ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

୨୦୨୧-୨୨ ଆର୍ଥିକ ବର୍ଷରେ ୧୦.୫ ପ୍ରତିଶତ ଜିଡିପି ଆକଳନ

ଆରବିଆଇ ଲୋଗୋ ଓ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ (ଫାଇଲ୍ ଫଟୋ)
ଶୁକ୍ରବାର ପୂର୍ବାହ୍ନରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରମୁଖ ପଲିସି ରେଟ୍ ଅପରିବର୍ତ୍ତିତ ରଖିଛି। ଏଥିରେ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ ଅନ୍ୟତମ ହୋଇଥିବାବେଳେ ଏହା ଯଥାକ୍ରମେ ୪ ଓ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ଶୁକ୍ରବାର ଆରବିଆଇ ପକ୍ଷରୁ ପାକ୍ଷିକ ମୁଦ୍ରାନୀତି କମିଟି (ଏମପିସି) ରିଭ୍ୟୁ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବା ସମୟରେ ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଦେଶର ଅର୍ଥନୀତି କୋରୋନା ସଂକ୍ରମଣଜନିତ ସ୍ଥିତିରୁ କ୍ରମଶଃ ଉପରକୁ ଉଠିବାରେ ଲାଗିଛି। ଅର୍ଥନୈତିକ ଅଭିବ୍‌ଦ୍ଧି କ୍ଷେତ୍ରରେ ଆଶାଜନକ ଉନ୍ନତି ପରିଲକ୍ଷିତ ହେୁଥିବା ବେଳେ ଏଫଡିଆଇ ଓ ଏଫପିଆଇ ପୁଞ୍ଜି ନିବେଶ ମଧ୍ୟ ବଢ଼ିଚାଲିଛି। ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ କ୍ରମଶଃ ସୁଧାର ଆସିବାରେ ଲାଗିଛି। ବିଶେଷକରି ଶକ୍ତି କ୍ଷେତ୍ରରେ ଚାହିଦା ଆଶାନୁପାତରେ ବଢ଼ିଚାଲିଛି। ସେହିପରି କୋରୋନା ସଂକ୍ରମଣଜନିତ ଲକଡାଉନ୍ ଦ୍ବାରା ପ୍ରଭାବିତ ହୋଇଥିବା ଅର୍ଥନୀତିରେ କ୍ରମଶଃ ସୁଧାର ହେଉଛି। ମାଲ୍ ପରିବହନ ସହ ଜନସାଧାରଣଙ୍କ ଚଳପ୍ରଚଳ ମଧ୍ୟ ବଢ଼ିଚାଲିଛି ଓ ଅର୍ଥନୀତି ପୁଣିଥରେ ଚଳଚଞ୍ଚଳ ହୋଇପଡ଼ିଛି ବୋଲି ଦାସ କହିଛନ୍ତି।

ଆରବିଆଇ ମୁଦ୍ରାନୀତି କମିଟି ଗତ ୩ଟି ବୈଠକରେ ମଧ୍ୟ ରେପୋ ଓ ରିଭର୍ସ ରେପୋ ରେଟରେ କୌଣସି ପ୍ରକାର ପରିବର୍ତ୍ତନ କରି ନ ଥିଲା। ଦେଶର ଅଭିବୃଦ୍ଧି ହାରକୁ ଅଧିକ ସବଳ କରିବା ସକାଶେ ନିକଟରେ କେନ୍ଦ୍ର ସରକାର ୨୦୨୧-୨୨ ଆର୍ଥିକ ବର୍ଷ ବଜେଟରେ ଋଣ ଉପରେ ଗୁରୁତ୍ବ ଦେଇଥିବା ବେଳେ ଏମପିସି ଏ ଦିଗରେ ଆଉ ପାଦେ ଆଗେଇଛି। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ବା ଜିଡିପି ସାଢ଼େ ୧୦ ପ୍ରତିଶତ ରହିବ ବୋଲି ମଧ୍ୟ ଆରବିଆଇ ଗଭର୍ଣ୍ଣର୍ ଦାସ ଆକଳନ କରିଛନ୍ତି। ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକ ନିକଟରେ ଅଧିକ ଲିକ୍ବିଡିଟି କ୍ଷମତା ମହଜୁଦ ରଖିବା ସକାଶେ ଏହାର ମୁଦ୍ରାନୀତିରେ ବିଶେଷ କୌଣସି ପରିବର୍ତ୍ତନ କରିନାହିଁ। କୋରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତିରେ ଦେଶର ଅର୍ଥନୀତିରେ ସନ୍ତୁଳନ ପାଇଁ ଆରବିଆଇ ପକ୍ଷରୁ ଦିଆଯାଇଥିବା ଅତିରିକ୍ତ ପାଣ୍ଠିକୁ ଫେରାଇ ନିଆଯିବା ସକାଶେ ଗତ ମାସରେ ଆରବିଆଇ ପକ୍ଷରୁ ସଙ୍କେତ ଦିଆଯାଇଥିଲା। ଇତିମଧ୍ୟରେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଲିକ୍ବିଡିଟି ସ୍ତରକୁ ସ୍ବାଭାବିକ କରିପାରିଥିବା ମଧ୍ୟ ଦାସ କହିଛନ୍ତି। ସେହିପରି ମୁଦ୍ରାସ୍ଫୀତି କ୍ଷେତ୍ରରେ ଆଶାଜନକ ଉନ୍ନତି ପରିଲକ୍ଷିତ ହୋଇଥିବା ମଧ୍ୟ ଆରବିଆଇ ଗଭର୍ଣ୍ଣର୍ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ କଞ୍ଜ୍ୟୁମର୍ ପ୍ରାଇସ୍ ଇଣ୍ଡେକ୍ସ (ସିପିଆଇ) ୫.୨ ପ୍ରତିଶତ ରହିବ ଓ ପରବର୍ତ୍ତୀ ସମୟରେ ଏହା ୫.୨ରୁ ୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ