ବାଣିଜ୍ୟ ଓ ଅର୍ଥନୀତି
ବିଶ୍ବ ଅର୍ଥନୀତି ଫୋରମରେ ଭାରତର ସାମର୍ଥ୍ୟ ବଖାଣିଲେ ପ୍ରଧାନମନ୍ତ୍ରୀ

ବିଶ୍ବ ଅର୍ଥନୀତି ଫୋରମରେ ପ୍ରଧାନମନ୍ତ୍ରୀ ମୋଦି
ଡାଭୋସରେ ଅନୁଷ୍ଠିତ ବିଶ୍ବ ଅର୍ଥନୀତି ଫୋରମରେ ପ୍ରଧାନମନ୍ତ୍ରୀ ମୋଦି ଆତ୍ମନିର୍ଭର ଅଭିଯାନ ଜରିଆରେ ସଶକ୍ତ ଭାରତ ନିର୍ମାଣ ନେଇ ମତ ରଖିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତର ବଳିଷ୍ଠ ଉଦ୍ୟମ ଓ ଏହାର ସଫଳତା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଶେଷକରି କୋଭିଡ-୧୯ ମହାମାରୀ ସମୟରେ ଭାରତ କିପରି ଭାବେ ଟିକା ପ୍ରସ୍ତୁତ କରିବା ସହ ଅନ୍ୟାନ୍ୟ ଦେଶକୁ ପଠାଇ ମହାମାରୀ ଲଢ଼େଇରେ ନିଜକୁ ସାମିଲ କରିଛି, ତାହା କହିଛନ୍ତି। ୧୨ ଦିନ ତଳେ ଦେଶରେ କୋରୋନା ଟିକାକରଣ ଆରମ୍ଭ ହୋଇଥିଲା ବେଳେ ଆମେ ଏହି ସମୟ ମଧ୍ୟରେ୨୫ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଦଫାରେ ଟିକା ଦେଇ ସାରିଛୁ ବୋଲି କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଟିକାକରଣରେ ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଯେଉଁମାନଙ୍କର ବୟସ ୫୦ରୁ ଊର୍ଦ୍ଧ୍ବ କିମ୍ବା ଯେଉଁମାନଙ୍କର ବହୁବିଧ ରୋଗବ୍ୟାଧି ରହିଛି ସେମାନଙ୍କୁ ଟିକା ଦିଆଯିବ ବୋଲି କହିଛନ୍ତି।
ଆମେ କେବଳ ଆମ କଥା ଚିନ୍ତା କରୁ ନାହୁଁ। ଆମେ ଏହି ମହାମାରୀ ଲଢ଼େଇରେ ସାମିଲ ହୋଇ ଅନ୍ୟ ଦେଶକୁ ଟିକା ଯୋଗାଣ ଆରମ୍ଭ କରିଛୁ। ଆତ୍ମନିର୍ଭର ଭାରତ ଯୋଜନା ଜରିଆରେ କିପରି ଭାବେ ଦେଶର ଅର୍ଥନୈତିକ ପ୍ରଗତି ହାସଲ କରିହେବ, ତାହା ଉପରେ ଗୁରୁତ୍ବ ଦେଉଛୁ। ବିଭିନ୍ନ କ୍ଷେତ୍ରରେ ସଂସ୍କାର ଆଣି ଦେଶର ଉତ୍ପାଦନ କ୍ଷମତା ବଢ଼ାଇ ଚାଲିଛୁ। କୋରୋନା ସତ୍ତ୍ବେ ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମିର ବିକାଶ କରାଯାଇଛି। ଯେତେବେଳେ କୋରୋନା ମହାମାରୀ ପାଇଁ ବିଭିନ୍ନ ଦେଶ ସେମାନଙ୍କର ଆକାଶ ସୀମା ବନ୍ଦ କରି ଦେଲେ ସେତେବେଳେ ଭାରତ ସରକାର ବିଦେଶରୁ ୧ ଲକ୍ଷ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିଥିଲା। ୧୫୦ଟି ଦେଶକୁ ଆମେ କୋରୋନା ପ୍ରତିଷେଧକ ପଠାଇଥିଲୁ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ କର୍ପୋରେଟ ଟିକସକୁ ୧୫ ପ୍ରତିଶତ କମାଇ ଦେଇଛୁ। ଜିଏସଟି ମଧ୍ୟ ଅନେକ ସାମଗ୍ରୀ କ୍ଷେତ୍ରରେ କମ କରି ଦେଇଛୁ। ଶ୍ରମ ଆଇନରେ ସଂସ୍କାର ଅଣା ଯାଇଛି। କମ୍ପାନୀ ଆଇନରେ ଥିବା ଅନେକ ଦଣ୍ଡବିଧାନ ବ୍ୟବସ୍ଥାକୁ କୋହଳ କରାଯାଇ କାର୍ପୋରେଟ ସେକ୍ଟରକୁ ଆଗକୁ ନେବା ପାଇଁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ