ମୁଖ୍ୟ ଖବର
ଖୁବଶୀଘ୍ର ସ୍ଥଳସେନାରେ ମହିଳା ପାଇଲଟ: ଜେନେରାଲ ନରୱଣେ

ନୂଆଦିଲ୍ଲୀଠାରେ ସେନା ଦିବସର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ
ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ସେନାରେ ମହିଳା ପାଇଲଟ୍ ସାମିଲ ହେବେ। ପ୍ରଥମ ଥର ପାଇଁ ମହିଳା ପାଇଲଟଙ୍କୁ ସେନାରେ ସାମିଲ କରାଯିବ। ଏମାନେ ସୀମାରେ ହେଉଥିବା ଅପରେସନରେ ଭାଗ ନେବେ। ମଙ୍ଗଳବାର ନୂଆଦିଲ୍ଲୀଠାରେ ସେନା ଦିବସର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମହିଳାମାନଙ୍କୁ ଆର୍ମି ଆଭିଏସନରେ ପାଇଲଟ୍ ଭାବରେ ଅନ୍ତର୍ଭୁକ୍ତ କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
ସ୍ଥଳସେନା ମୁଖ୍ୟ ଆହୁରି କହିଛନ୍ତି, ଗତ ମାସରେ ସେନା ବିମାନ ଚଳାଚଳରେ ମହିଳା ଅଧିକାରୀ ନିଯୁକ୍ତି ପାଇପାରିବେ ବୋଲି ଏକ ପ୍ରସ୍ତାବ ଦେଇଥିଲି। ଚଳିତ ବର୍ଷ ଜୁଲାଇରୁ ବିମାନ ଚଳାଚଳ ପାଇଁ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହେବାକୁ ଥିବା ବେଳେ ସେଥିରେ ମହିଳା ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ। ବର୍ଷେ ତାଲିମ ନେବା ପରେ ସେମାନେ ଡ୍ୟୁଟିରେ ଯୋଗ ଦେଇ ପାରିବେ ବୋଲି ଜେନେରାଲ୍ ନରୱଣେ କହିଛନ୍ତି।
ସୂଚନାଯୋଗ୍ୟ, ଏବେ ମହିଳାମାନେ ଆର୍ମି ଆଭିଏସନ କର୍ପସରେ ଗ୍ରାଉଣ୍ଡ ଡ୍ୟୁଟିର ଅଛନ୍ତି। ଭାରତୀୟ ବାୟୁସେନାରେ ବର୍ତ୍ତମାନ ଯୁଦ୍ଧ ବିମାନ ଉଡ଼ାଇବା ପାଇଁ ୧୦ଜଣ ମହିଳା ପାଇଲଟ୍ ଥିବାବେଳେ ନୌସେନାର ମହିଳାମାନେ ଡର୍ନିଅର୍ ଜାହାଜ ଉଡାଉଛନ୍ତି। ୧୦ଯୁଦ୍ଧ ବିମାନ ପାଇଲଟଙ୍କ ବ୍ୟତୀତ ବାୟୁସେନାରେ ୧୧୧ ମହିଳା ପାଇଲଟ ଅଛନ୍ତି ଯେଉଁମାନେ ପରିବହନ ବିମାନ ଏବଂ ହେଲିକପ୍ଟର ଉଡ଼ାଉଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ