ପିଡିପିପି ପ୍ଲାଣ୍ଟ୍‌ରୁ ସର୍ବୋତ୍କୃଷ୍ଟ ମାନର ପେଟ୍ରୋକେମିକାଲ୍‌ ଉତ୍ପାଦନ କରାଯିବ: ଧର୍ମେନ୍ଦ୍ର


ପେଟ୍ରୋକେମିକାଲ୍ସ ପ୍ରକଳ୍ପକୁ ଲୋକାର୍ପିତ କରୁଛନ୍ତି ପ୍ରଧାନମନ୍ତ୍ରୀ
 କେରଳର କୋଚି ଠାରେ ରବିବାର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ସମେତ ଏକବିଂଶ ଶତାବ୍ଦୀର ଏକାଧିକ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ କେରଳ ତଥା ଦକ୍ଷିଣ ଭାରତର ସାମଗ୍ରିକ ଶିଳ୍ପ ଏବଂ ଅର୍ଥନୀତି ବିକାଶକୁ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେହିପରି ଲୋକାର୍ପିତ ହୋଇଯାଇଥିବା ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ଼ (ବିପିସିଏଲ)ର ୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ କୋଚି ବିଶୋଧନାଗାରର ଅତ୍ୟାଧୁନିକ ପ୍ରୋପିଲିନ୍‌ ଡେରିଭେଟିଭ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଣ୍ଟ୍‌ରେ ବିଦେଶରୁ ଆମଦାନି ହେଉଥିବା ସର୍ବୋତ୍କୃଷ୍ଟ ମାନର ପେଟ୍ରୋକେମିକାଲ ଉତ୍ପାଦ ଉତ୍ପାଦନ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଧର୍ମେନ୍ଦ୍ର କହିଛନ୍ତି, ଆଜି ଏକ ବିଶାଳ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କରକମଳରେ ବିପିସିଏଲ୍ କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଣ୍ଟ୍‌ ଏବଂ କୋଚି ସ୍ଥିତ ୱିଲିଙ୍ଗଡ଼ନ ଦ୍ୱୀପପୁଞ୍ଜରେ ରୋ-ରୋ ଜାହାଜକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ସେହିପରି କୋଚି ବନ୍ଦରରେ ଅନ୍ତର୍ଜାତୀୟ କ୍ରୁଜ୍‌ ଟର୍ମିନାଲ୍‌ ‘ସାଗରିକା’ ଓ ସାମୁଦ୍ରିକ ଇଞ୍ଜିନିୟରିଂ ପ୍ରଶିକ୍ଷଣ କେନ୍ଦ୍ର(ବିଜୟ ସାଗର)ର ଉଦ୍‌ଘାଟନ ହୋଇଥିବା ବେଳେ କୋଚି ଠାରେ ସାଉଥ୍ କୋଲ ବର୍ଥର ପୁନଃନିର୍ମାଣର ଶିଳାନ୍ୟାସ କରାଯାଇଛି। ଲୋକାର୍ପଣ ଓ ଶିଳାନ୍ୟାସ ହୋଇଯାଇଥିବା ଏହି ଉଚ୍ଚାଭିଳାଷୀ ପ୍ରକଳ୍ପ ଗୁଡ଼ିକ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପକୁ ମଜବୁତ୍ କରିବ, କେରଳର ସାମଗ୍ରିକ ବିକାଶ କରିବା ସଙ୍ଗେସଙ୍ଗେ ପର୍ଯ୍ୟଟନକୁ ଗତି ଦେବ। ଏହାସହ ରାଜସ୍ୱ ବୃଦ୍ଧି କରିବା ସହ କେରଳରେ ନିଯୁକ୍ତି ସୁଯୋଗ ତିଆରି କରିବ। ଦେଶର ଭବିଷ୍ୟତର ଭିତ୍ତିଭୂମି ନିର୍ମାଣ କରିବା ଦିଗରେ ବିପିସିଏଲର ପିଡିପିପି ପ୍ଲାଣ୍ଟ୍‌ ଅନ୍ୟତମ ପଦକ୍ଷେପ। ଏହି ପ୍ଲାଣ୍ଟ୍‌ ସ୍ଥାନୀୟ ଅଞ୍ଚଳର ଡାଉନଷ୍ଟ୍ରିମ୍‌ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ସଙ୍ଗେସଙ୍ଗେ ଅର୍ଥନୀତି ଏବଂ ରୋଜଗାର ବୃଦ୍ଧି କରିବ। ଫଳରେ ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ କରାଯାଇପାରିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ କୋଚି ବନ୍ଦରରେ ଅନ୍ତର୍ଜାତୀୟ କ୍ରୁଜ ଟର୍ମିନାଲ୍‌ ‘ସାଗରିକା’ ସମେତ ଅନ୍ୟାନ୍ୟ ଉଦ୍‌ଘାଟିତ ଜଳପଥ ପ୍ରକଳ୍ପ ଗୁଡ଼ିକ କମ୍ ଖର୍ଚ୍ଚ ସହିତ ବାଣିଜ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ଏବଂ କେରଳ ଉପକୂଳ ଅଞ୍ଚଳକୁ ପରିବର୍ତ୍ତନ କରିବା ସହ ନୂଆ ସୁଯୋଗ ତିଆରି କରିବ। ବିଗତ ୬ ବର୍ଷରେ କେରଳରେ ତୈଳ ଏବଂ ଗ୍ୟାସ୍‌ ଶିଳ୍ପ ବିଶୋଧନାଗାର, ପାଇପଲାଇନ, ମାର୍କେଟିଂ, ସିଜିଡ଼ି ନେଟ୍‌ୱାର୍କ ସମେତ ପେଟ୍ରୋଲିୟମ୍‌ ପ୍ରକଳ୍ପରେ ପ୍ରାୟ ୨୫ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛି। ଏଥିସହ ତୈଳଶିଳ୍ପ ବାର୍ଷିକ ଆନୂମାନିକ ୭ ହଜାର ୫୦୦ କୋଟି କେରଳର ରାଜକୋଷକୁ ପ୍ରଦାନ କରୁଛି। ଗତ ମାସ ତଳେ ପ୍ରଧାନମନ୍ତ୍ରୀ ମୋଦୀ ୪୫୦ କିମି ଲମ୍ବ କୋଚି-ମାଙ୍ଗାଲୁରୁ ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଆକାଂକ୍ଷା ପୂରଣ କରିବା ସହ ସେମାନଙ୍କ ଜୀବନଯାପନକୁ ସୁଗମ କରିବା ଏବଂ ଭବିଷ୍ୟତ ପାଇଁ ନୂଆ ଭାରତ ଗଠନ କରିବାକୁ ପ୍ରାଥମିକତା ଦେଉଥିବା ଆଜିର କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ