କୋରୋନା ସମୟରେ ରେକର୍ଡ ବିହନ ଉତ୍ପାଦନ କରିଛି ବିହନ ନିଗମ


ପ୍ରତୀକାତ୍ମକ ଫଟୋ
କୋଭିଡ୍‌-୧୯ ସ୍ଥିତିରେ ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ସତ୍ତ୍ବେ ୨୦୨୦ ବର୍ଷରେ ଓଡ଼ିଶା ରାଜ୍ୟ ବିହନ ନିଗମ ବିହନ ଉତ୍ପାଦନ ଏବଂ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ନିଗମ ଦ୍ୱାରା ନିଜସ୍ୱ ଯୋଜନା ‘ମୋ ବିହନ ଯୋଜନା’ରେ ଏବଂ ଅନ୍ୟ ସଂସ୍ଥାମାନଙ୍କ ସହଯୋଗିତାରେ ୩ ଲକ୍ଷ ୯୫ ହଜାର ୩୨ କ୍ୱିଣ୍ଟାଲ୍‌ ଧାନ ଏବଂ ୨୫ ହଜାର ୩୪ କ୍ୱିଣ୍ଟାଲ୍‌ ଅଣଧାନ ବିହନ ଉତ୍ପାଦନ କରିପାରିଛି।

ନୂତନ କିସମର ୨୫ଟି ଧାନ, ୪ଟି ମାଣ୍ଡିଆ, ୧୪ଟି ଡାଲି ଏବଂ ୧୬ଟି ତୈଳବୀଜ ବିହନକୁ ‘ବିହନ ଉତ୍ପାଦନ ଯୋଜନା’ରେ ସାମିଲ୍‌ କରାଯାଇଛି। ନିଗମ ଦ୍ୱାରା ଡିବିଟି ମାଧ୍ୟମରେ ରେକର୍ଡ ପରିମାଣର ୪ ଲକ୍ଷ ୭ ହଜାର ୪୪୦ କ୍ବିଣ୍ଟାଲ୍‌ ଧାନ ଏବଂ ୫୭ ହଜାର ୨୪୩ କ୍ୱିଣ୍ଟାଲ୍‌ ଅଣଧାନ ବିହନ ବିକ୍ରୟ କରାଯାଇପାରିଛି। ନିଗମର ବରଗଡ଼, ବରପାଲି ଏବଂ ପରମାଣପୁର ଫାର୍ମରେ ଅନ୍ୟ ସଂସ୍ଥାଙ୍କ ସହଭାଗିତାରେ ବିହନ ଉତ୍ପାଦନ କରାଯାଇ ୨ ହଜାର ୯୪୨ କ୍ୱିଣ୍ଟାଲ୍‌ ପିଣ୍ଡ ବିହନ ଉତ୍ପାଦନ କରାଯାଇଛି ଏବଂ ହେକ୍ଟର ପ୍ରତି ଅନୁମୋଦିତ ୩୦ କ୍ୱିଣ୍ଟାଲ୍‌ଠାରୁ ଅଧିକ ଅମଳ କରାଯାଇଛି।

କୋରୋନା କଟକଣା ସତ୍ତ୍ବେ ୧୪ ଲକ୍ଷ ୫୨ ହଜାର ୪୦୭ ଗୋଟି ଫଳଚାରା, ୬୩୦ କ୍ୱିଣ୍ଟାଲ୍‌ ଆଳୁ ଏବଂ ୧୨୧ କ୍ୱିଣ୍ଟାଲ୍‌ ପିଆଜ ମଞ୍ଜି ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ତଥା ଅନ୍ୟ ସଂସ୍ଥାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଗାଇ ଦିଆଯାଇଛି। ନିଗମ ଦ୍ୱାରା ରାଜ୍ୟ ସରକାରଙ୍କ ମିଲେଟ୍‌ ମିଶନ ଏବଂ ମୋ ଉପକାରୀ ବଗିଚା ଯୋଜନାରେ ବିହନ ଯୋଗାଣ କରି ଯୋଜନାକୁ ସଫଳ କରିବାରେ ସହାୟକ ହୋଇପାରିଛି ଯାହାକି ଭାରତ ସରକାରଙ୍କ ନିତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଛି। ଏଥି ସହିତ ରାଜ୍ୟର ସୁବର୍ଣ୍ଣପୁର, ବଲାଙ୍ଗିର, ବରଗଡ଼, ଭୁବନେଶ୍ୱର, କଟକ, ରଙ୍ଗେଇଲୁଣ୍ଡା, ବାବନପୁର ଓ ଶେରଗଡ଼ ଆଦି ଆଠଟି ସ୍ଥାନରେ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରାଯାଇଛି। ବିହନ ସଂରକ୍ଷଣ ପାଇଁ ସୋନପୁର, ଭବାନୀପାଟଣା, ସମ୍ବଲପୁର, ନୟାଗଡ଼, ଭୁବନେଶ୍ୱର, ରଙ୍ଗେଇଲୁଣ୍ଡା, ସାତଶଙ୍ଖ, ବାବନପୁର ଓ ଶେରଗଡ଼ଠାରେ ଗୋଦାମ ଗୃହ ନିର୍ମାଣ କରି ୫୮ ହଜାର କ୍ୱିଣ୍ଟାଲ୍‌ ବିହନ ସଂରକ୍ଷଣ ପାଇଁ ଅତିରିକ୍ତ, ୮୭ ହଜାର ବର୍ଗଫୁଟ୍‌ର ଗୋଦାମ ଗୃହର ବ୍ୟବସ୍ଥା କରାଯାଇଛି।

ବିହନର ଉତ୍ତମ ସଂରକ୍ଷଣ ପାଇଁ ୧୭ ହଜାର ଗୋଟି ଲୁହା ପ୍ୟାଲେଟ୍‌ ବିଭିନ୍ନ ଗୋଦାମରେ ବ୍ୟବହାର କରାଯାଇଛି। ଯାହାକି ବିହନ ଗଜା ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବାରେ ସହାୟକ ହୋଇପାରିଛି। ନିଗମର ତିନୋଟି ପ୍ରକ୍ରିୟାକରଣ କେନ୍ଦ୍ର ବରଗଡ଼, ରଙ୍ଗେଇଲୁଣ୍ଡା ଏବଂ ଜୟପୁରଠାରେ ବିହନ ଓଜନ ଯନ୍ତ୍ର ସ୍ଥାପନ କରାଯାଇଛି। ନିଗମର ସମସ୍ତ ୩୭ଟି ବିହନ ପ୍ରକ୍ରିୟାକରଣ କେନ୍ଦ୍ରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିହନ ପ୍ରକ୍ରିୟାକରଣ କାର୍ଯ୍ୟ ଆରମ୍ଭ କରାଯାଇ ପ୍ରକ୍ରିୟାକରଣକୁ ସରଳ ଓ ଅଧିକ ପାରଦର୍ଶୀ କରାଯାଇଛିା ଏଥିସହିତ ବିହନ ନିଗମ ଦ୍ୱାରା ଉତ୍ତମ ଆର୍ଥିକ ପରିଚାଳନା ତଥା ନିରନ୍ତର ପ୍ରଚେଷ୍ଟା ମାଧ୍ୟମରେ ପ୍ରାରମ୍ଭିକ ଡିବିଟି ପ୍ରଚଳନଜନିତ କ୍ରମବର୍ଦ୍ଧିଷ୍ଣୁ କ୍ଷତିର ଭରଣା ତଥା ବ୍ୟାଙ୍କରୁ ଋଣ ଉଠାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ