ବର୍ଷିଲା ଟଙ୍କା: ବେନାମୀ ଆଗରେ, ନାମୀ ପଛରେ


ଝେ ରିଚାର୍ଡସନ, କ୍ରିଷ୍ଣପ୍ପା ଗୌତମ, ଶାହରୁଖ ଖାନ ଓ କାଇଲ ଜେମିସନ (ଫଟୋ-ପ୍ରତିନିଧି)
ଆଇପିଏଲ-୨୦୨୧ ପାଇଁ ଖେଳାଳି ନିଲାମୀରେ ହୋଇଛି ଟଙ୍କା ବର୍ଷା। ଫ୍ରାଞ୍ଚାଇଜି ମାଲିକମାନେ ଆଶ୍ଚର୍ଯ୍ୟଜନକ ଭାବେ କେତେକ ଖେଳାଳିଙ୍କ ଉପରେ ବାଜି ଲଗାଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ୨୦୦୮ରୁ ଆରମ୍ଭ ହୋଇଥିବା ଏହି ପ୍ରିମିୟର ପ୍ରତିଯୋଗିତା ପାଇଁ ପ୍ରତିବର୍ଷ ଖେଳାଳି ନିଲାମ ବେଳେ ଏପରି ଟଙ୍କା ବର୍ଷା ନଜରକୁ ଆସିବାର ବି ନଜିର ରହିଛି। ପ୍ରଚଳିତ ଧାରାରେ ଫ୍ରାଞ୍ଚାଇଜି ସେମାନଙ୍କ ଦଳର ସଫଳତା ପାଇଁ କେତେକ ନବାଗତ ବିଦେଶୀ ଖେଳାଳିଙ୍କ ଉପରେ ସର୍ବାଧିକ ଅର୍ଥ ବାଜି ଲଗାଇଛନ୍ତି। ଏପରିକି କେତେକ ଫ୍ରାଞ୍ଚାଇଜି ନିକଟ ଅତୀତର ଆଇପିଏଲରେ ଉତ୍ତମ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା କେତେକ କ୍ରିକେଟରଙ୍କ ଉପରେ ପୁଣି ଥରେ ଭରସା ରଖି ଟଙ୍କା ବର୍ଷା କରିଛନ୍ତି। ଏହି ମଉକାରେ କେତେକ ଭାରତୀୟ ନବାଗତ ଷ୍ଟାରଙ୍କ ଉପରେ ଫ୍ରାଞ୍ଚାଇଜି ଭରସା ଜୁଟାଇଥିଲା ବେଳେ ନାମୀଦାମୀ ବ୍ରାଣ୍ଡ ଖେଳାଳିଙ୍କୁ ବେସ ପ୍ରାଇସରେ ହିଁ ନିଲାମ ହେବାକୁ ପଡ଼ିଛି। ନବାଗତ ଖେଳାଳିଙ୍କୁ ଏହି ଫଟାଫଟ କ୍ରିକେଟ ପାଇଁ ସେମାନଙ୍କ ବେସ ପ୍ରାଇସର ୧୦ରୁ ୨୦ ଗୁଣ ଅର୍ଥ ଅଧିକ ମିଳିଥିଲା ବେଳେ ନିରାଶ ହେବାକୁ ପଡ଼ିଛି ଅନ୍ତର୍ଜାତୀୟ ଷ୍ଟାରଙ୍କୁ।

ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ ମୋରିସଙ୍କୁ ରାଜସ୍ଥାନ ରୟାଲ୍ସ ରେକର୍ଡ ୧୬ କୋଟି ୨୫ ଲକ୍ଷରେ କ୍ରୟ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛି। ୨୦୧୫ରେ ଯୁବରାଜ ସିଂସଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ୧୬ କୋଟିରେ କିଣିବା ଏଯାବତ ରେକର୍ଡ ହୋଇ ରହିଥିଲା ବେଳେ ମୋରିସ ଅତୀତର ସବୁ ରେକର୍ଡ ପାର କରି ନିଲମୀରେ ସବୁଠାରୁ ଦାମୀ ଖେଳାଳି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ମୋରିସ ଜଣେ ଭଲ ଫିନିଶର ସହ ଡେଥ ଓଭରରେ ପ୍ରତିପକ୍ଷ ଦଳର ରନ ବର୍ଷାରେ ଚେକ୍ ଲଗାଇବାରେ ସମର୍ଥ ବୋଲି ପ୍ରମାଣିତ କରିବା ତାଙ୍କୁ ଉଚ୍ଚା ଦାମରେ ପହଞ୍ଚାଇଛି। ମାତ୍ର ଆମ ଯଦି ତାଙ୍କ ତଳକୁ ଉଚ୍ଚା ଦାମରେ ନିଲାମ ହୋଇଥିବା ଅନ୍ୟ ଦୁଇ ଖେଳାଳିଙ୍କ ଉପରେ ନଜର ପକାଇବା ତାହେଲେ ଆଶ୍ଚର୍ଯ୍ୟ ହେବାଟା ଥୟ।

ଚମକାଇଲେ ୨ ଖେଳାଳି

ନିଲାମୀରେ ସବୁଠାରୁ ବେଶି ଆଶ୍ଚର୍ଯ୍ୟ ସୃଷ୍ଟି କରିଥିବା ୨ ଖେଳାଳି ହେଲେ ନ୍ୟୁଜିଲାଣ୍ଡର ଯୁବ ଅଲରାଉଣ୍ଡର କାଇଲ ଜେମିସନ ଓ ଅଷ୍ଟ୍ରେଲିଆର ଯୁବ ଅଲରାଉଣ୍ଡର ଝେ ରିଚାର୍ଡସନ। ଏହି ଦୁଇ ଖେଳାଳିଙ୍କର ଆଇପିଏଲ ଖେଳିବାର କୌଣସି ଅଭିଜ୍ଞତା ନାହିଁ। ମାତ୍ର ସେମାନଙ୍କୁ ନିଲମୀରେ କ୍ରୟ କରିବା ପାଇଁ ଫ୍ରାଞ୍ଚାଇଜିମାନଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା। ମାତ୍ର ୭୫ ଲକ୍ଷ ବେସ ପ୍ରାଇସରେ ଖେଳିବା ପାଇଁ ସହମତି ଜଣାଇଥିବା ନ୍ୟୁଜିଲାଣ୍ଡର ଜେମିସନଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା। ଆଉ ଶେଷରେ ବେସ ପ୍ରାଇସ ୭୫ ଲକ୍ଷରୁ ଜେମିସନ ୧୫ କୋଟିରେ ନିଲାମ ହୋଇଥିଲେ। ବାଙ୍ଗାଲୋର ତାଙ୍କୁ ୧୫ କୋଟିରେ କିଣିଥିଲା।

କାଇଲ ଜେମିସନ
୬ ଫୁଟ ୮ ଇଞ୍ଚ ଉଚ୍ଚତାର ୨୬ ବର୍ଷୀୟ କାଇଲ ଜେମିସନ ଗତ ବର୍ଷ ଭାରତ ବିପକ୍ଷରେ ଖେଳି ଟେଷ୍ଟ କ୍ୟାରିଅର ଆରମ୍ଭ କରିଥିଲେ। ସେ ଆଦୌ ଆଇପିଏ ଖେଳି ନ ଥିଲା ବେଳେ ନ୍ୟୁଜିଲାଣ୍ଡ ପାଇଁ କେବଳ ୬ଟି ଟେଷ୍ଟ, ୨ଟି ଦିନିକିଆ ଓ ୪ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ମାତ୍ର ଲୋୟର ଅଡରରେ ବଡ଼ ଶଟ ଖେଳିପାରୁଥିବା ଜେମିସନ ତାଙ୍କ ଉଚ୍ଚତାର ଫାଇଦା ନେଇ ବାଉନ୍ସରରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇବାରେ ଦକ୍ଷତା ଦେଖାଇଛନ୍ତି। ନ୍ୟଜିଲାଣ୍ଡରେ ଘରୋଇ ଟି-୨୦ରେ ଜେମିସନ ୪ ଓଭର ସ୍ପେଲରେ ମାତ୍ର ୭ ରନ ଦେଇ ୬ଟି ୱିକେଟ ନେଇ ମଧ୍ୟ ବିରଳ ରେକର୍ଡ ପ୍ରତିଷ୍ଠା କରିବା କେଉଁଠି ନା କେଉଁଠି ନା କେଉଁଠି ତାଙ୍କ ଦାମ ଉଚ୍ଚା କରିବାରେ ସହାୟକ ହୋଇଛି। ଆଉ ନିଜ ଦାମ ସମ୍ପର୍କରେ ମୁମ୍ବାଇ ଇଣ୍ଡିଆନ୍ସ ମେଣ୍ଟର ଶେନ ବଣ୍ଡଙ୍କ ଠାରୁ ସୂଚନା ପାଇବା ପରେ କହିଛନ୍ତି ଯେ ଭାରତୀୟ ମୁଦ୍ରାରେ ୧୫ କୋଟି କେତେ ନ୍ୟୁଜିଲାଣ୍ଡ ଡଲାର ହେବ ସେ ଜାଣି ନାହାନ୍ତି। ରାତିରାତି ଯେ ତାଙ୍କୁ ଏତେ ପରିମାଣର ଟଙ୍କା ମିଳିବାର ପ୍ରତିଶ୍ରୁତିକୁ ସେ ନିଜେ ବି ବିଶ୍ବାସ କରିପାରୁ ନାହାନ୍ତି।

ଝେ ରିଚାର୍ଡସନ
ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ରେ ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିବା ୨୪ ବର୍ଷୀୟ ରିଚାର୍ଡସନ ଅଷ୍ଟ୍ରେଲିଆ ପାଇଁ ମାତ୍ର ୨ଟି ଟେଷ୍ଟ, ୧୩ଟି ଦିନିକିଆ ଓ ୯ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଆଉ ୨୦୨୧ରେ ସେ ତାଙ୍କ ଆଇପିଏଲ କ୍ୟାରିଅର ଆରମ୍ଭ କରିବାକୁ ଯାଉଥିଲା ବେଳେ ୧୪ କୋଟିରୁ କ୍ୟାରିଅର ଆରମ୍ଭ ହେବ। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଝେ ରିଚାର୍ଡସନଙ୍କୁ ପଞ୍ଜାବ କିଙ୍ଗସ ୧୪ କୋଟିରେ କିଣିଛି। ଶେଷ ହୋଇଥିବା ଖେଳାଳି ନିଲାମୀର ଦାମୀ ଖେଳାଳି ତାଲିକାରେ ସେ ୩ୟ ସ୍ଥାନରେ ରହିଛନ୍ତି। ୨୪ ବର୍ଷୀୟ ଏହି ଦ୍ରୁତ ବୋଲର ଜଣକ ତାଙ୍କ ବେସ ପ୍ରାଇସର ୧.୫ କୋଟି ଠାରୁ ପ୍ରାୟ ୧୦ ଗୁଣା ଅଧିକ ସାମରେ ନିଲାମ ହୋଇଛନ୍ତି। ପଞ୍ଜାବ, ବାଙ୍ଗାଲୋର ଓ ରାଜସ୍ଥାନ ମଧ୍ୟରେ ତାଙ୍କୁ କିଣିବା ପାଇଁ ବାଜି ଲାଗି ଥିଲା। ଆଉ ଶେଷରେ ତାଙ୍କୁ ପଞ୍ଜାବ ହିଁ କିଣିବାରେ ସଫଳ ହୋଇଥିଲା। ଅଷ୍ଟ୍ରେଲିଆର ଖେଳାଯାଉଥିବା ବିଗ ବାଶ ଲିଗରେ ରିଚାର୍ଡସନ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହେବା ୩ଟି ଫ୍ରାଞ୍ଜାଇଜିକୁ ପ୍ରଭାବିତ କରିଥିଲା। ତେଣୁ ସେମାନେ ଭେଟରାନଙ୍କ ଉପରେ ନଜର ନ ଦେଇ ଏହି ନବାଗତ ଷ୍ଟାରଙ୍କ ଉପରେ ବେଶି ଧ୍ୟାନ ଦେଇଥିବା ସୂଚନା ଆସିଛି। ୧୪ କୋଟି ଦାମ ମିଳିବାକୁ ନେଇ ଚକିତ ହୋଇଥିବା ରିଚାର୍ଡସନ କହିଛନ୍ତି ଯେ ମୋତେ ଗୋଟିଏ ବଡ଼ ପାଚେରିରେ ଧକ୍କା ହେଲା ଭଳି ଲାଗୁଛି।

କ୍ରିଷ୍ଣପ୍ପା ଗୌତମ
ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର କୌଣସି ଅଭିଜ୍ଞତା ନ ଥିବା କ୍ରିଷ୍ଣପ୍ପା ଗୌତମ ସବୁଠୁ ଦାମୀ ଭାରତୀୟ ଖେଳାଳି ଭାବେ ଏଥର ନିଲାମରେ ବିକ୍ରି ହୋଇଛନ୍ତି। ଗୌତମଙ୍କୁ ଚେନ୍ନାଇ ସୁପର କିଙ୍ଗସ ୯ କୋଟି ୨୫ ଲକ୍ଷରେ କ୍ରୟ କରିଛି। ଗତ ସିଜନରେ ପଞ୍ଜାବ ପାଇଁ ମାତ୍ର ୨ଟି ମ୍ୟାଚ ଖେଳିଥିବା ଗୌତମ ୪୨ ରନ କରି ଗୋଟିଏ ୱିକେଟ ପାଇଥିଲେ। ମାତ୍ର ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ କ୍ରିକେଟରେ ଉନ୍ନତ ପ୍ରଦର୍ଶନ କରିଥିବା ଗୌତମଙ୍କୁ କିଣିବା ପାଇଁ କୋଲକାତା ଓ ଚେନ୍ନାଇ ମଧ୍ୟରେ ବାଜି ଲାଗିଥିଲା। ଆଉ ଶେଷରେ ଚେନ୍ନାଇ ତାଙ୍କୁ ରେକର୍ଡ ୯ କୋଟି ୨୦ ଲକ୍ଷ ଦେଇ ନେବାରେ ସଫଳ ହୋଇଥିଲା।

ଶାହରୁଖ ଖାନ
ସେହିପରି ନିଲାମରେ ଏଥର ଅନେକଙ୍କୁ ବିସ୍ମିତ କରିଛନ୍ତି ଅନଭିଜ୍ଞ ଶାହରୁଖ ଖାନ। ସେ ତାଙ୍କର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରଖିଥିଲା ବେଳେ ତାଙ୍କୁ ପଞ୍ଜାବ ୫ କୋଟି ୨୫ ଲକ୍ଷରେ କ୍ରୟ କରିଛି। ଅନକେ ଷ୍ଟାର କ୍ରିକେଟରଙ୍କ ପାଇଁ ଫ୍ରାଞ୍ଚାଇଜି ଏତେ ଅର୍ଥ ବାଜି ଲଗାଇ ନ ଥିଲା ବେଳେ ଶାହରୁଖ ପାଇଁ ପଞ୍ଜାବ ବିପୁଳ ଅର୍ଥ ବାଜିରେ ଲଗାଇଛି। ଆଉ ଏହା ପଛରେ ସବୁଠାରୁ ପ୍ରମୁଖ କାରଣ ଭାବେ ଉଭା ହୋଇଛି ତାଙ୍କର ସୟଦ ମୁସ୍ତାକ ଅଲୀ ଟି-୨୦ ପ୍ରଦର୍ଶନ। ଶାହରୁଖ ତାମିଲନାଡୁକୁ ଦ୍ବିତୀୟ ଥର ପାଇଁ ସୟଦ ମୁସ୍ତାକ ଅଲୀ ଟାଇଟଲ ଜିତାଇବା ପାଇଁ ପ୍ରମୁଖ ଭୂମିକା ନିଭାଇଛନ୍ତି। ଯାହା ତାଙ୍କୁ ରାତାରାତି କୋଟିପତି କ୍ରିକେଟର ଭାବେ ଉଭା କରିଛି। ୨୦୧୮ ପ୍ରଥମ ଶ୍ରେଣୀ କ୍ରିକେଟ ଆରମ୍ଭ କରିଥିବା ଶାହରୁଖ ଜଣେ ଭଲ ବ୍ୟାଟ୍ସମ୍ୟାନ ଭାବେ ରନ ସ୍କୋର କରୁଥିବାରୁ ଫ୍ରାଞ୍ଚାଇଜି ତାଙ୍କ ଉପରେ ବାଜି ଲଗାଇଛନ୍ତି।

ସେହିପରି ଭାବେ ଚକିତ କରିବା ଭଳି ଦାମ ପାଇଥିବା ଅନ୍ୟ ଖେଳାଳି ତାଲିକାରେ ଆଉ କେତେକ ବିଦେଶୀ ଓ ଭାରତୀୟ ଖେଳାଳି ମଧ୍ୟ ରହିଛନ୍ତି। ଅଷ୍ଟ୍ରେଲୀୟ ଷ୍ଟାର କ୍ରିକେଟର ଷ୍ଟିଭ ସ୍ମିଥ ମାତ୍ର ୨ କୋଟି ୨୦ ଲକ୍ଷରେ ନିଲାମ ହୋଇଥିଲା ବେଳେ ଇଂଲଣ୍ଡର ମୋଇନ ଅଲୀ ୭ କୋଟିରେ ଚେନ୍ନାଇ ପାଇଁ ନିଲାମ ହୋଇଛନ୍ତି। ନ୍ୟୁଜିଲାଣ୍ଡର ଆଡାମ ମିଲନେଙ୍କ ବେସ ପ୍ରାଇସ ୫୦ ଲକ୍ଷ ରହିଥିଲା ବେଳେ ତାଙ୍କୁ ୩.୨ କୋଟିରେ ନେଇଛି ଷ୍ଟାର ଖଚିତ ମୁମ୍ବାଇ ଇଣ୍ଡିଆନ୍ସ। ସେହିପରି କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନ ଥିବା ଅଷ୍ଟ୍ରେଲୀୟ ଅଲରାଉଣ୍ଡର ରିଲି ମେରେଡିଥଙ୍କୁ ପଞ୍ଜାବ କିଙ୍ଗସ ୮ କୋଟିରେ କିଣି ବିସ୍ମୟ ସୃଷ୍ଟି କରିଛି। ମେରେଡିଥ ତାଙ୍କ ବେସ ପ୍ରାଇସ ମାତ୍ର ୪୦ ଲକ୍ଷ ରଖିଥିଲା ବେଳେ ପ୍ରାୟ ସେ ୨୦ ଗୁଣା ଅଧିକ ଦାମରେ ନିଲାମ ହୋଇଛନ୍ତି। ଇଂଲଣ୍ଡର ଟମ କୁରାନ ମଧ୍ୟ ୫ କୋଟି ୨୦ ଲକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ନିଲାମ ହୋଇଛନ୍ତି। ଷ୍ଟାର କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ତାଙ୍କ ଆଇପିଏଲ ଭାଉ ବଜାୟ ରଖିବାରେ ସଫଳ ହୋଇ ପୁଣି ଥରେ ୧୪ କୋଟି ୨୫ ଲକ୍ଷରେ ନିଲାମ ହୋଇ ବାଙ୍ଗାଲୋର ପାଇଁ ଖେଳିବାକୁ ଯାଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ