ମୁଖ୍ୟ ଖବର
ସାମ୍ବା ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ସୁଡ଼ଙ୍ଗ ଠାବ କଲା ବିଏସଏଫ୍

-ଜମ୍ମୁ-କଶ୍ମୀରରେ ଗତ ନଭେମ୍ବରରେ ଠାବ ହୋଇଥିବା ସୁଡ଼ଙ୍ଗ (ଫାଇଲ୍ ଫଟୋ)
ଶ୍ରୀନଗର: ଜମ୍ମୁ-କଶ୍ମୀରର ସାମ୍ବା ସେକ୍ଟରରେ ବୁଧବାର ଏକ ସୁଡ଼ଙ୍ଗ ଠାବ କରିଛି ସୀମା ସୁରକ୍ଷା ବଳ (ବିଏସଏଫ)। ଜମ୍ମୁ ଡିଭିଜନର ସାମ୍ବା ଜିଲ୍ଲା ଅନ୍ତର୍ଗତ ଅନ୍ତର୍ଜାତୀୟ ସୀମାରେଖା ନିକଟସ୍ଥ ବୋବିୟାନ୍ ଗ୍ରାମ ନିକଟରେ ଏହି ସୁଡ଼ଙ୍ଗଟିକୁ ଠାବ କରାଯାଇଛି। ଏନେଇ ବିଏସଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗଟିର ଦୈର୍ଘ୍ୟ ପାଖାପାଖି ୧୦୦ ମିଟର ବୋଲି କୁହାଯାଇଛି। ଏହି ସୁଡ଼ଙ୍ଗଟିକୁ ଆତଙ୍କବାଦୀମାନେ ଯିବାଆସିବା କରିବା ସକାଶେ ବ୍ୟବହାର କରୁଥିବା ସନ୍ଦେହ କରାଯାଉଛି। ପାକିସ୍ତାନ ପଟୁ ଆତଙ୍କୀମାନେ ଏହି ସୁଡ଼ଙ୍ଗ ଦେଇ ଭାରତ ସୀମାରେ ପ୍ରବେଶ କରୁଥିବା ବିଏସଏଫ୍ ପକ୍ଷରୁ ବୁଧବାର ସକାଳେ କୁହାଯାଇଛି। ଏଥିସହ ୨ ମାସ ଭିତରେ ଜମ୍ମୁ-କଶ୍ମୀରରେ ଦ୍ବିତୀୟ ସୁଡ଼ଙ୍ଗ ଠାବ କରାଯାଇଛି। ବିଏସଏଫ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ଅପରେସନ୍ ଆରମ୍ଭ କରାଯାଇଥିବା ବେଳେ ଉକ୍ତ ସୁଡ଼ଙ୍ଗଟିକୁ ଠାବ କରାଯାଇଛି ଓ ଏନେଇ ସୂଚନା ପାଇବା ପରେ ବିଏସଏଫର ବରିଷ୍ଠ ପଦାଧିକାରୀମାନେ ସେଠାରେ ପହଞ୍ଚିଥିବା ଜଣାପଡ଼ିଛି। ତେବେ ଏ ସଂକ୍ରାନ୍ତରେ ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।
ସୂଚନାଯୋଗ୍ୟ ଯେ ଗତ ବର୍ଷ ନଭେମ୍ବରରେ ସାମ୍ବା ସେକ୍ଟରଠାରେ ଏକ ୧୫୦ ମିଟର ଦୂରତା ବିଶିଷ୍ଟ ସୁଡ଼ଙ୍ଗ ବିଏସଏଫ୍ ଯବାନମାନେ ଠାବ କରିଥିଲେ। ସୀମା ପାର୍ ଆତଙ୍କବାଦ ପାଇଁ ଏହି ସୁଡ଼ଙ୍ଗ ବ୍ୟବହାର କରାଯାଉଥିବା କୁହାଯାଇଥିଲା। ବିଶେଷକରି ପାକିସ୍ତାନରେ ସକ୍ରିୟ ଥିବା ତଥା ଗତ ୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ପୁଲୱାମାରେ ସିପିଆରଏଫର ଯବାନଙ୍କୁ ଟାର୍ଗେଟ୍ କରିଥିବା ଜୈଶ୍-ଏ-ମହମ୍ମଦର ସଦସ୍ୟମାନେ ଏହି ସୁଡ଼ଙ୍ଗ ଦେଇ ଭାରତ ସୀମାରେ ପ୍ରବେଶ କରୁଥିବା କୁହାଯାଇଥିଲା। ଏହି ସୁଡ଼ଙ୍ଗ ଠାବ ହେବାର ପାଖାପାଖି ୩ ଦିନ ପୂର୍ବରୁ ୪ ଜଣ ଜୈଶ୍ ଆତଙ୍କବାଦୀ ବ୍ୟାପକ ଗୁଳିଗୋଳା ସହ ତନଖି ଫାଟକ ନିକଟରେ ଧରାପଡ଼ିଥିଲେ। ଉକ୍ତ ଆତଙ୍କୀମାନେ ଏହି ସୁଡ଼ଙ୍ଗ ଦେଇ ଭାରତ ସୀମାରେ ପ୍ରବେଶ କରିଥିବା ସେତେବେଳେ ଜମ୍ମୁ-କଶ୍ମୀର ପୋଲିସ୍ ଡିଜି ଦିଲବାଗ୍ ସିଂ କହିଥିଲେ। ଏଥିସହ ଏହି ସୁଡ଼ଙ୍ଗ ଠାବ ହେବା ଘଟଣାକୁ ବିଏସଏଫର ବହୁତ ବଡ଼ ସଫଳତା ବୋଲି ମଧ୍ୟ ସିଂ କହିଥିଲେ। ଉକ୍ତ ଆତଙ୍କୀମାନେ ପାକିସ୍ତାନର ଚକବୁରା ପୋଷ୍ଟ୍ରୁ ସୁଡ଼ଙ୍ଗ ଦେଇ ଭାରତ ସୀମାରେ ପହଞ୍ଚିଥିବା ମଧ୍ୟ ସିଂ କହିଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ