ଆମାଜନ୍ ସିଇଓ ପଦ ଛାଡ଼ିବେ ବେଜୋସ୍, ଆଣ୍ଡି ଜେସି ଉତ୍ତରାଧିକାରୀ


ଜେଫ୍ ବେଜୋସ୍ (ଫାଇଲ୍ ଫଟୋ)
ବିଶ୍ବର ପ୍ରମୁଖ ଇ-କମର୍ସ କମ୍ପାନୀ ଆମାଜନ୍ ଡଟ୍ କମ୍‌ର ସିଇଓ ଜେଫ୍ ବେଜୋସ୍ ଏହି ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ୩ୟ କ୍ବାର୍ଟରରେ ସେ ସିଇଓ ପଦ ଛାଡ଼ିବେ ଓ ତାଙ୍କ ସ୍ଥାନରେ ଆଣ୍ଡି ଜେସି ସିଇଓ ଭାବେ କାର୍ଯ୍ୟ କରିବେ ବୋଲି ବେଜୋସ୍ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ ଜେସି ଆମାଜନର ସବୁଠାରୁ ଲାଭଦାୟକ ସଂସ୍ଥା ଆମାଜନ୍ ୱେବ୍ ସର୍ଭିସେସର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସିଇଓ ପଦ ଛାଡ଼ିବା ନେଇ ବେଜୋସ୍ ଇମେଲ୍ ମାଧ୍ୟମରେ ତାଙ୍କର ସମସ୍ତ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି। ସେ ଚଳିତ ବର୍ଷର ୩ୟ କ୍ବାର୍ଟରରୁ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ତେବେ ସିଇଓ ପଦ ଛାଡ଼ିବା ପରେ ବି ସର୍ବାଧିକ ଶେୟାର୍ ଥିବାରୁ ବେଜୋସ୍‌ଙ୍କର କମ୍ପାନୀ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ। ତେବେ ସିଇଓ ପଦ ଛାଡ଼ିବା ପରେ ବେଜୋସ୍ ସମାଜ ମଙ୍ଗଳ କାର୍ଯ୍ୟରେ ଅଧିକ ସମୟ ନିୟୋଜିତ କରିବେ। ତାଙ୍କ ଦ୍ବାରା ପ୍ରତିଷ୍ଠିତ ଡେ ୱାନ୍ ଫଣ୍ଡ୍ ଓ ବେଜୋସ୍ ଆର୍ଥ ଫଣ୍ଡ୍ ପାଇଁ ଅଧିକ ସମୟ ଦେବା ସହ ୫୭ ବର୍ଷୀୟ ବେଜୋସ୍ ମହାକାଶ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ତାଙ୍କ ସଂସ୍ଥା ବ୍ଲୁ ଓରିଜିନ୍ ଓ ଗଣମାଧ୍ୟମ କ୍ଷେତ୍ରରେ ସକ୍ରିୟ ଥିବା ଦ ୱାଶିଂଟନ୍ ପୋଷ୍ଟ୍ ପାଇଁ ଅଧିକ ସମୟ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ବିଶ୍ବର ଏହି ଅନ୍ୟତମ ବିତ୍ତଶାଳୀ ବ୍ୟକ୍ତି ଆମାଜନ୍ ସିଇଓ ପଦବୀ ଛାଡ଼ିବା ନେଇ ଘୋଷଣା କରିବା ପରେ ପ୍ରମୁଖ ବ୍ୟକ୍ତିବିଶେଷ ଓ ବିଭିନ୍ନ ଟେକ୍ କମ୍ପାନୀ ସିଇଓମାନେ ସୋସାଲ୍ ମିଡିଆ ମାଧ୍ୟମରେ ବେଜୋସଙ୍କୁ ତାଙ୍କର ପରବର୍ତ୍ତୀ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ତା’ଛଡ଼ା ସେମାନେ ନୂଆ ସିଇଓ ଜେସିଙ୍କୁ ମଧ୍ୟ ଅଭିନନ୍ଦନ ଦେଇଛନ୍ତି।

ସେମାନଙ୍କ ମଧ୍ୟରେ ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ, ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା, ଆମେରିକାର ପ୍ରମୁଖ ରିଅଲ୍ ଇଷ୍ଟେଟ୍ କମ୍ପାନୀ ୱିୱାର୍କର ଅଧ୍ୟକ୍ଷ, ସଫ୍ଟବ୍ୟାଙ୍କ୍ ସିଓଓ ମାର୍ସେଲୋ କ୍ଲାଉର୍ ପ୍ରମୁଖ। ଏହାଛଡ଼ା ଫାବଲ୍‌ର ପ୍ରତିଷ୍ଠାତା ତଥା ସ୍ପୋଟିଫାୟର ସଦସ୍ୟ ପଦ୍ମଶ୍ରୀ ୱାରିଅର୍ସ ଜେସିଙ୍କୁ ତାଙ୍କର ନୂଆ ପଦ ସକାଶେ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ୧୯୯୪ରେ ବେଜୋସ୍ ଆମାଜନ୍ ପ୍ରତିଷ୍ଠା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି କମ୍ପାନୀ ଷ୍ଟ୍ରିମିଂ ମ୍ୟୁଜିକ୍ ଓ ଟେଲିଭିଜନ୍, ଗ୍ରସରୀ, କ୍ଲାଉଡ୍ କମ୍ପ୍ୟୁଟିଂ, ରୋବୋଟିକ୍, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଆହୁରି ଅନେକ କ୍ଷେତ୍ରରେ ପ୍ରବେଶ କରି ବେଶ୍ ସଫଳତା ପାଇଚାଲିଛି। ଏହାଛଡ଼ା ବେଜୋସ୍ ଗତ ୨୦୦୦ରେ ଏକ ଛୋଟ ଏରୋସ୍ପେସ୍ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ତାଙ୍କର ଏହି କମ୍ପାନୀକୁ ଗତ ୨୦୧୪ରେ ୫ ଶହ ନିୟୁତ ଡଲାରର ଅର୍ଡର ମଧ୍ୟ ମିଳିଥିଲା। ସାମ୍ପ୍ରତିକ ସମୟରେ ବେଜୋସ୍‌ଙ୍କ ବ୍ଲୁ ଓରିଜିନ୍ ମହାକାଶ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ଏହା ବିଶ୍ବର ସବୁଠାରୁ ବିତ୍ତଶାଳୀ ଉଦ୍ୟୋଗପତି ଦକ୍ଷିଣ ଆଫ୍ରିକାରେ ଜନ୍ମିତ ଏଲନ୍ ମସ୍କଙ୍କ ସ୍ପେସଏକ୍ସକୁ ଟକ୍କର ଦେଉଛି। ଆହୁରି ବେଜୋସ୍ ଗତବର୍ଷ ଫେବ୍ରୁଆରୀରେ ଶତପ୍ରତିଶତ ସ୍ବଚ୍ଛ ଶକ୍ତି ଓ ସ୍ବାସ୍ଥ୍ୟକର ବାୟୁ, ପାନୀୟ ଜଳ ଓ ଜମି ଆଦି ଉପଲବ୍ଧ କରାଇବା ସକାଶେ ଆର୍ଥ ଫଣ୍ଡ୍ ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ବେଜୋସ୍ ଫୋର୍ବସ ମାଗାଜିନ୍ ପକ୍ଷରୁ ପ୍ରସ୍ତୁତ ଆମେରିକାର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ କ୍ରମାଗତ ୩ୟ ବର୍ଷ ପାଇଁ ଶୀର୍ଷ ସ୍ଥାନରେ ରହିଥିଲେ। ବର୍ତ୍ତମାନ ତାଙ୍କର ସମ୍ପତ୍ତି ପରିମାଣ ୨୦୨ ବିଲିୟନ୍ ଡଲାର୍ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ