୨୧ରୁ ପଞ୍ଚଦଶ ତୋଷାଳି ମେଳା: ୧୬ ଦିନ ଚାଲିବ


ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତାରେ ପଞ୍ଚଦଶ ତୋଷାଳି ମେଳା ଆୟୋଜନ ନେଇ ବୈଠକ
ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚଦଶ ତୋଷାଳି ମେଳା। ଭୁବନେଶ୍ବରସ୍ଥିତ ଜନତା ମଇଦାନରେ ଏହି ମେଳା ଫେବ୍ରୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୬ ଦିନ ଧରି ଚାଲିବ। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ୍‌ ନିୟମକୁ ସମ୍ପୂର୍ଣ୍ଣ ଭାବେ ଅନୁପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଉନ୍ନୟନ କମିଶନର ଜେନା ନିର୍ଦେଶ ଦେଇଛନ୍ତି।

ଏହି ଜାତୀୟ ସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ। ଗତବର୍ଷ ୪୫୦ଟି ଷ୍ଟଲ୍‌ ଥିବାବେଳେ ସ୍ୱତନ୍ତ୍ର କୋଭିଡ୍‌ ନିୟମ ପାଳନକୁ ଆଖିରେ ରଖି ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୨୫୦ଟି ଷ୍ଟଲ୍‌ କରାଯାଉଛି। ସହଯୋଗୀ ବିଭାଗର ମିଳିତ ଉଦ୍ୟମରେ ସଫଳ ହୋଇପାରିବ ବୋଲି କହିଛନ୍ତି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶୁଭା ଶର୍ମା। ଏହି ବୈଠକରେ ତୋଷାଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକୀୟ ପୋଲିସ୍‌, ଯଥେଷ୍ଟ ଟ୍ରାଫିକ୍‌ ବ୍ୟବସ୍ଥା, ଦିନରାତି ଦୁଇ ୟୁନିଟ୍‌ ଅଗ୍ନିଶମ ଦଳଙ୍କ ମୁତୟନ, ବିଦ୍ୟୁଯୋଗାଣ, ପିଇବା ପାଣି, ଫାଷ୍ଟଏଡ୍‌ ବ୍ୟବସ୍ଥା, ମେଳା ପରିସରର ସ୍ୱଚ୍ଛତା, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା।

ଏହି ବୈଠକରେ ଅତିରିକ୍ତ କମିଶନର ଅଫ୍‌ ପୋଲିସ୍‌ ରେଖା ଲୋହାନୀ, ବିଏମ୍‌ସି କମିଶନର ପ୍ରେମଚାନ୍ଦ ଚୌଧାରୀ, ରାଜ୍ୟ ଫାୟାର ଅଫିସର, ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ସେଣ୍ଟ୍ରାଲ୍‌ ଡିଷ୍ଟି୍ବ୍ୟୁସନ୍‌ ଲିମିଟେଡ୍‌, ପିଏଚ୍‌ଇଡି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ, ହସ୍ତଶିଳ୍ପ ନିର୍ଦେଶକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସୂଚନା ଓ ଲୋକସମ୍ପର୍କ ବିଭାଗର ପଦାଧିକାରୀ ଉପସ୍ଥିତ ରହି ମେଳାର ସୁପରିଚାଳନା ନିମନ୍ତେ ନିଜର ମତାମତ ବ୍ୟକ୍ତ କରିଥିଲେ। ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ସିଡାକ୍‌ର ସଭ୍ୟସଚିବ କୈଳାସ ଚନ୍ଦ୍ର ସାହୁ ଏହି ବୈଠକର ପରିଚାଳନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ