ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗୋଟିଏ ପରେ ଗୋଟିଏ ସମସ୍ୟାରେ ପଡ଼ିଚାଲିଛନ୍ତି। ଆମେରିକା ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସରେ ମିଳିତ ସାଂସଦମାନଙ୍କ ବୈଠକକୁ ଭଣ୍ଡୁର କରିବା ସକାଶେ ଉଦ୍ୟମ ହୋଇଥିବା ବେଳେ ଏଥିପାଇଁ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଆଗତ ପାଇଁ ମଧ୍ୟ ପ୍ରସ୍ତାବ ପାରିତ ହୋଇସାରିଛି। ପୂର୍ବରୁ ଟ୍ରମ୍ପ୍ଙ୍କ ସୋସାଲ୍ ମିଡିଆ ଆକାଉଣ୍ଟକୁ ବି ବନ୍ଦ କରିଦିଆଯାଇଥିଲା। ଏବେ ତାଙ୍କର କୌଣସି ପ୍ରକାର ଭିଡିଓ ପ୍ରସାରଣ ଉପରେ ୟୁଟ୍ୟୁବ୍ ପକ୍ଷରୁ କଟକଣା ଲଗାଯାଇଛି। ପୂର୍ବରୁ ଟ୍ରମ୍ପଙ୍କ ଫେସବୁକ ଓ ଟ୍ୱିଟର ଆକାଉଣ୍ଟ ଉପରେ ରୋକ ଲାଗିଥିବା ବେଳେ ୟୁଟ୍ୟୁବ ସମାନ ପଦକ୍ଷେପ ନେଇଛି। ଟ୍ରମ୍ପଙ୍କ ଚ୍ୟାନେଲ ଉପରେ ୟୁଟ୍ୟୁବ୍ ପକ୍ଷରୁ ଅସ୍ଥାୟୀ ଭାବେ କଟକଣା ଲଗାଯାଇଥିବା ବେଳେ ଆଗାମୀ ୭ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାର ଭିଡିଓ ଅପଲୋଡ୍ ମଧ୍ୟ କରିପାରିବେ ନାହିଁ ବୋଲି କୁହାଯାଇଛି। ଆହୁରି କୌଣସି ପ୍ରକାର ହିଂସାକୁ ଉସକାଇବା ଭଳି ବୟାନ ରହିଥିବା ଭିଡିଓକୁ ମଧ୍ୟ ହଟାଇ ଦିଆଯାଇଛି।
ଗତ ସପ୍ତାହରେ ନୂଆ ରାଷ୍ଟ୍ରପତି ଜୋ ବିଡେନଙ୍କ ବିରୋଧରେ ଓ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ସପକ୍ଷରେ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକାର କ୍ୟାପିଟୋଲ କୋଠାରେ ପ୍ରବେଶ କରି ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ଆମେରିକା ଇତିହାସରେ ଏହା ସବୁଠାରୁ କଳଙ୍କିତ ଅଧ୍ୟାୟ ବୋଲି କୁହାଯିବା ସହ ଏହି ଘଟଣାରେ ଟ୍ରମ୍ପଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଅବଶ୍ୟ ପରେ ବିଡେନଙ୍କୁ ରାଷ୍ଟ୍ରପତି କ୍ଷମତା ହସ୍ତାନ୍ତର କରିବା ସକାଶେ ଟ୍ରମ୍ପ୍ ରାଜି ହୋଇଥିଲେ।
ତେବେ କ୍ୟାପିଟୋଲ୍ କୋଠା ଉପରେ ଟ୍ରମ୍ପଙ୍କ ସମର୍ଥକମାନେ ଆକ୍ରମଣ କରିବା ପୂର୍ବରୁ ଟ୍ରମ୍ପ ତାଙ୍କ ସୋସାଲ ମିଡିଆରେ ଏକାଧିକ ଉତ୍ତେଜନାମୂଳକ ଭିଡିଓ ପୋଷ୍ଟ କରିଥିଲେ। ଆଗକୁ ଟ୍ରମ୍ପ୍ ତାଙ୍କର ଏହି ଅଭ୍ୟାସ ଜାରି ରଖିବା ଆଶଙ୍କା କରି ଗୋଟିଏ ପରେ ଗୋଟିଏ ସୋସାଲ ମିଡିଆ ପ୍ଲାଟଫର୍ମ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦେଇଥିଲେ। ଏ ସଂକ୍ରାନ୍ତରେ ୟୁଟ୍ୟୁବ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଟ୍ରମ୍ପଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କୌଣସି ପ୍ରକାର ଭିଡିଓ ଅପଲୋଡ କରାଯାଇପାରିବ ନାହିଁ। ଟ୍ରମ୍ପଙ୍କ ଚ୍ୟାନେଲ ଆମଦ୍ୱାରା ପ୍ରଦତ୍ତ ନିୟମର ଉଲ୍ଲଙ୍ଘନ କରିଛି। ବର୍ତ୍ତମାନ ଆମେରିକାରେ ଚାଲିଥିବା ହିଂସାକାଣ୍ଡ ପାଇଁ ଟ୍ରମ୍ପ ୟୁଟ୍ୟୁବରେ ଭିଡିଓ ଅପଲୋଡ କରିଥିଲେ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଟ୍ରମ୍ପଙ୍କ ଚ୍ୟାନେଲକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ତା’ଛଡ଼ା ଉକ୍ତ ଭିଡିଓଟିକୁ ମଧ୍ୟ ବାଦ୍ ଦିଆଯାଇଛି। ଅଧିକନ୍ତୁ ଟ୍ରମ୍ପଙ୍କ ଚ୍ୟାନେଲରେ ଥିବା କମେଣ୍ଟ ବିକଳ୍ପକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଥିବା ୟୁଟ୍ୟୁବ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ଗତ ସପ୍ତାହରେ ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି।