ଓଡ଼ିଶାକୁ ଜାଗା ମିଶନ ଓ ପାଇପ୍‌ ପାନୀୟ ଜଳ ପାଇଁ ଦୁଇଟି ଜାତୀୟ ପୁରସ୍କାର


ପୁରସ୍କାର ଗ୍ରହଣ କରୁଛନ୍ତି ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ୍‌
ଭୁବନେଶ୍ବର: ଦେଶରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛି ଓଡ଼ିଶା। ଏପରିକି ଜାତୀୟ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଓଡ଼ିଶା। ଓଡ଼ିଶାର ଏହି ଶ୍ରେଷ୍ଠତ୍ୱକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ  ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଓଡ଼ିଶାକୁ ଆଉ ଦୁଇଟି ଜାତୀୟ ପୁରସ୍କାର ମିଳିଛି। ଜନାଗ୍ରହ ସହର ପ୍ରଶାସନର ଦ୍ୱିତୀୟ ସଂସ୍କରଣରେ ଓଡ଼ିଶା ସ୍ଥାନ ପାଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ଗୃହ ନିର୍ମାଣ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ଓଡ଼ିଶାକୁ ପୁରସ୍କୃତ କରିଥିଲେ। ରାଜ୍ୟ ପକ୍ଷରୁ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି.ମାଥିଭାଥନନ୍‌ ଏହି ପୁରସ୍କାର ଦୁଇଟି ଗ୍ରହଣ କରିଥିଲେ। ୧୭ଟି ରାଜ୍ୟରୁ ୫୪ଟି ଆବେଦନକୁ ବିଚାରାକୁ ନିଆଯାଇଥିବା ବେଳେ ୫ଟି ବର୍ଗ ମଧ୍ୟରୁ ଓଡ଼ିଶା ଦୁଇଟିରେ ପ୍ରଥମ ସ୍ଥାନ ହାସଲ କରିଛି।

ଜାଗା ମିଶନ କ୍ଷେତ୍ରରେ ଆଇନର ସଫଳ ରୂପାୟନ, ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନ ପାଇଁ ଗ୍ରହଣ କରିଥିବା ଉଲ୍ଲେଖନୀୟ ପଦକ୍ଷେପ ସକାଶେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର ପାଇଛି। ଓଡ଼ିଶା କାର୍ଯ୍ୟକାରୀ କରିଥିବା ବସ୍ତି ବାସିନ୍ଦାଙ୍କୁ ଜମିର ସତ୍ତ୍ବାଧିକାର ନିୟମ -୨୦୧୭ କାର୍ଯ୍ୟକାରୀ କରାଇବା ଏବଂ ବସ୍ତି ଉନ୍ନୟନ ସଂଘ ମାଧ୍ୟମରେ ବସ୍ତିଗୁଡ଼ିକର ବିକାଶ ପାଇଁ ଏହି ପୁରସ୍କାର ମିଳିଛି। ଗୃହ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନ ସହରାଞ୍ଚଳରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ କ୍ଷେତ୍ରରେ ‘ବେଷ୍ଟ ସିଭିକ ଏଜେନ୍ସି’ ପୁରସ୍କାର ପାଇଛି। ବିକେନ୍ଦ୍ରୀକରଣର ଭି.ରାମଚନ୍ଦ୍ରନ୍‌ଙ୍କ ସ୍ମୃତିରେ ଏହି ପୁରସ୍କାରଗୁଡ଼ିକ ପ୍ରଦାନ କରାଯାଇଥାଏ। ୫ ଟି ବର୍ଗରେ ଦିଆଯାଉଥିବା ପୁରସ୍କାରଗୁଡିକ ହେଉଛି ଶ୍ରେଷ୍ଠ ରାଜ୍ୟ, ଶ୍ରେଷ୍ଠ ପୌରସଂସ୍ଥା, ଶ୍ରେଷ୍ଠ ସିଭିକ ଏଜେନ୍ସି, ଶ୍ରେଷ୍ଠ ରାଜ୍ୟ ନିର୍ବାଚନ କମିଶନ ଏବଂ ଶ୍ରେଷ୍ଠ ରାଜ୍ୟ ଅର୍ଥକମିଶନ। ଏହି ପୁରସ୍କାର ବିତରଣ ଉତ୍ସବରେ ପୌର ପ୍ରଶାସକ ସଂଗ୍ରାମଜିତ ନାଏକ, ଇଆଇସି ପିଏଚ୍ ବସନ୍ତ କୁମାର ସେନାପତି ଓ ଉପଶାସନ ସଚିବ ଶାରଦା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ