ରାଜ୍ୟ
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ
ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ପଦ୍ମଶ୍ରୀ ଡି ପ୍ରକାଶ ରାଓ (ଫଟୋ-ପ୍ରତିନିଧି)
ଭୁବନେଶ୍ୱର: ପରଲୋକରେ ଜଣାଶୁଣା ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ। ବୁଧବାର ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ କଟକ ଏସ୍ସିବି ମେଡିକାଲ୍ରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ବ୍ରେନ୍ ଷ୍ଟ୍ରୋକ୍ରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ପଦ୍ମଶ୍ରୀ ଡି. ପ୍ରକାଶ ରାଓ ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ନେତା, ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। ଶୋକ ପ୍ରକାଶ କରିବା ସହ ପଦ୍ମଶ୍ରୀ ସ୍ୱର୍ଗତଃ ଡି. ପ୍ରକାଶ ରାଓଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁବାର କଟକର କାଳିଆବୋଦା ଶ୍ମଶାନରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମାଜସେବୀ ଡି. ପ୍ରକାଶ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟ୍ବିଟର୍ରେ ପ୍ରକାଶ ରାଓଙ୍କ ସହ ତାଙ୍କର ଏକ ଫଟୋ ପୋଷ୍ଟ୍ କରି ମୋଦି ଲେଖିଛନ୍ତି, ପ୍ରକାଶ ରାଓଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ରହିବ। ସଶକ୍ତୀକରଣ ପାଇଁ ଶିକ୍ଷା ଏକ ବଡ଼ ମାଧ୍ୟମ ଭାବେ ସେ ଦେଖିଥିଲେ। ତାଙ୍କ ସହ କଟକରେ ଦେଖା ବେଳର ସ୍ମୃତି ଏବେ ବି ମନେପଡ଼େ। ପରିବାର ଓ ପରିଜନଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ରାଓଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ସ୍ୱର୍ଗତଃ ରାଓ ତାଙ୍କର ଉତ୍ସର୍ଗୀକୃତ ସମାଜ ସେବା ବିଶେଷ କରି ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାବସାନ ହେବା ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ। ସେ ସମାଜର ଅବହେଳିତ ଲୋକଙ୍କ ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମାଜିକ କାର୍ଯ୍ୟ ବିଷୟରେ ଅବଗତ ଥିଲେ ଓ ୨୦୧୮ ରେ ତାଙ୍କ କଟକ ଗସ୍ତ ସମୟରେ ବିଶେଷ ଭାବରେ ପ୍ରକାଶ ବାବୁଙ୍କୁ ଆମନ୍ତ୍ରିତ କରି ତାଙ୍କ ସହ ଆଲୋଚନା କରିଥିଲେ। ସ୍ବର୍ଗତ ପ୍ରକାଶ ରାଓ ସଦାସର୍ବଦା ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିବେ। ଶୋକସନ୍ତପ୍ତ ପରିବାର ବର୍ଗକୁ ସମେବଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଧର୍ମେନ୍ଦ୍ର। ଏଥିସହ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ନିଆରା ସମାଜସେବା ପାଇଁ କଟକ ସହର ସମେତ ଦେଶ ବିଦେଶରେ ପ୍ରକାଶ ରାଓ ବେଶ୍ ପରିଚିତ। ବିଶେଷ କରି ଶିକ୍ଷା କ୍ଷେତ୍ରକୁ ତାଙ୍କର ଅବଦାନ ପାଇଁ ସେ ଚର୍ଚ୍ଚିତ। ଗରିବ ପିଲାଙ୍କୁ ପାଠ ପଢ଼ାଇବା ଥିଲା ତାଙ୍କର ନିଶା। କଟକ ବକ୍ସିବଜାରରେ ଚା’ ଦୋକାନ କରିବା ସହ ବସ୍ତିବାସିନ୍ଦାଙ୍କ ପିଲାଙ୍କୁ ପାଠ ପଢ଼ାଉଥିଲେ ପ୍ରକାଶ ରାଓ। ଏହାପରେ ନିଜ ଉଦ୍ୟମରେ ସ୍କୁଲ୍ଟିଏ କରିବା ସହ ନିଜ ରୋଜଗାର ଟଙ୍କା ଖର୍ଚ୍ଚ କରି ପିଲାଙ୍କ ଯତ୍ନ ଓ ପଢ଼ା ଖର୍ଚ୍ଚ ବହନ କରୁଥିଲେ। ୨୦୦୦ ମସିହାରୁ ରାଓ କଟକ ବକ୍ସି ବଜାର ସ୍ଥିତ ନିଜ ଘରେ ‘ଆଶା ଆଶ୍ୱାସନା ଗୃହ’ ନାମରେ ଏକ ସ୍କୁଲ୍ ଆରମ୍ଭ କରିଥିଲେ। ଏଥିପାଇଁ ପ୍ରକାଶଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିଥିଲେ ରାଓ। ତା’ ସହିତ ଅନେକ ସମୟରେ କଟକ ଏସ୍ସିବି ବଡ଼ ମେଡିକାଲ୍ରେ ରୋଗୀମାନଙ୍କରେ ସେବା କରୁଥିଲେ। ଏମିତିକି ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ପିଲାଙ୍କ ପାଠପଢ଼ା ପାଇଁ ଦେଇଦେବାକୁ କହିଥିଲେ ରାଓ। ପୂର୍ବରୁ ରାଓ ଇଣ୍ଟର୍ନ୍ୟାସନାଲ୍ ହ୍ୟୁମାନ୍ ରାଇଟସ୍ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଥିଲେ। ପେଶାରେ ଚାହା ବିକ୍ରେତା ଥିବା ପ୍ରକାଶଙ୍କ ପରିବାର କାକିନାଡ଼ାରୁ ଓଡ଼ିଶା ଆସିଥିଲେ। ଜେଜେବାପା ଡି ଆଦି ନାରାୟଣ ସ୍ୱାମୀ ଥିଲେ ମଧୁବାବୁଙ୍କର ନିକଟତମ। ‘ଉତ୍କଳ ଟ୍ୟାନେରୀ’ର ସେ ଥିଲେ ପରିଚାଳକ। ପିତା ଡି କ୍ରୀଷ୍ଣମୂର୍ତ୍ତୀ ଥିଲେ ଇଂରେଜମାନଙ୍କ ସୈନିକ। ଦ୍ବିତୀୟ ବିଶ୍ବଯୁଦ୍ଧରେ ସେ ଇଂରେଜମାନଙ୍କ ତରଫରୁ ଜାପାନ ବିରୋଧରେ ଯୁଦ୍ଧ କରିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ