ଓଡ଼ିଶାରେ ପହଞ୍ଚିଲା ଦ୍ବିତୀୟ କୋରୋନା ଟିକା କୋଭାକ୍ସିନ୍‌


ଟିକା ପହଞ୍ଚିବା ପରେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଉଛି (ଫାଇଲ୍‌ ଫଟୋ)
ଭୁବନେଶ୍ବର: ଆସନ୍ତା ଶନିବାର ରାଜ୍ୟରେ ହେବ କୋଭିଡ୍ ଟିକାକରଣ। ସେଥିପାଇଁ ୧୬୦ଟି ଟିକାକରଣ କେନ୍ଦ୍ର କରାଯାଇଛି। ମଙ୍ଗଳବାର ପ୍ରଥମ କୋଭିଡ୍‌ ଟିକା କୋଭିଶିଲ୍ଡ ଓଡ଼ିଶାରେ ପହଞ୍ଚିଛି। ସ୍ବତନ୍ତ୍ର ବିମାନ ଯୋଗେ ପୁଣେରୁ ଏହି ଟିକା ଆସିବା ପରେ ତାକୁ ରାଜ୍ୟ ଭ୍ୟାକସିନ୍‌ ଷ୍ଟୋର୍‌ରେ ସୁରକ୍ଷିତ ରଖାଯିବା ସହ ବିଭିନ୍ନ ଜିଲ୍ଲାକୁ ପଠାଯାଉଛି। କୋଭିଶିଲ୍ଡ ଟିକା ପରେ ବୁଧବାର ହାଇଦ୍ରାବାଦରୁ ଆସି ଭୁବନେଶ୍ବରରେ ପହଞ୍ଚିଛି କୋଭାକ୍ସିନ୍‌ ଟିକା। ହାଇଦ୍ରାବାଦ୍‌ସ୍ଥିତ ଭାରତ ବାୟୋଟେକ୍‌ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଟିକା ଭୁବନେଶ୍ବରରେ ଆସି ପହଞ୍ଚିଛି। ଟିକାକୁ ବିମାନବନ୍ଦରରୁ ଅଣାଯାଇ ଏବେ ରାଜ୍ୟ ଭ୍ୟାକ୍ସିନ୍‌ ଷ୍ଟୋର୍‌ ବା ଟିକା ଭଣ୍ଡାରରେ ରଖାଯାଇଛି। ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ତେବେ ରାଜ୍ୟରେ ୨ଟି ଟିକା ପହଞ୍ଚିଥଲା ବେଳେ କାହାକୁ କେଉଁ ଟିକା ଦିଆଯିବ ତାହା ସରକାର ସ୍ଥିର କରିବେ।

ମଙ୍ଗଳବାର ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ‘କୋଭିଶିଲ୍ଡ’ ଟିକାର ୪୦ ହଜାର ୮ ଶହ ଭାଏଲ୍‌ ଅର୍ଥାତ୍ ୪ ଲକ୍ଷ ୮ ହଜାର‌ ଡୋଜ୍‌ ଓଡ଼ିଶା ଆସିଥିଲା। ଆଜି  ପ୍ରାୟ ୨୦ ହଜାର କୋଭାକ୍ସିନ୍‌ ଡୋଜ୍‌ ଆସି ପହଞ୍ଚିଛି। ଭାରତ ବାୟୋଟେକ୍‌ ଓ ଆସିଏମ୍‌ଆର୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି କୋଭାକ୍ସିନ୍‌। ଟିକାକୁ ବିମାନବନ୍ଦରରୁ ଅଣାଯାଇ ଏବେ ରାଜ୍ୟ ଭ୍ୟାକ୍ସିନ୍ ଷ୍ଟୋର୍‌ରେ ରଖାଯାଇଛି। କେନ୍ଦ୍ର ସରକାର ମୋଟ୍ ୫୫ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା କିଣିବାକୁ ଅର୍ଡର ଦେଇଥିବା ବେଳେ ସେଥିରୁ ଓଡ଼ିଶାରେ ପହଞ୍ଚିଛି ୨୦ ହଜାର। କୋଭାକ୍ସିନ୍ ଡୋଜ୍ ପିଛା ୨୯୫ ଟଙ୍କା ଦାବି କରିଛି ଭାରତ ବାୟୋଟେକେ୍‌। ଗତକାଲି ଟିକା କେତେକ ଜିଲ୍ଲା ଟିକାକରଣ କେନ୍ଦ୍ରକୁ ପଠାଯାଇଥିବା ସହ ଆଜି ଅବଶିଷ୍ଟ ଜିଲ୍ଲାକୁ ପଠାଯାଉଛି।

୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍-୧୯ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି। ସେଥିରୁ ଭୁବନେଶ୍ୱରରେ ୫ଟି କେନ୍ଦ୍ର ରହିଛି। କ୍ୟାପିଟାଲ୍‌ ହସ୍ପିଟାଲ୍‌, ଯୁନିଟ-୪, ବିଏମ୍‌ସି ହସ୍ପିଟାଲ୍‌, ସମ୍‌ ଓ କିମ୍‌ସ ହସ୍ପିଟାଲ୍‌ରେ ଟିକା ଦିଆଯିବ। ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ୨୧ ହଜାର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଏହାଛଡ଼ା ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ୍‌ ହସପିଟାଲରେ ଟୁ-ୱେ କମ୍ୟୁନିକେସନ ରହିବ। ଅର୍ଥାତ ଏହି ଦୁଇ ସେଣ୍ଟରରୁ ଟିକାକରଣ ନେଇ କେନ୍ଦ୍ର ସରକାର ସିଧାସଳଖ ଫିଡ୍‌ବ୍ୟାକ୍‌ ନେଇପାରିବେ। ପ୍ରତି ସେଣ୍ଟର୍‌ରେ ଦୈନିକ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି। ସେହିପରି  ଅନୁଗୁଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ ସେଣ୍ଟର୍‌ ହୋଇଛି। ବଲାଙ୍ଗିର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ ସେଣ୍ଟର୍‌ ହୋଇଛି। ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ ଟିକାଦାନ କେନ୍ଦ୍ର ହୋଇଥିବା ବେଳେ ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ, କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟିକାକରଣ କାର୍ଯ୍ୟ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ