ଦେବ ଆନନ୍ଦଙ୍କ ପରି ଷ୍ଟାରଙ୍କ ପୋଷ୍ଟର ବଣ୍ଟନ କରି ଓ ଦ୍ବାର ଦ୍ବାର ବୁଲି ବହି ବିକି ପାଠ ପଢ଼ିଲେ। ଆଉ ଯେତେବେଳେ ସେ ମେଡିକାଲ ପାଠ ପଢ଼ିଲେ, ତାଙ୍କ ପାଖରେ ଟ୍ୟୁସନ ହେବାକୁ ଟଙ୍କା ନ ଥିଲା। ଆଉ ଏଥିପାଇଁ ସେ ବିନା ଟ୍ୟୁସନରେ ଦିନକୁ ୧୪ ଘଣ୍ଟା ପର୍ଯ୍ୟନ୍ତ ପରିଶ୍ରମ କରି ଶେଷର ସଫଳତା ପାଇଲେ। ଆଉ ମାନସିକ ରୋଗ ବିଶାରଦ ଭାବେ ହାଉସ ସର୍ଜନ ଭାବେ କାମ କରିବା ପରେ ତାଙ୍କର ଡାକ୍ତର ସ୍ମିତାଙ୍କ ସହ ପରିଚୟ ହେଲା। ଆଉ ସମାଜସେବାକୁ ଜୀବନର ଏକମାତ୍ର ଲକ୍ଷ୍ୟ ଭାବେ ଗ୍ରହଣ କରି ଦୁହେଁ ୧୯୮୭ରେ ବିବାହ ବନ୍ଧନରେ ବାନ୍ଧି ହେଲେ। ଆଉ ଆଜିକା ଦିନରେ ବି ସେମାନେ ସମ୍ପତ୍ତି ଆହରଣ ପଛରେ ନ ଧାଇଁ ଯେଉଁ ମାନସିକ ବିକୃତ ସ୍ବଭାବ ବ୍ୟକ୍ତି ରାସ୍ତାରେ ବୁଲୁଛନ୍ତି, ସେମାନଙ୍କୁ ଚିକିତ୍ସିତ କରି ସେମାନେ କିପରି ଜୀବନରେ ମୁଖ୍ୟସ୍ରୋତକୁ ଫେରିପାରିବେ, ସେଥିପାଇଁ କାର୍ଯ୍ୟ କରୁଛନ୍ତି।

ନର୍ସିଂହୋମରୁ ଥଇଥାନ କେନ୍ଦ୍ର
ଆଜି ଆମେ ଯେଉଁ ଶ୍ରଦ୍ଧା ଥଇଥାନ ପ୍ରତିଷ୍ଠାନ କଥା କହୁଛେ, ତାହା ଦିନେ ଗୋଟିଏ ଛୋଟ ନର୍ସିଂହୋମରୁ ଆରମ୍ଭ ହୋଇଥିଲା। ଆଉ ଏହି ନର୍ସିଂହୋମ ଆରମ୍ଭ କରିବା ପାଇଁ ଡାକ୍ତର ସ୍ମିତା ତାଙ୍କ ସମସ୍ତ ସୁନା ଅଳଙ୍କାର ଓ ବିବାହ ବେଳେ ପାଇଥିବା ଉପହାର ବିକ୍ରି କରିବା ସହ ବ୍ୟାଙ୍କରୁ ଋଣ ଆଣିଥିଲେ। କାହା ଠାରୁ କିଛି ଅର୍ଥ ସହାୟତା ଆରମ୍ଭରୁ ମିଳି ନ ଥିଲା। ରାସ୍ତାରେ ମାନସିକ ବିକୃତଙ୍କୁ ଆଣି ନର୍ସିଂହୋମରେ ଚିକିତ୍ସା କରିବା ପ୍ରକ୍ରିୟା ଏହି ଡାକ୍ତର ଦମ୍ପତ୍ତି ସାରା ଦେଶରେ ପ୍ରଥମ କରି ଆରମ୍ଭ କରିଥିଲେ। ମାତ୍ର ଏଥିପାଇଁ ଯେ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି, ତାହା ସେମାନେ ଅନୁଭବ କରିଥିଲେ। ଏହାପରେ ଦାତବ୍ୟ ଅନୁଷ୍ଠାନମାନଙ୍କର ଏହି ଡାକ୍ତର ଦମ୍ପତିଙ୍କ କାର୍ଯ୍ୟ ଉପରେ ନଜର ପଡ଼ିଲା। ଆଉ ଏହାକୁ ବ୍ୟାପକ କରିବା ପାଇଁ ସେମାନଙ୍କ କେତେକ ସହଯୋଗୀ ଆଗେଇ ଆସିଲେ। ୧୯୯୧ରେ ଡାକ୍ତର ଭଟୱାନୀ ଆଉ ୩ ଜଣ ଟ୍ରଷ୍ଟିଙ୍କୁ ନେଇ ଗଠନ କଲେ ଶ୍ରଦ୍ଧା ଥଇଥାନ କେନ୍ଦ୍ର। ପଞ୍ଜୀକରଣ ପରେ ଏଠାରେ ରୋଗୀ ସଂଖ୍ୟା ବଢ଼ିବା ପରେ ଏହାର ଏକ ଶାଖା ମଧ୍ୟ ମୁମ୍ବାଇ ପାଖ କରଜାତରେ ଖୋଲିଲା।

ଆରମ୍ଭ କେମିତି
ବିବାହ ପରେ ଭଟୱାନୀ ଓ ସ୍ମିତା ମୁମ୍ବାଇର ଏକ ରେସ୍ତୋରାଁରେ ଖାଇ ବାହାରି ଆସିବା ପରେ ରାସ୍ତା କଡ଼ରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କ ଉପରେ ନଜର ପଡ଼ିଲା। ଏହାପରେ ଦୁହେଁ ରାସ୍ତା ପାର ହୋଇ ତା’ ପାଖରେ ପହଞ୍ଚଲେ। ସେହି ବ୍ୟକ୍ତି ଜଣକ ଯେ ଜଣେ ମାନସିକ ବିକୃତ ବ୍ୟକ୍ତି ଏହା ବୁଝିବାକୁ ବାକି ନ ଥିଲା। ତେଣୁ ଉଭୟେ ତାଙ୍କୁ ତାଙ୍କ ନର୍ସିଂହୋମକୁ ଆଣି ଚିକିତ୍ସା ଆରମ୍ଭ କଲେ। କିଛି ଦିନର ଚିକିତ୍ସା ପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଅବସ୍ଥାରେ ଉନ୍ନତି ଆସିଲା। ସେ ଇଂରାଜୀ କହିବା ଆରମ୍ଭ କଲେ। ସେହି ବ୍ୟକ୍ତି ଜଣଙ୍କ ବିଏସସିରେ ସ୍ନାତ୍ତକ ଡିଗ୍ରୀ ହାସଲ କରିବା ସହ ମେଡିକାଲ ଲ୍ୟାବ ଟେକ୍ନୋଲୋଜିରେ ଡିପ୍ଲୋମା କରିଥିବା ଜଣାପଡ଼ିଲା। ଏହାପରେ ଡାକ୍ତର ଭଟୱାନୀ ଜଣଙ୍କ ତାଙ୍କସମ୍ପର୍କରେ ତଥ୍ୟ ସଂଗ୍ରହ କରି ଆନ୍ଧ୍ରରେ ରହୁଥିବା ତାଙ୍କ ପରିବାରକୁ ଅବଗତ କରାଇଥିଲେ। ପ୍ରାୟ ୧ ବର୍ଷ ଧରି ପୁଅକୁ ଖୋଜୁଥିବା ପରିବାର ଲୋକେ ଖୁସି ହୋଇଥିଲେ।

ଅଟକାଇ ପାରିନି ସମସ୍ୟା
ଡାକ୍ତର ଭଟୱାନୀଙ୍କ କହିବା କଥା ହେଲା ସେ ତାଙ୍କର ଲମ୍ବା ଅଭିଜ୍ଞତାରୁ ଜାଣିବାକୁ ପାଇଛନ୍ତି ଯେ ଏବେ ବି ଆମ ଲୋକେ ଏନେଇ ସଚେତନ ନୁହନ୍ତି। ମଣିଷ ହେଲା ସୃଷ୍ଟିର ସବୁଠାରୁ ଅମୂଲ୍ୟ ସମ୍ପଦ। ସେମାନଙ୍କ ସେବା କରିବାକୁ ସମେସ୍ତ ଆଗେଇ ଆସିବା ଦରକାର। ସେ ତାଙ୍କ ଚିକିତ୍ସା ଜୀବନରେ ଏପରି କେତେକ ଲୋକଙ୍କ ସମ୍ପର୍କରେ ଆସିଛନ୍ତି ଯେ ସେମାନେ ତାଙ୍କ ନାଁ ବ୍ୟତୀତ ଆଉ କିଛି ଜାଣି ନାହାନ୍ତି। ତାଙ୍କ ସେବା ପ୍ରତିଷ୍ଠାନର ରହି ସୁସ୍ଥ ହେବା ପରେ ସେ ଯେତେବେଳ ତାଙ୍କ ପରିଚୟ ଖୋଜି ତାଙ୍କୁ ପରିବାର ହାତରେ ଦେବାକୁ ଚେଷ୍ଟା କରିଛନ୍ତି, ଭଟୱାନୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ସମ୍ପୂର୍ଣ୍ଣ ସୁସ୍ଥ ହେବା ସତ୍ତ୍ବେ ତାଙ୍କୁ ପରିବାରକୁ ଫେରାଇବା ସମ୍ଭବ ହୋଇନି। ସେ ନିଜେ ମାଇଲ ମାଇଲ ବୁଲି ଖୋଜିଥିଲେ ବି କେତେକ ବ୍ୟକ୍ତିଙ୍କୁ ସମ୍ପୃକ୍ତ ପରିବାରକୁ ଫେରାଇବା ସମ୍ଭବ ହୋଇନି।

ଆଉ ଏକ ସମସ୍ୟା ମଧ୍ୟ ସେ ସାମ୍ନା କରିଥିବା କହିଛନ୍ତି। ଏଥିପାଇଁ ତାଙ୍କୁ ଆଇନର କାଠଗଡ଼ାକୁ ବି ଯିବାକୁ ପଡ଼ିଛି। କେଉଁ ପରିସ୍ଥିତିରେ ଲୋକ ଜଣଙ୍କୁ ଉଦ୍ଧାର କଲ ଓ ଏ ବାବଦରେ ଆପଣଙ୍କ ପାଖରେ କ’ଣ ତଥ୍ୟ ରହିଛି, ତାହା ଜଣାଇବାକୁ ତାଙ୍କୁ କୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହେବାକୁ ପଡ଼ିଛି। କିଏ ଅପରାଧୀ ଓ କିଏ ଭଲ ଲୋକ ତାହା ସ୍ଥିର କରିବା ପାଇଁ ତାଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ। ମାତ୍ର ରାସ୍ତା କଡ଼ରେ ଯେଉଁ ମାନସିକ ବ୍ୟକ୍ତି ତାଙ୍କ ନଜରକୁ ଆସିଛନ୍ତି ବା ଅନ୍ୟ କୌଣସି ସଂସ୍ଥା ଓ ବ୍ୟକ୍ତି ଜରିଆରେ ତାଙ୍କ ଅନୁଷ୍ଠାନରେ ପହଞ୍ଚିଛନ୍ତି, ସେ ସେମାନଙ୍କର ସେବା କରିବାରେ ଊଣା କରି ନାହାନ୍ତି।

୧୯୮୮ରୁ ସେ ଏଯାବତ ୭ ହଜାର ୩୬୭ ଜଣଙ୍କ ସେବା କରି ସେମାନଙ୍କୁ ପୁରି ଥରେ ସୁସ୍ଥ ଓ ନିରାମୟ ଜୀବନ ବିତାଇବା ପାଇଁ ବାଟ ଦେଖାଇଛନ୍ତି। ଆଉ ଏମାନଙ୍କ ଭିତରୁ ୭ ହଜାର ୫୮ ଜଣଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ଘରକୁ ଫେରାଇବାରେ ମଧ୍ୟ ସଫଳ ହୋଇଛନ୍ତି। ମାତ୍ର ତାଙ୍କ ଦ୍ବାରା ପ୍ରତିଷ୍ଠିତ ଗୋଟିଏ ଛୋଟ ସଂସ୍ଥା ଦ୍ବାରା ସମସ୍ତଙ୍କୁ ସେବା ଯୋଗାଇବା ସମ୍ଭବ ନୁହେଁ। ଅନମାନଙ୍କୁ ଏହି ରାସ୍ତାରେ ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ଭଟୱାନୀ କହିଛନ୍ତି। ୨୦୧୮ରେ ତାଙ୍କୁ ତାଙ୍କ ସାହସିକ ସେବା ମନୋବୃତ୍ତି ପାଇଁ ରମଣ ମାଗାସେସେ ପୁରଷ୍କାର ପ୍ରଦାନ କରାଯାଇଛି। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଦେଶରେ ୧.୮ ନିୟୁତ ଅର୍ଥାତ ୦.୧୫ ପ୍ରତିଶତ ଲୋକ କୌଣସି ନା କୌଣସି କାରଣ ପାଇଁ ପରିବାର ଠାରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ଆଉ ଏହି ସଂଖାର ୫୦ରୁ ୬୦ ପ୍ରତିଶତ ମାନସିକ ବିକୃତି ପାଇଁ ଘଟିଥିବା କୁହାଯାଉଛି। ତେଣୁ ଅଧିକରୁ ଅଧିକ ଅନୁଷ୍ଠାନ ଏମାନଙ୍କ ପାଇଁ ଆଗେଇ ଆସିବା ଦରକାର ବୋଲି ଡାକ୍ତର ଭଟୱାନୀ ପୁରସ୍କାର ଗ୍ରହଣ କରିବା ଅବସରରେ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ