ଟ୍ରମ୍ପ୍‌ଙ୍କ ବହିଷ୍କାର ପାଇଁ ୨୫ତମ ସଂଶୋଧନ ଲାଗୁ ସପକ୍ଷରେ ସାଂସଦ, ପ୍ରସ୍ତାବକୁ ମଞ୍ଜୁରୀ


ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ (ଫାଇଲ୍ ଫଟୋ)
ଓ୍ୱାଶିଂଟନ୍: ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନେ ନୂଆ ରାଷ୍ଟ୍ରପତି ଜୋ ବିଡେନଙ୍କ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରିବା ସହ କ୍ୟାପିଟଲ୍ କୋଠାରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ଏହି ଘଟଣା ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଘଟିଥିବା ବେଳେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ଅଛନ୍ତି ଆମେରିକା ସଂସଦନର ହାଉସ୍ ଅଫ୍ ରିପ୍ରେଜେଣ୍ଟିଟିଭ୍ସର ସଦସ୍ୟମାନେ। ପୂର୍ବରୁ ଉପରାଷ୍ଟ୍ରପତି ମାଇକ୍ ପେନ୍ସ ଟ୍ରମ୍ପଙ୍କୁ କାର୍ଯ୍ୟରୁ ଅନ୍ତର କରିବା ସକାଶେ ସମ୍ବିଧାନର ୨୫ତମ ସଂଶୋଧନକୁ ଲାଗୁ କରାଯିବ ନାହିଁ ବୋଲି କହିବା ପରେ ଏହା ବିରୋଧରେ ସଦସ୍ୟମାନେ ମତ ଦେଇଛନ୍ତି। ବୁଧବାର ଏହି ସଦନର ସଦସ୍ୟମାନେ ୨୫ତମ ସଂଶୋଧନକୁ ଲାଗୁ କରିବା ସକାଶେ ଆଗତ ଏକ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ସାଂସଦମାନେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଗତ କରିବା ସକାଶେ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବାକୁ ମଞ୍ଜୁରୀ ଦେଇସାରିଛନ୍ତି।

ଆଗତ ପ୍ରସ୍ତାବ ସପକ୍ଷରେ ୨୨୩ ଜଣ ସାଂସଦ ଭୋଟ୍ ଦେଇଥିବା ବେଳେ ୨୦୫ ଜଣ ଏହାକୁ ବିରୋଧ କରିଥିଲେ। ତେବେ ଏହି ଭୋଟିଂ ପ୍ରକ୍ରିୟାରେ ଡେମୋକ୍ରାଟିକ୍ ପାର୍ଟିର ସାଂସଦମାନେ ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ ରିପବ୍ଲିକାନ୍ ପାର୍ଟିର କେବଳ ଜଣେ ସାଂସଦ ଏହାକୁ ସମର୍ଥନ ଦେଇଛନ୍ତି। ଏହାଛଡ଼ା ୫ ଜଣ ରିପବ୍ଲିକାନ୍ ପାର୍ଟିର ସାଂସଦ ଅନୁପସ୍ଥିତ ଥିଲେ। ସମ୍ବିଧାନର ୨୫ତମ ସଂଶୋଧନ ୫୦ ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ହେଲା କାର୍ଯ୍ୟକାରୀ ହୋଇଆସିଛି। କୌଣସି ରାଷ୍ଟ୍ରପତି ଏହି ପଦ ପାଇଁ ଅନୁପଯୁକ୍ତ ମନେ ହେଲେ, ତାଙ୍କୁ ଏହି ସଂଶୋଧନ ଆଧାରରେ କାର୍ଯ୍ୟରୁ ଅନ୍ତର କରାଯିବାର ବିଧି ରହିଛି। ଆମେରିକାର ୩୫ତମ ରାଷ୍ଟ୍ରପତି ଜନ୍ ଏଫ୍ କେନେଡିଙ୍କୁ ଆତତାୟୀମାନେ ଗୁଳି କରି ହତ୍ୟା କରିବା ପରେ ଦେଶରେ ଏହି ସଂଶୋଧନ ପ୍ରଥମ ଥର ପାଇଁ ଲାଗୁ ହୋଇଥିଲା। ଏହି ସଂଶୋଧନ ବଳରେ ସଂଖ୍ୟାଗରିଷ୍ଠ କ୍ୟାବିନେଟ ବା କଂଗ୍ରେସ ଅନୁମୋଦନପ୍ରାପ୍ତ କୌଣସି କମିଟି ରାଷ୍ଟ୍ରପତିଙ୍କୁ ପଦରୁ ବହିଷ୍କାର କରିପାରିବ ଗତ ଜାନୁଆରୀ ୬ ତାରିଖ କ୍ୟାପିଟଲ୍ କୋଠାରେ ଆକ୍ରମଣ ଘଟଣା ପରେ ରାଷ୍ଟ୍ରପତି ପଦରୁ ଟ୍ରମ୍ପଙ୍କୁ ବହିଷ୍କାର କରାଯିବା ସକାଶେ ଦାବି ଜୋର୍ ଧରି ଆସିଛି। କିନ୍ତୁ ଏହା ସତ୍ତ୍ବେ ରିପବ୍ଲିକାନ୍ପାର୍ଟିର ସଦସ୍ୟ ପେନ୍ସ ୨୫ତମ ସଂଶୋଧନ ଲାଗୁ ହେବ ନାହିଁ ବୋଲି ବାଚସ୍ପତି ନାନ୍ସି ପେଲୋସିଙ୍କୁ କହିଥିଲେ। କିନ୍ତୁ ପେଲୋସି ଏହି ଆକ୍ରମଣ ଘଟଣା ପଛରେ କେବଳ ଟ୍ରମ୍ପଙ୍କ ପ୍ରୋତ୍ସାହନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସପକ୍ଷରେ ମତ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ