କୃଷି ଆଇନ କପି ଚିରି ନିଆଁରେ ଜାଳି ବିରୋଧ ତୀବ୍ର କଲେ ଆନ୍ଦୋଳନରତ ଚାଷୀ


କୃଷି ଆଇନ କପି ଜାଳି ଲୋହଡ଼ି ପାଳୁଛନ୍ତି ଆନ୍ଦୋଳନରତ ଚାଷୀ
ନୂଆଦିଲ୍ଲୀ: ଗତ ୪୦ ଦିନରୁ ଊର୍ଦ୍ଧ୍ବ ସମୟ ଧରି କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଚାଷୀ ଆନ୍ଦୋଳନ କରିଆସିଛନ୍ତି। ଏହି ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପକାଇବା ସକାଶେ ଦିନକ ତଳେ ସୁପ୍ରିମକୋର୍ଟ ୪ଜଣିଆ କମିଟି ଗଠନ କରିଛନ୍ତି। କିନ୍ତୁ ଆନ୍ଦୋଳନରତ ଚାଷୀମାନେ ଏହାକୁ ଅଗ୍ରାହ୍ୟ କରିବା ସହ ଆଗାମୀ ଦିନରେ ସେମାନଙ୍କ ଆନ୍ଦୋଳନକୁ ଅଧିକ ତୀବ୍ର କରିବାର ସଙ୍କେତ ଦେଇଛନ୍ତି। ଏହି କ୍ରମରେ ଚାଷୀମାନେ ବୁଧବାର ବିବାଦୀୟ କୃଷି ଆଇନ କପି ଚିରିବା ସହ ସେସବୁକୁ ନିଆଁରେ ପୋଡ଼ି ସେମାନଙ୍କ ଆନ୍ଦୋଳନ ତୀବ୍ର ହେବା ନେଇ ପ୍ରାକ୍- ସୂଚନା ଦେଇଛନ୍ତି। ବୁଧବାର ଚାଷୀମାନେ ପଞ୍ଜାବ ରାଜ୍ୟର ସ୍ବତନ୍ତ୍ର ପର୍ବ ଭାବେ ପାଳିତ ଲୋହଡି ଅବସରରେ ଏହି କୃଷି ଆଇନ କପିକୁ ଚିରି ପୋଡ଼ିଦେଇଛନ୍ତି। ଏଥିସହ ଚାଷୀମାନେ ଏହି ଆଇନ ପ୍ରତ୍ୟାହାର କରିବାକୁ ରାଜି ହେଉ ନ ଥିବା କେନ୍ଦ୍ର ସରକାରଙ୍କ ବିରୋଧରେ ନାନାଦି ସ୍ଲୋଗାନ୍ ମଧ୍ୟ ଦେଉଥିବା ଶୁଣିବାକୁ ମିଳିଛି। ଉତ୍ତର ଭାରତରେ ଲୋହଡ଼ି ଏକ ସ୍ବତନ୍ତ୍ର ପର୍ବ ହୋଇଥିବା ବେଳେ ଏହା ବସନ୍ତ ଋତୁର ଆଗମନର ସୂଚନା ଦେଇଥାଏ। ଏହି ପର୍ବକୁ ନିଆଁ ଜାଳି ପାଳନ କରାଯାଇଥାଏ।

ପୂର୍ବରୁ ଚାଷୀନେତା ମନଜିତ୍ ସିଂ ରାଏ ଲୋହଡ଼ି ପର୍ବ ଅବସରରେ ଆନ୍ଦୋଳନରତ ଚାଷୀମାନେ ବିବାଦୀୟ କୃଷି ଆଇନ କପି ଜାଳି ଏହି ପର୍ବ ପାଳନ କରିବେ ବୋଲି ସୂଚନା ମଧ୍ୟ ଦେଇଥିଲେ। ସେହିପରି ବୁଧବାର ବିଳମ୍ବିତ ପ୍ରହରରେ ଆନ୍ଦୋଳନରତ ୪୦ଟି ଚାଷୀ ସଂଘକୁ ନେଇ ଗଠିତ ସଂଯୁକ୍ତ କିସାନ୍ ମୋର୍ଚ୍ଚା ଏହି ଚାଷୀ ଆନ୍ଦୋଳନର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ ଯେ ଚାଷୀ ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାର ଇତିମଧ୍ୟରେ ୮ ରାଉଣ୍ଡ୍ ଆଲୋଚନା କରିସାରିଥିବା ବେଳେ ଆସନ୍ତା ଜାନୁଆରୀ ୧୫ ତାରିଖରେ ନବମ ରାଉଣ୍ଡ୍ ଆଲୋଚନା ହେବ। ତେବେ ଚାଷୀ ଆନ୍ଦୋଳନର ସମାଧାନ କରିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାରଙ୍କ ଉପରେ ଗତ ସୋମବାର ସୁପ୍ରିମକୋର୍ଟ ଭୀଷଣ କ୍ଷୁବ୍ଧ ହୋଇଥିଲେ। ଏଣୁ ଚାଷୀ ଆନ୍ଦୋଳନର ସମାଧାନ ପାଇଁ ଅସ୍ଥାୟୀ ଭାବେ ତିନି ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିବାକୁ ପରୋକ୍ଷରେ ନିର୍ଦେଶ ଦେଇଥିଲେ। ତା’ଛଡ଼ା ମଙ୍ଗଳବାର ସୁପ୍ରିମକୋର୍ଟ ୪ ଜଣଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି। କିନ୍ତୁ ଚାଷୀମାନେ ଏହି କମିଟିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଏହି କମିଟି ଚାଷୀମାନଙ୍କ ସପକ୍ଷରେ ନୁହେଁ, ବରଂ ସରକାରଙ୍କ ସପକ୍ଷରେ ନିଷ୍ପତ୍ତି ନେବାର ଆଶଙ୍କା ରହିଥିବାରୁ ସେମାନେ ଏହି କମିଟିକୁ ଗ୍ରହଣ କରିବେ ନାହିଁ ବୋଲି ଖୋଲାଖୋଲି ଭାବେ କହିଛନ୍ତି। ଚାଷୀମାନେ ତିନି ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟାନ୍ୟ କୌଣସି ନିଷ୍ପତ୍ତିରେ ରାଜି ହେବେ ନାହିଁ ବୋଲି ଅଡ଼ି ବସିଥିବାରୁ ଏହି ଆନ୍ଦୋଳନର ଅବଧି ଇତିମଧ୍ୟରେ ଦେଢ଼ ମାସ ଟପିସାରିଲାଣି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ