ଆଜିଠୁ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା


ପ୍ରତୀକାତ୍ମକ ଫଟୋ
କଳା, ସ୍ଥାପତ୍ୟର ଦେଶ ଭାବେ ଭାରତ ବିଶ୍ବବିଦିତ। ଭାରତ ମଧ୍ୟରେ କଳାନୈପୁଣ୍ୟତା ପାଇଁ ଓଡ଼ିଶାର ସ୍ଥାନ ସ୍ବତନ୍ତ୍ର। ସେଥିପାଇଁ ଏକଦା ଓଡ଼ିଶା ଉତ୍କର୍ଷ କଳାର ରାଜ୍ୟ ‘ଉତ୍କଳ’ ନାମରେ ଆଦୃତ ଲାଭ କରିଛି। ଓଡ଼ିଶା ବସ୍ତ୍ର ମଧ୍ୟରେ ମୁଖଃତ ବାନ୍ଧକଳାର ବୈଭବ କେବଳ ଆମ ରାଜ୍ୟ ନୁହେଁ ସମଗ୍ର ଦେଶ ତଥା ବିଶ୍ବକୁ ରୁଦ୍ଧିମନ୍ତ କରିପାରିଛି। ଓଡ଼ିଶାର ବାନ୍ଧବସ୍ତ୍ର ପରି ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଗୁଜୁରାଟର ପଟୋଲା, ଲକ୍ଷ୍ମୌର ଚିକେନ୍‌ କାରୀ, ଜମ୍ମୁ-କଶ୍ମୀରର ପଶ୍ମିନା-ସାଲ୍, ତାମିଲ୍‌ନାଡ଼ୁର କାଞ୍ଜିବରମ୍ ପାଟଶାଢ଼ି, ଦିଲ୍ଲୀ, ହରିୟାଣାର ଫର୍ନିସିଙ୍ଗ୍ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ସିଲକ୍ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଭାରତ ବୟନ କଳା ବିଭବକୁ ଆହୁରି ରୁଦ୍ଧିମନ୍ତ ଓ ସୁଦୂରପ୍ରସାରୀ କରାଇପାରିଛି। ଏହି ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜ୍ୟିକ ଆଭିମୁଖ୍ୟକୁ ତ୍ବରାନ୍ବିତ କରି ଏଥିରୁ ସମ୍ପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତିକଳ୍ପେ, ଓଡ଼ିଶା ସରକାରଙ୍କ ଦ୍ବାରା ଆୟୋଜିତ ବୟନିକା ଦ୍ବାରା ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି।

ୟୁନିଟ୍‌-୩ ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଂଶତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା। ଏହି ମେଳା ଫେବ୍ରୁଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ବୟନଶିଳ୍ପ ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ଯୋଗଦାନ କରିବେ।  ଏହି ପ୍ରଦର୍ଶନୀରେ ଭାରତର ବିଭିନ୍ନ କୋଣ-ଅନୁକୋଣରେ ପ୍ରସ୍ତୁତ ସୂତା, ସିଲକ୍‌, ଟସର, ଏରି ଓ ବିଭିନ୍ନ ଡିଜାଇନ୍‌ର ଶାଢ଼ି, ଡ୍ରେସ୍‌, ଡ୍ରେସ୍ ମ୍ୟାଟେରିଆଲ୍‌, ପରଦା କପଡ଼ା, ଲୁଙ୍ଗି, ଧୋତି, ଟୋୱଲ୍‌, ଫର୍ନିସିଙ୍ଗ୍ କପଡ଼ା ଇତ୍ୟାଦି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଏହି ମେଳା ପ୍ରତ୍ୟହ ଦିନ ୧୧ ଟା ୩୦ ମିନିଟ୍‌ରୁ ରାତି ୯ ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ଚାଲିବ। ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲ୍‌ରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି। ମେଳାରେ ମୋଟ ୧୧୭ଟି ଷ୍ଟଲ୍‌ର ଆୟୋଜନ ହୋଇଛି। ସେଥିମଧ୍ୟରୁ ୮୫ଟି ଷ୍ଟଲ୍‌ ଓଡ଼ିଶାର ବିଭିନ୍ନ ପ୍ରମୁଖ ସଂସ୍ଥା ଯଥା ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ଉତ୍କଳିକା ଓ ସେରିଫେଡ୍ ତଥା ଅନ୍ୟାନ୍ୟ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତିମାନଙ୍କ ପାଇଁ ସଂରକ୍ଷିତ ରହିଛି। ଓଡ଼ିଶାକୁ ଛାଡ଼ି ଅନ୍ୟ ୧୬ଟି ରାଜ୍ୟର ହସ୍ତତନ୍ତ ସଂସ୍ଥା ଓ ସମିତିମାନେ ଅଂଶଗ୍ରହଣ କରୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ